Unknown

 

 

 

 

 

 

 

 

 

 

ଓଡ଼ିଶା ରାଜ୍ୟରେ ତାରଜନ୍‍

ଅକ୍ଷୟ କୁମାର

 

ଆଦ୍ୟ ଆଷାଢ଼ର ଏକ ବର୍ଷଣମୁଖର ଘନ ଅନ୍ଧାର ରାତି । ଅନବରତ ବର୍ଷା ଲାଗିରହିଛି-। ଆଜିକି ମିଶେଇ ତନିଦିନ ହେଲା ଭୀଷଣ ବର୍ଷା କୁଢ଼େଇ ଚାଲିଛି । ସେମିତି ଏକ ବିଭୀଷିକାମୟୀ ରାତିର ପ୍ରାୟ ଦ୍ଵିତୀୟ ପ୍ରହରରେ ଏ ଅଞ୍ଚଳର ଦୃଶ୍ୟ ଆହୁରି ଭୟଙ୍କର । ପାହାଡ଼ଟା କେମିତି ଗୋଟାଏ ଅପ୍ରାକୃତିକ ଭାବରେ ତେଢ଼ା ହୋଇ ଉଠିଯାଇଚି ଉପରକୁ । ତାକୁଇ କାଟିକାଟି ସାପେଇ ଯାଇଛି ଜିପ୍‌ ରାସ୍ତାଟିଏ । କିଛି ବାଟ ଏଇ ରାସ୍ତାରେ ଗଲେ ଆଉ ଗୋଟିଏ କେନା ରାସ୍ତା ସେଇ ରାସ୍ତାରୁ ବାହାରି କିଛିବାଟ ଆଗେଇଯାଇଚି । ସେଇବାଟେ ପ୍ରାୟ ଶହେ ଗଜ ଆଗେଇଗଲେ ସେ ରାସ୍ତାର ଶେଷରେ ପାହାଡ଼ କେମିତି ହଠାତ୍‌ ଶେଷ ହୋଇଯାଇ ତା’ରି ଭିତରୁ ବାହାରିଛି ବେଶ୍‌ ବଡ଼ ଜଳପ୍ରପାତଟିଏ । ସେଇଠାରୁ ପାଣି ପ୍ରାୟ ଦୁଇଶହ ଫୁଟ ତଳକୁ ବିରାଟ ଗର୍ଜ୍ଜନ କରି ପଡ଼ୁଚି । ତଳକୁ ଚାହିଁଦେଲେ ପ୍ରଥମ ଦେଖିବା ଲୋକର ହଠାତ୍‌ ମୁଣ୍ଡ ଝାଙ୍କିହୋଇଯାଏ-। ପାହାଡ଼ର ଚାରିକଡ଼ଯାକ କେବଳ ବିରାଟ ବିରାଟ ଗଛ ଓ ଜଙ୍ଗଲରେ ଭର୍ତ୍ତି-

 

ଏହିଭଳି ଏକ ଝଡ଼ବର୍ଷା ରାତିରେ ଏ ସ୍ଥାନର ଦୃଶ୍ୟ ଯେ କିଭଳି ଭୟଙ୍କର ହୋଇଥିବ ତାହା ସହଜରେ ଅନୁମେୟ । ମନୁଷ୍ୟ ତ ଦୂରର କଥା, ଜୀବନ୍ତ ପଶୁପକ୍ଷୀ ମଧ୍ୟ ସଚେତ ନ ଥିବେ-। ଏଇ ଅବସ୍ଥିତରେ, ହଠାତ୍‌ ସେଇ ବର୍ଷାର ସୁ ସୁ ଗର୍ଜ୍ଜନ ଭିତରେ ଦୂରରୁ ଆଉ ଏକ ଶବ୍ଦ କିପରି ଅନୁଭୂତ ହେଲା । ଠିକ୍‌ ତା’ର କିଛି ସମୟ ପରେ ବେଶ୍‌ ଜଣାଗଲା ଯେ ନିଶ୍ଚୟ ଏହା ଏକ ଜିପ୍‌ର ଆସିବା ଶବ୍ଦ । ଶବ୍ଦଟା ଖୁବ୍‌ ବେଗରେ ନିକଟତର ହେଇଆସୁଥାଏ; କିନ୍ତୁ ଆଶ୍ଚର୍ଯ୍ୟ ! ଡ୍ରାଇଭରଟା କ’ଣ ଏତେ ବେଶି ଅଭ୍ୟସ୍ତ ଏ ରାସ୍ତାରେ ଯେ ଆଲୋକ ଦବା ତା’ର ଦରକାର ପଡ଼ୁନି-! ସତକୁ ସତ ଜିପ୍‌ଟାଏ ମାଡ଼ିଆସି ଠିକ୍‌ ସେ ଜଳପ୍ରପାତ ଖାଲଠାରୁ ପଚାଶଫୁଟ ଦୂରରେ ବ୍ରେକ୍‌ କଷିଲା । ପାହାଡ଼ିଆ ରାସ୍ତା ଆଉ ବର୍ଷା ଯୋଗୁଁ ଗାଡ଼ି ବେଶ୍‌ କିଛି ବାଟ ଘୁଷୁଡ଼ିଯାଇ ଅଟକିଗଲା-। ତା’ରରେ ତା’ଭିତରୁ ସେଇ ଅନ୍ଧାର ଭିତରେ ଏକ ଛାୟାମୂର୍ତ୍ତି ବାହାରି ପଡ଼ିଲା; ବିଜୁଳି ବେଗରେ କ’ଣ ମେଞ୍ଚାଏ ଗାଡ଼ି ଭିତରୁ ବାହାର କରି ଆଣି ତାକୁ ପିନ୍ଧିବସିଲା । ଅନ୍ଧାରରେ ବେଶ୍‌ ପରିଷ୍କାର ଜଣା ନ ପଡ଼ିଲେ ସୁଦ୍ଧା କେବଳ ଏତିକି ଅନୁମାନ କରିହବ ଯେ ତାହା ଏକ ପୋଷାକ ହେଇପାରେ-। କିଛିକ୍ଷଣ ଭିତରେ ସେ ପୋଷାକ ପିନ୍ଧିପକେଇଲା ପରେ କଲା ମୂର୍ତ୍ତିଟି ଦଣ୍ଡେ ଠିଆହୋଇ କ’ଣ କରିବାକୁ ଲାଗିଲା । ହଠାତ୍‌ ଦେଖାଗଲା, ସେ ଲୋକଟାର ଆକୃତି କ୍ରମଶଃ ଯେମିତି ବଢ଼ିବାରେ ଲାଗିଚି । କିଛି ସମୟ ପରେ ଏକ ବିରାଟ ଗୋଲାକାର ପେଣ୍ଡୁଳା ଭଳି ସେ ଲୋକଟା ହୋଇଗଲା-। ତା’ପରେ ଗାଡ଼ିରେ ବସି ହଠାତ୍‌ ଷ୍ଟାର୍ଟ ଦେଲା । ତା’ପରେ ବ୍ରେକ୍‌ କଷି ଏକାଥରେ ଗିଅର୍‌ ଦେଇ ଗାଡ଼ିକୁ ଆଗକୁ ନେବାର ଉପକ୍ରମ କଲା । ମନେହେଲା, ସତେ କ’ଣ ଲୋକଟା ପାଗଳ ! ଆଗରେ ପାତାଳପୁରୀ ଭଳି ଅତଡ଼ା ପ୍ରପାତ, ଦି’ଟା ପାହାଡ଼ ସତେ ଯେମିତି ଦି’ଭାଗ ହୋଇଛି । ଆଖିପିଛୁଡ଼ାକେ ଗାଡ଼ିଟା ଆଗକୁ ଯିବାର ଉପକ୍ରମ ହେଲା ମାତ୍ରେ ସେଇ କଳା ଗୋଲକାର ଜୀବଟି ଗାଡ଼ିଭିତରୁ ପିଟିହେଇ ଛିଞ୍ଚାଡ଼ିହେଇ ପଡ଼ିଗଲା ବାହାରକୁ । କିନ୍ତୁ ଗାଡ଼ିଟା ଆଗକୁ ଗଡ଼ିଯାଇ ଖୁବ୍‌ ବେଗରେ ଖସିପଡ଼ିଲା ତା’ ତଳକୁ । ତା’ପରେ କିଛିଟା ବିକୃତ ଶବ୍ଦ, ସତେ ଯେମିତି ପଥର ଦେହରେ ଛେଚି ହେଇ ହେଇ ପାଣିରେ ଭୁଷ୍‌କରି ଗଳିପଡ଼ିଲା ଗାଡ଼ିଟା ।

 

ଆଶ୍ଚର୍ଯ୍ୟ ! କ’ଣ ହେଇପାରେ ଏହାର ଉଦ୍ଦେଶ୍ୟ ? ଗାଡ଼ିଟା ନଷ୍ଟ କରିବାରେ କ’ଣ ଉଦ୍ଦେଶ୍ୟ ଥିଲା । କ’ଣ ବା ଥିଲା ସେଇ ଗାଡ଼ି ଭିତରେ ? ସେ କିମ୍ଭୂତ କିମାକର ଲୋକଟା ବା ଗଲା କୁଆଡ଼େ । ଅନେକଗୁଡ଼ାଏ ପ୍ରଶ୍ନ ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇଗଲା । ଏପରି ଏକ କାଳରାତ୍ରିରେ କି ଚକ୍ରାନ୍ତ ରୂପ ନେଲା ତାହା କହିବା ଆଦୌ ସମ୍ଭବ ନୁହେଁ । ହଠାତ୍‌ ଆଉ କିଛି ଭାବିବାକୁ ଅବସର ନ ଦେଇ ଗୋଟିଏ ଗାଡ଼ିର ଶବ୍ଦ ଶୁଣାଗଲା । ମନେହେଲା ଗାଡ଼ିଟା ପାଖେଇ ଆସୁଛି । ସତକୁ ସତ ସେଇଆ ହେଲା; ଗାଡ଼ିଟା ଆସି ବ୍ରେକ୍‌ କଷିଲା ସେଇଠି । ତା’ଭିତରୁ ତିନିଜଣ ଓହ୍ଲେଇ ଆସିଲେ । ଅନ୍ଧାର ରାତିରେ ତିନୋଟି ଛାୟାମୂର୍ତ୍ତି ଭଳି ଦେଖାଯାଉଥାନ୍ତି ସେମାନେ । କିଛିବାଟ ଆଗେଇ ପକେଟ୍‌ରୁ ଗୁପ୍ତ ଟର୍ଚ୍ଚଲାଇଟ୍‌ କାଢ଼ି ଖୁବ୍‌ ସତର୍କତା ସହକାରେ ପକେଇ ପୂର୍ବବର୍ଣ୍ଣିତ ଗାଡ଼ିର ଚକା ଚିହ୍ନ ଦେଖିଲେ । ସାମାନ୍ୟ ଜଙ୍ଗଲ ଭିତର ଅଂଶକୁ ନିରୀକ୍ଷଣ କରିବା ପରେ ତାଙ୍କ ଭିତରୁ ଜଣେ ଆନନ୍ଦରେ ଚିତ୍କାର କରିଉଠିଲା । ତିନି ହେଁ ଆଗେଇଯାଇ ସେଇ ବିଚିତ୍ର ପୋଷାକଧାରୀ ଲୋକଟା ପାଖରେ ପହଞ୍ଚିଲେ । ତାକୁ ଉଠେଇଆଣିବା ପରେ, କିଛିକ୍ଷଣ ଉପରେ ଦେଖାଗଲା, ସେ ଲୋକଟି ପୁଣି ମନୁଷ୍ୟ ରୂପ ଧାରଣ କରିଚି ଏବଂ ସେହି ଅଦ୍ଭୁତ ପୋଷାକକୁ ପୁଣି ପୁଡ଼ିଆଟାଏ କରି ଧରିଚି । ସମସ୍ତେ ଅତି ସନ୍ତର୍ପଣରେ ଗାଡ଼ି ଭିତରେ ବସିବାପରେ ଗାଡ଼ିଟା ବ୍ୟାକ୍‌କରି ପୁଣି ପଛକୁ ଫେରିଗଲା ଏବଂ କିଛିକ୍ଷଣ ଭିତରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଗଲା ।

 

ଏତେ ଅଳ୍ପ ସମୟ ଭିତରେ ଏତେ ଗୁଡ଼ାଏ ଘଟଣା ଘଟିଗଲା ଯେ ତା’ର ଯୋଗସୂତ୍ର ସ୍ଥାପନ କରିବା ଅସମ୍ଭବ । ସେଇ ସ୍ଥାନଟା ଏକ କାଳ ଭୈରବୀର ସମୁଦ୍ର କହିଲେ ଭୁଲ ହେବନି । ତେଣୁ ତା’ର ଭିତରେ ଏପରି ଏକ ଛୋଟ ଘଟଣା କ୍ଷଣକ ଭିତରେ କୋଉଠି ଆତ୍ମଗୋପନ କଲା ତାହା କହିବା ଅସମ୍ଭବ । କେହି ସେ ସ୍ଥାନକୁ ଦେଖିଲେ ଧାରଣା କରିପାରିବେନି ଯେ କିଛି ସମୟ ଆଗରୁ ଏ ଭଳି ଏକ ଅଦ୍ଭୁତ ଦୃଶ୍ୟ ସେଠି ଅଭିନିତ ହେଇଗଲା ।

 

ମୁହୂର୍ତ୍ତକ ଭିତରେ ସବୁଆଡ଼ ଶୂନଶାନ୍‌ ହେଇଗଲା ପରେ ସେଇ ଅନ୍ଧାର ଭିତରେ ଝିପ୍‌କରି କ’ଣ ଗୋଟାଏ ଶବ୍ଦ ହେଲା, କ’ଣ ଗୋଟାଏ ଯେମିତି ଭାରୀ ଜିନିଷ ବୁଦା ଭିତରେ ଗଛ ଉପରୁ ଖସିପଡ଼ିଲା । ତା’ପରେ ଦେଖାଗଲା ଛାୟାମୂର୍ତ୍ତିଟାଏ ଅତି ସନ୍ତର୍ପଣରେ ଗଛ ଉପରୁ କୁଦା ମାରି ଡେଇଁପଡ଼ି ଠିଆ ହେଇ କ’ଣ ଯେମିତି ଦେଖୁଚି । ତା’ପରେ ଧୀରେ ଧୀରେ ଆଗକୁ ଆସି ଭଲ ନିରୀକ୍ଷଣ କରିନେଲା, ତାକୁ କେହି କୁଆଡ଼େ ଦେଖୁନାହାନ୍ତି । ସେଇ ପାଣି ଧାର ଆଡ଼କୁ ଆଗେଇ କିଛି ସମୟ ସେଠି ତଳକୁ ଚାହିଁଲା । କିଟିକିଟିଆ ଅନ୍ଧାର ଭିତରେ ପାଣିର ସୁ ସୁ ଗର୍ଜ୍ଜନ ଶୁଣିବା ଛଡ଼ା ଆଉ କିଛି ଦେଖିବାର ପ୍ରୟାସ ମଧ୍ୟ କରିବା ବୃଥା । ହଠାତ୍‌ କ’ଣ ଭାବି ପଛକୁ ଫେରିଲା ଏବଂ ଦ୍ରୁତ ପଦକ୍ଷେପରେ କ୍ରମେ ଫେରି ଚାଲିଲା ସେଇ ପୂର୍ବବର୍ଣ୍ଣିତ ରାସ୍ତାରେ ।

ବର୍ଷାର ବେଗ ଆହୁରି ଗଢ଼ିଉଠିଥାଏ ସେତେବେଳକୁ । ପବନ ଆହୁରି ବେଗଶୀଳ ହୋଇଯାଇଛି । ରାତ୍ରୀର ବିକଳ ରୂପ ହୋଇଉଠିଛି ଭୟଙ୍କର ।

ଏଇ କେତେଦିନ ହେବ ଅନବରତ କାମ ପରେ ଆଜି ଗୋଟିଏ ସୁସ୍ଥିର ଦିନ ମି: ଚୌଧୁରୀ ଓ ଅଜୟବାବୁଙ୍କ ଭାଗ୍ୟରେ । ତେଣୁ କର୍ମହୀନ ଦିନଟା ଶୋଇ ଶୋଇ କଟେଇ ଦେଇସାରିଲା ପରେ ଦୁହେଁ ଏଭଳି ବର୍ଷଣମୁଖର ସନ୍ଧ୍ୟାଟିକୁ ନଷ୍ଟ ନ କରିଦେଇ ଚେସ ବୋର୍ଡ଼ ଧରି ବସିଯାଇଛନ୍ତି ଖେଳିବାକୁ । ଖେଳିବାରେ ଦୁହେ ସିଦ୍ଧହସ୍ତ । ତେଣୁ ଖେଳର ଯୁଦ୍ଧରେ ରାତି କେତେ ହେଲାଣି ସେଥିପ୍ରତି କାହାରି ଧ୍ୟାନ ନାହିଁ । ଏହି ସମୟରେ ଟେଲିଫୋନଟା ବାଜିଉଠିଲା । ଅଜୟବାବୁ ଉଠିଗଲେ ଧରିବାକୁ ।

‘ହ୍ୟାଲୋ....’

‘ନା..ମୁଁ ଅଜୟ କହୁଚି ତାଙ୍କ ସହକାରୀ ନମସ୍କାର,

କ’ଣ ଅତି ଜରୁରୀ ? ହଁ, ଅଛନ୍ତି ।’

..................

‘ସାର୍‌, ବର୍ତ୍ତମାନ ଯାଉଁଚୁଁ’ କହି ରିସିଭର ରଖିଲେ ଅଜୟବାବୁ । ମି: ଚୌଧୁରୀ ତାଙ୍କ ମୁହଁକୁ ଚାହିଁରହି ପଚାରିଲେ–

‘‘କଥା କ’ଣ ଅଜୟ ? କାହାକୁ ଏ ବର୍ଷା ଝଡ଼ ରାତିରେ ଯିବାକୁ ହଁ ଭରିଦେଲ ?’’

‘‘ଭାରି ଜରୁରୀ, ସାର୍‌, ଆଇ: ଜି: ନିଜେ ଫୋନ୍‌ କରିଥିଲେ ରାୟବାହାଦୂର ରଘୁନାଥ ଛୋଟରାୟଙ୍କ ଘରୁ । କହିଲେ ‘ଭୀଷଣ ବିପଦ । ଆପଣମାନେ ଶୀଘ୍ର ଆସନ୍ତୁ ।’ ସେ ନିଜେ ଡରିଯାଇଛନ୍ତି ।’’

ଆଶ୍ଚର୍ଯ୍ୟ ହେଲେ ମି: ଚୌଧୁରୀ । ମି: କନ୍‌ୱାରଙ୍କ ନାଁ ପଡ଼ିଲେ ଅତି ଦକ୍ଷ ପୋଲିସ ଅଫିସର ମଧ୍ୟ ଅଜାଣତରେ ଚୌକି ଛାଡ଼ି ଭୟରେ ଠିଆ ହୋଇଯାଆନ୍ତି । ସେଭଳି ଆଇ:ଜି ଆଜି ଭୟଭୀତ ? କ’ଣ ତା’ର କାରଣ ହେଇପାରେ ?

ଆଉ କାଳବିଲମ୍ବ ନ କରି କ୍ଷଣକ ଭିତରେ ଦୁହେଁ ପ୍ରସ୍ତୁତ ହେଇପଡ଼ିଲେ । ନିଜର ଅତି ପ୍ରିୟ ରିଭଲଭର୍‌ଟି ପକେଟ୍‌ରେ ରଖୁ ରଖୁ ପଚାରିଲେ ମି: ଚୌଧୁରୀ–

‘‘ଆଚ୍ଛା, ତାରଜନ୍‌ କାହିଁ ? ତା’ର ତ କ’ଣ ଦିନରୁ ଦେଖାନାହିଁ...’’

‘‘ଜଙ୍ଗଲୀଟା–କୋଉ ଜଙ୍ଗଲ ଭିତରେ ପଶିଥିବ କି କୁଆଡ଼େ ସେମିତି ବୁଲିବାକୁ ଯାଇଥିବ ପାହାଡ଼ ଜଙ୍ଗଲ ଆଡ଼େ । କ’ଣ କହୁଥିଲା ତ ଆଜି ଦୂରକୁ ଯାଇପାରେ ବୋଲି...’’

ଅତିଶୀଘ୍ର ଘରର ପୂଝାରୀକୁ ଆବଶ୍ୟଙ୍କ ଉପଦେଶ ଦେଇ ବାହାରିଲେ ଦୁହେ । ଅଜୟବାବୁ କଳା ଫିଆଟ୍‌ ଗାଡ଼ିର ଷ୍ଟାର୍ଟରରେ ହାତ ଦେଲେ ।

ଅତି ଅଳ୍ପ ସମୟ ଭିତରେ ରାୟବାହାଦୂର ରଘୁନାଥ ଛୋଟରାୟଙ୍କ ପ୍ରାସାଦ ସମ୍ମୁଖରେ ଗାଡ଼ି ପହଞ୍ଚିଲେ । ଆଗରୁ ବୋଧହୁଏ ଦରୱାନକୁ ସେହିପରି ନିର୍ଦ୍ଦେଶ ଦିଆଯାଇଥିଲା, ତେଣୁ ସେ ଗାଡ଼ି ନମ୍ବର ଦେଖିଲାମାତ୍ରେ ଫାଟକ ଖୋଲିଦେଲା । ରାୟବାହାଦୂରଙ୍କ ପୁଅ ଅଭିନନ୍ଦନ ଜଣେଇ ନେଇଗଲେ ଉପର ମହଲ ବୈଠକଖାନାକୁ । ସେ ପର୍ଯ୍ୟନ୍ତ ଉଭୟେ ନୀରବ, କାରଣ, ଉଭୟଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ, ରାୟବାହାଦୁରଙ୍କର ପୁଣି କ’ଣ ବିପଦ ଥାଇପାରେ ?

କି ବିରାଟ ପ୍ରାସାଦ, ଘର ପରେ ଘର ଲମ୍ବି ଯାଇଛି କାହିଁ କେତେ ପର୍ଯ୍ୟନ୍ତ, ସବୁଗୁଡ଼ିକ ସୁସଜ୍ଜିତ, ତା’ପରେ ଡ୍ରଇଂ ରୁମ୍‌ । ସେଥିରେ ବସିଥାନ୍ତି ରାୟବାହାଦୁର ଏବଂ ମି: କନ୍‌ୱାର । ଉଭୟଙ୍କ ଆଖିରେ ନିଦ ନାହିଁ ଅବା ନିଦ ଆସିବାର ଉପକ୍ରମ ନାହିଁ ଯେମିତି । ମି: ଚୌଧୁରୀ ଏବଂ ଅଜୟବାବୁଙ୍କୁ ଦେଖି ଉଭୟେ ଏକପ୍ରକାର ଉଠିଆସି ପାଛୋଟି ନେଲେ । ଆସନ ଗ୍ରହଣ କଲାପରେରେ ଆରମ୍ଭ କଲେ ମି: କନ୍‌ୱାର–

‘‘ମି: ଚୌଧୁରୀ ! ଜୀବନରେ ମୁଁ ଅନେକ ଘଟଣାର ସମ୍ମୁଖୀନ ହେଇଚି; କିନ୍ତୁ ଏଭଳି ପରିସ୍ଥିତି ସମ୍ଭବ ହୋଇପାରେ ବୋଲି ମୋର କଳ୍ପନାର ବାହାରେ । ଆପଣଙ୍କୁ ସେଇଥିପାଇଁ ଏ ଅବେଳରେ ଡାକିବାକୁ ବାଧ୍ୟ ହେଲି । ଶୁଣନ୍ତୁ ଘଟଣାଟା । ଗଲା କାଲିଠାରୁ ଛୋଟରାୟଙ୍କ ସାନପୁଅ ଶୁଭେନ୍ଦୁ ଛୋଟରାୟ ଏବଂ ତାଙ୍କର ପତ୍ନୀ ଉଭୟେ କୁଆଡ଼େ ଯାଇଛନ୍ତି ଆଉ ଖୋଜଖବର ନାହିଁ ।’’

ଖବରଟା ବଡ଼ ଅପରିପକ୍ୱ ଲାଗିଲା ଚୌଧୁରୀ ଓ ଅଜୟ ଉଭୟଙ୍କୁ । ଏଇଟା କ’ଣ ପ୍ରକୃତରେ ଗୋଟାଏ ସମ୍ବାଦ ବା ଦୁଃସମ୍ବାଦ ହୋଇପାରେ । ଯେଉଁଥିପାଇଁ କି କନ୍‌ୱାର ଏଭଳି ଚିନ୍ତିତ ହବା ଆବଶ୍ୟକ ? ସେଥିପାଇଁ ସେ ଆଉ ସମ୍ଭାଳି ନ ପାରି ସ୍ମିତ ହସି କହିଲେ–

‘‘କ’ଣ ଏଇ ପ୍ରଥମ ଥର ପାଇଁ ସେମାନେ ଉଭୟେ ବାହାରକୁ ଗଲେ ? ବହୁତ ଥର ତ ଯାଇଥିବେ ! ହୁଏ ତ ବୁଲିବାପାଇଁ ମଧ୍ୟ ଯାଇପାରିଥାନ୍ତି ।’’

‘‘ଆପଣ ଠିକ୍‌ କହିଛନ୍ତି, ସେମାନେ ବୁଲିବାପାଇଁ ଯାଇଥିଲେ । ଶୁଣନ୍ତୁ, ମୁଁ ଅଳ୍ପକେ କହୁଚି ।’’ ଏତିକି କହି ମି: ଛୋଟରାୟ ଧୈର୍ଯ୍ୟ ସଞ୍ଚୟ କଲେ କହିବାକୁ ।

 

‘ପହରିଦିନ ସନ୍ଧ୍ୟାବେଳେ ଶୁଭେନ୍ଦୁ, ଆଉ ତା’ର ସ୍ତ୍ରୀ ନିରୁ ଦୁହେଁ ପ୍ରସ୍ତାବ କଲେ ଗଲାକାଲି ନନ୍ଦନକାନନ ବୁଲିଯିବାକୁ । ମତେ ଗାଡ଼ି କଥା ପଚାରିଲେ । ମୁଁ ମନା କଲି ମୋର ଗାଡ଼ି ଦରକାର ନାହିଁ ବୋଲି । ତା’ପରଦିନ ଅର୍ଥାତ୍‌ କାଲି ସକାଳୁ ସେମାନେ ଗାଡ଼ି ନେଇଯିବାକୁ ବାହାରିବା ପୂର୍ବରୁ ଥରେ ତା’ର ବଡ଼ଭାଇ ସୁଖେନ୍ଦୁକୁ ଯାଇ ପଚାରିଲେ । କିନ୍ତୁ ପ୍ରକୃତରେ ସୁଖେନ୍ଦୁର କୋଉଠି ଜରୁରୀ କାମ ଥିଲା । ତେଣୁ ସେ କହିଲା ସେ, ଗାଡ଼ିରେ ସେମାନେ ସମସ୍ତେ ଏକାଠି ଯିବେ ଏବଂ ସୁଖେନ୍ଦୁର ଜାଗାରେ ତାକୁ ଛାଡ଼ିଦେଇ ଶୁଭେନ୍ଦୁ ଓ ନିରୁ ଗାଡ଼ି ନେଇ ଚାଲିଯିବେ । ସେଇ ପ୍ରସ୍ତାବ ଅନୁଯାୟୀ ସେମାନେ ଘର ଛାଡ଼ିଲେ ସକାଳ ୭ଟାରେ; କିନ୍ତୁ ଆଜିଯାଏ ସେମାନେ ଫେରିଲେନି । ଶୁଭେନ୍ଦୁ କହିଥିଲେ ସେହିଦିନ ଆସିବେ ବୋଲି; କିନ୍ତୁ କାହିଁ-?’’

 

ଏତିକି କହି ଛୋଟରାୟ ଦମ୍‌ ନେଲେ । ମି: ଚୌଧୁରୀ ସେଇ ଅବକାଶରେ କହିଲେ-ଏଥିରେ ଆଶ୍ଚର୍ଯ୍ୟ ହବାର କିଛି ନାଇଁ ବୋଧହୁଏ । ଶୁଭେନ୍ଦୁ ବାବୁ ନବବିବାହିତ କି ?’’

 

‘‘ହଁ ଏଇ ବର୍ଷେ ପୂରିନାଇଁ ବାହାଘର–’’ ନହେଲେ ଛୋଟରାୟ ।

 

‘‘ବେଶ୍‌ ତ ! ତେଣୁ ଗାଡ଼ିଟା ଧରି ଆଉ ଟିକେ ଦୂରକୁ ବୁଲିବାକୁ ଚାଲିଯାଇଥାଇପାରନ୍ତି-। ନନ୍ଦନକାନନ ଯାଇଥିଲେ ଗତ କାଲି ଫେରି ଆସିଥାନ୍ତେ ସିନା, ଆଉ ଟିକେ ଦୂରକୁ ଯାଇଛନ୍ତି; ତେଣୁ ଆସନ୍ତା କାଲି ଫେରିଆସିବେ ।’’

 

ଏଇ କଥାରେ ପ୍ରତିବାଦ କଲେ କନ୍‌ୱାର ‘‘ନା, ମି: ଚୌଧୁରୀ: ଛୋଟରାୟ ମୋର ବନ୍ଧୁ-। ସେଇ ହିସାବରେ ମତେ ଯେତେବେଳେ ଏଇ କଥା ସେ କହିଲେ ମୁଁ ସାମାନ୍ୟ କୌତୂହଳୀ ହୋଇ ଆଜି ସନ୍ଧ୍ୟାବେଳେ ସେଠିକି ଯାଇଥିଲି କେବଳ ଗୋଟାଏ ବୁଲିବାର ଛଳନାରେ ଛୋଟରାୟଙ୍କୁ ସାଙ୍ଗରେ ନେଇ । କିନ୍ତୁ ସେଠି ବୁଝିଲି ଯେ ପହରିଦିନ ଗୋଟିଏ ଦମ୍ପତି ସେଠିକି ଯାଇଥିଲେ । କିନ୍ତୁ ଅଳ୍ପ ସମୟ ସେଠି ରହି ତା’ପରେ ଚାଲିଯାଇଛନ୍ତି ।’’

 

ଏତିକି ଶୁଣି ସାରିବା ପରେ ଚୌଧୁରୀଙ୍କୁ କଥାଟା ଆହୁରି ସରଳ ଜଣାପଡ଼ିଲା । କାରଣ ସେଠି ପହଞ୍ଚି ସେମାନେ ଆଉ କୋଉଠିକି ବୁଲିବାକୁ ଯିବାକୁ ମନସ୍ଥ କରି ସେ ସ୍ଥାନ ଛାଡ଼ିଚନ୍ତି । ତାଙ୍କର ଏହି ଅଭିମତ ବ୍ୟକ୍ତି କରିବାରେ କିନ୍ତୁ କନ୍‌ୱାର ଆହୁରି ଦୃଢ଼ ହେଇବସିଲେ-

 

‘‘ହଁ, ମି: ଚୌଧୁରୀ, ଆପଣ ବର୍ତ୍ତମାନ ଠିକ କଥା କହିଛନ୍ତି । କିନ୍ତୁ ଛୋଟରାୟ ଦେଖିଲେ ଯେ ଭିଜିଟରସ୍‌ ବୁକ୍‌ରେ ଯୋଉ ହସ୍ତାକ୍ଷରରେ ଶୁଭେନ୍ଦୁର ନାଁ ଦସ୍ତଖତ ହେଇଚି ସେଇଟା ଶୁଭେନ୍ଦୁର ନୁହେଁ ।’’

 

ମି: ଚୌଧୁରୀ ଏ କଥାରେ ସାମାନ୍ୟ ଗମ୍ଭୀର ହେଇଗଲେ । ତାଙ୍କର ମନେହେଲା, ଯେତେ ହାଲୁକା ଭାବରେ କଥାଟାକୁ ସେ ଗ୍ରହଣ କରନ୍ତି କଥାଟା ବୋଧହୁଏ ସେତେ ହାଲୁକା ନୁହେଁ । ତଥାପି ସେ ସହଜ ହେଇ ଉତ୍ତର ଦେବାକୁ ଚେଷ୍ଟା କଲେ ।

 

‘‘ହୁଏତ ମିସେସ୍‌ ଛୋଟରାୟଙ୍କର ହେଇପାରେ ।’’

 

ଛୋଟରାୟ ନିଜେ ଏଥର କହିଲେ–

 

‘‘ହଁ, ମୋର ସେଠି ସେଇଆ ସନ୍ଦେହ ହେଲା । ମତେ ମି: କନ୍‌ୱାର ଏ କଥା ସୂଚାଇଦେବା ପରେ ମୁଁ ବହୁତ ମନେ ପକାଇବାକୁ ଚେଷ୍ଟା କଲି । କିନ୍ତୁ ଏତେ ଅଳ୍ପଦିନ ଭିତରେ ବୋହୁର ଅକ୍ଷର ସହିତ ପରିଚୟ ହବାର କିଛି ଅବକାଶ ନ ଥିଲା । ତେଣୁ ସେଠୁ ସନ୍ଦେହରେ ଫେରିବା ପରେ ମୁଁ ମୋର ବଡ଼ ପୁଅ ସୁଖେନ୍ଦୁକୁ ପଠେଇଲି । ସେ ଦେଖିଆସି କୁହେ ଯେ ପ୍ରକୃତରେ ସେଇଟା ଶୁଭେନ୍ଦୁ ସ୍ତ୍ରୀର ଅକ୍ଷର ।’’

 

‘ତା’ ହେଲେ ତ କଥାଟା ପରିଷ୍କାର ହେଇଗଲା’’–କହି ପକେଇଲେ ଅଜୟବାବୁ । ତାଙ୍କ କଥାକୁ ମି: ଚୌଧୁରୀ ମଧ୍ୟ ସମର୍ଥନ କରିବା ଦେଖାଗଲା ! କିନ୍ତୁ କନ୍‌ୱାରଙ୍କର ଅମତ ହେବାର ଯଥେଷ୍ଟ କାରଣ ଅଛି । ସେ ପ୍ରତିବାଦ କଲେ–

 

‘‘ନା, ମି: ଚୌଧୁରୀ ! ସେ ଚୌକିଦାରକୁ ଡାକି ମୁଁ ପଚାରିଥିଲି । ସେ କହିଲା ଯେ ତା’ର ଠିକ୍‌ ମନେଅଛି ଜଣେ ପୁରୁଷ ଦସ୍ତଖତ୍‌ କରିଛନ୍ତି ବୋଲି ।’’

 

ଚୌଧୁରୀଙ୍କର ସନ୍ଦେହ କ୍ରମଶଃ ଘନୀଭୂତ ହେଲା ବୋଧହୁଏ, ସେ କେମିତି ଚିନ୍ତାଶୀଳ ହୋଇଉଠିଲେ । କିନ୍ତୁ ସେ ଚିନ୍ତା ବେଶି କ୍ଷଣ ନୁହେଁ । ସଙ୍ଗେ ସଙ୍ଗେ ତାଙ୍କର ମୁହଁର ଭାବ ପରିବର୍ତ୍ତନ ହେବାକୁ ଲାଗିଲା, ସତେ ଯେମିତି ଏଥିରେ ଅନୁସନ୍ଧାନ କରିବାର କିଛି ନାହିଁ । ତଥାପି କନ୍‌ୱାର ସାହେବଙ୍କ ମୁହଁ ଉପରେ କିଛିଟା କହିବା ସମ୍ଭବ ନୁହେଁ । ତେଣୁ ମନର କଥା ମନରେ ଚାପିରଖିବାକୁ ଚେଷ୍ଟା କଲେ ସେ ।

 

ହେଲେ ଅଜୟ ଠିକ୍‌ ବୁଝିଚନ୍ତି ଚୌଧୁରୀଙ୍କର ମନର ଭାବ । ଏଇ କଥାବାର୍ତ୍ତା ଭିତରେ ହଠାତ୍‌ କୌଣସି ଗୋଟିଏ ସ୍ଥାନରୁ ଏକ ବିରାଟ ଖିଅ ପାଇଯାଇଛନ୍ତି ସତେ ଯେମିତି ମି: ଚୌଧୁରୀ-। ସେଥିପାଇଁ ଏ ସବୁଗୁଡ଼ିକ ତାଙ୍କର ମୁହଁର ଉପର ଅଭିନୟ । ସେଇ ଅନୁପାତରେ ଅଜୟ ସଚେତ ହୋଇଗଲେ । ଏହି ସମୟରେ ଛୋଟରାୟ କହିଉଠିଲେ–‘‘ମି: ଚୌଧୁରୀ, ଆପଣ ଯଦି ଏଇଟିକୁ ହାତକୁ ନ ନିଅନ୍ତି ତା’ ହେଲେ ମୋର ସର୍ବନାଶ ହେବ । ଆପଣ ଜାଣନ୍ତି ନାହିଁ ମୁଁ ତାକୁ କେତେ ଭଲପାଏଁ । ସେଇ ମୋର ବଂଶରକ୍ଷା କରିବ । ତେଣୁ ମୁଁ ଚାହେଁ ନାହିଁ ଏତେ ଶୀଘ୍ର ମୋର ଆଶା ମାଟିରେ ମିଶିଯାଉ ।’’

 

କନୱାର ମଧ୍ୟ କହିଲେ–

 

‘‘ଏଥିପାଇଁ ସମଗ୍ର ପୋଲିସବାହିନୀ ଆପଣଙ୍କୁ ସାହାଯ୍ୟ କରିବ, ମି: ଚୌଧୁରୀ ! ମୁଁ ହୁଏତ ସରକାରୀ ଭାବରେ ଏ ପର୍ଯ୍ୟନ୍ତ କଥାଟାକୁ ରୂପ ଦେଇନାହିଁ, କାରଣ ମୁଁ ଚାହିଁ ଥିଲି ଯେ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପରେ ଯାହା କର୍ମପନ୍ଥା ମୁଁ ସ୍ଥିର କରିବି ।’’

 

ଚୌଧୁରୀ ଅତ୍ୟନ୍ତ ଭାବରେ ଚିନ୍ତାଶୀଳ ହେଇଉଠିଲେ ଏଇ ପ୍ରଶ୍ନରେ ତା’ ପରେ କହିଲେ–

 

‘‘ସାର୍‌, ମତେ ଟିକେ ଭାବିବାକୁ ସମୟ ଦିଅନ୍ତୁ । ମୁଁ ହୁଏତ କାଲି ସକାଳ ସୁଦ୍ଧା ଆପଣଙ୍କୁ କଣ କର୍ମପନ୍ଥା ସ୍ଥିର କରାଯିବ, ତା କହିବି ।’’ ତା’ ପରେ ଛୋଟରାୟଙ୍କୁ କହିଲେ, ‘ଯାହା ମୋର ଆପଣଙ୍କ ଘରେ କାର୍ଯ୍ୟ ଅଛି ମୁଁ କାଲି ସକାଳେ କରିବି । କାରଣ ରାତି ଏତେ ହେଲାଣି । ଅନ୍ୟମାନଙ୍କୁ ଏତେ ରାତିରେ ବ୍ୟସ୍ତ କରିବା ମୁଁ ଉଚିତ ମନେ କରୁନି । କେବଳ ମୋର ପଦଟିଏ କଥା ଆପଣଙ୍କ ବଡ଼ ପୁଅ ସୁଖେନ୍ଦୁ ବାବୁଙ୍କ ସାଙ୍ଗରେ । ତାଙ୍କୁ ଟିକେ ଡକେଇବେ ?’’

 

ଛୋଟରାୟ ସଙ୍ଗେ ସଙ୍ଗେ ବେଲ୍‌ ଚିପି ଚାକରକୁ ଆଦେଶ ଦେଲେ ସୁଖେନ୍ଦୁକୁ ଡାକି ଦବାପାଇଁ । କିଛି ସମୟ ପରେ ଚାକର ଆସି ଖବର ଦେଲା ଯେ ସେ ଖୁବ୍‌ ନିଦରେ ଶୋଇପଡ଼ିଥିଲେ । ତଥାପି ଆସୁଚନ୍ତି ।

 

ସତକୁ ସତ ସୁଖେନ୍ଦୁବାବୁ ଆସି ପହଞ୍ଚିଲେ । ତାଙ୍କର ନିଦ ମଳମଳ ଆଖିକୁ ଚାହିଁ ମି: ଚୌଧୁରୀ ଦୁଃଖ ପ୍ରକାଶ କରି କହିଲେ–

 

‘‘ମୁଁ ଦୁଃଖିତ, ସୁଖେନ୍ଦୁବାବୁ, ଅସମୟରେ ଆପଣଙ୍କ ନିଦରେ ବ୍ୟାଘାତ ଜନ୍ମେଇଲି । କିନ୍ତୁ ସେତିକି ଜରୁରୀ ଆବଶ୍ୟକତା ନ ପଡ଼ିଥିଲେ ମୁଁ ବୋଧହୁଏ ଆପଣଙ୍କୁ ଡକେଇ ନ ଥାନ୍ତି । ତଥାପି ବିଶେଷ ବ୍ୟସ୍ତ କରିବିନି । ଆପଣଙ୍କୁ କେବଳ ଗୋଟିଏ ଯୋଡ଼ିଏ ପ୍ରଶ୍ନ ।’’

 

‘‘ନା, ନା, ଅସମୟରେ ଆଉ କ’ଣ, ମୁଁ ତ ଆପଣମାନେ ଏଠିକି ଆସିବାପରେ ସଦ୍ୟ ନିଦ୍ରା ଯାଇଥିଲି । ତେଣୁ କେବଳ କଞ୍ଚା ନିଦଟା ବୋଲି....’’ ଯଥାସମ୍ଭବ ଲୌକିକତା ରକ୍ଷା କରି କହିଲେ ସୁଖେନ୍ଦୁ, ଛୋଟରାୟ ।

 

ଏହି ସମୟରେ ସମସ୍ତଙ୍କ ଅଜାଣତରେ ମି: ଚୌଧୁରୀ କ’ଣ ଇଙ୍ଗିତ ଦେଲେ ଅଜୟବାବୁଙ୍କୁ ତା କେବଳ ସେଇ ଜାଣନ୍ତି । ଅଜୟ ବାହାରକୁ ଯିବା ବାହାନାରେ କୌଣସି କାରଣରୁ ଉଠିଗଲେ । ତା’ପରେ ଚୌଧୁରୀ ଆରମ୍ଭ କଲେ ସୁଖେନ୍ଦୁ ବାବୁଙ୍କୁ ଲକ୍ଷ୍ୟ କରି–

 

‘‘ଆଚ୍ଛା, ଆପଣ ଠିକ୍‌ ଜାଣିଚନ୍ତି, ଶୁଭେନ୍ଦୁ, ବାବୁ ନନ୍ଦନକାନକ ଗଲେ ?’’

 

ଏ ପ୍ରଶ୍ନରେ ଅତି ସରଳଭାବରେ ଉତ୍ତର ଦେଲେ ସୁଖେନ୍ଦୁ–

 

‘‘ତା ତ ଠିକ୍‌ କହିପାରିବିନି, କାରଣ ଏ ପର୍ଯ୍ୟନ୍ତ ମୁଁ ଭାବୁଥିଲି ସେମାନେ ନନ୍ଦନକାନନ ଯାଇଚନ୍ତି । ବିଶେଷ କରି ଭିଜିଟର୍ସ ବୁକ୍‌ରେ ଶୁଭେନ୍ଦୁର ନାଁ ଅଛି ଆଉ ସେ ପୁଣି ତା ସ୍ତ୍ରୀର ହସ୍ତାକ୍ଷର ।’’

 

‘‘ଆପଣ ଠିକ୍‌ ଚିହ୍ନିଚନ୍ତି କ’ଣ ତାଙ୍କ ହସ୍ତାକ୍ଷରକୁ ?’’

 

‘‘ହଁ, କାରଣ ଏଇ ଅଳ୍ପଦିନ ତଳେ ନିରୁ, ମାନେ, ତା ସ୍ତ୍ରୀ ଯେତେବେଳେ ତାଙ୍କ ଘରକୁ ଯାଇଥିଲ, ସେ ଗୋଟାଏ ଚିଠି ଲେଖିଥିଲା ଶୁଭେନ୍ଦୁ ପାଖକୁ । ସେଇଟା ମୋ ହାତରେ ଡାକବାଲା ଦେଇଯାଇଥିଲା । ମୁଁ ଉପର ହସ୍ତାକ୍ଷର ଭଲଭାବରେ ଦେଖି କୋଉଠୁ ଆସିଥାଇପାରେ ଆଉ ଶୁଭେନ୍ଦୁ ପାଖକୁ ଅଫିସକୁ ପଠେଇବି କି ନା ଭାବୁଚି, ଶୁଭେନ୍ଦୁ, ଆସି ପହଞ୍ଚିଲା I ଚିଠି ନେଇ ସେଠି ପଢ଼ି ମତେ କହିଲା, ‘‘ନିରୁ ତମକୁ ପ୍ରଣାମ ଜଣେଇଚି ।’ ସେଇଥିରୁ ବୁଝିଲି ସେଇଟା ନିରୁ ଲେଖିଚି-

 

ମି: ଚୌଧୁରୀ କିଞ୍ଚିତ ଚିନ୍ତା କରି ପଚାରିଲେ–

 

‘‘ଆଚ୍ଛା, ଆପଣ ସେଦିନ କୋଉଠି ଓହ୍ଲେଇଗଲେ କି ?’’

 

‘‘ମୁଁ ପ୍ରାୟ ଏବଂ ତିରିଶ ମାଇଲ ହବ କଦମ୍ୱ ନଗରରେ ଓହ୍ଲେଇଲି, କାରଣ ମୋର ଗୋଟିଏ ବନ୍ଧୁ, ସାଙ୍ଗରେ ସେଠି କିଛିଟା ଆଲୋଚନା ଥିଲା । ମତେ ସେମାନେ ସେଠି ଛାଡ଼ିଦେଇ ତା’ପରେ ଗାଡ଼ିନେଇ ଫେରିଆସିଲେ ନନ୍ଦନକାନନ ଯିବାକୁ । ମୁଁ ମୋର ସାଙ୍ଗ ଗାଡ଼ିରେ ଚାଲିଆସିଲି ।

 

ମି. ଚୌଧୁରୀ ନିଜ ଘଣ୍ଟା ଦେଖି ଏତେ ରାତି ହେଲା ବୋଲି ଚମକି ପଡ଼ିଲେ ଯେତିକି ତା’ଠାରୁ ଅନ୍ତର ବେଶି ଲଜ୍ଜିତ ହେଲେ ଏତେ ସମୟ ଧରି ସେ ସୁଖେନ୍ଦୁବାବୁଙ୍କୁ ନିଦରୁ ଅଟକେଇ ରଖିଚନ୍ତି । ସମ୍ବ୍ରମ ରକ୍ଷା କରି କହିଲେ, ‘‘ଆଉ ଗୋଟିଏ ପ୍ରଶ୍ନ ପରେ ମୁଁ ଆପଣଙ୍କୁ ବିଦାୟ ଦେବି । ସେଇଟା ହେଲା, ଆପଣ ସେଦିନ ଏକା ଯାଇଥିଲେ ନା ଅପଣଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ ?’’

 

ଏଇ କଥାରେ ଛୋଟରାୟ ନିଜେ ଉତ୍ତର କଲେ–‘‘ମି: ଚୌଧୁରୀ, ମତେ ଟିକେ କହିବାକୁ ଦିଅନ୍ତୁ । ସୁଖେନ୍ଦୁ, ଅବିବାହିତ; ଏକପ୍ରକାର ସନ୍ନ୍ୟାସ ଜୀବନ ସେ ଯାପନ କରେ । ବହୁ ଚେଷ୍ଟା କରି ମଧ୍ୟ ତାକୁ ମୁଁ ସଂସାର କରେଇ ପାରିଲିନି । ଏମିତି ଏକା ଏକା ମୋର ସମସ୍ତ ବିଜିନେସ ଆଦି ଦେଖାଶୁଣା କରେ । ତେଣୁ ସଂସାର ସାଙ୍ଗରେ ତାର ସମ୍ପର୍କ ଖୁବ୍‌ କମ୍‌ ।’’

 

‘‘ମୁଁ ତା’ହେଲେ ଦୁଃଖିତ । ବେଶ୍‌, ମୋର ଆଉ କିଛି ପ୍ରଶ୍ନ କରିବାର ନାହିଁ । ମତେ ଆପଣ ଏଥର ବିଦାୟ ଦିଅନ୍ତୁ । ରାତି ଅନେକ ହେଲାଣି । ହୁଏତ କିଛିଟା ଚିନ୍ତା କରିସାରିଲା ପରେ ମୁଁ ଏ ବିଷୟରେ କାଲି ଯାହା କହିପାରିବି । ତେବେ ମୋର କାହିଁକି ଅନୁମାନ, କଥାଟା ଆଦୌ ଜଟିଳ ନୁହେଁ; ଖୁବ୍‌ଶୀଘ୍ର ଗୋଟାଏ ସୂତାଖିଅ ମିଳିଯାଇପାରେ ।’’ କନ୍‌ୱାର ମଧ୍ୟ ଚୌଧୁରୀଙ୍କର ଏ କଥାରେ ଆଶା ପ୍ରକାଶ କଲେ ଏବଂ ସେଦିନ ରାତ୍ରିର ସେ ସଭା ଏତିକିରେ ଭଙ୍ଗ ହେଲା ।

 

ଅଜୟବାବୁ ଗାଡ଼ିରେ ଷ୍ଟାର୍ଟ ଦେଲେ । ବାଟ ମଝିରେ ହଠାତ୍‌ କାହିଁକି ଚୌଧୁରୀ କହିଲେ, ନନ୍ଦନକାନନଆଡ଼େ ଟିକେ ଗଲେ ହୁଅନ୍ତା । ଏତେ ରାତିରେ ନନ୍ଦନକାନନର ପ୍ରସ୍ତାବରେ ଅଜୟ ଆଶ୍ଚର୍ଯ୍ୟ ହେଲେ ବି ପ୍ରତିବାଦ କଲେନି; ଗାଡ଼ିର ବେଗ ବଢ଼ାଇଲେ ।

 

କିଛି ସମୟ ପରେ ଗାଡ଼ି ଆସି ନନ୍ଦନକାନନ ପାଖାପାଖି ହେଇଗଲା । ଏହି ସମୟରେ ବିପରୀତ ଦିଗରୁ ଗୋଟିଏ ଗାଡ଼ି ଅତି ଦ୍ରୁତବେଗରେ ଏହି ଗାଡ଼ିକୁ ଟପି ଚାଲିଗଲା । ତା’ର ଗତି ଏପରି ଭାବରେ ବିସ୍ମୟ ସୃଷ୍ଟି କଲା ଯେ ଏକ ନିଶ୍ଚିତ ବିପଦରୁ ଉଭୟେ ରକ୍ଷା ପାଇଚନ୍ତି ବୋଲି ଭଗବାନଙ୍କ ଧନ୍ୟବାଦ ଜଣେଇଲେ । କିନ୍ତୁ । ଚୌଧୁରୀଙ୍କ ମନରେ ଅନ୍ୟ ଏକ ସୂଚନା ସୃଷ୍ଟି ହେଲା-। ସେ କହିଲେ–‘‘ଦେଖ, ଅଜୟ ! ହୁଏତ ମୋର ଅନୁମାନ ଯଦି ସତ୍ୟ ହୁଏ ତା’ହେଲେ ନିଶ୍ଚୟ ଆମ ଆସିବାଟା ବ୍ୟର୍ଥ ଯିବିନି ।’’ ଏତିକିବେଳେ ନନ୍ଦନକାନନରେ ଆସି ଗାଡ଼ି ପହଞ୍ଚିଗଲା I ଗୁର୍ଖା ପହରାଦାର ଫାଟକ ଖୋଲିଲା । ତାକୁ ଚୌଧୁରୀ ପ୍ରଶ୍ନ କରନ୍ତେ ସେ କହିଲା ଯେ ଆଉ ଗୋଟିଏ ଗାଡ଼ି ପ୍ରାୟ ଘଣ୍ଟାକ ତଳେ ଆସିଥିଲା । ସେମାନେ ରାତିରେ ରହିଥାନ୍ତେ; କିନ୍ତୁ ପୁଣି କ’ଣ ମନସ୍ଥ କରି ଘଣ୍ଟାକ ପରେ ଚାଲିଗଲେ । ଚୌଧୁରୀ ମନକଥା ମନରେ ରଖି ଚଉକିଦାରକୁ ଡାକି ଘର ଖୋଲିବାକୁ କହିଲେ । ପହରାଦାର ଗଲା ଭିତରକୁ ।

 

ହଠାତ୍‌ ଭିତରେ ଯାଇ ପହରାଦାର ଚିତ୍କାର କରିଉଠିଲା । କ’ଣ ହେଲା ବୋଲି ଦିହେଁଯାକ ବୁଲିପଡ଼ି ଯାହା ଦେଖିଲେ ସେଥିରେ ଅଜୟବାବୁଙ୍କର ମୁଣ୍ଡ ଘେର ଖାଇଗଲା । ଚଉକିଦାରର ଅସାଡ଼ ଦେହ ପଡ଼ିଚି ସେଠି । ଏକପ୍ରକାର ବିଷାକ୍ତ ଛୁରୀରେ ଅତି ଅଳ୍ପ କ୍ଷତ କରି ତାକୁ ଖୁନ୍‌ କରାହୋଇପାରିଚି । ତଟକା ରକ୍ତଗୁଡ଼ା ବାହାରିପଡ଼ିଚି, ସତେକି ଏଇ ଟିକିଏ ଆଗରୁ ଘଟଣାଟା ଘଟିଯାଇଚି । ଏହା ଦେଖି ଅଜୟଙ୍କର ପାଟିରୁ କଥା ବାହାରିଲାନି । ସେ ପଚାରିଲେ, ‘‘ସାର, ଗୋଟାଏ ନିରୀହ ଚଉକିଦାରକୁ ଖୁନ୍‌କରିବା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ ମୁଁ ଚିନ୍ତା କରିପାରୁନି । ”

 

କଥାର ଉତ୍ତର ଦେବାକୁ ଯାଇ ଚୌଧୁରୀ କେବଳ ଟିକିଏ ହସିଲେ ଆଉ କହିଲେ ‘‘ମୋର ଅନୁମାନ ସତ୍ୟ, ଅଜୟ ! ବର୍ତ୍ତମାନ ତମେ ଭିଜିଟର୍ସ ବୁକ୍‌ଟିକୁ ଖୋଜିକରି ଆଣ ତ...ମୁଁ ଥାନାକୁ ଏ ମର୍ଡ଼ର ବିଷୟ ଜଣେଇଦଉଚି ।’’

 

ଭିତରକୁ ଯାଇ ଥରୁଥିବା ପହରାଦାର ସାଙ୍ଗରେ ସବୁଆଡ଼ ସେ ଭିଜିଟର୍ସ ବହିର ସନ୍ଧାନ କଲେ । କିନ୍ତୁ କିଛିକ୍ଷଣ ପରେ ନିରାଶ ହେଇ ଫେରିଲାବେଳକୁ ଦେଖିଲେ ଚୌଧୁରୀ କ’ଣ ପରୀକ୍ଷା କରୁଛନ୍ତି ଶବକୁ । ଖାତା ନ ମିଳିବା କଥା ଶୁଣି ସେ ଆଦୌ ଆଶ୍ଚର୍ଯ୍ୟ ହେଲେ ନାହିଁ । ସତେ ଯେମିତି ସେ ତାହାହିଁ ଆଶା କରୁଥିଲେ । ସେତିକିରେ ତାଙ୍କର ଅନୁସନ୍ଧାନ ସ୍ଥଗିତ ରଖି ପହରାଦାରକୁ ଆବଶ୍ୟକୀୟ ଉପଦେଶ ଦେଇ ସେ ନନ୍ଦନକାନନ ପରିତ୍ୟାଗ କଲେ ।

 

ଘରେ ଆସି ପହଞ୍ଚି ବେଳକୁ ରାତ୍ରି ପ୍ରାୟ ୩ ଟା ଦେଖିଲାବେଳକୁ ତାର୍‌ଜନ କେତେବେଳୁ ଶୋଇଯାଇଚି । ତାକୁ ଆଉ କିଛି ନ କହି ବର୍ତ୍ତମାନ ଟିକେ ବିଶ୍ରାମ ନେବାଟା ଉଚିତ ମନେକରି ଉଭୟେ ନିଜ ନିଜ ବିଛଣାକୁ ଗଲେ । ଏତେଗୁଡ଼ାଏ କ୍ଳାନ୍ତିର ସମଷ୍ଟି ଲୋଟିଗଲା ସେଇ ବିଛଣା ଉପରେ ।

 

ତା’ ପରଦିନ ଚୌଧୁରୀଙ୍କର ନିଦ ଭାଙ୍ଗିଲାବେଳକୁ ଦିନ ପ୍ରାୟ ସାଢ଼େ ସାତଟା ହେଇଯାଇଥିଲା । ଅଜୟଙ୍କର ନିଦ ସେ ପର୍ଯ୍ୟନ୍ତ ଭାଙ୍ଗି ନ ଥାଏ । ଉଠି ଦେଖନ୍ତି ତ ତାର୍‌ଜନ ସକାଳୁ ନିତ୍ୟକର୍ମ ସାରି କ’ଣ ଗୋଟାଏ ଗବେଷଣାରେ ଲାଗିଗଡ଼ିଚି । ପରେ ପରେ ଆଜି ମଧ୍ୟ ବିଛଣା ଛାଡ଼ିଲେ । ପୂଝାରୀ ଆସି ଚା’ ଦେଲାବେଳକୁ ଆଜି ମଜ୍ଜା ଦେଖିବାପାଇଁ ତାର୍‌ଜନକୁ ପଚାରିଲେ–

 

“କ’ଣ, ଜଙ୍ଗଲ ସମ୍ରାଟ ! କାଲି ରାତିରେ କୋଉ ଜଙ୍ଗଲରେ ବିଜେ କରିଥିଲ ? କ’ଣ ଗୋଟାଏ ବିରାଟ କାର୍ଯ୍ୟ କରୁଚ ?’’

 

ସେମିତି ହସି ହସି ତାରଜନ୍‌ ଉତ୍ତର ଦେଲା–

 

‘‘ଯୋଉ ଜଙ୍ଗଲକୁ ଯାଇଥିଲି ତା’ର ଫଟୋ ଆଣିଚି; ତାକୁଇ ଦେଖୁଚି ଆଉ ପ୍ରିଣ୍ଟ କରୁଚି-।’’ ଏତିକି କହି ତାରଜନ୍‌ ଦୁଇଟା ଫଟୋର ପ୍ରିଣ୍ଟ ନେଇ ଚା’ ଟେବୁଲକୁ ଉଠିଆସିଲା । ଦି’ଜଣଙ୍କୁ ଦୁଇଟା କପି ଦେଇ କହିଲା ଯେ, ସେଇ ଜଙ୍ଗଲକୁ ସେ ଯାଇଥିଲେ । ପ୍ରଥମରେ ଅଜୟ କଥାଟାକୁ ଥଟା ବୋଲି ଉଡ଼େଇଦେଇ ଫଟୋଟା ଉପରେ ଥରେ ଆଖି ବୁଲେଇ ପକେଇଦଉଥିଲେ; କିନ୍ତୁ ମି: ଚୌଧୁରୀ ସେପରି ହାଲୁକା ଭାବରେ ଗ୍ରହଣ କଲେନି । କାରଣ ସେ ଜାଣନ୍ତି ତାରଜନର ପ୍ରକୃତି । ସେମିତି କିଛି ଗୋଟାଏ ନ ହୋଇଥିଲେ ତାରଜନ ନିଜର ସମୟ ନଷ୍ଟ କରିବା ଲୋକ ନୁହେଁ । ଖୁବ୍‌ ଗଭୀର ଭାବରେ ନିରୀକ୍ଷଣ କରିବା ଆରମ୍ଭ କଲେ ସେ । କିଛି ସମୟ ପରେ ସେ ଫଟୋ ଭିତରୁ କିଛିଟା ଆବିଷ୍କାର କଲାଭଳି ଦେଖାଗଲା । ଘଞ୍ଚ ଜଙ୍ଗଲ ଭିତରେ ଗାଡ଼ିଟାଏ ମୋଡ଼ ଧରି କ୍ରମଶଃ ଅଦୃଶ୍ୟ ହୋଇଯିବା ପୂର୍ବର ଫଟୋଟା ସତେ ଯେମିତି ସେ ଫଟୋଟାରେ କେବଳ ସେ ଗାଡ଼ିଟାକୁ ଧରିରଖିବାର ଚେଷ୍ଟା କରାଯାଇଚି ।

 

‘‘ଗାଡ଼ିର ନମ୍ବରଟା କୌଣସିମତେ ବୁଝି ହଉ ନାହିଁ, ସାର୍‌, ସେଇଟା ମୋ’ର ଏକାନ୍ତ ଆବଶ୍ୟକ-’’ ତାର୍‌ଜନ ଅତି ଚିନ୍ତାକୂଳ ଭାବରେ କହିଉଠିଲା । ହଠାତ୍‌ ମି: ଚୌଧୁରୀଙ୍କ ମୁଣ୍ଡରେ ଗୋଟାଏ ବୁଦ୍ଧି ଦିଶିଲା । ଡବଲ୍‌ ମାଗ୍‌ନିଫାଇଙ୍ଗ୍‌ ସେଟ୍‌ ପାଖକୁ ଉଠିଯାଇ ସେଥିରେ ଫଟୋକୁ ସେଟ୍‌ କରି ଦେଖି ବସିଲେ ଚୌଧୁରୀ । ହଠାତ୍‌ ତାଙ୍କ ମୁହଁ ପ୍ରଫୁଲ୍ଲ ହେଇଉଠିଲା । ଆନନ୍ଦରେ କ୍ଷୀଣ ଚିତ୍କାର କରିଉଠିଲେ ସେ, ‘‘ଆରେ, ଏଇଟା ତ ବମ୍ବେର ଗାଡ଼ିଟା ।’’ ନମ୍ବରଟା ନୋଟ୍‌ କରିସାରିଲା ପରେ ମି: ଚୌଧୁରୀ ଓ ଅଜୟବାବୁ ତାର୍‌ଜନ ମୁହଁକୁ ଚାହିଁଲେ । ତାର୍‌ଜନ ଆରମ୍ଭ କଲା ଗଲା ରାତ୍ରିର ପୂର୍ବବର୍ଣ୍ଣିତ ଘଟଣା । ଏଥର ବୁଝିବାରେ ଆଉ ସନ୍ଦେହ ନାହିଁ ଯେ, ଗତ ରାତ୍ରିରେ ସେ ଯେଉଁ ଜଙ୍ଗଲ ଆଉ ପାହାଡ଼ ଉପରେ ଗୋଟିଏ ବିଭୀଷିକାମୟ ପ୍ରଳୟକାଣ୍ଡ ଘଟିଗଲା ସେଇ ପାହାଡ଼ିଆ ଝରଣାରେ, ତାକୁ ସବୁ ଦେଖିଥିବା ସେଇ ଯୋଉ ଛାୟାମୂର୍ତ୍ତି, ସେ ତାର୍‌ଜନ ଛଡ଼ା ଆଉ କେହି ନୁହେଁ ।

 

ଘଟଣାଟି ମନଦେଇ ଶୁଣିଲାବେଳେ ଚୌଧୁରୀଙ୍କର ଯେମିତି ମନେ ହେଉଥିଲା ସେ କ୍ରମଶଃ ଏକ ଶକ୍ତ ଜାଲରେ ଆବଦ୍ଧ ହେଇପଡ଼ୁଚନ୍ତି ।

 

ଖବର କାଗଜରେ ଏକ ବିରାଟ ସମ୍ବାଦ ଭାବରେ ସେଦିନର ଯେ ଡାକବଙ୍ଗଳା ଚଉକିଦାରର ଚାଞ୍ଚଲ୍ୟକର ହତ୍ୟା ସମ୍ବାଦ ବାହାରିପଡ଼ିଥାଏ । ସବୁଆଡ଼େ କେବଳ ସେଇ ଆଲୋଚନା । ତା’ ସାଙ୍ଗକୁ ଛୋଟରାୟଙ୍କ ପୁଅର ଏ ଗତ ପୋଲିସ ବିଭାଗକୁ ବେଶ୍‌ କିଛିଟା ବିବ୍ରତ କରୁଥାଏ । ବାରମ୍ବାର ଉପର ମହଲରୁ ତାଗଦା ଶୁଣି ଶୁଣି ଆଇ: ଜି: କନୱାର ବଡ଼ ବ୍ୟଥିତ ହୋଇଉଠିଲେଣି । ସମଗ୍ର ପୋଲିସ ବାହିନୀ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲେଇଲେଣି; କିନ୍ତୁ କୁଆଡ଼ୁ କିଛି ଲାଭ ହେଉ ନ ଥାଏ ।

 

ୟା’ ଭିତରେ କେଇଟିଦିନ ଗଡ଼ିଗଲା । ପୋଲିସ ବିଭାଗର ଚରମ ଅବହେଳା ବିଷୟରେ ନାନାପ୍ରକାର କଟୁ ସମାଲୋଚନା ପ୍ରକାଶ ପାଉଥାଏ । ଏଥିପାଇଁ ସମସ୍ତେ ଚିନ୍ତିତ । ଛୋଟରାୟ ଏକ ରକମର ଭାଙ୍ଗି ପଡ଼ିଥାନ୍ତି କହିଲେ ଚଳେ । ତା’ର କାରଣ ମଧ୍ୟ କାହାରିକୁ ଅଛପା ନାହିଁ । ଏତେ ବଡ଼ ବିରାଟ ସମ୍ପତ୍ତିର ମାଲିକ ହବାପାଇଁ ତଥା ବଂଶରକ୍ଷା ପାଇଁ ଆଉ କେହି ନାହିଁ କହିଲେ ଚଳେ । ବଡ଼ପୁଅ ସୁଖେନ୍ଦୁକୁ ବିବାହ ପାଇଁ ବହୁବାର କହି ସେ ନିରାଶ ହେଇଛନ୍ତି । ତା’ର ଏକା ଜିଦ୍‌ ସେ ବାହା ହେବେ ନାହିଁ । ତେଣୁ ସୁଖେନ୍ଦୁ ପରେ କିଏ ? ଏଇ କଥା ଭାବି ସେ ଦିବାରାତ୍ର ବଡ଼ ଅଶାନ୍ତିରେ କାଳଯାପନ କରୁଥାନ୍ତି ।

 

ଏମିତି ଦିନକର ସନ୍ଧ୍ୟା । ବଡ଼ ହତାଶ ଭାବରେ ଇଜି ଚେୟାର୍‌ ଉପରେ ବସି ଛୋଟରାୟ କେତେ କଣ ଚିନ୍ତା କରୁଥାନ୍ତି । ବଡ଼ପୁଅ ସୁଖେନ୍ଦୁ, ସେ ପର୍ଯ୍ୟନ୍ତ ଘରକୁ ଫେରି ନ ଥାଏ-। ହଠାତ୍‌ କାର୍‌ଟିଏ ଗେଟ୍‌ ଭିତରକୁ ପଶିଲା । ପରମୁହୂର୍ତ୍ତରେ ମି: ଚୌଧୁରୀ ଓ ଅଜୟ ଗାଡ଼ିରୁ ଓହ୍ଲେଇବା ଦେଖି ଛୋଟରାୟ ଉଠିଯାଇ ପାଛୋଟି ଆଣିଲେ । ଚା’ପାନର ବରାଦ ପରେ ମି: ଚୌଧୁରୀ କଥା ଆରମ୍ଭ କଲେ–

 

‘‘ସତରେ ମି: ଛୋଟରାୟ ! ପୋଲିସ ବିଭାଗ ତରଫରୁ ମୁଁ ଏକତ ମୁକ୍ତ କଣ୍ଠରେ ସ୍ଵୀକାର କରିପାରେ ଯେ ସାରା ଦେଶର ଚତୁର ପୋଲିସ ବାହିନୀ ଆଜି ନିଜକୁ ବୋଧହୁଏ ଅସମର୍ଥ ମନେ କରିସାରିଲାଣି I କାରଣ ହେଲା ସତେ ଯେମିତି ଏ ଦୁଇଟି କାଣ୍ଡ ଉପରେ କିଛିହେଲେ ଯୋଗାଯୋଗ ନାହିଁ, ପୁଣି ବହୁତ ଅଛି । ଗୋଟିଏ ହେଲା ଶୁଭେନ୍ଦୁ, ଆଉ ତାଙ୍କ ପତ୍ନୀଙ୍କ ହରଣଚାଲ ଓ ଆଉ ଗୋଟିଏ ହେଲା ସେ ନନ୍ଦନକାନନ ବଙ୍ଗଳା ଚଉକିଦାରର ହତ୍ୟା । ସତେ ଯେମିତି ଏକ ଗ୍ରନ୍ଥିରେ ଜଡ଼ିତ ଦୁଇଟିଯାକ ଘଟଣା ରହସ୍ୟାବୃତ ହେଇ ରହିଯାଇଚି । ସେଥିପାଇଁ ମୋ’ର ମଧ୍ୟ କେତେଟା ଜରୁରୀ ଆଲୋଚନା ବାକି ଅଛି ସୁଖେନ୍ଦୁ ବାବୁଙ୍କ ସାଙ୍ଗରେ । କୁଆଡ଼େ ଗଲେ ସେ ?’’

 

‘‘କାହିଁ, ଫେରି ନି ତ ଏ ପର୍ଯ୍ୟନ୍ତ । ହଁ, ଆଜି ମୁଁ ବର୍ତ୍ତମାନ ଖବର ଦବାକୁ ଚାହୁଁଥିଲି ଆପଣଙ୍କୁ । ଜାଣିଛନ୍ତି ? ଶୁଭେନ୍ଦୁ, ଯେଉଁ ଗାଡ଼ିଟା ମୋ’ର ନେଇଯାଇଥିଲା ସେ ଗାଡ଼ିଟା କାଲି ରାତିରେ ଫେରିଆସିଚି । ମୁଁ ଆଜି ସକାଳୁ ଉଠି ଦେଖେ ତ ମୋ ଗାଡ଼ିଟା ଥୁଆହେଇଚି ଗ୍ୟାରେଜ୍‌ରେ । ସାଙ୍ଗେ ସାଙ୍ଗେ ମୁଁ ଆପଣଙ୍କୁ ଖବର ଦବାକୁ ଚାହୁଁଥିଲି । କିନ୍ତୁ କାହିଁକି ପୁଣି ଭାବିଲି ସୁଖେନ୍ଦୁ, ଜାଣିଥିବ । ତାକୁ ପଚାରି କହିବି । ସେତେବେଳକୁ ସେ ନ ଥିଲା । ଅପେକ୍ଷା କରି କରି ସେ ଏଇ ଘଣ୍ଟାକ ତଳେ ଆସି ପହଞ୍ଚିଲା । ତା’ଠାରୁ ଯାହା ବୁଝିଲି, ସେ ଏ ବିଷୟରେ କିଛି ମାତ୍ର ଜାଣିନି ।’’

 

ଏ କଥା ଶୁଣିସାରିବା ପରେ ମି: ‘ଚୌଧୁରୀ ଏକବାରେ ପଥର ପାଲଟିଗଲା ଭଳି ଜଣାଗଲେ । କି ଆଶ୍ଚର୍ଯ୍ୟ, ଗାଡ଼ିଟା ଆସିଲା କେମିତି ! ସାମାନ୍ୟ ଚିନ୍ତା କରିବା ପରେ ମି: ଚୌଧୁରୀ କହିଲେ-

 

‘‘ଆଚ୍ଛା, ଆପଣଙ୍କ ରାତିର ଜଗୁଆଳୀକୁ ଟିକେ ଖବର ଦେବେ ।’’

 

‘‘ମୁଁ ସେ ଚେଷ୍ଟା ଶେଷ କରିଛି, ମି: ଚୌଧୁରୀ ! କିନ୍ତୁ କିଛି ଲାଭ ହେଲାନି । ସେ କହେ ଯେ, ନିରବଚ୍ଛିନ୍ନ ଉାବରେ ସେ ରାତି ଗୋଟାଯାକ ପହରା ଦେଇଚି । ହେଲେ ଏ ଗାଡ଼ିର ବିନ୍ଦୁ ବିସର୍ଗ ସହଜେ ସେ କିଛି ଜାଣିନି । ଆଉ ତା’ଛଡ଼ା ତା’ କଥା ମୁଁ କେବେହେଲେ ଅବିଶ୍ଵାସ କରିପାରିବି ନି, ଯେହେତୁ ମୋର ସବୁଠାରୁ ବିଶ୍ୱସ୍ତ କର୍ମଚାରୀ ହେଲେ ସେଇ ଭୂପିନ୍ଦର ବାହାଦୂର । ଅନ୍ତତଃପକ୍ଷେ ଏଇଟା ନଷ୍ଟ ଯେ ରାତି ନଅଟାରୁ ଭୋର୍‌ ପାଞ୍ଚଟା ପର୍ଯ୍ୟନ୍ତ ଜନ୍ଦାଟିଏ ମଧ୍ୟ ମୋ ଘରର ଚଉହଦି ମାଡ଼ିପାରିବ ନି ତା’ର ବିନାନୁମତିରେ । ତେଣୁ ସେ ବିଷୟରେ ମୁଁ ନିଶ୍ଚିତ ।’’

 

ମି: ଚୌଧୁରୀ ବୁଝିଲେ ଯେ ତାଙ୍କର ଚାରିକଡ଼େ କେମିତି ଏକ ଅନ୍ଧାର କ୍ରମଶଃ ଘେରିଯାଉଚି । ସେ ଆଉ ଚିନ୍ତା କରିପାରୁ ନ ଥାନ୍ତି କିଛି ଆଗକୁ । ହଠାତ୍‌ ଅଜୟବାବୁଙ୍କର ମୁଣ୍ଡ କ୍ରମଶଃ ବେଶି ଭାରାକ୍ରାନ୍ତ ହୋଇଯିବାରୁ ସେ ଉଠିଗଲେ ଟିକେ ବାହାରେ ଚକ୍‌କର ଖାଇ ଆସିବାକୁ । ମି: ଚୌଧୁରୀ ଆଉ ଗୋଟିଏ ଦି’ଟା କଥା କହିସାରି ହଠାତ୍‌ କେମିତି ଗୋଟାଏ ପ୍ରସ୍ତାବ କରି ବସିଲେ–

 

‘‘ଆପଣ ଯଦି କିଛି ମନେ ନ କରନ୍ତି, ମି: ଛୋଟରାୟ, ମୁଁ ତା’ ହେଲେ ଆଜି ରାତିଟା ପାଇଁ ଆପଣଙ୍କ ଗାଡ଼ିଟା ନେବି । ହୁଏତ କାଲି ଦିନ ୧୨ଟା ସୁଦ୍ଧା ଫେରାଇ ଦେଇପାରେ । କିଛି ଅସୁବିଧା ହବନି ତ ?’

 

‘‘ନା, ନା, ଆଦୌ କିଛି ଅସୁବିଧା ହବନି । ମୋର କିଛି ଦରକାର ନାହିଁ’’

 

‘‘ଆପଣଙ୍କର ଡ୍ରାଇଭରକୁ ଟିକିଏ ଡାକିବେ...’’ ଯଦି ସଂଭ୍ରମତା ରକ୍ଷା କରି ମି: ଚୌଧୁରୀ ପଚାରିଲେ । କିନ୍ତୁ ଛୋଟରାୟ ଉତ୍ତର ଦେଲେ–

 

‘‘ଦେଖନ୍ତୁ, ମୋର ଡ୍ରାଇଭର ନାହିଁ କହିଲେ, ଚଳେ । କାରଣ ଆମେ ସମସ୍ତେ ଗାଡ଼ି ଚଳେଇ ଜାଣୁ । ତା ଛଡ଼ା ଏମିତି କରିବା ଦରକାର ପଡ଼ିଲେ ଆମ ଘରେ ଯୋଉ ଚାକର ନିତିଆ ବୋଲହାକ କରେ ସେ ନେଇଯାଏ । ନ ହେଲେ ମୋ ଫାର୍ମର ଟ୍ରକ ଡ୍ରାଇଭର ଆଦି ସିଏ ଥାନ୍ତି ନେଇଯାନ୍ତି ।’’

 

‘‘ଆଚ୍ଛା, ଠିକ୍‌ଅଛି । ତା’ ହେଲେ ମୁଁ ଗାଡ଼ିଟା ନେଇଯାଉଚି; କାଲି ପହଞ୍ଚେଇବାର ଦାୟିତ୍ୱ ମୋ ଉପରେ । ଆଜି ପାଇଁ ତା’ ହେଲେ ମୁଁ ଉଠେଁ ।’’

 

‘‘ହଁ, ନିଶ୍ଚୟ । କିନ୍ତୁ ଗୁଇନ୍ଦା ସାହେବ, ମୋ ଶୁଭେନ୍ଦୁ, ଆଉ ତା ସ୍ତ୍ରୀ ଦୁହିଁଙ୍କୁ ମୁଁ ଖୁବ୍‌ଶୀଘ୍ର ଫେରିପାଇବି ତ ?’’

 

‘ମତେ କେବଳ ଚେଷ୍ଟା କରିବାକୁ ଦିଅନ୍ତୁ, ଆଜ୍ଞା, ମୁଁ ଜୀବନପ୍ରାଣ ଚେଷ୍ଟା କରିବି ଫେରାଇ ଆଣିବାକୁ । କିନ୍ତୁ...’’

 

‘‘କ’ଣ କିନ୍ତୁ....କୁହନ୍ତୁ....’’

 

‘‘ନା, ଆଜି ନୁହେଁ । ଗାଡ଼ି ଚାବିଟା ମତେ ଦିଅନ୍ତୁ ।’’

 

‘‘ହଁ...ହଁ...’’ କହି ଛୋଟରାୟ କଲିଂ ବେଲ୍‌ ଚିପିଲେ । ନିତିଆ ଚାକର ଆସି ପହଞ୍ଚିଲା । ତାକୁ ଛୋଟରାୟ ବରାଦ କଲେ ଗାଡ଼ି ଚାବି ପାଇଁ । ନିତିଆ ଯାଇ କିଛି ସମୟ ପରେ ଫେରିଆସି କହିଲେ, ‘‘ସୁଖେନ୍ଦୁ ବାବୁ ଗାଡ଼ି ଚାବି ନେଇଯାଇଛନ୍ତି ସାଙ୍ଗରେ । ଛୋଟରାୟ ସାମାନ୍ୟ ଚିନ୍ତିତ ହେଲେ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ମୁହଁ ଉପରେ ହସ ଫୁଟି ଉଠିଲା ।’’

 

‘‘ରୁହନ୍ତୁ, ମୋ ପାଖରେ ଡୁପ୍ଲିକେଟ୍‌ ଚାବିଟା ଅଛି । ମୁଁ ଆଲମିରା ଭିତରୁ ଆଣେ’’-ଏତକ କହି ଉଠିଗଲେ ମି: ଛୋଟରାୟ । ହଠାତ୍‌ ଏହି ସମୟରେ ଟେଲିଫୋନ୍‌ ରିଂ ହେଲା । ନିତିଆ ଟେଲିଫୋନ୍‌ ଧରିଲା । କଥାବାର୍ତ୍ତାରୁ ଯାହା ବୁଝାପଡ଼ିଲା-ସୁଖେନ୍ଦୁବାବୁ ଟେଲିଫୋନ୍‌ କରୁଥିଲେ । ଗାଡ଼ି ନେଇ ଅତି ଶୀଘ୍ର ଯିବା ପାଇଁ । କ’ଣ ଭାରି ଜରୁରୀ ଦରକାର । ଛୋଟରାୟ ଆସିବା ମାତ୍ରେ ନିତିଆ ତାଙ୍କୁ ତଦନୁଯାୟୀ ଖବର ଦେଲା । ସୁଖେନ୍ଦୁଙ୍କର ଗାଡ଼ି କ’ଣ ଜରୁରୀ ଦରକାର ପଡ଼ିଲା ଭାବି ମି: ଛୋଟରାୟ ସାମାନ୍ୟ ଚିନ୍ତିତ ହୋଇଉଠିଲେ । କାରଣ ଚୌଧୁରୀଙ୍କୁ ସେ ପ୍ରତିଶ୍ରୁତି ଦେଇସାରିଛନ୍ତି ଗାଡ଼ିଟା ଦେବେ ବୋଲି । କିନ୍ତୁ ଚୌଧୁରୀ ଏ ପ୍ରକାର ଅବସ୍ଥାକୁ ଛୋଟରାୟଙ୍କର ବେଶ୍‌ ହୃଦୟଙ୍ଗମ କରିପାରିଥିଲେ । ତେଣୁ ଆଗ ବଳିପଡ଼ି ସେ ମନାକଲେ ଗାଡ଼ି ନବାକୁ । ସେତେବେଳକୁ ନିତିଆ ପ୍ରାୟ ପ୍ରସ୍ତୁତ ହୋଇସାରିଥିଲା ଗାଡ଼ି ନେଇ ଯିବାକୁ । ଛୋଟରାୟ ଗାଡ଼ିର ଚାବି ତାକୁ ଦେଲେ ।

 

କିନ୍ତୁ ବିଧିର ବିଧାନ ଅନ୍ୟ ପ୍ରକାର । ନିତିଆ ଯାଇ ଗାଡ଼ି ଷ୍ଟାର୍ଟ କରି ଦେଖେ ତ ଗାଡ଼ି ଷ୍ଟାର୍ଟ ହଉନି I ବହୁତ ଚେଷ୍ଟା କଲା ପରେ ମଧ୍ୟ ଯେତେବେଳେ କିଛି ଫଳ ହେଲାନି ଛୋଟରାୟ ଏକ ପ୍ରକାର ଦୁଃଖରେ ଭାଙ୍ଗି ପଡ଼ିଲେ । ତାଙ୍କର ବ୍ୟଗ୍ରତା ଆହୁରି ବଢ଼ି ଉଠିଲା, କାରଣ, କୌଣସି ଏକ ବିଶେଷ ଜରୁରୀ ଆବଶ୍ୟକତା ନ ଥିଲେ ସୁଖେନ୍ଦୁ ହୁଏତ ଗାଡ଼ି ପାଇଁ କହି ନ ଥାନ୍ତା ।

 

ମି: ଚୌଧୁରୀ କିନ୍ତୁ କହିଲେ ଯେ–‘‘ମୋରି ସନ୍ଦେହ ବୋଧହୁଏ ସତ୍ୟ, ମି: ଛୋଟରାୟ-। ଯିଏ ଗାଡ଼ିଟା ଫେରାଇଦେଇଚି ସେ ଯେ ଭଲ ଅବସ୍ଥାରେ ଫେରେଇଚି ଏ କଥା କେବେ ନୁହେଁ-।’’

 

ଏ କଥାରେ ଛୋଟରାୟ ସମ୍ପୂର୍ଣ୍ଣ ଏକମତ ହେଲେ । କିନ୍ତୁ ତାଙ୍କର ବ୍ୟସ୍ତତା ଆହୁରି ବଢ଼ିଗଲା ଗାଡ଼ିଟା ପଠେଇବାପାଇଁ । ହଠାତ୍‌ ଆଉ କିଛି ବାଟ ନ ପାଇ ଅଜୟ କହିଲେ–

 

‘‘ଯଦି କିଛି ନ ଭାବନ୍ତି ମୋ ଗାଡ଼ିଟା ସେ ନେଇଯାଉ । ଆମେ ଅଫିସ ଜିପ୍‌ ମଗେଇ ଚାଲିଯିବୁ ।’’

 

କଥାଟା ପାଇଁ ଛୋଟରାୟ ଆଶା କରି ନ ଥିଲେ ମଧ୍ୟ ସେତେବେଳେ ତାଙ୍କୁ ସେଇଟା ବହୁତ ସମ୍ଭବ ପରି ମନେହେଲା । ଅବଶ୍ୟ ଲୌକକତା ଦୃଷ୍ଟିରୁ ସେ ପ୍ରଥମେ କୁଣ୍ଠା ବୋଧ କରୁଥିଲେ । କିନ୍ତୁ ଚୌଧୁରୀ ବାଧ୍ୟ କରିବାରୁ ସେ ନାରାଜ ହେଲେ ନାହିଁ । ବରଂ ନିତିଆକୁ ଆଦେଶ ଦେଲେ ଗାଡ଼ି ନେଇଯିବାକୁ । ନିତିଆ ପ୍ରଥମେ ନାମଙ୍ଗ ହେଲା । କାରଣ ସେ କହିଲେ ଯେ ସୁଖେନ୍ଦୁ କୁଆଡ଼େ ସେ ଗାଡ଼ି ନବାକୁ କହିଛନ୍ତି ଅନେକଗୁଡ଼ିଏ ଲୋକ ଯିବାର ଅଛି । ତେଣୁ ଆମ୍ବାସାଡ଼ର ଗାଡ଼ିଟା ସୁବିଧା । କିନ୍ତୁ ଚୌଧୁରୀଙ୍କର ପିଆଟ୍‌ ଗାଡ଼ିଟା ଦେଖି ହୁଏ ତ ସେ ଗାଳି ଦେଇପାରନ୍ତି । କିନ୍ତୁ ଛୋଟରାୟ, କିଞ୍ଚିତ ବିରକ୍ତି ପ୍ରକାଶ କରିବାରେ ସେ ଚୌଧୁରୀଙ୍କର ଗାଡ଼ିଟା ନବାକୁ ବାଧ୍ୟ ହେଲା । ତା’ର ଷ୍ଟାର୍ଟ କରି ଚାଲିଯିବାର କିଛିକ୍ଷଣ ପରେ ଛୋଟରାୟ ପୁଣି ସେ ଗାଡ଼ି କଥା ଉଠାଇଲେ । କୌତୂହଳବଶତଃ କ’ଣ ହେଇଚି ବୋଲି ଅଜୟ ଗାଡ଼ିଟା ପରୀକ୍ଷା କରି ଦେଖୁ ଦେଖୁ ହଠାତ୍‌ ଗାଡ଼ିଟା ଷ୍ଟାର୍ଟ ହେଲା । ତା’ପରେ ଠିକ୍‌ ଚାଲିବାର ଉପକ୍ରମ କଲା ।

 

ଏକଥା ଦେଖି ଛୋଟରାୟ ଆନନ୍ଦରେ କହିଲେ, ‘‘ତା’ ହେଲେ ମି: ଚୌଧୁରୀ ଆପଣ ମୋ ଗାଡ଼ିଟା ନେଇ ଚାଲିଯାଇପାରନ୍ତି ।’’ ମି: ଚୌଧୁରୀ ମଧ୍ୟ ସେଥିରେ ସମ୍ମତି ପ୍ରକାଶ କଲେ । ସେତେବେଳକୁ ରାତି ବେଶ୍‌ ହୋଇଯାଇଥାଏ । ବର୍ଷା ପୁଣି ଉଠେଇ ରହିଥାଏ ଆକାଶରେ । କାଳେ ବର୍ଷା ହୋଇପାରେ ଭାବି ଚୌଧୁରୀ ଆଉ ଅଜୟ ଶୁଭରାତ୍ରି ଜଣେଇ ଉଠିଲେ ।

 

ମୁହୂର୍ତ୍ତକ ମଧ୍ୟରେ ଅଜୟଙ୍କର ହାତ ଷ୍ଟିଅରିଂ ଉପରେ ଦୃଢ଼ ହୋଇଉଠିଲା । ଆଖିପିଛୁଳାକେ ଗାଡ଼ିଟା ତୀର ବେଗରେ ଆଉ ଏକ ରାସ୍ତାରେ ବେଗଗାମୀ ହବାକୁ ଲାଗିଲା । କିଛି ସମୟ ଏହାପରି ଯିବା ପରେ ଗୋଟିଏ ପେଟ୍ରୋଲ ପମ୍ପ ପାଖରେ ଗାଡ଼ିଟି ଚୌଧୁରୀଙ୍କର ନିର୍ଦ୍ଦେଶକ୍ରମେ ବେକ୍‌ କଷିଲା । ପେଟ୍ରୋଲ ପମ୍ପର ଢୋଳଉଥିବା ଜଗୁଆଳିକୁ ଦେଖିବାମାନେ ମୁହୂର୍ତ୍ତକ ମଧ୍ୟରେ ଅଜୟକୁ କୋତୋଟି ନିର୍ଦ୍ଦେଶ ଦେଇଦେଲେ । ଗାଡ଼ି ଅଟକିବା ଦେଖି ଜଗୁଆଳୀର ନିଦ ଭାଙ୍ଗିଗଲା । ସେ ଆସି ତେଲ କଥା ପଚାରିବାରେ ଟାଙ୍କି ପୂରା କରିବାକୁ କହିଦେଇ ଅଜୟ ସେ ଭିତରଆଡ଼େ ଯାଇ ଟେଲିଫୋନ୍‌ ଧରି କାହା ସାଙ୍ଗରେ କଥାବାର୍ତ୍ତା କଲେ । ଚୌଧୁରୀ ପେଟ୍ରୋଲ ମିଟର ଦେଖି ଲୋଡ଼ କରିବା ଭିତରେ ଅଜୟଙ୍କର କଥା ଶେଷ ହେଲା । ପଇସା ଛିଣ୍ଡେଇଦେଇ ଗାଡ଼ିରେ ବସି ପୁଣି ଅଜୟ ଷ୍ଟାର୍ଟ କଲେ । ତା’ରି ଭିତରେ ଚୌଧୁରୀ କ’ଣ ନିର୍ଦ୍ଦେଶ ଦେଲେ ଅଜୟକୁ ଆଉ ତାଙ୍କୁ କେତୋଟି ଉପଦେଶ ଦେଲେ, ତାହା ଆଉ କେହି ଜାଣିଲେନି ।

 

ଏହିପରି ଦ୍ରୁତ ଗତିରେ ଗାଡ଼ିଟା କିଛି ସମୟ ଚାଲିବାପରେ ଖୁବ୍‌ ଦୂରରେ ଆଗରୁ ଗୋଟିଏ ଲାଇଟ୍‌ ଦେଖାଗଲା । ଉଭୟଙ୍କର ମୁଖଉଜ୍ଜ୍ୱଳ ହୋଇଗଲା, ଆଉ ସେ ଉଜ୍ଜ୍ୱଳ ମୋଟର ସାଇକେଲର ଆଲୋକ ପାଖ ହୋଇଗଲା ମାତ୍ରେ ବ୍ରେକ୍‌ କଷିଲା । ମଟର ସାଇକେଲ ଆରୋହୀ ଜଣକ ଏକାକୁଦାକେ ଆସି ଗାଡ଼ି ଭିତରେ ଚାଳକର ଆସନରେ ବସିଲା । ମି: ଚୌଧୁରୀ ମଧ୍ୟ ପ୍ରାୟ ସେହିପରି ଆଖି ପିଛୁଳାକେ ବାହାରିଗଲେ ଗାଡ଼ି ଭିତରୁ । ଆଉ ଯାହା ପରେ ଦି’ପଦ ଆଗନ୍ତୁକର କାନରେ କହିଦେଇ ସେଇଠି ଓହ୍ଲାଇଗଲେ । ଆଗନ୍ତୁକ ଜଣକ ଯେ ଆମର ତାରଜନ୍‌ ଛଡ଼ା କେହି ନୁହେଁ ଏକଥା କହିବା ଅନାବଶ୍ୟକ । ପରସ୍ପର ବିଚ୍ଛିନ୍ନ ହୋଇଗଲା ପରେ ତାରଜନ୍‌ ଯେପରି ବେଗରେ ଗାଡ଼ି ଛାଡ଼ିଲା ଅନ୍ୟ କେହି ପାଖରେ ବସିଥିଲେ ହୁଏତ ହାର୍ଟଫେଲ୍‌ କରିଥାନ୍ତି । କିନ୍ତୁ ଅଜୟ ତାର ଡ୍ରାଇଭିଂ ସହିତ ଏକାନ୍ତ ପରିଚିତ ବୋଲି ବିଶେଷ କିଛି ଚିନ୍ତା କଲେ ନାହିଁ ବରଂ ଆବଶ୍ୟକୀୟ ଉପଦେଶମାନ ଏବଂ ଆଗାମୀ କର୍ମପନ୍ଥାର ବିବରଣୀ ସବୁ ଅତି ଅଳ୍ପକେ କହିବାକୁ ଆରମ୍ଭ କଲେ ।

 

ୟାଡ଼େ ମି: ଚୌଧୁରୀ ମଧ୍ୟର ସାଇକେଲ୍‌ରେ ଦ୍ରୁତ ବେଗରେ ତାଙ୍କର ନିଜ ଘରଆଡ଼କୁ ମୁହାଁଇଲେ । କିନ୍ତୁ ସମୟ ପରେ ଆସି ସେ ଘରେ ପହଞ୍ଚିଲେ । ମଟର ସାଇକେଲ୍‌କୁ ଗ୍ୟାରେଜ୍‌ରେ ରଖି ଯାଇ ମୁହଁହାତ ଧୋଇବାକୁ ବାଥ୍‌ରୁମ୍‌ରେ ପଶିଲେ । କିଛିକ୍ଷଣ ପରେ ସବୁ ସାରି ଆସି ବସିଲେ । ରାତି ପ୍ରାୟ ସେତେବେଳକୁ ସାଢ଼େ ଦଶଟା । ପୂଝାରୀ ଆସି ଖାଇବାକୁ ଡାକିଲା । କିନ୍ତୁ ଚୌଧୁରୀ ଯେମିତି କାହାକୁ ଅପେକ୍ଷା କରୁଥିଲେ । ହଠାତ୍‌ ଏଇ ସମୟରେ ଗୋଟିଏ କାର୍‌ ପାର୍କ କରିବାର ଶବ୍ଦ ଶୁଣାଗଲା । ଚୌଧୁରୀଙ୍କର ମୁହଁରେ ସାମାନ୍ୟ ହସ ଫୁଟିଉଠିଲା ।

 

ଭିତରକୁ ପ୍ରବେଶ କଲେ ସୁଖେନ୍ଦୁ ଛୋଟରାୟ । ଏତେବେଳେ ସୁଖେନ୍ଦୁଙ୍କୁ ଦେଖି ଚୌଧୁରୀ ବିସ୍ମୟ ପ୍ରକାଶ କଲେ । ତା’ପର ସୁଖେନ୍ଦୁ କହିଲେ–

 

‘‘ଆପଣ ବଡ଼ ହଇରାଣ ହେଇ ଆସିଥିବେ ନିଶ୍ଚୟ । କାରଣ ଆପଣଙ୍କ ଗାଡ଼ିଟା ମୋ’ପାଇଁ ନେଇଗଲା । ମୋ’ର ବିଶ୍ୱାସ ନ ଥିଲା ଯେ ଆପଣ ଆସି ଘରେ ପହଞ୍ଚିସାରିଥିବେ । ସେଥିପାଇଁ ମୁଁ ଆପଣଙ୍କ ଗାଡ଼ି ନେଇଆସିଚି, ଆଉ ସେ ଗାଡ଼ିଟା ନେଇଯିବି ।’’

 

ଏଇ କଥାରେ ମି: ଚୌଧୁରୀ ବଡ଼ ଅଡ଼ୁଆରେ ପଡ଼ିଲେ । ଦୁଃଖପ୍ରକାଶ କରି କହିଲେ ଯେ ପ୍ରକୃତରେ ସେମାନେ ପହଞ୍ଚି ପାରି ନ ଥାନ୍ତେ । ବାଟରେ ଗୋଟାଏ ମେକାନିକ୍‌କୁ ଧରି ଗାଡ଼ିଟା ଟିକେ ବାଗେଇଦେବାକୁ ପଡ଼ିଲା । ତା’ପରେ ହଠାତ୍‌ ଅଜୟଙ୍କର ଘରୁ ଟ୍ରଙ୍କକଲ୍‌ ଖବର ଆସିଲା ଯେ ତାଙ୍କ ମା’ଙ୍କର ଦେହ ଭୀଷଣ ଖରାପ । ତେଣୁ ସେ ଗାଡ଼ି ନେଇ ରାତାରାତି ଚାଲିଗଲେ । ହୁଏତ କାଲି ଫେରିପାରନ୍ତି ।

 

ଏଇ କଥା ଶୁଣିସାରିଲା ପରେ ସୁଖେନ୍ଦୁ କେମିତି ଦିନେ ବିଶେଷ ପରିମାଣରେ ବିମର୍ଷ ହେଇଗଲେ । ଅବଶ୍ୟ ସେ ମୁଖଭଙ୍ଗୀକୁ ଚୌଧୁରୀ ଦେଖି ମଧ୍ୟ ନ ଦେଖିବାର ଛଳନା କଲେ । କିନ୍ତୁ ସୁଖେନ୍ଦୁ, ଉପରେ କିଛି ନ କହି ବରଂ କଥାଟାକୁ ଚଳେଇନବାକୁ ଚେଷ୍ଟା କଲେ । ତଥାପି ମନ ଭିତରେ ଗାଡ଼ିଟା ପାଇଁ ସେ ଦୁଃଖିତ ହେଲେ । ଅତି ପ୍ରିୟ ଗାଡ଼ିଟା ତାଙ୍କର–ଏତେ ଖରାପ ଅବସ୍ଥାରେ ଗୋଟାଏ ଲମ୍ବା ରାସ୍ତା ନବା ମୋତେ ଉଚିତ ନ ଥିଲା । ସେତିକିରେ ସୁଖେନ୍ଦୁ ବିଦାୟ ନେଲେ ଚୌଧୁରୀଙ୍କ ଅନୁରୋଧରେ ତାଙ୍କ ଗାଡ଼ିଟାକୁ ନେଇ । ଚୌଧୁରୀ ସୁଖେନ୍ଦୁଙ୍କୁ ବିଦାୟ ଦେଇସାରିଲା ପରେ ପୂଝାରୀକୁ ଆଦେଶ ଦେଲେ ଖାଇବା କରିବାକୁ ।

 

ଖୁବ୍‌ ଅଳ୍ପ ସମୟ ଭିତରେ ଖାଇନେଲେ ସେ । ତା’ପରେ ତାଙ୍କର ମନେପଡ଼ିଲା, ଉପରବେଳା ଡାକ ବାକ୍‌ସ ଖୋଲିନାହାଁନ୍ତି । ଯାଇ ଖୋଲିଦେଇ ଦେଖିଲେ ମାମୁଲି ଧରଣର ଲଫାପା ଖଣ୍ଡିଏ । ବଡ଼ ବେଖାତିର ଭାବରେ ଚିଠିଟାକୁ ଖୋଲିଦେଇ ପ୍ରଥମେ ହତଭମ୍ବ ହୋଇପଡ଼ିଲେ ଚୌଧୁରୀ । କାରଣ ରାଇଟିଂ ପ୍ୟାଡ୍‌ର ମୋହର ଏମିତି ବୀଭତ୍ସ କେବେ ହୋଇପାରେ ସେଇଟା ତାଙ୍କର ଧାରଣାର ବାହାରେ ଥିଲା । ଅନେକ ଗୁଡ଼ାଏ ମଡ଼ା ଉପରେ ଜଣେ ଠିଆ ହେଇଚି–ଏଇଟାହିଁ ହେଲା ସେ ପ୍ୟାଡ଼୍‌ର ଛବି । ଲେଖାଟା ପଢ଼ିଲେ–

ମି: ଚୌଧୁରୀ,

ଆପଣଙ୍କ ପ୍ରତି ମୋର ଗୁଇନ୍ଦା ହିସାବରେ ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ମୋର ଗୋଟିଏ ଅନୁରୋଧ, ମୋର ପ୍ରଥମ ପାହାଚରେ ହିଁ ମତେ ଯୋଉ ଦୁଇଜଣଙ୍କୁ କରଗତ କରିବାକୁ ପଡ଼ିଲା ସେଇ ଶୁଭେନ୍ଦୁ ଆଉ ତା ସ୍ତ୍ରୀର ମିଳିବା ଉପରେ ଗୁରୁତ୍ୱ ଆରୋପ କରିବେ ନାହିଁ । ଯଦି କରନ୍ତି ତା’ହେଲେ ମୋ ବାଟ ସଫା କରିବାପାଇଁ ମୁଁ ଆପଣଙ୍କୁ ମଧ୍ୟ ସେଇ ରାସ୍ତାକୁ ପଠାଇବା ପାଇଁ ପଛଘୁଞ୍ଚା ଦେବନି । । ଇତି ।

ନାଁ ନାହିଁ, କିଏ ଲେଖିବ ସେ ଚିଠି ? ତଥାପି ଚୌଧୁରୀ ଚମକି ଉଠିଲେ । ସେ ଚମକିବାଟା ହୁଏତ ତାଙ୍କ ନିଜର ଜୀବନ ପାଇଁ ଭୟ ନୁହେଁ । କିନ୍ତୁ ଏତେଦିନ ପରେ ସେ ବର୍ତ୍ତମାନ ଶୁଭେନ୍ଦୁ, ଛୋଟରାୟ ଆଉ ତାଙ୍କ ସ୍ତ୍ରୀଙ୍କର ଏକ କବିଳିତ ଦଶା ବିଷୟରେ ନିଶ୍ଚିତ ହୋଇଗଲେ । ଏଇ ଚିଠିରୁ କାହିଁକି କେଜାଣି ତାଙ୍କର ମନେପଡ଼ିଗଲା ସେଇ ବିଭୀଷିକାମୟୀ ରାତ୍ରିର ଘଟଣା । ପାହାଡ଼ ତଳକୁ ଗୋଟାଏ ଗାଡ଼ି ସେ ଖସିପଡ଼ିଲା-ତାରଜନ୍‌ର ସେ ଘଟଣା ବର୍ଣ୍ଣନା କେମିତି କାହିଁକି ଆସି ଯୋଖି ହୋଇଗଲା ଏ ଚିଠି ସାଥିରେ । ଛାତି ଭିତରୁ ଗୋଟାଏ ଦୀର୍ଘଶ୍ଵାସ ବାହାରିଆସିଲା । ତା’ହେଲେ ଆଉ ଏତେ ପରିଶ୍ରମ କରି କିଛି ଲାଭ ନାହିଁ । କିନ୍ତୁ ପର ମୁହୂର୍ତ୍ତରେ ସେ ଅଦୃଶ୍ୟ ଦୃଢ଼ ହେଇ ଉଠିଲେ । କାରଣ ଏ ଲୋକଟାର ଦର୍ପଟାକୁ କୌଣସିମତେ ଭାଙ୍ଗିବାକୁ ପଡ଼ିବ । ପୋଷାକ ଖୋଲି ଟିକେ ଶୋଇବାର ଉପକ୍ରମ କରିବେ ବୋଲି ଭାବୁଥିଲେ । କିନ୍ତୁ ପୁଣି କ’ଣ ଭାବି ଟାଇଗରକୁ ଡାକିଲେ । ଟାରଗର ତାଙ୍କର ଅନ୍ତ ବିଶ୍ୱସ୍ତ ଅତି ସୁଶିକ୍ଷିତ କୁକୁର । ତାକୁ ଡାକି ସେ ଚିଠିରୁ କ’ଣ ଶୁଙ୍ଘାଇବାକୁ ଚେଷ୍ଟା କଲେ । କୁକୁରଟି ଶୁଙ୍ଘି ଶୁଙ୍ଘି କିଛି ବୁଝିପାରିଲାନି ବୋଧହୁଏ; କିନ୍ତୁ ହଠାତ୍‌ ଭୀଷଣ ଜୋର୍‌ରେ ଭୁକିଉଠିଲା । ତାକୁ ଆଶ୍ୱସ୍ତ କରି ଅତିଶୀଘ୍ର ରାତ୍ର, ପୋଷାକରେ ସଜ୍ଜିତ ହୋଇ ଚୌଧୁରୀ ମଟର ସାଇକେଲ୍‌ରେ ଷ୍ଟାର୍ଟ ଦେଲେ । ସେତେବେଳକୁ ରାତି ଗୋଟାଏ ।

ଦୀର୍ଘ ତିନି ଘଣ୍ଟା ନିତାନ୍ତ ଅପ୍ରତ୍ୟାଶିତ ପଥରେ ଡ୍ରାଇଭିଂ କଲା ପରେ ତାରଜନ୍‌ ଏବଂ ଅଜୟ ଆସି ଏହିପରି ଏକ ସ୍ଥାନରେ ଆଶ୍ରୟ ନେଇଥିଲେ । ଯାହା ଯାହା ତାଙ୍କର ପରୀକ୍ଷା କରିବାର କଥା ସବୁ କିଛି ଅତି ଅଳ୍ପକ୍ଷଣ ମଧ୍ୟରେ ଅନୁସନ୍ଧାନ ସାରିଦେଲେ । ତା’ପରେ ତାରଜନ୍‌ କହିଲା–

‘‘ଅଜୟବାବୁ, ରାତି ମୋଟେ ଦୁଇଟା ବାଜିଛି ! ମୁଁ ଆଦୌ କ୍ଳାନ୍ତ ନୁହେଁ । ଆପଣ ଶୋଇପଡ଼ନ୍ତୁ । ମୁଁ ଟିକେ ଏଇ ପାଖ ଜଙ୍ଗଲଟା ବୁଲିଆସେ ।’’

ଅଜୟଙ୍କର ମନା କରିବାର କିଛି ନାହିଁ । କାରଣ ସେ ଜାଣନ୍ତି ତାରଜନ୍‌ର ପ୍ରକୃତି । ଏଇ ଜଙ୍ଗଲ, ପାହାଡ଼, ବାଘଭାଲୁ ଭିତରେ ସେ ବଢ଼ିଛି । ଦିହରେ ଏକାଥରକେ ଦୁଇଟା ସିଂହର ବଳ । ତେଣୁ ଯେତେ ସହର ଜାଗାରେ ରହିଲେ ବି ଏଭଳି ଜାଗା ଦେଖିଲେ ତା’ର ପ୍ରକୃତି ଦିନେ ମନେପକାଏ । ହୁଏତ ଏଇ ବୁଲିଆସିବା ଭିତରେ ଗୋଟାଏ ଶାଳଗଛକୁ ଧକ୍‌କାଏ ମାରି ଓପାଡ଼ିଦେବ ବା ପାହାଡ଼ ଦିହରୁ ବଡ଼ ବଡ଼ ପଥର କେଇଟା ଆଣି ନିଜ ଦେହରେ ପିଟି ଭାଙ୍ଗି ଚୂନା କରିବ । ସହର ଜାଗାରେ ଏଗୁଡ଼ା କୁଆଡ଼ୁ କରିବାକୁ ମିଳିବ ? ତେଣୁ ସେ ଚାଲିଗଲା । ବିଶେଷ କରି ଆଜି ତା’ର ମନ ଘର ଖୁସି I ସେଇ ଖୁସି ଉପରେ ସେ ପଥରଟାକୁ ନ କଚାଡ଼ି ମଟରଟାକୁ ଟେକି କଚାଡ଼ିବାକୁ ଚେଷ୍ଟା କରିବ ବୋଲି କହୁଥିଲେ । କିନ୍ତୁ ପରର ଗାଡ଼ି ବୋଲି ତା କଲାନି ।

ଅଝାଡ଼ ଜଙ୍ଗଲ ଭିତରେ ଏଇ ଫରେଷ୍ଟ ରେଷ୍ଟ ସେଡ଼୍‌ଟିଏ । ତା ଭିତରେ ଏକା ଅଜୟ । ରାତି ପ୍ରାୟ ଦୁଇଟା ହେଇଗଲାଣି । ତାରଜନ୍‌ ଚାଲିଯାଇଚି ଜଙ୍ଗଲକୁ । ଏକା ବସି ବସି ଟିକେ କ୍ଳାନ୍ତିକର ଲାଗିଲା ଅଜୟଙ୍କୁ । ଭାବିଲେ ଟିକେ ଶୋଇବେ ବୋଲି । ଆଖି ଟିକେ ଲାଗିଆସିଚି, ହଠାତ୍‌ ଜଣାଗଲା କିଏ ଯେମିତି ଖୁବ୍‌ ଦୂରରେ ଆର୍ତ୍ତ ଚିତ୍କାର କରୁଚି । ଗଳାଟା ଜଣେ ନାରୀର, ଏ କଥା ବୁଝିବାକୁ ଆଉ ବାକୀ ରହିଲାନି । କିନ୍ତୁ ପରମୁହୂର୍ତ୍ତରେ କାନ ପାରି ଶୁଣିବାକୁ ଚେଷ୍ଟା କରି ଆଉ ପାରିଲିନି । ମନେହେଲା ସତେକି ଜଣକୁ ବଳପ୍ରୟୋଗ କରି ଦୂରକୁ ନେଇନିଆଗଲା । ନିଜକୁ ସାମାନ୍ୟ ସଂଯତ କରି ଅଜୟ ଭାବିଲେ, ଏଥିରେ ବିଶେଷ କିଛି ଗୁରୁତ୍ୱ ଦବାର ନାହିଁ । କାରଣ ନିପଟ ଜଙ୍ଗଲର କୋଉ ପାଖରେ ଗୋଟାଏ ଦି’ଟା ଘର ଆଦିବାସୀ ବା ବଣୁଆ ଲୋକ କେହି ଥିବେ । ରାତିରେ ହାଣ୍ଡିଆ କି ମହୁଲ ପିଇ ସ୍ତ୍ରୀକୁ ମାରିବା ବିଚିତ୍ର ନୁହେଁ । ତେଣୁ ସେ ଆରାମ କରିବାକୁ ଚେଷ୍ଟା କଲେ ।

କିଛି ସମସ୍ତ ଜଙ୍ଗଲରେ ବୁଲିବା ପରେ ତାର୍‌ଜନ ହଠାତ୍‌ ଗୋଟାଏ ଗର୍ଜନ ଶୁଣିବାକୁ ପାଇଲା । କୌଣସି ଭୟଙ୍କର ଜନ୍ତୁର ବୋଧହୁଏ । ଅନ୍ୟ କେହି ହୋଇଥିଲେ ଡରି ବେହୋସ ହୋଇଯାଇଥାନ୍ତି । ହେଲେ ତାର୍‌ଜନକୁ ସେଇଟା ଗୋଟାଏ ଆହ୍ୱାନ ଭଳି ଲାଗିଲା । ତେଣୁ ସେ ଅଧିକ ବେଗରେ ସେଇଆଡ଼କୁ ଦଉଡ଼ିବାକୁ ଲାଗିଲା । ଦଉଡ଼ି ଦଉଡ଼ି କିଛିବାଟ ଗଲାପରେ ସେ ପୁଣି ଶୁଣିପାରିଲା ସେଇ ଜନ୍ତୁର ଗର୍ଜନ । ତା’ପରେ ତାର୍‌ଜନ ସଚେତ ହେଇଗଲା । ଏଥର ଆସ୍ତେ ଆସ୍ତେ ଆଗେଇ ସେ ଦେଖିଲା ଖଣ୍ଡେ ଦୂରରେ ଗୋଟାଏ ବିଶାଳକାୟ ପଶୁ ଠିଆହୋଇଚି । ଏଭଳି ବୀଭତ୍ସ ତା’ର ଦେହର ଆକୃତି ଯେ ଏତେ ବର୍ଷର ଜଙ୍ଗଲ ରାଜ୍ୟର ସମ୍ରାଟ ବୋଲଇ ସାରିଲା ପରେ ବି ସେ କଳ୍ପନା କରିପାରିଲା ନାହିଁ ଏଭଳି ଏକ ଜନ୍ତୁ ସମ୍ଭବ ହୋଇପାରେ ବୋଲି । ବିଶେଷ କରି ଓଡ଼ିଶାର ଜଙ୍ଗଲରେ ଏମିତି ଏକ ଅପ୍ରାକୃତନ ଜୀବ ! ଏହି ସମୟରେ ଏକ ଛୋଟ ସାଇରେନ ବାଜିଲା ଭଲ ଦୂରରୁ ଶୁଣାଗଲା l ଦେଖାଗଲା, ପ୍ରାୟ ୧୦ /୧୨ ଫୁଟ ଉଚ୍ଚର ବିରାଟ ଗଛଭଳି କ’ଣ ଗୋଟିଏ ସେ ଜନ୍ତୁଆଡ଼କୁ ଆସୁଚି । ଠିକ୍‌ ମଣିଷ ଭଳି ସେ ଚାଲିବା ଆରମ୍ଭ କରିଚି; କିନ୍ତୁ ସେଇଟା ମଣିଷ କେବେ ହେଇପାରେନା । ଏମିତି ଏକ ଦୃଶ୍ୟ ଦେଖିସାରିଲା ପରେ ତାର୍‌ଜନ କେମିତି ଟିକେ ଭାବପ୍ରବଣ ହୋଇଉଠିଲା । ଭୌତିକ ପ୍ରକ୍ରିୟା ଦେଖୁନାହିଁ ତ ! କିନ୍ତୁ ପରମୁହୂର୍ତ୍ତରେ ସେ ଆହୁରି ଶକ୍ତ ହେଇଉଠିଲା । ନିଜର ପକେଟ ଦରାଣ୍ଡି ଦେଖିଲ ପିସ୍ତଲଟା ସେ ଛାଡ଼ିଆସିଚି ସେଇ ଗାଡ଼ି ପାଖରେ । ତା’ର ମନହେଲା ଗୋଟାଏ ଶାଳଗଛ ଓପାଡ଼ି ନେଇ ଦି’ଟାଯାକ ଜୀବକୁ ପିଟିପିଟି ମାରିପକାନ୍ତା । ପୁଣି କିନ୍ତୁ ତା’ର ସେ ଆଶା ସେ ଦବେଇଦେଲା । କାରଣ ପ୍ରକୃତ ରହସ୍ୟ କ’ଣ ହୁଏତ ଆଉ ବୁଝାପଡ଼ିବନି । କିଛି ସମୟ ପରେ ଦେଖିଲା ଯେ ଉଭୟ ଜୀବ ଦୁଇଟି କୁଆଡ଼େ ଆହୁରି ଭିତର ଆଡ଼କୁ ଅନ୍ଧାର ଭିତରେ ଆଗେଇ ଚାଲିଗଲେ । ତାରଜନର ଇଚ୍ଛା ଥିଲେ ମଧ୍ୟ ସେ ଆଉ ଭିତରକୁ ଯିବାକୁ ବର୍ତ୍ତମାନ ପରିସ୍ଥିତିରେ ଉଚିତ ମଣିଲାନି । କାରଣ ଅଜୟବାବୁ ତେଣେ ବ୍ୟସ୍ତ ହେବେଣି ।

ତାରଜନ୍‌ ଫେରିଲାବେଳକୁ ଅଜୟକୁ ଛାଇନିଦ ଲାଗି ଯାଇଥାଏ । ସେତେ-ବେଳେ ରାତି ପ୍ରାୟ ସାଢ଼େ ତିନିଟା । ଭୋରରୁ ଯାଇ ପହଞ୍ଚିବାକୁ ପଡ଼ିବ ଘରେ । କାଳବିଳମ୍ବ ନ କରି ଗାଡ଼ିରେ ବସିପଡ଼ି ଗାଡ଼ି ଛୁଟାଇଲେ । ହଠାତ୍‌ କ’ଣ ଦେଖି ତାରଜନ୍‌ ଗାଡ଼ିରେ ବ୍ରେକ୍‌ କଷିଲା । ସେତେବେଳକୁ ଗାଡ଼ିଭିତରେ ଅଜୟଙ୍କୁ ଟିକେ ଛାଇନିଦ ଲାଗିଆସିଥାଏ । କାହିଁକି ବ୍ରେକ୍‌କଲା ଗାଡ଼ି ବୋଲି ଅନେଇଁ ଦେଖିବାରୁ ଦେଖିଲେ ସାମନାରେ ଗୋଟାଏ କିଏ ପଡ଼ିଲାଭଳି ଦେଖାଗଲା-। ଏଥିରେ ବି ବିଶେଷ କିନ୍ତୁ ଆଶ୍ଚର୍ଯ୍ୟ ହବାର ନ ଥିଲା । କାରଣ ଏଠିକାର କନ୍ଧ କୋହ୍ଲ ବସ୍ତିରେ ସେମିତି ନିଶା ଖାଇ ରାସ୍ତାରେ ପଡ଼ନ୍ତି । କିନ୍ତୁ କିଛି ସମୟ ପୂର୍ବରୁ ଶୁଣାଯାଇଥିବା ଆର୍ତ୍ତ ଚିତ୍କାର ମନେପଡ଼ିଗଲା । ଗାଡ଼ିରୁ ଓହ୍ଳେଇ ତାରଜନ ସାଙ୍ଗେ ସାଙ୍ଗେ ସେ ଦେହ ପାଖକୁ ଚାଲିଗଲ-। ତା’ପରେ ପରେ ଅଜୟ ମଧ୍ୟ ଗଲେ । ଦେଖିଲେ ଯେ ତାହା ଗୋଟିଏ ନାରୀର ଶରୀର-। କିଛିକ୍ଷଣ ପରିକ୍ଷା କରିବା ପରେ ଦେଖିଲେ ସତେ ଯେମିତି ସେ ନାରିଟୀର ଦେହରୁ କୌଣସି ଏକ ଲୁହାର ବ୍ରସ ଦ୍ଵାରା ସମସ୍ତ ମାଂସ ଆମ୍ପୁଡି ଦବାପାଇଁ ଚେଷ୍ଟା କରାଯାଇଚି । ଏପରି ଏକ ଦୃଶ୍ୟ ଅଜୟ କେବେ ଦେଖିଛନ୍ତି ଏ କଥା ତାଙ୍କର ସ୍ମରଣ ହେଲେ ନାହିଁ । ତାରଜନ୍‌ ଜଙ୍ଗଲରେ ରହିବା–ଭଳି ଏକ ପଶୁ କହିଲେ ଚଳେ । କିନ୍ତୁ ଭାଲୁ ଆମ୍ପୁଡ଼ାଠାରୁ ଆହୁରି ଭୟଙ୍କର ଭଳି ଏଇଟା ତାକୁ ମନେହେଲ । ଉଭୟେ ଏପରି ଏକ ଅବସ୍ଥାରେ କ’ଣ କରିବେ କିଛି ନ ଭାବି ସେଇଟିକୁ ଗାଡ଼ିରେ ପଛ ସିଟ୍‌ରେ ଥୋଇ ସେହିପରି ରକ୍ତ ଜରଜର ଅବସ୍ଥାରେ ନେଇ ଚାଲିଆସିଲେ । ଘରେ ଆସି ପହଞ୍ଚିଲାବେଳକୁ ପୂରାପୂରି ଫରଚା ହେଇ ନ ଥାଏ । ଚୌଧୁରୀ ଅପେକ୍ଷା କରୁଥିଲେ ଏ ଦୁହିଙ୍କୁ । ଗାଡ଼ିଟା ବିଷୟରେ ଚାକରକୁ ଆବଶ୍ୟକମତେ ନିର୍ଦ୍ଦେଶ ଦେଇ ତିନିହେଁ ଚା’ ଟେବୁଲ୍‌କୁ ଗଲେ । ଚା’ ଟେବୁଲରେ ବସିବା ଭିତରେ ଯେ ଯାହାର ଅଭିଜ୍ଞତା ବାଢ଼ିବାକୁ ଆରମ୍ଭ କଲେ । କେଇଟି ମୁହୂର୍ତ୍ତ ମଧ୍ୟରେ, ଚୌଧୁରୀ ସମସ୍ତ କଥା ଶୁଣିଗଲେ । ତାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା । ଏକ ଭାରାକ୍ରାନ୍ତ ମସ୍ତିଷ୍କ ନେଇ ସେ ଉଠିଲେ । ବିନିଦ୍ର ରଜନୀର କ୍ଳାନ୍ତି କଟେଇବାକୁ ସମସ୍ତେ ନିତ୍ୟକର୍ମ ସାରିବାକୁ ବାହାରିଲେ ।

 

ସେଇଦିନ ଅପରାହ୍ନ ପ୍ରାୟ ତିନିଟା । ଚୌଧୁରୀ, ଅଜୟ ଓ ତାରଜନ ଏକ ବିଶେଷ ଆଲୋଚନା ଶେଷ କରିବା ପରେ ନିଜ ନିଜର କର୍ମପନ୍ଥା ନିମନ୍ତେ ପସ୍ତୁତ ହେବାପାଇଁ ବ୍ୟସ୍ତ । କାହାରି ମୁହଁରେ ଭାଷା ନାହିଁ । କେତେ ସମୟ ନୀରବତା ପରେ ଚୌଧୁରୀ କହିଲେ :

 

‘‘ଅଜୟ, ତମେ ଗାଡ଼ି ନେଇ ଯାଅ ଛୋଟରାୟଙ୍କ ଘରେ ଦେଇ ଆମ ଗାଡ଼ି ନେଇଆସିବ । ତାରଜନ୍‌ ତା’ର ମଟରସାଇକେଲ୍‌ ଧରି ଯିବ । ମୁଁ ଏଇ ସମସ୍ତ ଭିତରେ କେତେଟା ଆଲୋଚନା ମି: କନୱାରଙ୍କ ସାଙ୍ଗରେ କରିଦେଇ ଫେରିଆସିବି । ଗଲାବେଳେ ମତେ ତାରଜନ୍ ସେଠି ଛାଡ଼ିଦେଇ ଯିବ ।’’

 

ପ୍ରକୃତରେ ସେଇ ଅନୁଯାୟୀ ସମସ୍ତେ ବାହାରିଗଲେ । ସମସ୍ତେ ଏକ ଭାରାକ୍ରାନ୍ତ ମସ୍ତିଷ୍କ ନେଇ ଗତି କରୁଛନ୍ତି । ବିଶେଷ କରି ଫଟୋଗୁଡ଼ା ଦେଖିସାରିଲା ପରେ ଆହୁରି ବେଶି ବିବ୍ରତ ହୋଇଉଠିଛନ୍ତି ନିଜେ ଚୌଧୁରୀ ।

 

ଅଳ୍ପ ସମୟ ଭିତରେ ଅଜୟ ଯାଇ ଛୋଟରାୟଙ୍କ ଘରେ ପହଞ୍ଚିଲେ । ଚିହ୍ନା ଗାଡ଼ି ଦେଖି ଦରୱାନ୍‌ ଫାଟକ ଖୋଲିଦେଲା । ଡ୍ରଇଁରୁମ୍‌ ଭିତରକୁ ଉଠି ଯାଉ ଯାଉ ଅଜୟ ଶୁଣିଲେ ଛୋଟରାୟଙ୍କ ସ୍ଵର । କେମିତି କେଜାଣି ସାମାନ୍ୟ ବିଚଳିତ ହୋଇଉଠିଛନ୍ତି ଛୋଟରାୟ । ଘର ଭିତରେ ସୁଖେନ୍ଦୁ, ଆଉ ନିତିଆଙ୍କ ସମେତ ଛୋଟରାୟ ନିଜେ । ଅଳ୍ପ ଟିକେ କାନ ପାରି ଯେତିକି ବୁଝିଲେ ଅଜୟ, ଜାଣିପାରିଲେ ଯେ ବ୍ୟବସାୟ ସଂକ୍ରାନ୍ତରେ ଉଭୟଙ୍କ ଭିତରେ ସାମାନ୍ୟ ତୀବ୍ର ଆଲୋଚନା ଚାଲିଚି । ହୁଏତ ଛୋଟରାୟ ଏଥରର ଲାଭରେ ସନ୍ତୁଷ୍ଟ ନୁହନ୍ତି । ବିଶେଷକରି ଏତେଗୁଡ଼ାଏ ଖଣି ଥାଉ ଥାଉ ଅଉ ଗୋଟାଏ କାଠ ସପ୍ଲାଇ ଏଜେନ୍‌ସି ନବାର କିଛି ମାନେ ନ ଥିଲା ବୋଲି ତାଙ୍କର ଦୃଢ଼ ମତ ଉପସ୍ଥାପିତ କରୁଥାନ୍ତି ସୁଖେନ୍ଦୁଙ୍କ ସାମନାରେ । ଅଉ ବେଶି ସମୟ ଏମିତି ଭାବରେ ଅପେକ୍ଷା କରିବା ନିରାପଦ ନୁହେଁ ଭାବି ଯଥାବିଧି ଭିତରକୁ ପ୍ରବେଶ କଲେ । ସାଙ୍ଗେ ସାଙ୍ଗେ ଛୋଟରାୟ ପାଛୋଟିନେଇ ଆଉ କିଛି ଖବର ପଚାରି ବସିଲେ । କିନ୍ତୁ ସକ୍ଷେପରେ ଅଜୟ ସୁଚାଇଦେଲେ ଯେ ଆଉ କିଛି ସମ୍ବାଦ ନାହିଁ । ଗାଡ଼ି ଫେରେଇବାର କଥା କହିବା ପରେ ଛୋଟରାୟ ନିତିଆକୁ ଚା’ର ବରାଦ କଲେ । ସେଇ ସମୟ ଭିତରେ ସୁଖେନ୍ଦୁ ବାବୁଙ୍କ ସମ୍ବନ୍ଧରେ ଛୋଟରାୟ ଏକ ପ୍ରଶ୍ନ ଉତ୍‌ଥାପନ କରି ଅଜୟଙ୍କୁ ମଧ୍ୟସ୍ଥି କଲେ ।

 

‘‘ଆଚ୍ଛା, କୁହନ୍ତୁ ତ, ଅଜୟବାବୁ ! କିଏ ଅଛି ଆଉ ଭୋଗ କରିବାକୁ ଏ ସମସ୍ତ ସମ୍ପର୍ତ୍ତି ? ଯାହା ପାଇଁ ମଣିଷ ରେଜଗାର କରେ ସେ ସୌଭାଗ୍ୟ ତ ମୋର ନାହିଁ । ସୁଖେନ୍ଦୁ ଏ ପର୍ଯ୍ୟନ୍ତ ମଧ୍ୟ ନଶ୍ଚିତ ଯେ ସେ ବିବାହ କରିବ ନାହିଁ । ଶୁଭେନ୍ଦୁ, ଗଲା । ଛୋଟରାୟ ବଂଶର ସମାପ୍ତି ଏଇ ସୁଖେନ୍ଦୁ, ପାଖରେ । ତା’ହେଲେ କୁହନ୍ତୁ, ସୁଖେନ୍ଦୁ, କାହିଁକି ଏତେ ପରିଶ୍ରମ କରି ସମ୍ପତ୍ତି ବଢ଼େଇବା ପାଇଁ ପରିଶ୍ରମ କରିବ ? ଯେତିକି ଅଛି ସେ ସମସ୍ତ ଭଲ ଭାବରେ ଦେଖାଶୁଣା ହୋଇପାରୁନାହିଁ ବୋଲି ଯାହା ଲାଭ ଆସିବାର କଥା ତା’ର ଏକତୃତୀୟାଂଶ ମଧ୍ୟ ଏଥର ଆସିନି । ତା’ପରେ ଆଉ ଏକ ଜଙ୍ଗଲ କାଟିବା କଣ୍ଟ୍ରାକ୍ଟ ନବାର ଆବଶ୍ୟକତା କ’ଣ ? ତା’ଛଡ଼ା ସେଠି ଯୋଉ ମାଇନ୍‌ସ ଅଛି ବୋଲି ବିଶେଷଜ୍ଞମାନେ ସର୍ଭେ କରିଛନ୍ତି ସେଥିରେ ମଧ୍ୟ ଯାଏ ଆସେ କ’ଣ ?’’

 

ଏଇ କଥା ଉପରେ ବଡ଼ ସରଳ ଆଉ ଆଜ୍ଞାଧୀନ ପୁତ୍ର ଭାବରେ ସୁଖେନ୍ଦୁ ସ୍ମିତ ହସି ପିତାଙ୍କର ୟୁକ୍ତି ଖଣ୍ଡନ କରିବାକୁ କହିଲେ–

 

‘‘ହେଲେ ବାପା, ଆପଣ ଜାଣନ୍ତିନି । ଯେ ସେ ବ୍ୟକ୍ତିଙ୍କ ପାଖରେ କେତେ ଋଣୀ ଆମେମାନେ ! ସେ ଯଦି ଗୋଟାଏ ଅନୁରୋଧ କଲେ, ଆଉ ଦୀର୍ଘଦିନ ଧରି ସେଥିପାଇଁ ଗବେଷଣା କରି କୃତକାର୍ଯ୍ୟ ହୋଇଚନ୍ତି, ତା’ହେଲେ ତାଙ୍କୁ ବାଧା ଦିଆଯିବ କାହିଁକି । ଶୁଣନ୍ତୁ ଅଜୟବାବୁ, ଗୋଟାଏ ଫରେନ୍‌ପାର୍ଟି ଆମକୁ ବହୁତ ସାହାଯ୍ୟ କରେ । ସେ ନିଜେ ଏଠାକାର ଗୋଟିଏ ଜଙ୍ଗଲ ଲିଜ୍‌ ନବାକୁ ଓଡ଼ିଶାକୁ ଆସିଲା । ସେ ଆମର ସାହାଯ୍ୟ ଚାହିଁଲାବେଳେ ଆମେ ତାକୁ ମନା କରିଦବା ! ତା’ଛଡ଼ା ଆମର ସେଥିରେ ଲାଭ ମଧ୍ୟ ଅଛି ।’’

 

ଅଜୟ ସାମାନ୍ୟ ବିସ୍ମୟ ପ୍ରକାଶ କଲେ । କାରଣ, ସୁଦୂର ଆମେରିକାରୁ ଗୋଟିଏ ପାର୍ଟି କେବେହେଲେ ଜଙ୍ଗଲ କଟିବା ଦାୟିତ୍ଵରେ ଆସିପାରେ ? କ’ଣ ତା’ର ଲାଭ ? ଏଇ ପ୍ରଶ୍ନର ଉତ୍ତର ଦବାକୁ ଯାଇ ସୁଖେନ୍ଦୁ, କହିଲେ ଯେ ତାଙ୍କର ଗୋଟାଏ ଭେରାଇଟିର ବାଉଁଶ ଆଉ କିଛି କାଠର ଲଗ୍‌ ଦରକାର । ସେ କୁହନ୍ତି ଯେ ଗୋଟାଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏପରି କିଛି ଜିନିଷର ଆବଶ୍ୟକତା ପଡ଼ିଲା । ସେ ପ୍ରକାରର କାଠ ଏବଂ ବାଉଁଶ କେବଳ ଏଇ ଜଙ୍ଗଲରେ ଦେଖା ଦେଇଚି । ସେଗୁଡ଼ିକ ସେ ଏଠୁ କଟେଇ ତାକୁ ଠିକ୍‌ ସାଇଜ୍‌ କରି ଜାହାଜରେ ଆମେରିକା ପଠାଇବେ ।

 

ଅଜୟ ନ ହସି ରହିପାରିଲେ ନି । କାରଣ, ବହୁ ଅର୍ଥର ପ୍ରାଚୁର୍ଯ୍ୟ ସେମାନଙ୍କର । ତେଣୁ ଏଭଳି ଏକ ଖେୟାଲ୍‌ ତାଙ୍କ ପାଇଁ ଅସମ୍ଭବ ନୁହେଁ । ନ ହେଲେ ଓଡ଼ିଶାର ଜଙ୍ଗଲରୁ କାଠ ଆମଦାନୀ କରି ତାକୁ ଆମେରିକା ପଠେଇବା ଆଉ କେହି କଳ୍ପନା ମଧ୍ୟ କରିପାରିବନି । ତେବେ ସେ ଯା’ହଉ, ଅଜୟ ପିତାପୁତ୍ରଙ୍କର ଆଲୋଚନାରେ କିଛି ମତାମତ ନ ଦେଇ ନିଜ ଗାଡ଼ି ନେଇଆସିବା ଉଦ୍ଦେଶ୍ୟରେ ବାହାରିଲେ ।

 

ଘରେ ଆସି ପହଞ୍ଚିବାବେଳକୁ ପ୍ରାୟ ଚାରିଟା ବାଜିବାକୁ ହେଲାଣି । କିଛି ସମୟ ଅପେକ୍ଷା କରିବାକୁ ପଡ଼ିଲା ତାଙ୍କୁ । ଏହି ସମୟରେ ଟେଲିଫୋନ୍‌ ବାଜିଉଠିଲା । ଅଜୟ ଟେଲିଫୋନ୍‌ ଧରିଲେ । ସେ ପାଖରୁ ଚୌଧୁରୀ କହୁଚନ୍ତି କନ୍‌ୱାରଙ୍କ ଘରୁ । ଅଜୟ ନିର୍ଦ୍ଦେଶ ଅନୁସାରେ ଗାଡ଼ି ନେଇ କନ୍‌ୱାରଙ୍କ ଘରକୁ ଚାଲିଗଲେ । ଦେଖନ୍ତି ତ ଚୌଧୁରୀ ଓ କନ୍‌ୱାର ଉଭୟେ ବଡ଼ ଚିନ୍ତିତ ଅବସ୍ଥାରେ ଅଛନ୍ତି । ଗଲାକ୍ଷଣି ଚୌଧୁରୀ ଖଣ୍ଡେ ଚିଠି ବଢ଼େଇଦେଲେ । ଲେଖାଅଛି–

 

‘କନ୍‌ୱାର ସାହେବ,

 

ପ୍ରଫେସର ଥମାସ୍‌ ଜଣେ ବିଦେଶୀୟ । ତାଙ୍କର କିଛି ବୈଜ୍ଞାନିକ ରେକର୍ଡ଼ ପତ୍ର ଚୋରି ଯାଇଛି । ଆପଣ ଅତ୍ୟନ୍ତ ଗୁରୁତ୍ଵର ସହିତ ତାକୁ ଖୋଜି ବାହାର କରିବାକୁ ଲାଗିପଡ଼ିଛନ୍ତି । ମୋର ଅନୁରୋଧ ସେଗୁଡ଼ିକ ସମ୍ବନ୍ଧରେ କୌଣସି ଅନୁସନ୍ଧାନ ନ କରିବାକୁ । ତା’ ନ ହେଲେ ପ୍ରଫେସର ଥମାସ୍‌ଙ୍କ ଜୀବନ ପାଇଁ ଆପଣ ହିଁ ଦାୟୀ ରହିବେ ।’

 

ଚିଠିର ତଳେ କିଛି ନାହିଁ । କିଏ ଲେଖିଚି, କୋଉଠୁ ଆସିଚି ସେ କଥା ମଧ୍ୟ ଜାଣିବାର ଉପାୟ ନାହିଁ । ଅଜୟ ପ୍ରଥମେ ପ୍ରଶ୍ନ କଲେ ପ୍ରଫେସର ଥମାସ୍‌ କିଏ ? କନ୍‌ୱାର ଆରମ୍ଭ କଲେ–

 

‘‘ପ୍ରଫେସର ଥମାସ୍‌ ହଉଛନ୍ତି ବୋଷ୍ଟନ୍‌ ଇଉନିଭରସିଟିର ଉଭିଦ ବିଦ୍ୟାର ପ୍ରଫେସର । ସେ ଏଠିକି ପ୍ରାୟ ବର୍ଷେ ହବ ଆସି ଏକ ଗବେଷଣା କରୁଚନ୍ତି । ହଠାତ୍‌ ମତେ ଚାରିଦିନ ତଳେ ଆସି କହିଲେ, ‘ମୋର ସମସ୍ତ ଗବେଷଣାର ଚୂଡ଼ାନ୍ତ ଆବିଷ୍କାର ଏବଂ ସନ୍ଦର୍ଭ ଚୋରି ହେଇଯାଇଚି-। ମତେ ସାହାଯ୍ୟ କରନ୍ତୁ । ମୋର ଜୀବନ ବିନିମୟରେ ମୁଁ ସେଗୁଡ଼ିକ ଫେରିପାଇବାକୁ ଚାହେଁ ।’ ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହେଲି ଯେ ସେ କାଗଜଗୁଡ଼ାକ କାହାର କ’ଣ ଦରକାର ହେଇପାରେ ! କିନ୍ତୁ ସେ ବୁଝିବାକୁ ନାରାଜ । ସେ ବାରମ୍ବାର ମତେ ବୁଝାଇବାକୁ ଚାହିଁଲେ ଯେ ସେଗୁଡ଼ାକୁ ତାଙ୍କ ଜୀବନଠାରୁ ଯଥେଷ୍ଟ ଅଧିକ ମୂଲ୍ୟବାନ୍ । ତଥାପି ମୁଁ ଏତେ ଜୋର ଦଉ ନ ଥିଲି । କିନ୍ତୁ ସେ ଯେତେବେଳେ ଅତି ବିକଳ ହେଇ ମତେ କହିଲେ ଯେ ମୋର ଏଇ ପରୀକ୍ଷା ଉପରେ ନିର୍ଭର କରୁଚି ଆପଣଙ୍କ ଦେଶର କୋଟି କୋଟି ବିଦେଶୀ ମୁଦ୍ରାର୍ଜ୍ଜନ ସେତେବେଳେ ମୁଁ କିଛିଟା ଗୁରୁତ୍ଵ ଆରୋପ କରିଥିଲି । ସେ ଅବଶ୍ୟ ବିଶେଷ କିଛି କହିବାକୁ ଚାହିଁଲେନି ବା କହିବା ଅବସ୍ଥାରେ ନ ଥିଲେ; କିନ୍ତୁ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଚେଷ୍ଟା କରିବି ବୋଲି । ତା’ପରେ ପ୍ରକୃତରେ ମଧ୍ୟ ମୁଁ ଉପଯୁକ୍ତ ବ୍ୟବସ୍ଥା କରିଥିଲି । କିନ୍ତୁ ଆଜି ମତେ ସେ ଖବର ଦେଇଚନ୍ତି ଯେ ତାଙ୍କୁ ହତ୍ୟା କରିବାର ଧମକ ଦିଆଯାଇଚି ।’’

 

‘‘ତା’ ମାନେ’’ ଅଜୟ ପଚାରିଲେ । ''ତାଙ୍କୁ ଆଜି ଚିଠିରେ ଜଣେଇ ଦିଆଯାଇଚି ସେ ଆଜି ରାତି ଦଶଟା ବେଳେ ତାଙ୍କୁ ମରିବାକୁ ହିଁ ପଡ଼ିବ ।”

 

ହୋ ହୋ ହେଇ ଅଜୟ ଏଇ କଥା ଉପରେ ହସିଉଠିଲେ । କଥାଟା ପୂରାପୂରି ଅପସନ୍ଦ ଲାଗିଲା ତାଙ୍କୁ । ସେ ଆଉ ସ୍ଥାନକାଳ ପାତ୍ର ବିବେଚନା ନ କରି ହସି କହି ପକେଇଲେ ‘ସାର୍‌ ! ଏଇଟା କ’ଣ ଗୋଟାଏ ମନ୍ତ୍ର କରିବା କଥା ହେଇଚି କି ପୁରାଣ କଥା ଭଳି ପବନରେ ବୋତଲ ଉଡ଼ିଆସି ମାରିଦବ । ସାରା ରାଜ୍ୟର ସଶସ୍ତ୍ର ବାହିନୀ ଆପଣଙ୍କ ହାତରେ । ତା’ପରେ ବି ଆପଣ ଏଭଳି ଧମକରେ ଚିନ୍ତିତ ହେଇପାରନ୍ତି ?’’

 

ଆଉ କାଳ ବିଳମ୍ବ କରିବାକୁ ନଦେଇ ଚୌଧୁରୀ ଥମାସ୍‌ଙ୍କ ବାସଭବନକୁ ଯିବାପାଇଁ ଉଠିଲେ । କନ୍‌ୱାର ଆଉ ଅଜୟ ମଧ୍ୟ । ଥମାସ୍‌ଙ୍କ ପାଖରେ ପହଞ୍ଚିଲାବେଳକୁ ପ୍ରାୟ ସନ୍ଧ୍ୟା ହୋଇଯାଇଥାଏ । କନ୍‌ୱାର ପହଞ୍ଚି ଦେଖିଲେ ସତେ ଯେମିତି ପ୍ରଫେସର ଥମାସ୍‌ ଏମାନଙ୍କୁ ଅପେକ୍ଷା କରି ରହିଛନ୍ତି । ଆଉ ସେଇ ଅପେକ୍ଷା କରିବା ଭିତରେ ତାଙ୍କର ବୟସ ଯେମିତି ଆଉ କୋଡ଼ିଏ ବର୍ଷ ବଢ଼ିଯାଇଚି । ମୁହଁ ଶେତା ପଡ଼ିଯାଇଚି କହିଲେ ଗଲେ ।

 

ସମସ୍ତେ ଭିତରକୁ ଗଲେ । କିଛିଟା ସାଧାରଣ ଆଲୋଚନା ପରେ ଚୌଧୁରୀ ମାଗିବସିଲେ ସେ ଚିଠିକୁ । ଏପାଖ ସେପାଖ ଘୂରେଇ ଦେଖିଲେ ମଧ୍ୟ କିଛି ବିଶେଷତ୍ୱ ପାଇଲେନି । ବଡ଼ ମାମୁଲି ଧରଣର ଲେଖା ଦୁଇଧାଡ଼ି ଥମାସ୍‌ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଚି–

 

‘‘ଆପଣଙ୍କୁ ଅନୁରୋଧ କରିବା ସତ୍ତ୍ୱେ ଆପଣ ସେ ତଥ୍ୟ-ସନ୍ଦର୍ଭ ଆଦି ଚୋରି ଯିବା କଥା ପୋଲିସକୁ କହିଲେ । ପୋଲିସକୁ ମନା କରିବା ସତ୍ତ୍ୱେ ମଧ୍ୟ ସେମାନେ ଅନୁସନ୍ଧାନ ଚଳେଇଛନ୍ତି । ଅବଶ୍ୟ ସେଗୁଡ଼ାକ ଯେ ପାଉଁଶ ହୋଇସାରିଲାଣି ଏ କଥା ନଶ୍ଚିତ । କିନ୍ତୁ ଆପଣ ନହେଲେ ହୁଏତ ସେଇ ସନ୍ଦର୍ଭ ଆଉ ଗବେଷଣା ପୁଣି ଥରେ ଆରମ୍ଭ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ଏ ସଂସାରରୁ ବିଦାୟ ନବାକୁ ହବ । ଆପଣ ଏ ବିଷୟ ପୋଲିସକୁ ଜଣେଇ ସାହାଯ୍ୟ ଭିକ୍ଷା କରିପାରନ୍ତି । ଆଶା କରେ ଆପଣଙ୍କର ଏକାନ୍ତ ଆବଶ୍ୟକୀୟ କର୍ମ ଯଥା ଉଇଲ୍‌ କରିବା ଇତ୍ୟାଦି ଯାହା ବାକି ଥିବ ସେଗୁଡ଼ିକ ସଂସାରରୁ ବିଦାୟ ନବା ପୂର୍ବରୁ ଯେମିତି ସାରିଦେଇଥାନ୍ତି । ଠିକ୍‌ ରାତି ଦଶଟା, ଏମିତି କି ଗୋଟାଏ ମିନିଟ୍‌ ମଧ୍ୟ ଏପାଖ ସେପାଖ ହବ ନି ।’’ ଇତି ।

 

ଏଇ ‘ଇତି’ ଲେଖାହେଇ ତା’ ତଳେ ଗୋଟାଏ ରବର ଷ୍ଟାମ୍ପ୍‌ର ଛବି । ପରିଷ୍କାର ହେଇ ସେଇଟା ଦେଖାଯାଉ ନ ଥାଏ । ତଥାପି ତାହା ଯେ କୌଣସି ଏକ ଜୀବର ଚିତ୍ର, ଏଇଟା ନିଶ୍ଚିତ । ଚିଠିଟା ପଢ଼ିସାରିଲା ପରେ ଚୌଧୁରୀ ଏକପ୍ରକାର ଚିନ୍ତିତ ହୋଇପଡ଼ିଲେ । କିନ୍ତୁ ଅଜୟ ଦି’ଗୁଣ ଉତ୍ସାହରେ କହିଲେ, ‘‘ଆପଣମାନେ ମତେ କିନ୍ତୁ ଏ ଦାୟିତ୍ଵ ଛାଡ଼ିଦେଇ ନିଶ୍ଚିନ୍ତ ରହିପାରନ୍ତି ।’’ କିନ୍ତୁ ଚୌଧୁରୀଙ୍କର ଚିନ୍ତା ଦେଖି ସେ ବିଶେଷ ଆଉ କିଛି କରିପାରିଲେ ନି । ତା’ପରେ ଏକ ନିଭୃତ କକ୍ଷକୁ ଗଲେ ଚୌଧୁରୀ, ଅଜୟ ଓ କନ୍‌ୱାର । ସେଠି କିଛି ସମୟ ଆଲୋଚନା କରିବା ଭିତରେ ଏକ ମସ୍ତବଡ଼ ଯୋଜନା ପ୍ରସ୍ତୁତ ହୋଇଗଲା । ଅତି ଅଳ୍ପ ସମୟ ଭିତରେ କନ୍‍ୱାର ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମ୍ମତି ଦେଇ ଆୟୋଜନରେ ଲାଗିପଡ଼ିଲେ ।

 

ସନ୍ଧ୍ୟା ଆଠଟା ଭିତରେ ଦେଖାଗଲା, ଥମାସ୍‌ଙ୍କ ଘର ଚାରିକଡ଼ଯାକ ସଶସ୍ତ୍ର ପୋଲିସ ପହରା ଦେବାପାଇଁ ଠୁଳ ହେଇଗଲେ । ବାକି ଯାହା ଯାହା ଆୟୋଜନ କରିବାର କରିସାରି ନିଜେ କନୱାର, ଅଜୟ ଆଉ ଚୌଧୁରୀ ଡ୍ରଇଂ ରୁମ୍‌ରେ ଗୋଟିଏ ଜାଗାରେ ଏକାଠି ବସିରହିଲେ । ଚୌଧୁରୀ ଘଣ୍ଟା ଦେଖିଲେ ସାଢ଼େ ଆଠଟା ବାଜିଗଲାଣି । ଅଜୟ କିନ୍ତୁ କାହିଁକି କେଜାଣି ମୋଟେ ଏସବୁକୁ ପସନ୍ଦ କରିପାରୁ ନ ଥାନ୍ତି । ତାଙ୍କର ଯେମିତି ମନେ ହେଉଥାଏ ଯେ, ଏସବୁ କେବଳ ଗୋଟାଏ ହାସ୍ୟାଷ୍ପଦ ବ୍ୟାପାର ! କିଏ ଗୋଟାଏ କ’ଣ ଲେଖିଦେଇଚି ଧମକେଇକରି, ତାକୁ ନେଇ ଏଡ଼େ ଯୋଜନା ଲାଗିବାର କିଛି ଆବଶ୍ୟକତା ନ ଥିଲା । ବରଂ ସେ ଲୋକଟା ଆଉ କୋଉଠି ରହି ଏ ମଜା ଦେଖୁଥିବ । ତଥାପି ଘଣ୍ଟାକୁ ଚାହୁଁଥାନ୍ତି । କେମିତି ଶୀଘ୍ର ସମୟଟା ସରିଯାଉ । ତା’ପରେ ଭଲ ମଜାଟାଏ କରିବେ ସେ । ଏଇ ସମୟରେ ନୀରବତା ଭାଙ୍ଗି ଚୌଧୁରୀ କହିବା ଆରମ୍ଭ କଲେ–

 

‘‘ଆଚ୍ଛା, ଡକ୍ଟର ଥମାସ୍‌ । ଆପଣଙ୍କର ଗବେଷଣାର ଯୋଉ କାଗଜପତ୍ର ଚୋରି ହୋଇଗଲା ସେ ପରୀକ୍ଷା ବିଷୟରେ କିଛି କହିବେ । ଧରନ୍ତୁ, ଗୋଟାଏ ସାଧାରଣ ସମୀକ୍ଷା... ।’’

 

ଏଇ କଥା ଉପରେ ସତେ ଯେମିତି ଆକାଶରୁ ଛିଡ଼ିପଡ଼ିଲା ଭଳି ଶଙ୍କିତ ହୋଇଗଲେ ଥମାସ୍‌

 

‘‘ମି: ଚୌଧୁରୀ ! ତା’ମାନେ କ’ଣ ଆପଣ ନିଶ୍ଚିତ ଯେ ମତେ ଆଜି ମରିବାକୁ ପଡ଼ିବ ? ମୁଁ ଯୋଉ ରିସର୍ଚ୍ଚ କରିଚି ସେ ବିଷୟରେ ଆଉ ଜଗତକୁ ଆଲୋକ ଦାନ କରିପାରିବି ନାହିଁ । ମୁଁ କ’ଣ ଆଗରୁ ତା’ହେଲେ ସେଗୁଡ଼ାକ ବ୍ୟାଖ୍ୟା କରିଯିବା ଉଚିତ ?’’

 

ସମସ୍ତେ ଏ କଥାରେ ଟିକେ ଅବ୍ୟବସ୍ଥିତ ବୋଧ କଲେ, ବିଶେଷକରି ମି: ଚୌଧୁରୀ । ସେ କେବେ ଆଶା କରି ନ ଥିଲେ ସେ ଡକ୍ଟର ଥମାମ୍‌ ତାଙ୍କ କଥାର ଗୋଟାଏ ଏମିତି ଅର୍ଥ କରିବସିବେ । ବରଂ ସେ କୌଣସିମତେ ତାଙ୍କ ସମୟ କଟାଇବାକୁ ଚାହୁଁଥିଲେ ଏଇ କଥାବାର୍ତ୍ତା ମଧ୍ୟରେ । କିନ୍ତୁ କଥାର ଏଭଳି ଗତି ଦେଖି ଆଉ ଥମାମ୍‍ଙ୍କୁ ଭାଙ୍ଗିପଡ଼ିବାର ଦେଖି ମି:କନ୍‌ୱାର କହିଉଠିଲେ–

 

‘‘ତା କେବେ ହେଇପାରେନା, ଡକ୍ଟର ଥମାସ୍‌ ! ଆମର ଏତେଗୁଡ଼ାଏ ସଶସ୍ତ୍ର ବାହିନୀର ଆଖି ଆଢ଼ୁଆଳରେ, ସେ ଯଦି ଅଶରିରୀ ହେଇଥାଏ ତା’ହେଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବ ନାହିଁ । ସେ ଭରସା ମୁଁ ଦଉଚି ଆପଣଙ୍କୁ । ଆପଣ ନିଶ୍ଚିନ୍ତ ରହିପାରନ୍ତି ।’’

 

ଏଇ ସମୟରେ ଟେଲିଫୋନ୍‌ ବାଜିଉଠିଲା । ମି: ଚୌଧୁରୀ ଉଠିଗଲେ । ଟେଲିଫୋନ୍‌ ଧରିବାକୁ । କିଛି ସମୟ ଅଳାପ କଲା ପରେ ବୁଝିଲେ ଯେ ଡ଼କ୍ଟର ଥମାସଙ୍କର ଲିଗାଲ୍‌ ଆଡ଼୍‌ଭାଉଜର ଡାକୁଛନ୍ତି ତାଙ୍କ ଅବସ୍ଥା ବିଷୟରେ ପଚାରିବାକୁ । ଟେଲିଫୋନ୍‌ ବଢ଼ାଇଦେଲେ ଥମାସ୍‌‌କୁ । ଥମାସ୍‌ କିଛିକ୍ଷଣ ମୃଦୁ ଆଳାପ କରି ସବୁ ବ୍ୟବସ୍ଥା ବିଷୟରେ ତାଙ୍କୁ ଜଣାଇଲେ । ଲିଗାଲ ଆଡ଼୍‌ଭାଇଜର କହିଲେ ଯେ, ସେ ଠିକ୍‌ ଦଶଟାବେଳେ ପୁଣି ଟେଲିଫୋନ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇବେ । ଟେଲିଫୋନ ରଖି ଥମାସ୍‌ ସମସ୍ତଙ୍କୁ କହିଦେଲେ ଯେ ତାଙ୍କ ଲିଗାଲ୍‌ ଆଡ଼୍‌ଭାଇଜର ତାଙ୍କୁ ଦଶଟାବବେଳେ ତାଙ୍କୁ ରିଷ୍ଟ କଟିଯିବା ପରେ ପୁଣି ଅଭିନନ୍ଦନ ଜଣାଇବେ ।

 

ପୁଣି ଘର ଭିତରେ ନୀରବତା ବିରାଜମାନ କଲା । ହଠାତ୍‌ ଗୋଟିଏ ଅନାଦୂତ ବ୍ୟକ୍ତି ଆସି ଠିଆହେଲା ଦୁଆର ମୁହଁରେ । ଚୌଧୁରୀ ଅତି ତୀକ୍ଷ୍‌ଣ ଦୃଷ୍ଟିରେ ତାକୁ ଅନାଇବାକୁ ଆରମ୍ଭ କରନ୍ତେ ଥମାସ୍‌ ବୁଝିପାରି କହିଲେ–

 

‘‘ସେ ମୋ ଘରର ଝାଡ଼ୁଦାରର ପୁଅ । ସବୁବେଳେ ମୋ’ର ଏଇ କଞ୍ଚା ଶୁଖିଲା ଡାଳ ପତ୍ର ଗଛ ନେଇ ଗବେଷଣା ଆଉ ପରୀକ୍ଷା । ତେଣୁ ମୋ’ର ଘର ଆଦି ସଫା କରିବାପାଇଁ ଦିନରେ ଦୁଇଥର ଜଣେ ଝାଡ଼ୁଦାର ଦରକାର । ଏଇ ଦେଖନ୍ତୁ ତ ମୋ’ର ଏଇଟା ଡ୍ରଇଁରୁମ୍‌ ହେଲେ ସୁଦ୍ଧା ସବୁ ଟେବୁଲ, ଚଟାଣ ଉପରେ କେତେ ଚେରମୂଳ, ଡାଳପତ୍ର । ଦୁଇଦିନ ହବ ତା’ର ବାପ ଭୀଷଣ ବେମାର, ସେଥିପାଇଁ ତା’ର ଏଇ ପୁଅ ଆସି ବଦଳିଆ କାମ କରୁଚି ।’’

 

‘‘କିନ୍ତୁ ଏଇ ଅବେଳରେ ଆସିବାଟା.....’’ କହିଲେ ଅଜୟ ।

 

ଥମାସ୍‌ ପୁଣି ବୁଝେଇଦେଲେ ଯେ ଏଇ ବେଳଟା ହିଁ ତାଙ୍କୁ ସୁହାଏ । କାରଣ ପ୍ରାୟ ଏତେବେଳ ପର୍ଯ୍ୟନ୍ତ ସେ ଗବେଷଣାରେ ଲିପ୍ତ ଥାଆନ୍ତି । ତେଣୁ ତା’ ଭିତରେ ଗୋଳମାଳ କରିବାକୁ ସେ ଭଲ ପାଆନ୍ତି ନାହିଁ ।

 

ସମସ୍ତେ ତେଣୁ ସେ ଘରୁ ଉଠିବା ଉପକ୍ରମ କରୁଥିଲେ ଘର ଝଡ଼ା ହେବ ବୋଲି; କିନ୍ତୁ ଥମାସ୍‌ ସେମାନଙ୍କୁ ଉଠିବାକୁ ମନାକଲା । କହିଲେ ଯେ, କାହାରି ଉଠିବା ଦରକାର ନାହିଁ । କାରଣ, ଇଲେକ୍‌ଟ୍ରିକ୍‌ ୱାଇପର୍‌ ସାହାର୍ଯ୍ୟରେ ସେ ସବୁ ନେଇଯିବ । କାହାରି ଉପରେ କିଛି ପଡ଼ିବ ନି । ସତକୁ ସତ ସେଇଆ ହେଲା । ବ୍ୟକ୍ତିଟି ଟି’ପୟ, ଫୁଲଦାନୀ, ଟଲିଫୋନ୍‌ ଆଦି ହାତ ଡଷ୍ଟରରେ ଝାଡ଼ିଦେଲା ପରେ ଆଖି ପିଛୁଡ଼ାକେ ଇଲେକ୍‌ଟ୍ରିକ୍‌ ୱାଇପର୍‌ରେ ପରିଷ୍କାର କରିଦେଇଗଲା । ତା’ପରେ ସଲାମ୍‌ ଜଣେଇ ଚାଲିଗଲା ।

 

ଘର ଭିତରେ ପୁଣି ନୀରବତା ।

 

ସମସ୍ତେ ଘଣ୍ଟା ଦେଖୁଥାନ୍ତି, ଏହାରି ଭିତରେ ପ୍ରାୟ ସାଢେ ନ’ଟା ପାଖାପାଖି ହେଇଗଲା-। ଚୌଧୁରୀ ଆଉଟିକେ ଚଞ୍ଚଳ ହୋଇଉଠିଲେ । ଏଇ ସମୟରେ ଚା’ ଆସିଲା, ସମସ୍ତେ ଚା’ ପାନ କଲେ । ଚୌଧୁରୀ କ’ଣ ଇଙ୍ଗିତ ଦେଲେ ଅଜୟଙ୍କୁ । ଅଜୟ ଚା’ କପ୍‌ଧରି ବାହାରକୁ ଉଠିଗଲେ । ମି: କନ୍‌ୱାର ମଧ୍ୟ ରକ୍ଷାଣବେକ୍ଷଣର ଅବସ୍ଥା ଦେଖିବାକୁ ବାହାରିବାକୁ ଗଲେ । କକ୍ଷଟି ମଧ୍ୟରେ ମି: ଚୌଧୁରୀ ଆଉ ଡକ୍ଟର ଥସାମ୍‌ ଘଣ୍ଟାର ସେକେଣ୍ଡ କଣ୍ଟାକୁ କେବଳ ଚାହିଁରହିଥାନ୍ତି । ଆଉ ମାତ୍ର ପନ୍ଦର ମିନିଟ୍‌ । ଆସନ୍ନ ମୃତ୍ୟୁକୁ ମପେକ୍ଷା କରୁଥାନ୍ତି ଥମାସ୍‌ । ତାଙ୍କ ମୁହଁଟା କ୍ରମେ ଶେତା ପଡ଼ିବାର ଦେଖି ଚୌଧୁରୀ କହିଲେ-

 

‘‘ଡକ୍ଟର ଥମାସ୍‌, ମୁଁ ଜାଣେ ଯେ ଏ ଆୟୋଜନର ମାନେ କିଛି ହୁଏନି । କାରଣ, ଯେତେ ଯାହା ହେଲେ ବି ସେ କେବେହେଲେ ଏ ବ୍ୟୁହ ଭେଦ କରିପାରିବିନି । କିନ୍ତୁ ସେ ଯେ କିଭଳି ସାହସରେ ପୁଲିସକୁ ଜଣେଇବାକୁ ମଧ୍ୟ ଦମ୍ଭ ଦେଖାଇଥିଲା, ସେଇଟା ହିଁ ମୋର ଭାଙ୍ଗି ଦବାର ଥିଲା । ଆଉ ସେଇ ଛଳରେ ମୁଁ ଗୋଟାଏ ଜାଲ ପାତି ବସିଛି । ଦେଖାଯାଉ କ’ଣ ହଉଚି । ଯଦି ହୁଏ ତା’ ହେଲେ ସେ ମଧ୍ୟ ଆତ୍ମସମର୍ପଣ କରିବାପାଇଁ ବାଧ୍ୟ ହେବ ।’’

 

ଏତିକି ଶୁଣିସାରିବା ପରେ ଥମାସ୍‌ କିଛିଟା ଆଶ୍ୱସ୍ତ ହେଲେ । ଏତେବେଳକୁ କନ୍‌ୱାର ଓ ଅଜୟ ଫେରିଆସିଲେ କକ୍ଷକୁ । ଆଉ ମାତ୍ର କେଇ ମିନିଟ୍‌ । ଅପେକ୍ଷା କରି ରହିଲେ ସମସ୍ତେ ସେଇ ସମୟକୁ । ବାହାର ବ୍ୟତିକ୍ରମର କୌଣସି ପ୍ରଶ୍ନ ସୁଦ୍ଧା ନାହିଁ । ଭିତରେ ତଦ୍ରୁପ ।

 

ଦଶଟା ବାଜିଲା ପ୍ରାୟ । ଟେଲିଫୋନ୍‌ ବାଜିଉଠିଲା । ଡକ୍ଟର ଥମାସ୍‌ ଟିକେ ହସିଲେ । କହିଲେ, ‘‘ମୋ ଲିଗାଲ୍‌ ଆଡ଼୍‌ଭାଇଜରଙ୍କ ଘଣ୍ଟାଟା ଟିକେ ଆଗେଇ-ଚାଲୁଚି ବୋଧହୁଏ । କାହିଁକି ନା, ଦଶଟା ନ ବାଜୁଣୁ ସେ ଟେଲିଫୋନ୍‌ରେ ଅଭିନନ୍ଦନ ଜଣାଇବେ ବୋଲି ବ୍ୟସ୍ତ ହୋଇପଡ଼ିଛନ୍ତି-।’’ ଏତିକି କହି ରିସିଭର ପାଖକୁ ଯାଇ ରିସିଭର ଉଠେଇଲେ ।

 

‘‘ହ୍ୟାଲୋ....’’

 

ହଠାତ୍‌ ଧମ୍‌କରି ସେଇ ରିସିଭର୍‌ ସହିତେ ତଳେ କଚାଡ଼ି ହେଇ ପଡ଼ିଲେ ଥମାସ୍‌ ।

 

‘‘କ’ଣ ହେଲା, କ’ଣ ହେଲା’’ କହି ସମସ୍ତେ ଜମିଗଲେ । ଥମାସ୍‌ ସୋଫା ଉପରକୁ ଉଠେଇଆଣି କନ୍‌ୱାର ପରୀକ୍ଷା ଆରମ୍ଭ କଲେ । ହେଲେ କିଛି ଫଳ ହେଲାନି । କାରଣ, ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । ହତବୁଦ୍ଧି ହେଇ କନ୍‌ୱାର ଚାହିଁଲେ ଚୌଧୁରୀଙ୍କ ଆଡ଼େ; କିନ୍ତୁ ଚୌଧୁରୀଙ୍କ ମୁହଁରେ ଭାଷା ନାହିଁ । କେତେ ସମସ୍ତ ପରେ ଟେଲିଫୋନ୍‌ ରିସିଭରଟା ତଳେ ପଡ଼ିଥିବାର ଦେଖି କନ୍‌ୱାର ତାକୁ ଉପରେ ରଖିଦେବାକୁ ଯାଉଥିଲେ; କିନ୍ତୁ ଚୌଧୁରୀ ବାଧା ଦେଇ କହିଲେ, ‘‘ଆପଣ ଏ ଲାସ୍‌ଟାକୁ ପୋଷ୍ଟମର୍ଟମ ପାଇଁ ପଠାନ୍ତୁ, ସାର୍‌ ! ଅତି ଶୀଘ୍ର ସେଇଟାକୁ ପଠାଇବା ଆବଶ୍ୟକ । ଆଉ ମତେ ବର୍ତ୍ତମାନ ବିଦାୟ ଦେଇପାରନ୍ତି । ଏକ ବିରାଟ ପରାଜୟର ଗ୍ଳାନି ନେଇ ମୁଁ ଆଉ ବେଶି ସମୟ ଏଠି ରହିବାକୁ ଚାହୁଁନି । ମତେ କିଛିଟା ଆଉ ପରୀକ୍ଷା କରିବାକୁ ଦିଅନ୍ତୁ । ମୁଁ ମୋର ପରୀକ୍ଷା ଶେଷ କରି ଚାଲିଯିବି ।’’

 

ସେଇ ଅନୁଯାୟୀ ସବୁ ହେଲା । କନ୍‌ୱାର ଲାସ୍‌ଟାକୁ ପଠାଇଦେଲେ । ତା’ ପରେ ଚୌଧୁରୀ କିଛି ସମୟ ଧରି ଅତି ଗଭୀର ଭାବରେ ପରୀକ୍ଷା କଲେ ସେ ଘରର ପ୍ରତ୍ୟେକ ଆସବାପତ୍ର । ତା’ପରେ ହଠାତ୍‌ କ’ଣ ପାଇ ତାଙ୍କ ମୁହଁ ଉତ୍‌ଫୁଲ୍ଲ ହୋଇଉଠିଲା । ସେ ଆଉ କାଳ ବିଳମ୍ୱ ନ କରି ଅଜୟଙ୍କୁ ସାଙ୍ଗରେ ନେଇ ଚାଲିଗଲେ । ଗଲାବେଳେ କକ୍ଷଟିକୁ ବନ୍ଦ କରିଦେବାକୁ କହିଦେଇଗଲେ । କୋଠାରୁ ବାହାରି ଯିବା ପୂର୍ବରୁ ସେ ଅଜୟଙ୍କୁ କ’ଣ କହିଲେ । ତା’ପରେ ଦେଖାଗଲା, ଚୌଧୁରୀ ଏକା ବାହାରି ଚାଲିଗଲେ ଗାଡ଼ି ନେଇ ।

 

ଅଜୟ ସେଇ ଉପଦେଶ ଅନୁଯାୟୀ କର୍ମତତ୍ପର ହେଇଉଠିଲେ । କିଛି ସମୟ ପରେ କନ୍‌ୱାର ଘରଟା ପ୍ରତି ମାମୁଲି ରକମର ଗାର୍ଡ଼ ରଖିବାର ବନ୍ଦୋବସ୍ତ କରିଦେଇ ଚାଲିଗଲେ । ଚୌଧୁରୀ ଗାଡ଼ି ଧରି ଯାଇଁ ଲକ୍ଷ୍ୟସ୍ଥଳରେ ପହଞ୍ଚିଲାବେଳକୁ ପାଖାପାଖି ଆହୁରି ଅଧଘଣ୍ଟାଏ । ସାମନାରେ ଟେଲିଫୋନ୍‌ ଏକ୍‌ସ୍‌ଚେଞ୍ଜ । ପହରାବାଲାକୁ ଫାଟକ ଖୋଲିବାକୁ କହି ଘର ଭିତରକୁ ଗଲେ । ଭିତରକୁ ଯିବାମାତ୍ରେ ଜଣେ ଓହ୍ଲେଇଆସିଲା ଡିଉଟି ଛାଡ଼ି । ଖଣ୍ଡିଏ ଛୋଟ କାଗଜ ଚୌଧୁରୀଙ୍କ ହାତକୁ ବଢ଼ାଇଦେଲେ । ସେଇ କାଗଜଟିକୁ ପାଇବା ପରେ ଆଉ କୋତୋଟି ଉପଦେଶ ତା’ କାନରେ ଦେଲେ ମି: ଚୌଧୁରୀ । ସେ ମଧ୍ୟ ସେହିପରି ମୁଣ୍ଡ ହଲାଇ ସମ୍ମତି ଜଣେଇ ଭିତରକୁ ଚାଲିଗଲା । ଚୌଧୁରୀ ଗାଡ଼ି ଧରି ଫେରିଲେ । ନିଜ ଘରେ ପହଞ୍ଚିଲାବେଳକୁ ରାତି ୧୨ଟା ବାଜିସାରିଥାଏ । ପୂଝାରୀକୁ ବରାଦ ଦେଲେ ଅଳ୍ପ କିଛି ଖାଇବାକୁ ଆଣିବାକୁ । ମୁହୂର୍ତ୍ତକ ମଧ୍ୟରେ ଖାଇବା ଶେଷ କରିଦେଇ ନିଜର ଲାଇବ୍ରେରୀ ଭିତରକୁ ପଶିଗଲେ ଚୌଧୁରୀ । ସେଠି ଯାଇ ନିଜର ପରୀକ୍ଷା କାର୍ଯ୍ୟ ଆରମ୍ଭ କରିଦେଲେ ।

 

ଇଆଡ଼େ ତାରଜନ ଯେ ଯାଇଥିଲା ମଟର-ସାଇକେଲ ଧରି । ପ୍ରାୟ ସନ୍ଧ୍ୟା ସାତଟା ସୁଦ୍ଧା ସେ ରଣପୁର ପାଖାପାଖି ହେଇଗଲା । ତା’ପରେ ହଠାତ୍‌ ପକେଟରୁ ଖଣ୍ଡେ କାଗଜ ବାହାର କରି ଦେଖିନେଲା ସେ ଠିକ୍‌ ରାସ୍ତାରେ ଆଗୋଉଛି ତ ? ପୁଣି ଆଉ ଥରେ ଦିଗ ନିର୍ଣ୍ଣୟ କରି ଗାଡ଼ି ଛୁଟାଇଲା । କିଛି ସମସ୍ତ ସେମିତି ଯିବା ପରେ ତାରର୍ଜନ ଦେଖିଲା ଯେ ଜଙ୍ଗଲଟା ଆହୁରି ଘଞ୍ଚ ହୋଇଆସୁଚି । ସେଠି ଗୋଟାଏ ଛୋଟ ରେଷ୍ଟସେଡ୍ ଅଛି । ତା’ର ଭିତରେ ଯାଇ ଗାଡ଼ିଟିକୁ ରଖି ଚଉକିଦାରକୁ ଡାକିଲା । ଚଉକିଦାର ମଧ୍ୟ ବାବୁଙ୍କର ଆସିବା ଦେଖି ବେଶି କିଛି ପଇସା ଲୋଭରେ ଘର ଖୋଲିଦେଲା । କିଛିକ୍ଷଣ ଭିତରେ ତାରଜନ ନିଜକୁ ପ୍ରସ୍ତୁତ କରିନେଲା । ଆବଶ୍ୟକୀୟ ଜିନିଷ ପାଖରେ ରଖି ରାତ୍ରିର ଅନ୍ଧାର ଭିତରେ ଜଙ୍ଗଲ ଭିତରକୁ ଆଗେଇଗଲା । କିଛି ବାଟ ଜଙ୍ଗଲ ଭିତରେ ଯାଇସାରିଲା ପରେ ତାକୁ ଯେମିତି ଜଣାଗଲା, ତା ପଛେ ପଛେ କିଏ ତାକୁ ଅନୁସରଣ କରୁଚି । ଗୋଟାଏ ଗଛ ଉହାଢଳରେ ନିଜକୁ ଲୁଚେଇସାରିଲା ପରେ ସେ ଜାଣିବାକୁ ଚେଷ୍ଟାକଲା କିଏ ଆସୁଚି ବୋଲି । ତା ଅନୁମାନ ସତ୍ୟ ହେଲା । ସେ ଦେଖିଲା, ସେଇ ପାଖ ଦେଇ ଗୋଟାଏ କ’ଣ ମସ୍ତବଡ଼ ଛାଇଟାଏ ଚାଲିଗଲା ଭଳି ଦେଖାଯାଉ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ସେ ଗୋଟିଏ ଛୋଟ ଟଣାଗାଡ଼ି ଭଳି ଜିନିଷଟିଏ ମଧ୍ୟ ଠେଲି ଠେଲି ନେଇଯାଉଚି । ତାରଜନ୍‌ର କୌତୂହଳ ବଢ଼ିବାକୁ ଲାଗିଲା । ବନ୍ୟପ୍ରକୃତି ମଧ୍ୟ ମନେପଡ଼ିଲା । ଇଚ୍ଛା ହେଲା, କୁଦାଟାଏ ମାରିବ ସେ ଛାଇଟା ଉପରକୁ, ଆଉ ତା’ପରେ କ’ଣ ଅଛି ତା ଭିତରେ ଦେଖିବ । ହେଲେ ଚୌଧୁରୀଙ୍କ ଆଦେଶ ତା’ର ମନେ ପଡ଼ିଗଲା । ବାରମ୍ବାର ତାକୁ କହିଛନ୍ତି ଯେ, କିଛି ଗୋଟାଏ କାଣ୍ଡ ନ ଘଟେଇ ଆଦୌ ସଚେତ ନ କରେଇ ଖାଲି ଆସି ଖବର କହିବାକୁ । ତା’ମାନେ ଆଜି ତା ପାଇଁ ଖାଲି ଅନୁସନ୍ଧାନର ଦିନ । ଦରକାର ପଡ଼ିଲେ କିଏ ଠେଲାଟାଏ ମାରିଲେ ମଧ୍ୟ ଇଏ କିଛି କହିବନି । କିନ୍ତୁ ତାରଜନର ଇଚ୍ଛା ଥାଏ ଦି’ଟା ଖଣ୍ଡେ ଗଛ ଓପାଡ଼ି ପକେଇବାକୁ କିମ୍ବା ଖୁବ୍‌ ଗୋଟାଏ ଗର୍ଜ୍ଜନ ଛାଡ଼ିବାକୁ ।

 

ଏଇ ସମୟରେ ସେ ଛାଇଟା ସେ ଠେଲା ଗାଡ଼ିଟାକୁ ଧରି କ’ଣ ଭାବିଲା । ପୁଣି ଆଗେଇବାକୁ ଚେଷ୍ଟା କଲେ । ତାରଜନ ଆଉ ତା’ର କୌତୂହଳ ଦମନ କରିପାରିଲାନି । ସେ ମଧ୍ୟ ଅଦୃଶ୍ୟ ଘଞ୍ଚ ଜଙ୍ଗଲର ଭିତରଦେଇ ଆଗକୁ ଯିବାକୁ ଲାଗିଲା । ତା’ର ମନେହେଲା ଯେ, ୟାରି ପଛେ ପଛେ ଗଲେ ହୁଏତ ଅନେକ ବ୍ୟୂହ ଭେଦ କରାଯାଇପାରେ । ତେଣୁ ସେଇ ଅନୁଯାୟୀ ଅତି ସତର୍କ ଭାବରେ ସେ ଯିବାକୁ ଲାଗିଲା । କିଛିବାଟ ଗଲାପରେ କ’ଣ ଗୋଟାଏ ବୋବେଇଲା ଭଳି ଜଣାଗଲା ତାରଜନକୁ । କିନ୍ତୁ ଏଭଳି ଅଭିନବ ସେ ଚିତ୍କାର ଯେ, ତାରଜନ ଚିହ୍ନିପାରିଲା ଭଳି ମନେ ହେଲାନି । ଆଉ ଟିକେ ପାଖେଇଆସି ବୁଝିଲା ଗର୍ଜ୍ଜନଟା ସେଇ ଟଣାଗାଡ଼ି ଭିତରୁ ଆସୁଚି । ବର୍ତ୍ତମାନ ଜାଣିଲା ଯେ ଏ ଗାଡ଼ି ଭିତରେ ନିଶ୍ଚୟ କୌଣସି ଗୋଟାଏ ଜନ୍ତୁ ରହିଚି । ହୁଏତ ଏଭଳି ଏକ ଜନ୍ତୁର ଉପସ୍ଥିତ ଜାଣିଥିଲେ ଆଉ କିଏ ଭୟ କରି ପଳେଇଥାନ୍ତା; କିନ୍ତୁ ତାରଜନ କ୍ଷେତ୍ରରେ ଠିକ୍‌ ଓଲଟା । ଗାଡ଼ିଏ ସୁନା ହେଇଥିଲେ ହୁଏତ ସେ ଆଗ୍ରହୀ ହେଇ ନ ଥାନ୍ତା; କିନ୍ତୁ ଗୋଟିଏ ତା ଅଜଣା ପଶୁ ରହିଯିବ, ସେ ଦେଖିପାରିନି, ଏକଥା ସେ ମୋଟେ ଚିନ୍ତା କରିପାରିଲାନି । ଏଇ ସମୟରେ ମି: ଚୌଧୁରୀଙ୍କ ଉପଦେଶ ସମ୍ପୂର୍ଣ୍ଣ ଭୁଲିଗଲା I କିଛି ଉପାୟ ଆଶାରେ ବହୁତ ଆଗକୁ ସେଇ ଜଙ୍ଗଲ ଭିତରେ ସେ ଦଉଡ଼ି ଚାଲିଗଲା ରାସ୍ତାର ଅବସ୍ଥା ଦେଖିବାକୁ । ଏମିତି ଯିବାପରେ ତାକୁ ଗୋଟାଏ ପାଣିର ଚବ ଚବ ଶବ୍ଦ ଶୁଣାଗଲା ବେଶ୍‌ ଦୂରରୁ । ତା’ର ମନେହେଲା ପାଖରେ କୋଉଠି ପାଣି ନିଶ୍ଚୟ ଅଛି । ଆଉ କିଛିବାଟ ଅଗେଇଯାଇ ଦେଖେ ତ ଗୋଟିଏ ବିରାଟ ଗଡ଼ାଣି ଅଛି ତଳକୁ । ଗଡ଼ିଗଲେ ଛୋଟ ନାଳଟିଏ ଭଳି ନଈର ଧାରଟିଏ; କିନ୍ତୁ ସେ ନାଳକୁ ଗଡ଼ିବାର ରାସ୍ତା ଭାରି ଅଣଓସାରିଆ । ବର୍ତ୍ତମାନ ତାକୁ ଟିକେ ଉପାୟ ଚିନ୍ତା କରିବାକୁ ପଡ଼ିବ ଭାବି ସେ ଚାରିଆଡ଼କୁ ଚାହିଁଲେ । ହୁଏତ ଆଉ ଟିକେ ପରେ ସେ ଲୋକଟା ଆସି ପହଞ୍ଚିଯିବ । ଏଇମିତି ଚିନ୍ତା କରୁ କରୁ ତା ଆଖିରେ ପଡ଼ିଲା ଗୋଟିଏ ବିରାଟ ଖଣ୍ଡ ପଥର । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ଖୁବ୍‌ ମଲ୍ଲଯୋଦ୍ଧା ବୀର ଅନ୍ତତଃପକ୍ଷେ ଶହେ ଜଣ ଯାହାକୁ ଇଞ୍ଚେ ସୁଦ୍ଧା ଘୁଞ୍ଚେଇପାରିବେ ନି, ସେଇଭଳି ଆକାରର ଇଏ ଏକ ବିରାଟକାୟ ପଥର । ସହଜେ ତ ତାରଜନ୍‌ ଦେହରେ ଶତ ସିଂହର ବଳ; ଆଉ ସିଂହ, ବାଘ, ଗଣ୍ଡା ଆଦି ଜୀବମାନଙ୍କ ସାଙ୍ଗରେ ସେ କେବଳ ଖାଲି ହାତରେ ଲଢ଼ିଆସିଚି । ବିଶେଷ କରି ଏ ଅବସ୍ଥାରେ ତା’ ଦେହରେ ଆହୁରି ପରାକ୍ରମ ଆସିଗଲା । ପଥରଟାରୁ ଏକା ହୁଙ୍କା ମାରି ଅତି ନିଃଶବ୍ଦରେ ଗଡ଼େଇବାକୁ ଚେଷ୍ଟା କଲେ । ପଥର ଗଡ଼ିଲା; କିନ୍ତୁ କାଳେ ଶବ୍ଦ ହୋଇଯିବ ବୋଲି ଏକପ୍ରକାର ଟେକିକରି ନେଇ ପଥରଟାକୁ ସେ ଗଡ଼ାଣି ମୁହଁରେ ଥୋଇଦେଲା । ଆଉ କୌଣସିମତେ ସେ ଗାଡ଼ି ନେଇ ସେ ବାଟରେ ଯାଇପାରିବନି । ଏତକ କରିଦେଇ ନିଜକୁ ଲୁଚାଇ ରଖିଲା ତାରଜନ୍‌ । ସତକୁ ସତ ସେଇ ବାଟଦେଇ ସେ ଛାୟାମୂର୍ତ୍ତି ଆଗେଇଆସିଲା ପରେ ହଠାତ୍‌ ପଥରଟାକୁ ଦେଖି ଆକାଶରୁ ଛିଡ଼ିପଡ଼ିଲା ଭଳି ସ୍ତମ୍ଭୀଭୂତ ହୋଇଗଲେ । ବହୁତ ଦୂରରୁ ଏକ ଗଛ ଉପରେ ଥାଇ ଲକ୍ଷ୍ୟ କରୁଥିଲା ତାରଜନ୍‌ । ଚାରିଦିଗରୁ ପଥରଟାକୁ ନିରୀକ୍ଷଣ କରିସାରିଲା ପରେ ଲୋକଟା ଭୀଷଣଭାବରେ ରାଗିଉଠିଲା ବୋଧହୁଏ । ତା’ପରେ କ’ଣ ଭାବି ଗାଡ଼ିଟାକୁ ସେଠି ଛାଡ଼ିଦେଇ କିଛି ବାଟ ଏପାଖ ସେପାଖ ହେଇ ଖୋଜିବାକୁ ଲାଗିଲା । କିଛି ନ ପାଇ ସେଇଠି ସେ ଗାଡ଼ିଟିକୁ ଛାଡ଼ିଦେଇ ଗଡ଼ାଣିରେ ଭାରି କଷ୍ଟରେ ତଳକୁ ଗଡ଼ିଲା ଏବଂ ତା’ରି ଭିତର ଦେଇ ଆଗେଇବାକୁ ଲାଗିଲା । ପକେଟ୍‌ରୁ ଗୋଟାଏ ଆଲୁଅ କାଢ଼ି ଜାଳିବା ସାଙ୍ଗେ ସାଙ୍ଗେ ଗୋଟିଏ ଛୋଟ ହୁଲି ଡଙ୍ଗା କିଏ ବାହିନେଇ ଆସିଲାଭଳି ଜଣାଗଲା । ତା’ପରେ ଲୋକଟା ସେପଟକୁ ଗଲା । ସେ ପାଖରେ ଡଙ୍ଗା ଛାଡ଼ି ଆରୋହୀ ଦୁଇଜଣ ଚାଲିଗଲେ ପୁଣି ଜଙ୍ଗଲ ଭିତରେ ଦେଇ । ତାରଜନ୍‌ ଏଇ ଅବସରରେ କର୍ମତତ୍ପର ହୋଇଉଠିଲା । ଏପାଖେପାକେ ଯାଇ ସେ ଟଣାଗାଡ଼ି ପାଖରେ ପହଞ୍ଚିଲା । ଦୂରରୁ ଯାହା ସେ ଭାବୁଥିଲା, ଗାଡ଼ିଟା ଖୁବ୍‌ ଛୋଟ ବୋଲି ତା’ ନୁହେଁ; ବେଶ୍‌ ବଡ଼ ଆକାରର ଗାଡ଼ିଟା । ଖୁବ୍‌ ସୁନ୍ଦର ବ୍ୟବସ୍ଥା ମଧ୍ୟ ହେଇଚି ଗାଡ଼ିଟା ଚାଲିବା ପାଇଁ ଓ ଅଟକିବା ପାଇଁ । ତାରଜନ୍‌ ଯାହା ଦେଖିଲା, ତା’ ଅନୁମାନ ସତ୍ୟ । ଏକ ଭୀଷଣକାୟ ଜନ୍ତୁ ସେ ଗାଡ଼ି ଭିତରେ । ଭାଳୁଠାରୁ ଆହୁରି କଳା । ହେଲେ ତା’ର ଦେଢ଼ା ହବ ଆକାରରେ । ଜାକିଜୁକି ହେଇ ଶୋଇଥାଏ । ଏଭଳି ଜନ୍ତୁ କାହିଁକି ତା’ର ଦେଖିଲା ଭଳି ମନେ ହେଲାନି l ତା’ର ଇଚ୍ଛା ହେଲା ଜନ୍ତୁଟାକୁ ବାହାର କରି ତା’ର ଶକ୍ତି ବା ବିଶେଷତ୍ୱ ପରୀକ୍ଷା କରିବ କି ? କାଳେ ସମସ୍ତେ ସଚେତ ହୋଇଯିବ, ଏଇ ଭୟରେ ସେ ଆଉ ବିଶେଷ କିଛି କଲା ନି । ବରଂ ଆଉ କାଳବିଳମ୍ବ ନ କରି ତା’ର ଆଉ କିଛିବାଟ ଆଗେଇବା ଉଚିତ ହେବ ଭାବି ଆଗେଇଲା ସେ ଗଡ଼ାଣି ତଳକୁ ଓହ୍ଲେଇ ଠିକ୍‌ ତାଙ୍କରି ବାଟରେ ଆଗେଇଲା; କିନ୍ତୁ ପାଣି ପାଖରେ ପହଞ୍ଚି କ’ଣ କରିବ ଭାବି ଆଉ କିଛି ଠିକ୍‌ କରିପାରିଲାନି । ସେମିତି ଲାଇଟ୍‌ ଜଳେଇବା ଅର୍ଥ ହୁଏତ ନିଜ ବେକକୁ ଦଉଡ଼ି ଆଣିବା ଛଡ଼ା ଆଉ କିଛି ନୁହେଁ । ସେଥିପାଇଁ ପାଣିକୁ ଗୋଡ଼ ବଢ଼େଇ ଆଗ ପରୀକ୍ଷା କଲା । ତା’ପରେ କିଛି ନ ଭାବି ପାଣିକୁ ଗୋଟିଏ କୁଦା ମାରିଲା । ତା’ପାଇଁ ଏ ପାଣି କିଛି ନୁହେଁ । ତେଣୁ ଅଳ୍ପକ୍ଷଣରେ ପହଞ୍ଚିଗଲା ସେପାଖରେ । ଆହୁରି ଜାଣିବାକୁ ଇଚ୍ଛା ହେଲା ତା’ର । ତେଣୁ ଆଗେଇଲା ତାରଜନ୍‌ । ବେଶ୍‌କରିବା ? ଆଗେଇବା ପରେ ତା’ର ମନେ ହେଲା ଯେମିତି କାହାର କଥାବାର୍ତ୍ତା ଦୂରରେ ଶୁଣାଯାଉଚି । ସେଇ ଶବ୍ଦକୁ ବାରି ଆଗେଇଲା-। କ୍ରମଶଃ ବେଶି ସ୍ପଷ୍ଟ ହେଇଆସିଲା ସେଇ ଶବ୍ଦ । ତାରଜନ୍‌ ଖୁବ୍‌ ସତର୍କରେ ଆଗୋଉଥାଏ । ଆଗରେ ଦେଖିଲା ଗୋଟାଏ ପାହାଡ଼ ଭଳି ଉଠାଣି । ସେଇ ଉଠାଣି ଉପରକୁ ଉଠିବ କି ନା ବସ୍ତୁର କଲାବେଳକୁ ହଠାତ୍‌ ଦେଖିଲା ସାମନାରୁ ଗୋଟାଏ ଛାଇ ଦ୍ରୁତଗତିରେ ତା’ ଆଡ଼କୁ ମାଡ଼ିଆସୁଚି । ତାରଜନ୍‌ ବୁଝିଲା ଯେ, ଆଉ ଲୁଚିବା ବେଳ ସରିଯାଇଚି । ଆଉ ଡେରି କଲେ ତାକୁ ପାରିହବନି । ବରଂ ସେ ସଙ୍କେତ ଜଣେଇଦେଇପାରେ । ତେଣୁ ମୁହୂର୍ତ୍ତେ ବିଳମ୍ବ ନ କରି ତୀରବେଗରେ ତାରଜନ୍‌ ତା’ ଉପରକୁ ଡେଇଁ ପଡ଼ିଲା । ଆଉ କେତେକ ସେକେଣ୍ଡ ଉପରେ ତାକୁ କାବୁ କରିପକେଇ ତା’ ମୁହଁରେ ଗୋଟିଏ କନା ବାନ୍ଧିଦେଲା । ଦିହ ହାତ ସବୁ ବାନ୍ଧିଦେଇ ତାକୁ ଖୁବ୍‌ଜୋରରେ ଗୋଟାଏ ହାତରେ ଢେଲେଟାଏ ଭଳି ଶୂନ୍ୟକୁ ଏତେ ଜୋରରେ ଫୋପାଡ଼ିଦେଲା ଯେ, ସେଇଟା ଖୁବ୍‌ ଦୂରକୁ ଚାଲିଯାଇ ଗୋଟାଏ ବିରାଟ ଗଛ ଅଗରେ ଲାଖି ରହିଗଲା । ଏଥର ତାରଜନ୍‌ ଭିତରକୁ ଭିତରକୁ ପଶିଲା । ସେ କୁଦ ତଳକୁ ଗଡ଼ି ଦେଖିଲା, ଜାଗାଟା ବେଶ୍‌ ଆଲୋକିତ ହେଇଚି ଏବଂ ସେଇ ଆଲୋକ ପାଖରେ ଅନେକ ଲୋକ ବସିଚନ୍ତି । ସମସ୍ତଙ୍କ ଦେହରେ କିମ୍ଭୁତକିମାକାର ପୋଷାକ । କେହି ଜଣା ପଡ଼ୁ ନ ଥାନ୍ତି । ତାରଜନ୍‌ ଖୁବ୍‌ ସନ୍ତର୍ପଣରେ ଆଉ ଟିକେ ଆଗେଇବାର ଚେଷ୍ଟା କଲେ । ହଠାତ୍‌ ତା’ ଆଖିରେ ପଡ଼ିଲା, ସେଇ ପାଖାପାଖି କେତୋଟି ବିରାଟ ଗଛ ଅଛି । ଜୀବନ ବିକଳରେ ସେଇ ପାଖକୁ ଚାଲିଯାଇ ତା’ର ଉଢ଼ାଳରେ ରହିବା ପରେ ତାକୁ ସବୁ ସ୍ପଷ୍ଟ ଶୁଣାଗଲା । ଆସ୍ତେ ପକେଟ୍‌ରୁ ଅତି ଶକ୍ତିଶାଳୀ ବାଇନୋ କୁଲାର୍‌ଟିଏ କାଢ଼ି ଧରିଲେ । ଅନେକଗୁଡ଼ିଏ ଲୋକ, ସେ ପୂର୍ବ ଦି’ଜଣ ମଧ୍ୟ ଆସି ପହଞ୍ଚିଯାଇଥାନ୍ତି-। ମଝିରେ ଜଣେ ଖୁବ୍‌ଦୀର୍ଘକାୟ ବ୍ୟକ୍ତି ବସିଥାଏ । ସେତେବେଳକୁ ଏଇ ପୂର୍ବୋକ୍ତ ଛାୟାମୂର୍ତ୍ତିଟି ବୋଧହୁଏ କହି ସାରିଥାଏ; ତେଣୁ ଏ ଦଳପତିଟି ଖାଲି ରାଗରେ ଗଳ୍ପ ନ କରୁଥାଏ । ତାରଜନ୍‌ ଶୁଣିଲା, ସେ କହୁଚି–

‘‘ତମ ଭଳି ମୂର୍ଖ କେହି ନାହିଁ । ମୁଁ ଜାଣିବାକୁ ଚାହେଁ କିଏ ସେଠି ସେ ପଥର ରଖିଲା ? କେହି ଜାଣିପାରିଲ ନି ? ଆମର ଆଜି ଏତେ ବଡ଼ ପ୍ରୋଗ୍ରାମ ମାଟି ହୋଇଗଲା ! ଭାଇମାନେ ! ତମେମାନେ ଜାଣି ନ, କାହିଁକି ମୁଁ ଆଜି ବ୍ୟସ୍ତ । ଆମର ତିନି ନମ୍ବର କାମ୍ପ୍‌ରୁ ମୁଁ ମଗେଇଥିଲି ଯାହା, ସେଇଟା କ’ଣ ଜାଣ ? ଭ୍ୟାଙ୍କୋଭର ବୋଲି ଗୋଟାଏ ବିଚିତ୍ର ପଶୁ ଆଫ୍ରିକାର ନିଘଞ୍ଚ ଜଙ୍ଗଲରେ ଦେଖାଯାଏ । ସେଇଟା ଆକୃତିରେ ଅତି ସାନ ହେଲେ କ’ଣ ହବ, ତିରିଶ ଫୁଟ ଉଚ୍ଚକୁ ବା ଦୂରକୁ ଡେଇଁ ଆକ୍ରମଣ କରେ । ଆଉ ତାକୁ ଗୋଟାଏ ମଣିଷକୁ ମାରିବାକୁ ମଧ୍ୟ ଗୋଟିଏ ସେକେଣ୍ଡ ଦରକାର । ମାରିଦେଇସାରିଲା ପରେ ତା’ ଦେହରୁ ସମସ୍ତ ମାଂସ ପୋଛି ଖାଇଦିଏ । ଆଜି ଆମର ଗୋଟିଏ ଭଲ ଦିନ । ଗୋଖାଁଏ ବଡ଼ ଶତ୍ରୁ, ଆଜି ଶେଷ ହୋଇଯାଇପାରିଚି । ଆଉ ଆଜି ଅସଲ ବନ୍ଦୀଟାକୁ ଶେଷ କରିବାର ପାଳି । କିନ୍ତୁ କିଏ ସେ ଏତେ ବଡ଼ ପଥରଟାଏ ସେଠି ରଖିପାରିଲା, ଜାଣିପାରିଲ ନି I ମୁଁ ସମସ୍ତଙ୍କୁ ଆଦେଶ ଦଉଚି, ତମେମାନେ ଯାଇ ଭ୍ୟାଙ୍କୋଭରକୁ ଆଣି ଆସ, ଆଉ ଯେକୌଣସି ମତେ ଏ ଦୁଇନମ୍ବର କାର୍ଯ୍ୟ ଆଜି ଶେଷ କରାଯାଇ ଏକନମ୍ବର କ୍ୟାମ୍ପ୍‌କୁ ଖବର ପଠାଯିବ । ଆଜି ଗୋଟାଏ ନୂଆ ଦୃଶ୍ୟ ଦେଖିବ ତମେମାନେ । ଏଇ ଯୋଉ ଲୁହା ପିଞ୍ଜରା ହେଇଚି, ତା’ରି ଭିତରେ ସେ ଭ୍ୟାଙ୍କୋଭର କେମିତି ଆମର ଶତ୍ରୁଟିକୁ ମାରୁଚି ତମେ ଦେଖିବ ।’’

ଏକଥା ତାରଜନ୍‌ ଶୁଣିଲା ପରେ ତା’ର ମୁଣ୍ଡ ଘୁରିଗଲା । ତାକୁ ଆଉ ବୁଦ୍ଧି ଦେଖାଗଲା ନାହିଁ । ଯେମିତି ହେଲେ କୌଣସି ଗୋଟାଏ ଅମୂଲ୍ୟ ଜୀବନ ଆଜି ନଷ୍ଟ ହେବା ନିଶ୍ଚିତ । କିନ୍ତୁ କ’ଣ ସେ ଏକା କରିପାରେ ! ଆଉ କ’ଣ ସେ ଦଳପତି ନିର୍ଦ୍ଦେଶ ଦବା ଆରମ୍ଭ କଲା । କିନ୍ତୁ ଏଇଟା ଯେ ସମସ୍ତେ ସେଠିକି ଯିବାର ପୂର୍ବ ସୂଚନା, ଏକଥା ତାରଜନ୍‌ ଜାଣିପାରିଲା । କିନ୍ତୁ ଆଉ ଭାବି ନ ପାରି ତୀରବେଗରେ ସେ ଫେରିବାକୁ ଆରମ୍ଭ କଲେ । ସେ ଅନୁଭବ କଲା ଯେ, ଯେତେ ବେଗରେ ସେ ଦଉଡୁଛି ଆଉ ହୁଏତ ପୂର୍ବେ କେବେ ଏମିତି ଦଉଡ଼ି ନ ଥିଲା । ଠିକ୍‌ ସେମିତି ପାଣିରେ ପହଁରି ଆର ପାଖକୁ ଚାଲିଗଲା । ମୁହୂର୍ତ୍ତକ ଭାବରେ ସେଇ ପଶୁଟି ଥିବା ସ୍ଥାନରେ ସେ ପହଞ୍ଚିଗଲା । ସେ ଗାଡ଼ିଟା ସେମିତି ଥୁଆ ହୋଇଥାଏ । ସେ ଚାହିଁଥିଲେ ତାକୁ ଗୁଳି କରିପାରିଥାନ୍ତା-। କିନ୍ତୁ କାଳେ ସେ ଶବ୍ଦରେ ସେମାନେ ସତର୍କ ହେବେ । ତା ମୁଣ୍ଡରେ ଗୋଟାଏ ବୁଦ୍ଧି ଢୁକିଲା । ସେ ଗାଡ଼ିର ଦୁଆର ଭଲଭାବରେ ବନ୍ଦ ହେଇଚି କିନା ପରୀକ୍ଷା କରିନେଲା । ତା’ପରେ ଗୋଟାଏ ହୁଙ୍କାର ଦେଇ ପଥରଟାକୁ ଘୁଞ୍ଚେଇଦେଲା ଟିକିଏ । ତା’ପରେ ସେ ଗଡ଼ାଣି ତଳକୁ ଖୁବ୍‌ଧୀରେ ଗାଡ଼ିଟାକୁ ଗଡ଼େଇଦେଲା । ଗାଡ଼ିଟା ଖୁବ୍‌ଉଚ୍ଚରୁ ଖସିପଡ଼ିଲା । ତଳକୁ ବାଲି ବୋଲି ବିଶେଷ ଶବ୍ଦ ହେଇନି, ଠିକ୍‌ ସେଇଠି ପଡ଼ିରହିଲା ! ତା’ପରେ ସେ ବିରାଟ ପଥର ଖଣ୍ଡକୁ ଜୀବନ ବିକଳରେ ଘୁଞ୍ଚେଇ ଠିକ୍‌ ଲକ୍ଷ୍ୟ କରି ସେଇ ଗାଡ଼ି ଉପରକୁ ଗଡ଼େଇଦେଲା । ଦୁମ୍‌କରି ପଥରଟା ପଡ଼ିଲା ସେ ଗାଡ଼ିଟା ଉପରେ । ଖାଲି ତାରଜନ୍‌ ଚାହିଁଦେଲା ଯେ, ସେ ପଥର ଗାଡ଼ିଟାକୁ ଠିକ୍‌ ଗୋଟିଏ ଛୋଟ ଟିଣଡ଼ବା ଭଳି ଚେପା କରିଦେଇଚି । ତେଣୁ ସେ ପଶୁର ଆଉ ଅସ୍ତିତ୍ୱ ନ ଥିବ । ଅଧିକ ସମୟ ଡେରି କରିବା ବିପଦ, ଭାବି ଅନ୍ଧାର ବଣ ଭିତରେ ପଛକୁ ଫେରିଲା । ଅଣନିଃଶ୍ୱାସୀ ଭାବରେ ଦଉଡ଼ି ଦଉଡ଼ି ସେ ଆସି ପୂର୍ବୋକ୍ତ ରେଷ୍ଟ ସେଡ୍‌ଟି ପାଖରେ ପହଞ୍ଚିଲା । ପଛକୁ ଫେରି ଚାହିଁଲା କେହି ନାହାନ୍ତି । କିନ୍ତୁ ହଠାତ୍‌ ଅନେକଗୁଡ଼ିଏ ଗୁଳିର ଶବ୍ଦ ଖାଲି ଶୁଣାଯିବା ଆରମ୍ଭ ହେଲା । ତାରଜନ ବୁଝିଲା ଯେ, ସେମାନେ ଜଙ୍ଗଲସାରା ଖୋଜିବା ଆରମ୍ଭ କରିଚନ୍ତି । ସାଙ୍ଗେ ସାଙ୍ଗେ ମଟର ସାଇକେଲ୍‌ରେ ଷ୍ଟାର୍ଟ ଦେଇ; ଆଉ ଏକ ମୁହାଁ ହୋଇ ଫେରିବାକୁ ଲାଗିଲା ।

ତାରଜନ୍‌ ଫେରି ଘରେ ପହଞ୍ଚିଲାବେଳକୁ ପ୍ରାୟ ଭୋର୍‌ ହେଇଯାଇଥାଏ । ସେ ପର୍ଯ୍ୟନ୍ତ ଲବୋରେଟାରୀରେ ମି: ଚୌଧୁରୀ କାର୍ଯ୍ୟ କରୁଥାନ୍ତି । ତାରଜନ୍‌ ଫେରିବା ଦେଖି ସେ ତାଙ୍କର ପରୀକ୍ଷା ସେଇଠି ରଖି ଚା’ ପାଇଁ ବରାଦ କଲେ । କିଛିକ୍ଷଣ ଭିତରେ ଅଜୟ ମଧ୍ୟ ଆସି ପହଞ୍ଚିଲେ-। ଡ୍ରଇଁରୁମ୍‌କୁ ଯାଇ ବସିଲା ପରେ ତାରଜନ ତା’ର ସମସ୍ତ ଅନୁଭୂତି ବର୍ଣ୍ଣନା କଲେ I ସବୁ ଶୁଣିସାରିଲା ପରେ ଚୌଧୁରୀ ଏକପ୍ରକାର କାଠ ପାଲଟିଯାଇଥାନ୍ତି । କିଛି ସମସ୍ତ ପରେ ଏଇ କଥାରୁ ଅଜୟ ପଚାରିଲେ ଯେ କ୍ୟାମ୍ପ ନମ୍ବର ତିନି ମାନେ କ’ଣ ହେଇପାରେ ? ଚୌଧୁରୀ ତାଙ୍କୁ ବୁଝେଇଲେ-

‘‘କ୍ୟାମ୍ପ ନମ୍ବର ତିନିକୁ ତ ଆପଣମାନେ ଯାଇଥିଲେ ବୋଧହୁଏ । ମନେ ଅଛି, ସେଇ ଯେ ସୁଖେନ୍ଦୁବାବୁଙ୍କର ଗାଡ଼ି ନେଇ ସେଦିନ ରାତିରେ ଗଲେ !’’ ଅଜୟଙ୍କର ମନେ ପଡ଼ିଗଲା । ତା ସାଙ୍ଗେ ସାଙ୍ଗେ ତାରଜନର ମଧ୍ୟ ସ୍ମରଣ ହେଲା, ଭ୍ୟାଙ୍କୋଭରର ମଣିଷ ମାରିବା ପ୍ରଣାଳୀ ସେଦିନ ଫେରିଲାବେଳେ ରାସ୍ତାରେ ଯୋଉ ନାରୀର ଶବଟିକୁ ଦେଖିଲେ ଏମାନେ ।

ଅଳ୍ପକରେ ଡକ୍ଟର ଥମାସ୍‍ଙ୍କ ମୃତ୍ୟୁ ବିଷୟରେ ଅଜୟ ତାରଜନକୁ କହିସାରିବା ପରେ ଦୀର୍ଘଶ୍ୱାସ ଛାଡ଼ି ଚୌଧୁରୀ କହିଲେ–

‘‘ଜୀବନର ଗୋଟାଏ ମସ୍ତବଡ଼ ପରାଜୟ ଆମର ହେଇଚି । ହୁଏତ ଏଭଳି ଏକ ଅନୁଭୂତି କେବେ ହବାର ନ ଥିଲା ।’’

ଅଜୟ ପଚାରିଲେ, ‘‘ଆଜ୍ଞା ! କ୍ୟାମ୍ପ ନମ୍ବର ଏକ୍‌ ତା’ ହେଲେ କୋଉଟା !’’

ହସିଲେ ଚୌଧୁରୀ । କହିଲେ, ‘‘ସେଇଟା ଜାଣିଲେ ହୁଏତ ଏ ସମସ୍ୟାର ସମାଧାନ ହେଇଯାଇପାରନ୍ତା, ଅଜୟ ! କିନ୍ତୁ ଠିକ୍‌ ଜାଣିହେଉନି । ତେବେ ମୋର ଆଶା, ଏ ଯବନିକା ଖୁବ୍‌ଶୀଘ୍ର ଅପସରିଯିବ ।’’

ଅଜୟ ପୁଣି ପଚାରିଲେ–

‘‘ଆଚ୍ଛା, ବର୍ତ୍ତମାନ ତ ଦୁଇଟି ଆଡ୍‌ଡ଼ା ଆମେ ଜାଣିସାରିଚୁଁ । ତାକୁ ଘେରାଉ କରିନେଲେ ତ ସବୁ ଜଣାପଡ଼ିବ !’’

ଏଇ କଥାରେ ଚୌଧୁରୀ ମନାକରି ବୁଝେଇବାକୁ ଚେଷ୍ଟା କଲେ–

‘‘ଆମେ ଏ ପର୍ଯ୍ୟନ୍ତ ଶତ୍ରୁକୁ ଯେତେ ନିର୍ବୋଧ ଆଖିରେ ଦେଖୁଚୁ, ସେ ହୁଏତ ସେତିକି ନିର୍ବୋଧ ନୁହେଁ । ତା’ ଛଡ଼ା ତାକୁ ଧରିପକେଇବାକୁ ଚେଷ୍ଟା କରି ତା’ର କେତୋଟି ଅନୁଚରଙ୍କୁ ଧରିବାର ମାନେ କିଛି ହୁଏନା । ଏ ନାଟକର ନାୟକ କିଏ, ସେଇଟା ଜାଣିବା ଦରକାର । ଡକ୍ଟର ଥମାସ୍‌ ମରିବା ପରେ ଏଇ ସମସ୍ୟାଟା ବହୁ ପରିମାଣରେ ଜଟିଳ ହେଇଉଠିଚି । ଯେମିତି ମନେହେଉଚି, କାହାରି ଭିତରେ କିଛି ଯୋଗସୂତ୍ର ନାହିଁ; ପୁଣି ଯଥେଷ୍ଟ ଅଛି ।’’

ଏତିକିରେ ଆପାତତଃ ଆଲୋଚନା ବନ୍ଦ ରଖିବାକୁ ଚାହିଁଲେ ବୋଧହୁଏ ମି: ଚୌଧୁରୀ-। ସମସ୍ତେ ରାତି ଅନିଦ୍ରା ଯୋଗୁଁ ବିଶ୍ରାମ ନେବା ଉଚିତ । ତା ପୂର୍ବରୁ କ’ଣ ଲବୋରେଟାରୀରେ ଦେଖାଇବେ ବୋଲି ଡାକିନେଲେ ଚୌଧୁରୀ । ଅଜୟ ଓ ତାରଜନ୍‌ ଉଠିଗଲେ-

ଦୁଇଦିନ ପରର ଘଟଣା; ସକାଳର ଚା’ ସାଙ୍ଗରେ ଖବର କାଗଜରେ ଆଖି ବୁଲାଉଥିଲେ ଚୌଧୁରୀ । ହଠାତ୍‌ ଗୋଟିଏ ଖବର ଉପରେ ତାଙ୍କର ଆଖି ଅଟକିଗଲା । କ’ଣ ଭାବି ଅଜୟଙ୍କୁ ଡକେଇ ପଠେଇଲେ । ଅଜୟ ସେତେବେଳକୁ ବିଛଣା ଛାଡ଼ି ନ ଥାନ୍ତି । ହଠାତ୍‌ଏ ଡାକର ଶୁଣି ଉଠିଆସିଲେ ।

‘‘ଅଜୟ, ତମେ ଆଜି ବମ୍ବେ ଯିବ । ଅତି ଶୀଘ୍ର ପ୍ରସ୍ତୁତ ହେଇପଡ଼ ।’’

ଚୌଧୁରୀଙ୍କର ମୁହଁ ଦେଖି ଅଜୟ ହଠାତ୍‌ କିଛି ଆଉ ଏ ନ ପଚାରି ନିଜର ନିତ୍ୟକର୍ମ ଶେଷ କରିବାକୁ ଚାଲିଗଲେ । ଏଇ ସମୟରେ ଚୌଧୁରୀ କନ୍‌ୱାରଙ୍କ ସହିତ କ’ଣ ଆଳାପ କଲେ ଟେଲିଫୋନ୍‌ ଯୋଗେ । କନ୍‌ୱାର ମଧ୍ୟ ସମ୍ମତ ପ୍ରକାଶ କଲେ । ସବୁ କହିବା ଶେଷରେ କନ୍‌ୱାର ଚୌଧୁରୀଙ୍କୁ ଲୋକମାନଙ୍କର ପୋଲିସ୍‌ ବିଭାଗର ଅବହେଲା ପ୍ରତି କଟୁ ସମାଲୋଚନା କଥା ସ୍ମରଣ କରେଇଦେଲେ । ଅତି ନିର୍ବିକାର ଚିତ୍ତରେ ସେଗୁଡ଼ିକ ଗ୍ରହଣ କରିବା ଛଡ଼ା ଆଉ ଉପାୟ ନାହିଁ ବୋଲି ମଧ୍ୟ ଚୌଧୁରୀ କନ୍‌ୱାରଙ୍କୁ କହିଲେ ।

 

କିଛି ସମୟ ପରେ ଅଜୟ ନିଜର ସମସ୍ତ କାର୍ଯ୍ୟ ଶେଷ କରି ଆସିଲେ । ଅଳ୍ପ କିଛି ଆବଶ୍ୟକୀୟ ଜିନିଷ ନିଜର ଛୋଟ ଆଟାଚିରେ ସଜାଡ଼ିନେଲେ । ତା’ପରେ ଅଜୟ ଆସି ବସିଲେ ଚୌଧୁରୀଙ୍କ ନିର୍ଦ୍ଦେଶ ଅପେକ୍ଷାରେ । ଚୌଧୁରୀ ଖବରକାଗଜର ଗୋଟିଏ ଅଂଶ ଦେଖାଇ କହିଲେ–

 

‘‘ଏଇଠି ଗୋଟାଏ ଖବର ବାହାରିଚି, ଦେଖୁଚ ! ତମେ ବମ୍ବେ ଯାଇ ମୋର ସାଙ୍ଗ ମି. ଚୋପାଙ୍କ ସାଙ୍ଗରେ ଦେଖା କରିବ । ତାଙ୍କ ସାଙ୍ଗରେ ମଧ୍ୟ ମୁଁ ବର୍ତ୍ତମାନ ଓୟାରଲେସରେ କଥାବାର୍ତ୍ତା ହେଇଯିବି, ଯେକୌଣସି ମତେ ଏଇ ଦ୍ୱିତୀୟ ଜାହାଜଟିକୁ ଦି’ତିନି ଦିନ ଡେରି କରେଇ ଦିଅନ୍ତୁ ବା ସେଥିରେ ଯୋଉ ଯୋଉ ଜିନିଷ ରପ୍ତାନି ହେଉଚି, ସେ ସବୁଥରୁ ଗୋଟାଏ ଗୋଟାଏ ସାମ୍ପଲ ଆଣି ଦିଅନ୍ତୁ; ମୋର ଦରକାର । ପ୍ଲେନ ସମୟ ହେଇଗଲା, ତମେ ଚାଲିଯାଅ । ବିଶେଷ କିଛି କହିବନି । ମୋର ଯାହା କହିବାର କଥା ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବି ।’’

 

ସେଇ ଅନୁଯାୟୀ ଅଜୟ ଚାଲିଗଲେ । ତାରଜନ୍‌ ସେତେବେଳକୁ ତା’ର ସକାଳର କସରତ୍‌ ସାରି ନିତ୍ୟକର୍ମ ପରେ ଆସି ବସିଲା । ତାରଜନକୁ ଦେଖି ଚୌଧୁରୀ କହିଲେ-‘‘ପ୍ରସ୍ତୁତ ହୋଇପଡ଼; ଆଜି ଟିକେ ଦୂରକୁ ଯିବାକୁ ପଡ଼ିପାରେ–ତମ ଜାଗାକୁ ।’’

 

‘‘ମୁଁ ତ ସବୁବେଳେ ପ୍ରସ୍ତୁତ ।’’

 

ଚୌଧୁରୀ ଆଉ କିଛି ନ କହି ନିଜର ନିତ୍ୟକର୍ମ ଶେଷ କରିବାକୁ ଉଠିଗଲେ । ଅଳ୍ପ କିଛିକ୍ଷଣ ପରେ ପ୍ରସ୍ତୁତ ହୋଇପଡ଼ି ତାରଜନକୁ କହିଲେ ଗାଡ଼ି ବାହାର କରିବାକୁ । ଗାଡ଼ିରେ କିଛିବାଟ ଯିବା ପରେ ତାରଜନକୁ ନିର୍ଦ୍ଦେଶ ଦେଲେ କନ୍‌ୱାରଙ୍କ କୋଠି ସାମନାରେ ଅଟକିବାକୁ । ଗୋଟିଏ ମିନିଟ୍‌ ଭିତରେ ଚୌଧୁରୀ କହିବାନୁଯାୟୀ ଗୋଟାଏ ଜିପ୍‌ ବରାଦ କରିଦେଲେ କନୱାର-। ବର୍ତ୍ତମାନ ଚୌଧୁରୀ ଛୋଟରାୟଙ୍କ ଘରଆଡ଼େ ଆଗେଇଲେ ଏବଂ ତାରଜନକୁ କହିଲେ କେମିକାଲ ଲବୋରେଟାରୀରୁ କେଇଟା ରିପୋର୍ଟ ନେଇ ଯାଇ ଘରେ ଅପେକ୍ଷା କରିବାକୁ । ସେଇ ଅନୁଯାୟୀ ଉଭୟଙ୍କର ଯାତ୍ରା ଭିନ୍ନ ଭିନ୍ନ ଦିଗକୁ ହେଲା । ଚୌଧୁରୀ କାର୍‌ନେଇ ଆଗେଇଲେ ଏବଂ ତାରଜନ୍‌ ଜିପ୍‌ ଧରି ଆଗେଇଲା ।

 

କେତେ ସମୟ ପରେ ଚୌଧୁରୀ ଛୋଟରାୟଙ୍କ ଘରେ ପ୍ରବେଶ କଲେ । ଶୁଣିଲେ ଯେ, ଛୋଟରାୟ କାର୍ଯ୍ୟବ୍ୟସ୍ତ । ସୁଖେନ୍ଦୁ ଘରେ ନାହାନ୍ତି । ଅଗତ୍ୟା ଅପେକ୍ଷା କରିବାକୁ ପଡ଼ିଲା ଚୌଧୁରୀଙ୍କୁ । ଡ୍ରଇଂରୁମ୍‌ରେ ଅପେକ୍ଷା କରିବା ଭିତରେ ନିତିଆକୁ ଦେଖିଲେ । ନିତିଆ ଆସି ଚା’କଥା ପଚାରିଲା । ଚୌଧୁରୀ ହଁ ଭରି ତା ସାଙ୍ଗରେ ଆଳାପ କରିବସିଲେ ।

 

‘‘ଆଚ୍ଛା, ତମ ବାବୁ କୋଉଠି କାଠ କାଟିବା କଣ୍ଟ୍ରାକ୍ଟ ନେଇଛନ୍ତି ?’’

 

ହଠାତ୍‌ କାହିଁକି ଏ ପ୍ରଶ୍ନଟା ପାଇଁ ନିତିଆ ମୋଟେ ପ୍ରସ୍ତୁତ ନଥିଲା ଭଳି ମନେହେଲା । ଅତି ସହଜଭାବରେ ସେ ଉତ୍ତର ଦେଲେ, ‘‘ନାଇଁ, ମୁଁ ତ ଜାଣିନି, ଆଜ୍ଞା ! ସେ ବିଷୟରେ ବିଶେଷ କିଛି ଆଲୋଚନା ଘରେ ହୁଏନି ତ । ତେଣୁ ଜାଣିବାର ଆଉ ସୁବିଧା ନାହିଁ ।’’

 

ଚୌଧୁରୀ ମଧ୍ୟ କଥାଟା ବୁଝିଲେ । ତା’ପରେ ପଚାରିଲେ, ‘‘ସୁଖେନ୍ଦୁ ବାବୁ କେତେବେଳେ ଫେରିବେ ?’’

 

‘‘କହିପାରିବିନି, ଆଜ୍ଞା ! କାଲିଠଉଁ ତ ଯାଇଛନ୍ତି କଣ କହୁଥିଲେ ବାହାରକୁ ଯିବାର ଅଛି-। କିନ୍ତୁ କୋଉଠିକି ଯାଇଚନ୍ତି, କହିପାରିବିନି ।’’

 

‘‘ଆଚ୍ଛା, ଛୋଟରାୟ ସାହେବ ନିଶ୍ଚୟ ଜାଣିଥିବେ ଯେ, କୋଉଠି ତାଙ୍କର କାଠ କାଟିବାର ବ୍ୟବସ୍ଥା ଚାଲିଚି, ନୁହେଁ ?’’

 

‘‘କେଜାଣି ଆଜ୍ଞା, ଜାଣିଥିବେ ।’’ ଅତି ଅଳ୍ପକେ ନିତିଆ ଉତ୍ତର ଦେଲା । ତା’ପରେ କିଛି ସମସ୍ତ ନୀରବ ରହି ଚୌଧୁରୀ ପଚାରିଲେ, ‘‘କେତେ ସମୟ ଧରି ପୂଜା କରନ୍ତି ଛୋଟରାୟ’’ ନିତିଆ କହିଲ, ‘‘ଅତି କମ୍‌ରେ ଘଣ୍ଟାକରୁ କମ୍‌ ନୁହେଁ; ଆଉ ସେ ସାଙ୍ଗେ ସାଙ୍ଗେ ଠାକୁର ଘରକୁ ଯାଇଚନ୍ତି ।’’ ତଥାପି କର୍ତ୍ତବ୍ୟ ଦୃଷ୍ଟିରୁ ଚୌଧୁରୀ ବସିବାକୁ ବାଧ୍ୟ ବୋଲି ପ୍ରକାଶ କଲେ ।

 

ନିତିଆ ଘରର ବହୁଦିନର ବିଶ୍ୱାସୀ ଚାକର, ପ୍ରଭୃଭକ୍ତ । ତେଣୁ ଶୁଭେନ୍ଦୁଙ୍କର ଫେରାର ହେବା ଦିନଠାରୁ ସେ ଏକବାରେ ମୁଁ ମ୍ରିୟମାଣ ହେଇପଡ଼ିଚି । ଆଗ୍ରହ ସମ୍ଭାଳି ନ ପାରି ସେ ପଚାରିଲା ଚୌଧୁରୀଙ୍କୁ–‘‘ଆଜ୍ଞା, ସାନ ସାହେବ ଆଉ କେବେ ଫେରିବେ ?’’

 

ସେମିତି ଗମ୍ଭୀର ହୋଇ ଚୌଧୁରୀ ଉତ୍ତର ଦେଲେ–

 

‘‘ତମେ କ’ଣ କେବେ ଆଉ ଆଶା ରଖୁଚ ସେ ଫେରିବେ ବୋଲି ?’’

 

‘‘କ’ଣ କହିଲେ, ଆଜ୍ଞା ?’’

 

‘‘କିଛି ଏଥିରେ କହିବାର ନାହିଁ, ନିତିଆ ! ଏଇଟା ଗୋଟାଏ ନିରାଟ ସତ କଥା, ଏତେଦିନ ଧରି ଯେଉଁ ଶତ୍ରୁ, ତାଙ୍କୁ ହରଣଚାଳ କରିନେଇଚି, ସେ କ’ଣ ଆଉ ତାଙ୍କୁ କେବେହେଲେ ଏ ପର୍ଯ୍ୟନ୍ତ ଜୀଆଇଁ ରଖିଥିବ ।’’

 

‘‘ଏଁ, ଆପଣ କ’ଣ କହୁଚନ୍ତି, ଆଜ୍ଞା’’, ଏତିକି କହିଲା ପରେ ନିତିଆର ମୁଣ୍ଡ କ’ଣ ହେଇଗଲା, ଆଖି ବୁଜି ହେଇଗଲା ଭଳି ଲାଗିଲା । ସେ ଟୋପାଏ ପାଣି ପିଇ ସଂଯତ ହେଇ ଆସିବାକୁ ଭିତରକୁ ଚାଲିଗଲା । କେଇଟି ମୁହୂର୍ତ୍ତ ପରେ ଫେରିଆସି କହିଲା-

 

‘‘ଏ ପର୍ଯ୍ୟନ୍ତ ବୁଢ଼ା ସାହେବ ବାହାରି ନାହାନ୍ତି, ନ ହେଲେ ତାଙ୍କୁ କହି ଥାଆନ୍ତି ।’’

 

ଚୌଧୁରୀ ଏଇ କଥାରେ ନିତିଆକୁ ମନା କଲେ–

 

‘‘ନା ନିତିଆ, ତମେ ସେ କଥା କୁହନି ଛୋଟରାୟ ସାହେବଙ୍କୁ । କାହିଁକି ନା, ସେ ହାର୍ଟଫେଲ କରିପାରନ୍ତି । ଆଚ୍ଛା, କୁହ ତ, ସେ ତାଙ୍କର ବାପା ଭାଇ ବୋଲି ଅଧୈର୍ଯ୍ୟ ହେଇପାରନ୍ତି-। କିନ୍ତୁ ତମେ ଓ ମୁଁ, ଆମେ ପରଲୋକ ହିସାବରେ ବାହାରୁ କ’ଣ ଭାବିପାରୁଚୁ ? ନିଶ୍ଚୟ କଥା ଯେ–ସେମାନେ ଆଉ ଜୀବନରେ ନାହାନ୍ତି । ତା ଛଡ଼ା, ସିଏ ତାଙ୍କୁ ନେଇଛି, ଆଜିଯାକେ ମାରି ନ ଥିବ କାହିଁକି ? ତଥାପି କାର୍ଯ୍ୟ କରିବାକୁ ପଡ଼ୁଚି କେବଳ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଆଉ ଛୋଟରାୟଙ୍କ ମନ ବୁଝେଇବାକୁ ।’’

 

‘‘ଏଇଟା କ’ଣ ତା’ହେଲେ ପୁଲିସ ବିଭାଗର ମତ ?’’

 

‘‘କିହୋ, ପୁଲିସ ବିଭାଗ ଆଉ କ’ଣ ? ମୁଁ ତ ସେଇ ରିପୋର୍ଟ ଦେଇସାରିଚି ଯେ, ଆଉ ଖୋଜିବାର କିଛି ମାନେ ହୁଏନା ।’’

 

ପୁଣି ନିତିଆ ତା ଅଳ୍ପ ବୁଦ୍ଧିରେ ପଚାରିଲା–

 

Unknown

‘‘ଆଜ୍ଞା, ପୁଲିସ୍‌ କ’ଣ କିଛି କରିପାରନ୍ତି ନାଇଁ ଚେଷ୍ଟା କଲେ ?’’ ହସିଲେ ଚୌଧୁରୀ ଏଇ କଥାରେ । ତାଙ୍କୁ କେମିତିଆ ନାପସନ୍ଦ ଲାଗିଲା କଥାଟା । କହିଲେ–

 

‘‘ଆମେ ନିଜେ ପୁଲିସ୍‌ ଲୋକ ବୋଲି ଗର୍ବ ଅନୁଭବ କରୁଁ । କିନ୍ତୁ ଯୋଉ ଶତ୍ରୁ, ଆମ ସମସ୍ତଙ୍କର ଉପସ୍ଥିତିକୁ ଫାଙ୍କିଦେଇ ଆଖି ସାମନାରେ ଡକ୍ଟର ଥମାସ୍‌ଙ୍କୁ ଖୁନ୍‌ କଲା, ତା’ର ପୁଲିସ କଣ କରିପାରିବ । ସେଥିପାଇଁ ମୋର ବ୍ୟକ୍ତିଗତ ମତ ହେଲା, ମୁଁ ଆଉ ସେଥିରେ ପଶିବାକୁ ଚାହେଁନି । କାରଣ, ଅତି ମାରାତ୍ମକ ଏଇ ବର୍ତ୍ତମାନର ପରିସ୍ଥିତି । ଭାବିଚି ଏ ଚାକିରି ଛାଡ଼ିଦେବି, ଆଉ କଣ୍ଟ୍ରାକ୍ଟରୀ କରିବି । ସୁଖେନ୍ଦୁବାବୁଙ୍କ ସାଙ୍ଗରେ ଟିକେ ଦେଖା ହେଲେ ସେଇ ସମ୍ବନ୍ଧରେ ଆଲୋଚନା କରିବି ।’’

 

‘‘ଭାରି ଭଲ ହବ, ଆଜ୍ଞା, ଆପଣ ବାବୁଙ୍କଠଉଁ ଗୋଟାଏ ମାଇନ୍‌ସ୍‌ ନେଇ କିଛି କରୁନାହାନ୍ତି, ଆଜ୍ଞା !’’

 

“ଏ ବିଷୟରେ ତମେ କିନ୍ତୁ କିଛି ବୁଢ଼ାବାବୁଙ୍କୁ କହିବନି । ତମେ ସୁଖେନ୍ଦୁ ବାବୁଙ୍କର ବିଶ୍ୱସ୍ତ ବୋଲି ମୁଁ ତମକୁ କହିଲି ।’’

 

ନିତିଆ ମୁଣ୍ଡ କୁଣ୍ଡେଇ କୃତକୃତ୍ୟ ହେଲା । ନିତିଆକୁ ପୁଣି ପଚାରିଲେ ଚୌଧୁରୀ ପୂଜା ସରିଲାଣି କି ବୋଲି । କିନ୍ତୁ ନିତିଆ ମନା କଲା; ଆଉ ଚା’ ଆଣିବାକୁ ଭିତରକୁ ଗଲା ।

 

ଏଇ ସମୟରେ ହଠାତ୍‌ ଆସି ପହଞ୍ଚିଗଲେ ସୁଖେନ୍ଦୁ । ତାଙ୍କୁ ଦେଖି ଅତିମାତ୍ରାରେ ଖୁସି ହେଇଗଲେ ମି: ଚୌଧୁରୀ । ଅଳ୍ପ କେତେକ ସାଧାରଣ ଆଲୋଚନା ପରେ ଚୌଧୁରୀ ତାଙ୍କ ବ୍ୟବସାୟ ମନୋବୃତ୍ତି ପ୍ରକାଶ କଲେ । ଆଉ ସେଇ କାଠ କଣ୍ଟ୍ରାକ୍ଟରୀ ଦେଖିବାକୁ ଚାହିଁଲେ । ସୁଖେନ୍ଦୁ ମଧ୍ୟ ଏଇ କଥାରେ ରାଜି ହେଇଗଲେ । ଚୌଧୁରୀ ଜଙ୍ଗଲ ଦେଖିବାକୁ ଯିବେ । ସେଇ ଅନୁଯାୟୀ କଥାବାର୍ତ୍ତା ଓ ସମୟ ନିର୍ଦ୍ଧାରିତ ହେଇଗଲା । ସୁଖେନ୍ଦୁ କଥାଛଳରେ ସ୍ପଷ୍ଟ କରିଦେଲେ ଯେ, ସେ ରାସ୍ତାରେ କାର ଯିବା ଅସମ୍ଭବ । ତେଣୁ ଜିପ୍‌ ପଠେଇବେ ବୋଲି ସେ କହିବାରେ ଚୌଧୁରୀ ବାଧାଦେଲେ ଓ ନିଜେ ଜିପ୍‌ ଆଣି ସେ ଯିବେ ବୋଲି କହିଲେ ।

 

‘‘କିନ୍ତୁ, ଆପଣ ସେ ଜିପ୍‌ର ନମ୍ବରଟା ମତେ କୁହନ୍ତୁ । ସେଇ ଅନୁଯାୟୀ ମୁଁ ପାସ୍‌ଅର୍ଡ଼ର କରେଇଥିବି । ନ ହେଲେ ଚେକ୍‌ଗେଟ୍‌ରେ ଆପଣଙ୍କୁ ଛାଡ଼ିବ ନାହିଁ–’’ କହିଲେ ସୁଖେନ୍ଦୁ ।

 

ଚୌଧୁରୀ ତାରଜନ୍‌ ନେଇଯାଇଥିବା ଜିପ୍‌ ନମ୍ବରଟିକୁ କହିଦେଲେ । ସୁଖେନ୍ଦୁ ତାକୁ ନୋଟ୍‌ କରିନେଇ ପ୍ରସ୍ତାବ କଲେ, ଠିକ୍‌ ଦିନ ୩ଟା ବେଳକୁ ସେଠି ପହଞ୍ଚିବାକୁ । କାରଣ ସେଠାକାର ସବୁଆଡ଼ ବୁଲି ରାତିରେ ଡିନର ଖାଇ ଫେରିବେ । ଚୌଧୁରୀ ମଧ୍ୟ ରାଜି ହେଇଗଲେ ପ୍ରସ୍ତାବରେ । ତା’ପରେ ସୁଖେନ୍ଦୁ, ଚୌଧୁରୀଙ୍କଠାରୁ ବିଦାୟ ନେଇ ଭିତରକୁ ଗଲେ ନିଜର ନିତ୍ୟକର୍ମ ଶେଷ କରିବାକୁ । ଅଜ୍ଞାବହ ନିତିଆ ମଧ୍ୟ ସୁଖେନ୍ଦୁଙ୍କ ସାଙ୍ଗରେ ଗଲା ଭିତରକୁ । କିଛି ସମୟ ପରେ ଛୋଟରାୟ ଆସିଲେ । ଚୌଧୁରୀଙ୍କୁ ଦେଖି ଖୁସି ହେଇଗଲେ ।

 

‘‘ଆପଣଙ୍କର ମୋ ସକାଶେ ଆଜି ଜଲଦି ପୂଜା ସରିଗଲା ?’’

 

କହିଲେ ଚୌଧୁରୀ ।

 

‘‘କାଇଁ, ନା ତ !’’

 

‘‘ହଁ, ମତେ ନିତିଆ କହିଲେ ଆପଣ ବର୍ତ୍ତମାନ ପୂଜାକୁ ଯାଇଛନ୍ତି, ଆଉ ଘଣ୍ଟାଏ ବସିବେ ବୋଲି ।’’

 

‘‘ଆଶ୍ଚର୍ଯ୍ୟ କଥା ! କେବେ ତ ମୁଁ ଘଣ୍ଟାଏ ପୂଜା କରିନି । ମୂର୍ଖଗୁଡ଼ାଙ୍କର କ’ଣ କିଛି ବୁଦ୍ଧି ସୁଦ୍ଧି ଅଛି ! ମୁଁ ବରଂ ଏପାଖ ସେପାଖ ହଉଚି ଭିତରେ-ଚା’ ଜଳଖିଆର ଫର୍ମାସି କରୁଚି । କିନ୍ତୁ ଆପଣ କେତେବେଳେ ଆସିଲେ ମୁଁ ଜାଣିନି ।’’

 

ଏଇ କଥା ଶୁଣିବା ପରେ ମନେ ମନେ ଟିକେ ଖୁସି ହେଲେ ଚୌଧୁରୀ । କାରଣ ସେ ଠିକ୍‌ ଏଇଆ ବୋଧହୁଏ ଆଶା କରୁଥିଲେ । କିଛି ଆଉ ସାମାନ୍ୟ ଆଳାପ ପରେ ବିଦାୟ ନେଇ ଉଠିଲେ ସେଠୁ ।

 

ଫେରିବା ବାଟରେ କିଛି ଦୂର ଆସିବା ପରେ ଟେଲିଫୋନ୍‌ ଏକ୍‌ସ୍‌ଚେଞ୍ଜ ଭିତରକୁ ଗଲେ ଚୌଧୁରୀ ଏବଂ କ’ଣ ଖଣ୍ଡେ ଛୋଟ କାଗଜ ଧରି ଫେରିଆସିଲେ । ଯାଇ ପହଞ୍ଚିଲେ ନିଜ କ୍ୱାଟରରେ । ସେତେବେଳକୁ ତାରଜନ୍‌ ଅପେକ୍ଷା କରୁଥାଏ । ଚୌଧୁରୀ ସାଙ୍ଗେ ସାଙ୍ଗେ ତାରଜନରୁ ଅପରାହ୍ନର କାର୍ଯ୍ୟକ୍ରମ ସଂକ୍ଷେପରେ କହି ସେଇ ଅନୁଯାୟୀ ପ୍ରସ୍ତୁତ ରହିବାକୁ ଆଲୋଚନା କରିବା ଆରମ୍ଭ କଲେ । କିଛି ସମସ୍ତ ପରେ ଓୟାର୍‌ଲେସ୍‌ରେ ବମ୍ବେ ସାଙ୍ଗରେ ଯାହା କଥାବାର୍ତ୍ତା କରିବା କଥା, ସେତକ ସାରିଦେଇ ମଧ୍ୟରୁ ଭୋଜନ ପରେ ଜିପ୍‌ଗାଡ଼ି ଧରି ଚୌଧୁରୀ ଓ ତାରଜନ୍‌ ଯାତ୍ରା ଆରମ୍ଭ କଲେ । ପ୍ରାୟ ଦୁଇଘଣ୍ଟା ଲାଗିବ ଯିବାକୁ । କାରଣ ମଝିରେ ବିରାଟ ବଡ଼ ଘାଟ ରୋଡ଼ଟା । ତିନିଟା ବେଳେ ଯାଇ ପହଞ୍ଚିବାକୁ ପଡ଼ିବ । ତାରଜନ୍‌ ଗାଡ଼ିରେ ଷ୍ଟାର୍ଟ ଦେଲା ।

 

ପ୍ରାୟ ତିନିଟା ସୁଦ୍ଧା ସେମାନେ ସେଇ ନିଘଞ୍ଚ ଜଙ୍ଗଲ ପାଖାପାଖି ପହଞ୍ଚିଗଲେ । ସେଇ ଜଙ୍ଗଲ୍‌ର ମୋଡ଼ ପାଖରେ ବାଟରେ ଗୋଟାଏ ଚେକ୍‌ଗେଟ୍‌ । ଗାଡ଼ି ନମ୍ବର ଦେଖି ଖୋଲିଦେଇ ଜଗୁଆଳୀ । ଗାଡ଼ି ଭିତରକୁ ଗଲା । କିଛିବାଟ ଗଲା ପରେ ଭିତରୁ କ’ଣ କଳ ଚାଲୁଥିବାର ଶବ୍ଦ ବାରି ସେଇ ଅଡ଼କୁ ଆଗେଇଲେ । ଆଗରେ ଦେଖାଗଲା ଲୋକମାନେ କାମ କରୁଥିବାର । ଦୂରରୁ ସୁଖେନ୍ଦୁ ଏ ଦୁହିଁଙ୍କୁ ଦେଖି ପାଛୋଟି ନେବାକୁ ଆସିଲେ । ତା’ପରେ ତାଙ୍କୁ ନେଇ ବିଦେଶୀ ସାହେବଙ୍କ ସାଙ୍ଗରେ ପରିଚୟ କରାଇ କହିଲେ-

 

‘‘ଏଇ ମହାଶୟ ନେଇଚନ୍ତି ଏ ପୂରା ଜଙ୍ଗଲର ଅର୍ଡ଼ର । ଆମେ ତାଙ୍କୁ କେବଳ ସାହାଯ୍ୟ କରୁଚୁଁ । ଭାରତୀୟ କାଠର ଏକ ବିଶେଷତ୍ଵ ସେ ଲକ୍ଷ୍ୟ କରିଛନ୍ତି । ତେଣୁ ପ୍ରଚୁର ପରିମାଣରେ ସେ କାଠ ସେ ବିଦେଶକୁ ନବାକୁ ଚାହାନ୍ତି ।’’

 

ଚୌଧୁରୀ ମଧ୍ୟ ସାହେବବନ୍ଧୁଙ୍କ ସହିତ ପରିଚୟର ଆଦାନପ୍ରଦାନ ପରେ ଖୁବ୍‌ ବେଶି ଘନିଷ୍ଠ ହୋଇଉଠିଲେ ଏବଂ ନିଜେ ସେ ସମସ୍ତ ସ୍ଥାନ ବୁଲାଇ ଦେଖାଇଲେ । ଚୌଧୁରୀ ଆଶ୍ଚର୍ଯ୍ୟ ହେଲେ ଯେ, ଏତେ ନିଘଞ୍ଚ ଜଙ୍ଗଲ ଭିତରେ ଏତେଗୁଡାଏ ମେସିନ ଆସି ରହିପାରିଚି ଏବଂ ଏଡ଼େ ବଡ଼ ଗୋଟାଏ ଯୋଜନା କାର୍ଯ୍ୟ ଆରମ୍ଭ ହେଇପାରିଚି । ସେ ମେସିନଗୁଡ଼ିକ ମଧ୍ୟରୁ ଅଧିକାଂଶ ଡିଜେଲ ଚାଳିତ ଭଳି ଜଣାଗଲା । ଭିନ୍ନ ଭିନ୍ନ କାଠକଟା ମେସିନ ସବୁ ଦେଖି ଚୌଧୁରୀ ବହୁ ପରିମାଣରେ ଆନନ୍ଦିତ ହେଲେ । ହୁଏତ ଏତେ ପ୍ରକାରର ମେସିନ ସେ କେବେ ଜୀବନରେ ଦେଖି ନ ଥିଲେ ବୋଲି କରୁ ମେସିନରୁ ଭଲଭାବରେ ଦେଖୁଥାନ୍ତି । ପରିଶେଷରେ ଗୋଟାଏ ବଡ଼ ମେସିନ ସେଠି ଥୁଆ ହୋଇଥାଏ, ଯାହାକୁ ଦେଖି ସେଇଟାର କାର୍ଯ୍ୟ କ’ଣ ବୋଲି ପଚାରିଲେ ।

 

ସୁଖେନ୍ଦୁ ଓ ତାଙ୍କ ବିଦେଶୀ ବନ୍ଧୁ ଦୁହେଁ ମିଶି ଚୌଧୁରୀଙ୍କୁ ବୁଝେଇଲେ ଯେ, ସେ ମେସିନ ବଡ଼ ବଡ଼ କାଠ ଲଗ୍‌ରେ ଭଅଁର କରି ନମ୍ବର ଲେଖିବାକୁ । କେଜାଣି କାହିଁକି ସେଇ ଯନ୍ତ୍ରଟିକୁ ଚୌଧୁରୀ ବେଶି ପରିମାଣରେ ଲକ୍ଷ୍ୟ କଲେ । ତା ପରେ ସେ ସେଠାକାର ଷ୍ଟୋର ଦେଖି ଆଶ୍ଚର୍ଯ୍ୟ ହେଲେ । ବିରାଟ ବଡ଼ ବଡ଼ ଶାଳ ପିଆଶାଳ ପ୍ରଭୃତି ଗଛ ପର୍ବତ ଉଚ୍ଚର ଏକ ସାଇଜ ହେଇ କଟାହେଇ ଗଦା ହେଇଚି । ସେଗୁଡ଼ାକ ସବୁ ବାହାରକୁ ପଠାଯିବ ଜାହାଜରେ । ତାରଜନ୍‌ ମଧ୍ୟ ନିଜ ଆଖିକୁ ବିଶ୍ଵାସ କରିଲେ, କାଠ କାଟିବା ପାଇଁ ଏତେ ଯନ୍ତ୍ର ଅଛି ! ବଣ ଜଙ୍ଗଲରେ ବଢ଼ିଲା ଜୀବ ସେ । ହେଲେ ତା’ର ଇଚ୍ଛା ହେଉଥାଏ ସେ କାଠଗୁଡ଼ାକ ଧରି ଫୋପଡ଼ା କଚଡ଼ା କରିବ । କିନ୍ତୁ ଭଦ୍ରତା ଦୃଷ୍ଟିରୁ କିଛି କରିପାରୁ ନ ଥାଏ । ଇଆଡ଼େ ଚୌଧୁରୀ ଭାରି ମନୋଯୋଗ ସହକାରେ ସବୁ ଦେଖିଲାବେଳକୁ ତାରଜନର ମନେପଡ଼ିଗଲା କେମିତି ଶାଳପିଆଶାଳ ଗଛଗୁଡ଼ାକ ଓପାଡ଼ିଧରି ସେ ବାଡ଼ିଭଳି ବୁଲାଏ । ବର୍ତ୍ତମାନ ଆଉ ସେଇ ବଳ ଅଛି କି ନା ଏଇଆ ଭାବି ପରୀକ୍ଷା କରିବାକୁ ତାରଜନ ଆସି ସେଇ କାଠଗୁଡ଼ାକ ଜମା ହୋଇଥିବା ଜାଗାରେ ଠିଆହେଇ ଗୋଟାଏ ଖୁବ୍‌ ବଡ଼ ମୋଟାକାଠ ଉଠାଇବାକୁ ଚେଷ୍ଟାକଲେ । କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲା ଯେ, ଏତେ ସହଜରେ ଏତେ ବଡ଼ କାଠଟା କେମିତି ଉଠିଗଲା । କଣ ଭାବି ତାକୁ ଠିକ୍‌ ଛୋଟ ହାତବାଡ଼ି ଭଳି ଖୁବ୍‌ ଜୋରରେ ବୁଲେଇ ବହୁତ ଦୂରକୁ ଫିଙ୍ଗି ଦେଲା । ସେଇଟା କୁଆଡ଼େ ଯେ ଯାଇ ପଡ଼ିଲା ତା’ର କିଛି ପତ୍ତା ନାହିଁ । କିନ୍ତୁ ସେ ଲକ୍ଷ୍ୟ କଲେ ଯେ, ଜଣେ କେହି ପଛରୁ ଖୁବ୍ ଜୋରରେ ଧାଇଁ ଆସୁଥିଲା ତାକୁ ମନା କରିବାକୁ, ସେ କାଠ ଫୋପାଡ଼ିବା ପାଇଁ । କିନ୍ତୁ ସେ ଆସିବା ଆଗରୁ ତାରଜନ ଫୋପାଡ଼ି ସାରିଥିଲା ।

 

ସବୁ ବୁଲିସାରିଲାବେଳକୁ ପ୍ରାୟ ସନ୍ଧ୍ୟା ହୋଇଯାଇଥାଏ । ରାତ୍ରି ଭୋଜନର ଆୟୋଜନ ହେଲା । ଠିକ୍‌ ତା ପୂର୍ବରୁ କ’ଣ ଏମିତି କଥା ପଡ଼ୁ ପଡ଼ୁ ତାରଜନର ବଳ କଥା ପଡ଼ିଲା-। ଚୌଧୁରୀ ରଗେଇବା ପାଇଁ ଚିଡ଼େଇ କହିଦେଲେ ତାରଜନ୍‌ର ପ୍ରକୃତରେ ବିଶେଷ ଜୋର ନାହିଁ । ତେବେ ଅତୀତରେ ଥିଲା । ହଠାତ୍‌ ତାରଜନ୍‌ ଫୁତ୍‌କାର ଛାଡ଼ି ଉଠିଲା କହିଲେ ଚଳେ । ତାକୁ ଆଉଟିକେ ମତେଇବାକୁ ଚୌଧୁରୀ କହିଲେ–

 

‘‘କ’ଣ କ୍ରମେ ଏମିତି ଯୋଉସବୁ କାଠ କଟା ହେଇ ଅଛି ତାକୁ ଉଠାଇପାରୁଚ ?’’

 

ତାରଜନ୍‌ ଏଇ କଥାରେ ହୋ–ହୋ ହେଇ ହସିଉଠି କହିଲା ତା’ର କିଛି ସମୟ ପୂର୍ବର ବୀରତ୍ୱ–

 

‘‘ଗୋଟାଏ ଗଛ ଫୋପାଡ଼ି ନେଲି ଯେ, ଯାଇଁ ମାଇଲିଏ ବାଟରେ ପଡ଼ିଛି କି କ’ଣ !’’

 

ଏକଥା କିନ୍ତୁ ଚୌଧୁରୀ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି । ସତେ କଣ ମାଇଲିଏ ଚାଲିଯିବ ! ଏଇ ଜିଦି ଉପରେ ଉଭୟେ ଚାଲିଗଲେ କେତେ ବାଟରେ ସେ ଗଛ ପଡ଼ିଚି ଦେଖିବାକୁ-। ସାଙ୍ଗରେ ମଧ୍ୟ ଆଉ ଜଣେ ଦେଖିବାକୁ ବାହାରିଲା ସେ ହେଲା ନିତିଆ । ସେଦିନ ଚୌଧୁରୀ ଆସିବେ ବୋଲି ସେ ମଧ୍ୟ ତାଙ୍କର ତଦାରଖ କରିବାକୁ ଘରୁ ଚାଲିଆସିଚି । ତିନିହେଁ ଯାଉ ଯାଉ ତାରଜନକୁ କ’ଣ ଇସାରା ଦେଲେ ଚୌଧୁରୀ, ତାରଜନ୍‌ ବୁଝିଲା । ହଠାତ୍‍ ଗୋଟିଏ ଜାଗାରେ ଆଖିରେ କ’ଣ ପୋକ ପଶିଲା ବୋଲି ଚୌଧୁରୀ ବସିପଡ଼ିଲେ । ନିତିଆ ପୋକ ଦେଖିବାର ଉପକ୍ରମ । ଏଇ ଅବସରରେ ତାରଜନ୍‌, ଗୋଟିଏ ଗଛ ଉପରକୁ ଚଢ଼ିଯିବା ବାହାନାରେ ଯାଇ ପକେଟରୁ ଖୁବ୍‌ ଶକ୍ତିଶାଳୀ ଦୁର୍ବିନରେ ଦେଖିପକେଇଲା ଯେ, ଦୂରରେ ସେ କାଠ ଗଛଟିକୁ ଆଉ ଦୁଇ ଜଣ ବୋହିନେଇ ଯାଉଚନ୍ତି । ସେଇଟା ପଡ଼ି ଦୁଇଫାଲ ହେଇଯାଇଚି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା, ସେ ଦେଖିଲେ ଯେ ସେ କାଠ ଗଣ୍ଡିଟାର ଭିତରଟା ଏକବାରେ ଫମ୍ପା । ତା’ ନ ହେଲେ ଏତେ ହାଲୁକା ହେଇ ନ ଥାନ୍ତା ବା ଏମିତି ଭାଙ୍ଗି ଯାଇ ନ ଥାନ୍ତା ତିନି ଗଡ଼ହେଇ । ସାଙ୍ଗେ ସାଙ୍ଗେ ଦୁର୍ବିନ ପୁଣି ପକେଟରେ ରଖି ସେ ଓହ୍ଲାଇଆସିଲା । ସେତେବେଳକୁ ପ୍ରାୟ ଚୌଧୁରୀ ଆଶ୍ୱସ୍ତ ହେଇଥାନ୍ତି । ପୁଣି ସମସ୍ତେ ଆଗେଇଲେ, କିନ୍ତୁ ବିଶେଷ କିଛି ଫଳ ହେଲାନି । ସେଇଟା କୋଉଠି ପଡ଼ିଚି ବା କ’ଣ ହେଇଚି, ତା’ର ସତ୍ତ୍ୱେ କେହି ପାଇଲେନି; ତିନିହେଁ ଫେରିଲେ ।

 

ରାତ୍ରିରେ ଭୋଜନ ପରେ ତାରଜନ୍‌ ଆଉ ଚୌଧୁରୀ ବିଦାୟ ନେଇ ଗାଡ଼ିରେ ବସିଲେ । ପୁଣି ଗାଡ଼ି ଷ୍ଟାର୍ଟ କଲା ତାରଜନ୍‌ । କିଛି ବାଟ ଆସିବା ପରେ ସେଇ ଘାଟ ରୋଡ଼, ଅତି ବିପଦସଙ୍କୁଳ ରାସ୍ତାଟା, ଭୀଷଣ ଗଡ଼ାଣି, ଟିକେ ଏପାଖ ସେପାଖ ହେଲେ ଗାଡ଼ି ଯାଇଁ କେତେ ହଜାର ଫୁଟ ତଳେ ସମାଧି ପାଇବ । କିଛିବାଟ ଗଲାପରେ ହଠାତ୍‌ ତାରଜନ୍‌ ଶୁଣିପାରିଲା, ପଛଆଡ଼ୁ ଆଉ ଗୋଟାଏ କ’ଣ ଆସିବାର ଶବ୍ଦ । ସେ ଶବ୍ଦରୁ ତାରଜନ୍‌ ବୁଝିଲା ଯେ, ବେଶି କିଛି ଦୂରରେ ଥିଲେ ମଧ୍ୟ ଭୀଷଣ ଗତିରେ ଗାଡ଼ିଟା ଆସୁଚି ଏବଂ ନିଶ୍ଚୟ ଭାବରେ ତାହା ଏକ ବଡ଼ ଗାଡ଼ି । ଉଭୟଙ୍କ ମୁଣ୍ଡକୁ କୌଣସି ବୁଦ୍ଧି ଦେଖାଗଲା, କ’ଣ ଉଦ୍ଦେଶ୍ୟ ହୋଇପାରେ ତା’ର । ହୁଏତ ଏମିତି କି ଧରିନିଅଯାଇପାରନ୍ତା ଯେ, କୌଣସି ଟ୍ରକ ମାଲ ବୋଝେଇକରି ଫେରୁଚି । କିନ୍ତୁ ଏତେ ଦ୍ରୁତଗତିରେ ଏ ରାସ୍ତାରେ ଯିବା ସମ୍ଭବ ନୁହେଁ । ହଠାତ୍‌ କିଛି ନ ପାଇ ତାରଜନ ଆହୁରି ବେଗ ବଢ଼ାଇଲା ନିଜ ଗାଡ଼ିର; କିନ୍ତୁ ଗାଡ଼ିର ବେଗ ବଢ଼ାଇବା ସମ୍ଭବ ନୁହେଁ । ତଥାପି ଯେତେ ସମ୍ଭବ ସେ ଆଗେଇଲା । ତା’ପରେ କିଛିବାଟ ସିଧା ଗଡ଼ାଣି, ରାସ୍ତାଟି, ଯେଉଁ ଜାଗାରେ ଷ୍ଟିଅରଂ ଆଉ ଧରିବା ଦରକାର ପଡ଼େ ନାହିଁ । ଏକବାରେ ନାକସିଧା ରାସ୍ତା । ତା’ର କିଛିବାଟ ଆଗରୁ ସେ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଲା ଗାଡ଼ିରୁ ଓହ୍ଲାଇଯାଇ ଆତ୍ମଗୋପନ କରିବାକୁ । ସେଇଆ ହେଲା । ଚୌଧୁରୀ ଗୋଟାଏ ଡିଆଁରେ ଯାଇ କୋଉଠି ଜଙ୍ଗଲ ଭିତରେ ଲୁଚିଗଲେ । ତା’ପରେ ପୁଣି କିଛି ବାଟ ଗାଡ଼ି ଷ୍ଟାର୍ଟ କରି ତାରଜନ୍‌ ଆଗେଇଲା ପରେ ତା’ର ମୁଣ୍ଡକୁ ଗୋଟାଏ ବୁଦ୍ଧି ପଶିଲା । ସେଇ ନାକସିଧା ଗଡ଼ାଣି ରାସ୍ତା ପାଖରେ ପହଞ୍ଚିବା ମାତ୍ରେ ତାକୁ ଜଣା ଗଲେ ଯେ ଅତି ପାଖରେ ସେ ଗାଡ଼ିଟା । ସାଙ୍ଗେ ସାଙ୍ଗେ ବାହାରୁ ଖଣ୍ଡେ ପଥର ଆଣି ଗାଡ଼ି ଷ୍ଟାର୍ଟ କରି ଏକସିଲେଟର ଉପରେ ଅତି ଅଳ୍ପ ଚାପ ଦେଲାଭଳି ରଖିଦେଲା । ଗାଡ଼ିକୁ ଫାଷ୍ଟ ଗିଅରରେ ରଖିଦେଇ ଅତି କମ୍‌ ଷ୍ପିଡ୍‌ରେ ଗାଡ଼ିକୁ ଗଡ଼େଇବା ଆରମ୍ଭ କଲା । ପକେଟରୁ ଗୋଟାଏ ଦଉଡ଼ା ବାହାର କରି ଷ୍ଟିଅରିଂଟାକୁ ଜିପ୍‌ର ବାଡ଼ରେ ବାନ୍ଧିଦେଲା, ଯେମିତି ଷ୍ଟିଅରଂ ଆଉ ମୋଟେ ବୁଲି ଯିବନି କି ଗାଡ଼ି ମୋତେ ମୋଡ଼ିହବନି-। ସେ ଶୁଣିପାରିଲା, ପଛଗାଡ଼ି ଆସିଯାଇଚି ଖୁବ୍‌ ପାଖକୁ । ଜିପ୍‌ଟା ଗଡ଼ିବା ମାତ୍ରେ ଜୀବନ ବିକଳରେ ଗାଡ଼ି ବାହାରକୁ ଆସି ଗୋଟାଏ ଛୋଟ ବୁଦା ଦେଖି ତା’ର ଉପରକୁ ଡେଇଁପଡ଼ିଲା । ଖୁବ୍‌ଶୀଘ୍ର ନିଜକୁ ଆୟତ୍ତ କରି ସେ ଗୋଟାଏ ଗଛ ଉପରକୁ ଚଢ଼ିଗଲା ଆଉ ବାଇନୋକୁଲାରରେ ଦେଖିଲା-

 

ଜିପ୍‌ଟା ଠିକ୍‌ ସେଇ ଅନୁଯାୟୀ ଅସ୍ତେ ଆସ୍ତେ ଗଡ଼ି ଚାଲିଚି । ହଠାତ୍‌ ଆଖିପିଛୁଳାକେ ପଛଗାଡ଼ି ଆସି ପହଞ୍ଚି ତାରଜନକୁ ଟପିଗଲା, ଆଉ ସେ ଗାଡ଼ି ଗଡ଼ୁଥିବାର ଦେଖି ଭୀଷଣ ବେଗରେ ଗତି ବଢ଼ାଇଲା । ଏଭଳି ଦୃଶ୍ୟ ଦେଖି ତାରଜନ୍‌ର ରୁମ ଟାଙ୍କୁରି ଉଠିଲା । ପଛଗାଡ଼ିଟା ଗୋଟାଏ ଡମ୍ପରଟାଏ । ଭୀଷଣ ଆକାରର ଗାଡ଼ିଟା ଆଖିପିଛୁଳାକେ ଗଡ଼ିଗଲା । ଆଉ ଚାହୁଁ ଚାହୁଁ ତାରଜନ୍‌ ଦେଖିଲା, ଗାଡ଼ିଟା ଯାଇ ଜିପ୍‍ଟାକୁ ଏକ ଧକା ମାଇଲା ଯେ, ଜିପ୍‌ଟା ପୂରାପୂରି ଚେପାହେଇ ସିଧା କଡ଼ର ସେ ଗଭୀର ଗହ୍ୱରକୁ ଖସିପଡ଼ିଲା । ନିଜର ଅବସ୍ଥା କଥା ତାରଜନ୍‌ ବର୍ତ୍ତମାନ କଳ୍ପନା କରୁଥିଲା । ଜିପ୍‌ଟା ନିଶ୍ଚୟ ଚୂନା ହେଇଯାଇଥିବ । ଆଉ କିଛି ବାଟ ଗଲାପରେ ଡମ୍ପରଟା ପୁଣି ପଛକୁ ଗିଅର୍‌ ଦେଇ ଫେରିଆସିଲା । ଏତେ ଦୁଃଖ ଭିତରେ ବି ତାରଜନ ଟିକେ ହସିଲା-ଦୁଇଟା ବଡ଼ ଶିକାରୀଙ୍କୁ ନଶ୍ଚିହ୍ନ କରିଦେଇଥିବା ଗର୍ବରେ ଗର୍ବିତ ହେଇ କେଡ଼େ ଖୁସିରେ ଦସ୍ୟୁଦଳର ଅସ୍ତ୍ରଟା ଫେରୁଚି ! ତା’ର ହଠାତ୍‌ ରାଗ ହେଲା, ଆଉ ଇଚ୍ଛା ହେଲା, ଗୋଟାଏ ଖେପାରେ ଯାଇ ସେଇ ଡମ୍ପର ଉପରେ ବସିପଡ଼ି କେଇଜଣ ସେଥିରେ ଅଛନ୍ତି ତାଙ୍କୁ ଗୋଟିଏ ଗୋଟିଏ ଚଟକଣା ମାରି ତାଙ୍କର ଶକ୍ତି ପରୀକ୍ଷା କରନ୍ତା । ଅବଶ୍ୟ ଏକା ଥିଲେ ସେ ହୁଏ ତ ତାହା କରିପାରିଥାନ୍ତା; କିନ୍ତୁ ଚୌଧୁରୀ ଅଛନ୍ତି । ଆଉ ବର୍ତ୍ତମାନ ବୁଦ୍ଧିର ପରୀକ୍ଷା ଚାଲିଥିଲାବେଳେ ଶକ୍ତିର ପରୀକ୍ଷା କରିବାର ସମୟ ଆସିନି ।

 

ଏଣେ ଚୌଧୁରୀ ମଧ୍ୟ ବ୍ୟସ୍ତ ହେଇଉଠିଲେଣି । କାରଣ, ତାଙ୍କୁ ଛାଡ଼ିଦେଇ ଆଗକୁ ଯାଇଚି ତାରଜନ । ବିଶାଳକାୟ ଗାଡ଼ିଟାକୁ ମଧ୍ୟ ସେ ଦେଖିଲେ ଏବଂ କିଛି ସମୟ ପରେ ଗୋଟାଏ ଧକ୍‌କା ଦବାର ଶବ୍ଦ ନିସ୍ତବ୍‌ଧ ବଣଭୂଇଁକୁ ଯେତେବେଳେ ଥରାଇଦେଲା, ସେତେବେଳେ କିଛି ବୁଝି ନ ପାରି ମଧ୍ୟ ଚୌଧୁରୀ ଶିହରି ଉଠିଥିଲେ । ତା’ପରେ ଡମ୍ପରଟା ସେତେବେଳେ ଟପି ଚାଲିଗଲା, ସେତେବେଳେ ସେ ଆହୁରି ବିସ୍ମିତ ହୋଇପଡ଼ିଲେ । ତାରଜନ୍‌ ସକାଶେ ବଡ଼ ଚିନ୍ତିତ ହେଇପଡ଼ିଲେ ଚୌଧୁରୀ । ଅତି ସନ୍ତର୍ପଣରେ ଆସ୍ତେ ଆସ୍ତେ ସେ ଜଙ୍ଗଲ ଆଢ଼ୁଆଳରୁ ବାହାରି ଆଗେଇବାରେ ଲାଗିଲେ ।

 

ଚାରିଆଡ଼ ଭୀଷଣ ଅନ୍ଧାର । ମୁହଁକୁ ମୁହଁ ଦିଶୁନି । ସେଇ ଅନ୍ଧାର ଭିତରେ କିଛି ବାଟ ଆଗେଇବା ପରେ ହଠାତ୍‌ ତାଙ୍କର ମନେହେଲା, ଯେମିତି ଆକାଶ ଛିଣ୍ଡି ପଡ଼ିଲା ନିଜ ଉପରେ । ତାଙ୍କର ଏତେ ଟିକିଏ ବି ଧାରଣା ନଥିଲା ଯେ, ତାଙ୍କର କାର୍ଯ୍ୟକଳାପ ଆଉ କାଳେ କିଏ ଲକ୍ଷ୍ୟ କରୁଥାଇପାରେ । ସେ ଏପରି ଭାବରେ କାବୁ ହୋଇ ଯାଇଥିଲେ ଯେ, ମୁହଁ ଖୋଲିବାର ଉପାୟ ନ ଥିଲା । ଉପରକୁ ଅନେଇବାର ଜୁ’ ନ ଥାଏ କିଏ ତାଙ୍କୁ ଧରିଲା ବୋଲି, କିନ୍ତୁ ଟିକେ ପରେ ହାତଟା ଆସ୍ତେ ଆସ୍ତେ କୋହଳ ହୋଇଗଲା । ଚୌଧୁରୀ ମୁକ୍ତି ପାଇବା ମାତ୍ରେ ଚାହିଁ ଦେଖନ୍ତି ତ ତାରଜନ୍‌ କାବୁ ଭିତରେ ସେ ଆବଦ୍ଧ ହେଇଥିଲେ । ଫେଁ କରି ହସିପକେଇଲେ ସେ, ତାରଜନ୍‌ ମଧ୍ୟ ନିଜର ଭୁଲ ବୁଝିପାରିଲା । ତା’ପରେ ଉଭୟେ ସେଇ ଜାଗାଟାକୁ ଚାରିଆଡ଼ୁ ପରୀକ୍ଷା କରି ଦେଖିନେଲେ, କିଏ କୋଉଠି ଅଛି କି ନା । ତା’ପରେ ତାରଜନ୍‌ ପଚାରିଲା–

 

‘‘ବର୍ତ୍ତମାନ ଫେରିବା, ନା ଏଇଠି ରହିବା ?’’

 

ବେଳେ ବେଳେ ଏମିତି ହସେଇ ମଜା କରିବାପାଇଁ ତାରଜନ୍‌ ନିତାନ୍ତ ବୋକାଙ୍କ ଭଳି ପ୍ରଶ୍ନ ପଚାରେ । ଚୌଧୁରୀ ବୁଝିଲେ ମଧ୍ୟ କଥାଟା ଯେ ନିତାନ୍ତ ଥଟ୍ଟା ନୁହେଁ, ଏକଥା ଜାଣିଲେ । କାରଣ କାହିଁ ଦେଢ଼ଶହ ମାଇଲ ଦୂରରେ ଘର, ଆଉ ନିଜର ଯାନ ଖଣ୍ଡିକ ଧୂଳିସାତ୍‍ ହେଇଯାଇଚି-। ଯଦି ବର୍ତ୍ତମାନ ଶତ୍ରୁ ମାନେ ଦେଖନ୍ତି ଯେ, ତାଙ୍କର ଈପ୍‌ସିତ ଲକ୍ଷ୍ୟ ଏପର୍ଯ୍ୟନ୍ତ ଜୀବତ ରହିଛନ୍ତି, ତା’ହେଲେ । ସିଧା ଗୁଳିକରି ମାରିବା ଛଡ଼ା ଆଉ କିଛି କରିବେନି । ତେଣୁ କଣ କରାଯାଇପାରେ ସେ ବିଷୟରେ, ଚୌଧୁରୀ ମଧ୍ୟ ଚିନ୍ତା କରିବା ଆରମ୍ଭ କଲେ ।

 

ଏପର୍ଯ୍ୟନ୍ତ ତାରଜନ୍‌ ଚିନ୍ତା କରୁଥିଲା ଯେ, କାହିଁକି ସେମାନଙ୍କୁ ମାରିବାକୁ ପଠାହୋଇଥିଲା । ତା’ହେଲେ କ’ଣ ସୁଖେନ୍ଦୁ ଛୋଟରାୟ ନିଜେ ଏ ବ୍ୟବସ୍ଥା କରିଥିଲେ । କିନ୍ତୁ ପରମୁହୂର୍ତ୍ତରେ ସେ ବୋଧ ଦେଲା ନିଜକୁ ଯେ, ଡମ୍ପରଟା ହୁଏତ କୁଅଡ଼େ ଯିବାର ଥିଲା । ବାଟରେ ସାଇଡ୍‌ ନ ପାଇବାରୁ ଡମ୍ପରଟା ଜିପ୍‍ ଉପରେ ମାଡ଼ିଯିବାକୁ ବାଧ୍ୟ ହେଲେ । ଆଉ ସେଇ ଭୟରେ ସେ ପଛକୁ କ୍ୟାମ୍ପ୍‌କୁ ଫେରିଆସିଲା । ଅନେକ ଗୁଡ଼ାଏ ଏମିତି ଅଡ଼ୁଆ କଥା ମଧ୍ୟ ଚୌଧୁରୀଙ୍କ ମସ୍ତିଷ୍କରେ ଆହୁରି ଗୁଡ଼େଇହବା ଆରମ୍ଭ ହେଲା । କିଛି ସମୟ ପରେ ସେ ପୁଣି ସେଇ କ୍ୟାମ୍ପ୍‌ଆଡ଼କୁ ଯିବାକୁ ନିର୍ଦ୍ଦେଶ ଦେଲେ ତାରଜନ୍‌କୁ । ସେମିତି ଜଙ୍ଗଲରେ ଲୁଚି ଲୁଚି ଉଭୟେ ଆଗେଇଲେ । ଅଳ୍ପ କେତେ ବାଟ ଆଗେଇବା ପରେ କାହାର କଣ୍ଠସ୍ୱର ସେମାନେ ବାରିପାରିଲେ-। ଚୌଧୁରୀଙ୍କ ନିର୍ଦ୍ଦେଶରେ ଏମାନେ କଡ଼ର ସେଇ ଜଙ୍ଗଲ ଭିତରକୁ ଆହୁରି ସନ୍ତର୍ପଣରେ ଓହ୍ଲେଇଗଲେ । ଆହୁରି ତଳକୁ ଆହୁରି ତଳକୁ ଓହ୍ଲେଇ ଯାଉଥାନ୍ତି ଉଭୟେ ଯେତିକି, ସେ ପଞ୍ଝାକ ଲୋକ କଥାବାର୍ତ୍ତା ହେଇ ପାଖେଇ ଆସୁଥାନ୍ତି । କାରଣ ଏକାଠି ନ ବଞ୍ଚିଲେ ଆଉ ରକ୍ଷା ନାହିଁ । ଏମିତି ଯାଇ ଯାଇ ପ୍ରାୟ ପଚାଶଫୁଟ ତଳକୁ ଓହ୍ଲେଇଗଲେ ସେମାନେ । ତାଙ୍କର ଅନୁମାନ ସତ୍ୟ ହେଲେ । ଲୋକ ପଞ୍ଝାକ କ’ଣ କଥା ହେଇ ବେଶ୍‌ କିଛିବାଟ ଆଗେଇଲେ । ତା’ପରେ ତାରଜନ୍‌ କାନରେ ପଡ଼ିଲା ତଳଆଡ଼ୁ କ’ଣ ଗୋଟିଏ ଶବ୍ଦ । ତା’ର ମନେହେଲା କୌଣସି ପଶୁ ନା ଚଢ଼େଇ ଏମିତି ଗୋଟାଏ ଏଇ କରୁଚି । ଟିକେ ଦେଖିଆସିବ ବୋଲି ଭାବି ଚୌଧୁରୀଙ୍କୁ କିଛି ନ ଜଣେଇ ଆଉ ଟିକେ ତଳକୁ ଖସିଲା । ତା’ପରେ ଶବ୍ଦଟା ସ୍ପଷ୍ଟ ହେଇଗଲା । ଗୋଟାଏ ଛୋଟ ପାହାଡ଼ ଝରଣାର ଧାର ବୋଧହୁଏ ବୋହିଯାଉଚି । ଆଉ ଟିକେ ତଳଯାଏ ଗଡ଼ିଯାଇ ସେ ଭାବିଲା, ସେ ପାଣିରୁ ଟୋପାଏ ପିଇ ଦେଇଆସିବ; କିନ୍ତୁ ଯାଇ ହାଇ ମାରି ଦେଖେ ତ ସେଗୁଡ଼ାକ ଗରମ ପାଣି-। ମାଟି ଭିତରୁ ଗରମ ପାଣି ବାହାରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ତା’ପରେ ସେ ପାଣିର ଆରମ୍ଭଟା ଦେଖିବାକୁ ଟିକେ ଆଗେଇଯାଇ ହାତ ମାରି ଦେଖିଲା, ଛୋଟ ଲୁହାର ପାଇପ୍‌ ଭିତରୁ ସେ ପାଣି ବାହାରିଯାଉଚି । ସାଙ୍ଗେ ସାଙ୍ଗେ ଉପରକୁ ଉଠି ଚୌଧୁରୀଙ୍କୁ ମଧ୍ୟ ସେଇ ଖବର ଦେବାରେ ଚୌଧୁରୀ ସୁନାମୁଣ୍ଡା ପାଇଲା ଭଲ ଖୁସି ହୋଇଗଲେ ।

 

‘‘ମୋର ଅନୁମାନ ତା’ହେଲେ ସତ ହେବାକୁ ଯାଉଚି, ତାରଜନ୍‌ ! ତମେ ମତେ ଏତେବେଳକେ ପ୍ରକୃତ ଜିନିଷର ସନ୍ଧାନ ଦେଲ ।’’

 

ଉଭୟେ ପୁଣି ତଳକୁ ଖସିଆସି ସେଇ ସ୍ଥାନଟିକୁ ପରୀକ୍ଷା କଲେ । ସେଇଠି କାନ ଦେଇ ଚୌଧୁରୀ କିଛି ଶୁଣିବା ପରେ ଉପରକୁ ଉଠିଲେ । ତାରଜନ କିନ୍ତୁ ଭଲରେ ଫେରିଆସିଲାବାଲା ନୁହଁ । ଅଣ୍ଡାଳି ଅଣ୍ଡାଳି ସେଇ ପାଇପ୍‌ ସାଇଜର ପଥର ଖଣ୍ଡେ ଗୋଟେଇ ତା ମୁହଁରେ ଖୁବ୍‌ଜୋରରେ ଚାପିଦେଲା, ଯେମିତିକି ପାଣି ସେଠି ଆଉ ବାହାରିଯାଇପାରିବନି । ଚୌଧୁରୀ ସେତେବେଳକୁ ଉପରକୁ ଉଠିବା ଆରମ୍ଭ କଲେଣି । ମନରେ ତାଙ୍କର ସେଇ ଗୋଟିଏ ଚିନ୍ତା, କ’ଣ ଏଇ କାଠକଟା ମେସିନ୍‌, ଆଉ ସେଥିରେ ସୁଖେନ୍ଦୁଙ୍କର ଭୂମିକା କ’ଣ ?

 

ଉଭୟେ ପୁଣି ଜୀବନକୁ ପାଣି ଛଡ଼େଇ ଯିବାକୁ ଆରମ୍ଭ କଲେ ସେଇ କାଠକଳ ଆଡ଼କୁ-। ଏଥର ଜଙ୍ଗଲ ଭିତରେ ପଶି ଲୁଚି ଲୁଚି ଯିବାକୁ ହେଲା, ଯେମିତିକି ଚେକ୍‍ ଗେଟ୍‌ର ଆଖିରେ ନ ପଡ଼ନ୍ତି । ମନରେ ଅନେକଗୁଡ଼ାଏ ଚିନ୍ତା ଘେର ଖାଉଥାଏ । ଏତେ ବଡ଼ ବଡ଼ କାଠ ଦେଶକୁ ଯିବା, କାଠଟାର ଓଜନ ଏତେ କମ୍‌, ତା’ପରେ ଏଇ ପାଣିର ଧାର, ସେ ସବୁରେ ସୁଖେନ୍ଦୁଙ୍କର ସମ୍ପର୍କ–ସେ ଯୋଗସୂତ୍ର ସ୍ଥାପନ କରିପାରୁ ନ ଥାନ୍ତି । ଏମିତି ଭାବୁ ଭାବୁ ସେ ଦେଖିଲେ ଯେ, ଏକବାରେ ପାଖଇଆସିଲେଣି ସେ ଜାଗାର; କିନ୍ତୁ ପାଖକୁ ଯିବାର ସୁବିଧା ନାହିଁ । ଚୌଧୁରୀ ବର୍ତ୍ତମାନ କେତୋଟି ଉପଦେଶ ତାରଜନକୁ ଦେଇ ତାକୁ ସେଇଠି ଅପେକ୍ଷା କରିବାକୁ କହିଲେ, ଆଉ କହିଲେ ଯେ, ଯଦି ଅଧଘଣ୍ଟାକ ଭିତରେ ସେ ନିଜେ ଫେରି ନ ଆସନ୍ତି, ତା’ ହେଲେ ତାରଜନର ଜାଣିବା ଦରକାର ସେ ବିପଦରେ ପଡ଼ିଲେ ବୋଲି । ଏତକ ବୁଝେଇଦେଇ ଚୌଧୁରୀ ଅଦୃଶ୍ୟ ହୋଇଗଲେ । ତାରଜନ୍‌ ସେଇଠି ଅପେକ୍ଷା କଲେ । ହଠାତ୍‌ ତା’ର ମୁଣ୍ଡରେ ପଶିଲା ଯେ, ସେମାନଙ୍କର ଶୀଘ୍ର ଏ ଜାଗା ଛାଡ଼ିବା ଦରକାର । କିନ୍ତୁ ଗାଡ଼ି ତ ନାହିଁ । ତେଣୁ କିଛି ଗୋଟାଏ ବନ୍ଦୋବସ୍ତ କରି ରଖିବାକୁ ପଡ଼ିବ । ହେଲେ ତାକୁ କିଛି ବୁଦ୍ଧି ଦେଖାଯାଉ ନ ଥାଏ । ଏତିକିବେଳେ ସେ ଦେଖିଲା, ଜଣେ କିଏ ଉପରୁ ସେଇ ଫାର୍ମରୁ ମଟର ସାଇକେଲ୍‌ରେ ଆସିବାପାଇଁ ମଟର ସାଇକେଲ ଷ୍ଟାର୍ଟ କରୁଚି । ଆଉ କିଛି ବିଚାର ନ କରି ତାରଜନ ସାମାନ୍ୟ ଆଗକୁ ଦଉଡ଼ିଯାଇ ଗୋଟାଏ ଗଛକୁ ଧରି ଖୁବ୍‌ଜୋର୍‌ରେ ହୁଙ୍କାଟାଏ ମାଇଲା । ସାଙ୍ଗେ ସାଙ୍ଗେ ଗଛଟା ଉପୁଡ଼ି ପଡ଼ିଲା-। ସିଧା ଆଣି ଗଛଟାକୁ ରାସ୍ତା ମଝିରେ ଶୁଆଇଦେଇ ଲୁଚିଗଲା ସେଇ ଜଙ୍ଗଲ ଭିତରେ । କିଛିକ୍ଷଣ ପରେ ଲୋକଟା ଆସି ହଠାତ୍‌ ବ୍ରେକ୍‌ କଷିଲା । ଦେଖିଲା ଯେ, ଗଛଟା ଶୋଇଯାଇଚି ମଝିରେ । ଚାରିଆଡ଼କୁ ଚାହିଁ ସେ ଲୋକଟା ହୁଏତ ଭାବିଲା, ଗଛଟା ଏମିତି କେମିତି ରହିପାରେ । କ’ଣ ଭାବିକି ଗଛଟାକୁ ଟିକେ ଘୁଞ୍ଚେଇଦେବ ବୋଲି ଚେଷ୍ଟା କଲାବେଳେ ତାରଜନ ତା’ ଉପରକୁ ଡେଇଁପଡ଼ିଲା । ସେ କିଛି ଜାଣିବା ଆଗରୁ ଅତି ଅନାୟାସାରେ କାବୁ କରିନେଲ ତାରଜନ୍‌, ତାକୁ । ତା’ ମୁହଁହାତ ବାନ୍ଧି ପକେଇଲା ଏବଂ ସେଇ ଗୋଟିଏ ଗଛ ଡାଳରେ କେହି ନ ଦେଖିଲା ଭଳି ପୁଟୁଳା ରଖିଲା ପରି ଟେକିକରି ଥୋଇଦେଲା । ତା’ପରେ ପୁଣି ଆସି ଭାବିଲା, ଗାଡ଼ି ସିନା ହେଲା, କିନ୍ତୁ ଯିବ କେମିତି ବାହାରକୁ ! ଚେକ୍‌ ଗେଟ୍‌ପାଖରେ ଜଗୁଆଳି ଜାଣିବ । ତେଣୁ ମଟର ସାଇକେଲକୁ ଟେକି କାନ୍ଧରେ ରଖି ସେଇ ଜଙ୍ଗଲ ଭିତରେ ଚାଲିବାକୁ ଲାଗିଲା । ଯେମିତି କେହି ଜାଣି ନ ପାରିବେ, ସେମିତ ଯାଇ ଚେକ୍‌ଗେଟ୍‌ ଟପି ବେଶ୍‌କିଛି ଦୂରରେ ଗାଡ଼ିକୁ ଲୁଚେଇ ଥୋଇଦେଇ ଆସିଲା । ତା’ପରେ ପୁଣି ସେ ଲୋକଟାକୁ ନେଇ ଗାଡ଼ି ପାଖରେ ରଖିଲେ । ଘଣ୍ଟା ଦେଖିଲା, ପ୍ରାୟ ପଚିଶ ମିନିଟ୍‌ହେଇଗଲା । ଚୌଧୁରୀ ଆସିଯାଇପାରନ୍ତି । ତେଣୁ ପୂର୍ବ ସ୍ଥାନରେ ଯାଇ ଲୁଚିରହିଲେ ତାଙ୍କ ଅପେକ୍ଷାରେ । ଠିକ୍‌ ଅଧଘଣ୍ଟାକର ସାମାନ୍ୟ ଆଗରୁ ଚୌଧୁରୀ ସେଠି ପହଞ୍ଚିଲେ । ଅତି ସାବଧାନତା ସହକାରେ ତାକୁ ଅଳ୍ପକେ ବୁଝେଇ କହିଲେ ଯେ, ତାଙ୍କର ଯିବା ସଫଳ ହେଇଚି । ବର୍ତ୍ତମାନ ତାଙ୍କ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା, ଯିବେ କେମିତି । ଅନ୍ତତଃ ବେଶ୍‌ କିଛିବାଟ ଏମାନଙ୍କର ଆୟତନରୁ ଚାଲି ନ ଗଲେ, ଯଥେଷ୍ଟ ଅସୁବିଧା ହେବାର ସମ୍ଭାବନା ଅଛି । ଏମିତି ଭାବୁ ଭାବୁ ସେମାନେ ସେଇ ଜଙ୍ଗଲ ଭିତରେ ଚେକ୍‌ଗେଟ୍‌ ଟପି ସେ ମଟର ସାଇକେଲ ଥିବା ଜାଗାରେ ପହଞ୍ଚିଗଲେ । ମଟର ସାଇକେଲ ଦେଖି ଚୌଧୁରୀ ଏକାବେଳକେ ହତବମ୍ଭ ହେଇପଡ଼ିଲେ । ତାରଜନ୍‌ ଅଳ୍ପକେ ବୁଝାଇଦେବାରେ ତା’ର ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିଲେନି ଚୌଧୁରୀ । କିନ୍ତୁ ଲୋକଟା କଥା କ’ଣ କରିବେ ବୋଲି ପଚାରିଲେ ଚୌଧୁରୀ । ଆଉ କିଛି ବୁଦ୍ଧି ନ ପାଇ ପକେଟ୍‌ରୁ ଗୋଟିଏ ଛୋଟ ଶିଶି ବାହାର କରି ତା’ ନାକ ପାଖରେ ଧରିଲେ । ତା’ର ଚେତା ବୁଡ଼ିଗଲା । ସାଙ୍ଗେ ସାଙ୍ଗେ ତାରଜନ୍‌ ଗୋଟାଏ ବୁଜୁଳା ଭଳି ତାକୁ ନିଜ ପିଠିରେ ବାନ୍ଧିଦେଲା । ତା’ପରେ ଉଭୟେ ବାହାରିଲେ । କିନ୍ତୁ ମଟର ସାଇକେଲ ଷ୍ଟାର୍ଟ କରିବାମାନେ କିଏ ଜାଣିପାରିବେ ବୋଲି ଗାଡ଼ି ଷ୍ଟାର୍ଟ ନ କରି ନିଉଟ୍ରାଲ ରଖି ଦୁହେଯାକ ବସିଲା ପରେ ତାରଜନ୍‌ ଗାଡ଼ି ଗଡ଼େଇଦେଲା । ଗଡ଼ାଣି ଅନୁଯାୟୀ ପାହାଡ଼ ଉପରୁ ଗାଡ଼ି ବେଶ୍‌ କିଛିବାଟ ଗଡ଼ିଆସିଲା ପରେ ତାରଜନ୍‌ ଗାଡ଼ି ଛୁଟାଇଲା ।

 

ପ୍ରାୟ ତିରିଶ ମାଇଲ ଖଣ୍ଡେ ଚାଲିଗଲେ ଦୁହେଁ । ଯେତେବେଳେ ଚୌଧୁରୀ ନିଃସନ୍ଦେହ ହେଲେ ଯେ, ଆଉ କେହି ଧରିପାରିବେ ନାହିଁ, ସେତେବେଳେ ଗାଡ଼ି ଅଟକେଇ ପେଟ୍ରୋଲ ଅଛି କି ନା ପରୀକ୍ଷା କରିନେଲେ । ଦେଖିଲେ ଯେ ପେଟ୍ରୋଲ ଯଥେଷ୍ଟ ଅଛି । ତେଣୁ ଆଉ କାଳବିଳମ୍ବ ନ କରି ଗାଡ଼ି ଛୁଟାଇଲେ । ତାରଜନ୍‌ର ଗାଡ଼ି ଚଲେଇବା ଉପରେ ଚୌଧୁରୀ ନିଶ୍ଚିତ ହେଉଥିଲେ ଯେ, ଆଉ ହୁଏତ ଏ ବୃହତ୍‌ ଜାଲ ଭେଦ କରିବାକୁ କଷ୍ଟ ନ ଲାଗି ପାରେ । କିନ୍ତୁ ଘଟଣା କ୍ରମଶଃ ଯେ ଆହୁରି ଜଟିଳ ହେଇଆସୁଛି, ଏ କଥା ମଧ୍ୟ ବିଶ୍ଵାସ କରିବାରେ ତାଙ୍କର ଦ୍ୱିଧା ନ ଥିଲା । ଘରେ ପହଞ୍ଚିଲାବେଳକୁ ଫରଚା ହୋଇ ନ ଥାଏ । ଗୋଟିଏ ମଟର ସାଇକେଲରେ ଏହିପରି ଅସମ୍ଭବ ଭାବରେ ତିନିଜଣ ଆସିବା ଦେଖି କାଳେ କିଏ କ’ଣ ଭାବିପାରେ ସେଥିପାଇଁ ସକାଳ ହେବା ଆଗରୁ ଘରେ ପହଞ୍ଚିବା ପାଇଁ ତାରଜନ୍‌ ଖୁବ୍‌ ଜୋରରେ ମଟର ସାଇକେଲ ଛୁଟାଇଥିଲା । ଅତି ସୁରୁଖୁରୁରେ ଘରେ ପହଞ୍ଚିସାରିବା ପରେ ଉଭୟେ ନିଃଶ୍ୱାସ ମାଇଲେ ।

 

ସେତେବେଳେ ସୁଦ୍ଧା ସେ ଲୋକଟାର ଚେତା ଫେରି ନ ଥାଏ । ତା’ ବିଷୟରେ ଆବଶ୍ୟକୀୟ ଉପଦେଶ ଦେଇ ଉଭୟେ ନିଜର ନିତ୍ୟକର୍ମ ସମାପନ କରିବା ଉଦ୍ଦେଶ୍ୟରେ ବାହାରିଲେ ।

 

ସେଇଦିନ ସନ୍ଧ୍ୟାବେଳେ ଅଜୟଙ୍କର ଓୟାରଲେସ୍‌ ବାର୍ତ୍ତା ପାଇ କେମିତି କେଜାଣି ଆହୁରି ଚିନ୍ତିତ ହୋଇଉଠିଛନ୍ତି ଚୌଧୁରୀ । ତେବେ କ’ଣ ତାଙ୍କର ଅନୁମାନ ମିଥ୍ୟା ହେଇପାରେ । ପୁଣି ପର ମୁହୂର୍ତ୍ତରେ ନିଜକୁ ସାନ୍ତ୍ୱନା ଦେଇଥାନ୍ତି । ଆଗରେ ତାଙ୍କର ଅନେକ ଗୁଡ଼ିଏ ଫଟୋ ଧରି ତାରଜନ୍‌ ଠିଆ ହେଇଚି । ଟେବୁଲ୍‌ ଉପରେ କେଇଖଣ୍ଡ ରିପୋର୍ଟ । ଏସବୁ ଥିବା ସତ୍ତ୍ୱେ ବି ଅଧଘଣ୍ଟାକ ତଳେ କନୱାରଙ୍କ ଟେଲିଫୋନ୍‌ ତାକୁ କେମିତି କେଜାଣି ବିଚଳିତ କରିଦେଇଚି । ଲୋକମାନେ ଦିନକୁ ଦିନ ଅସ୍ଥିର ହୋଇ ପଡ଼ିବାରେ ଲାଗିଛନ୍ତି । ବିଶେଷ କରି ଡାକ୍ତରଙ୍କ ରିପୋର୍ଟରୁ ପ୍ରକାଶ ଯେ, ବୃଦ୍ଧ ଛୋଟରାୟ ତାଙ୍କର ପୁଣି ଓ ବଧୂ ଚିନ୍ତାରେ ଦିନକୁ ଦିନ କ୍ଷୀଣ ହେଇଆସୁଚନ୍ତି । ଆଉ ତାଙ୍କର ସ୍ୱାସ୍ଥ୍ୟ ସେଭଳି ଭାବରେ କ୍ଷୟ ହେଇ ଚାଲିଛି, ଯଦି ଖୁବ୍‌ଶୀଘ୍ର ସେ କିଛି ଗୋଟାଏ ନ ଜାଣନ୍ତି, ତା’ ହେଲେ ହୁଏତ ତାଙ୍କୁ ବଞ୍ଚାଇରଖିବା ଅସମ୍ଭବ ହେଇପଡ଼ିବ ।

 

ଏମିତି ଅନେକ ଅଡ଼ୁଆ ଖିଅ ଧରି ଛନ୍ଦି ହେଉଥିବାବେଳେ ହଠାତ୍‌ ଚୋରା ସିଗ୍‌ନାଲ ଲାଇଟ୍‌ ଜଳିଉଠିଲା । ଆଖି ପିଛୁଳାକେ ସେ ସବୁ ଜିନିଷପତ୍ର ଧରି ତାରଜନ୍‌ ସେ ସ୍ଥାନରୁ ଅପସରିଗଲା । କିଛିଷଣ ପରେ ଆସି ପହଞ୍ଚିଲେ ସୁଖେନ୍ଦୁ । ସୁଖେନ୍ଦୁଙ୍କୁ ଦେଖିବାମାତ୍ରେ ଅତି ଆଗ୍ରହରେ ଚୌଧୁରୀ କରମର୍ଦ୍ଦନ କରି କହିଲେ–

 

‘‘କାଲିକାର ଗୋଟିଏ ମସ୍ତବଡ଼ ଦୁର୍ଘଟଣା ବିଷୟ ଆପଣ ଜାଣିନାହାନ୍ତି, ସୁଖେନ୍ଦୁ ବାବୁ, ମୁଁ କହିବାକୁ ବର୍ତ୍ତମାନ ଯାଇଥାନ୍ତି ।’’

 

ସୁଖେନ୍ଦୁ ମଧ୍ୟ ସେହିପର ବିସ୍ମୟ ପ୍ରକାଶ କରି କହିଲେ-‘‘ମି: ଚୌଧୁରୀ, କାଲି ମୁଁ ଯାହା ଖବର ପାଇଚି, ସେଥିରେ ଆପଣମାନେ ଯେ ବଞ୍ଚିଥିବେ, ମୁଁ ସେ ବିଶ୍ୱାସ କରୁ ନ ଥିଲି । ସେଥିପାଇଁ ନିଜେ ଆଖିରେ ଦେଖିଯିବାକୁ ଆସିଲା । ତେବେ ଆପଣଙ୍କ କଥାଟା କୁହନ୍ତୁ, ମୁଁ ତା’ ପରେ କହିବି ।’’

 

ତା’ପରେ ଚୌଧୁରୀ ଆରମ୍ଭ କଲେ–

 

‘‘ଆମେ ତ ଖାଇକରି ଆପଣଙ୍କଠାରୁ ବିଦାୟ ନେଇ ଆସିଲିଁ । ତା’ପରେ କିଛିବାଟ ଆସିଚୁଁ କି ନା, ହଠାତ୍‌ ଆମ ଆଗରେ ଗୋଟାଏ ଚିତାବାଘ ଚାଲିଗଲା । ଖାଲି ମୋର ନୁହେଁ, ମୋ ସାଙ୍ଗରେ ଥିବା ସେ ବନ୍ଧୁଙ୍କର ମଧ୍ୟ ଶିକାର କରିବା ଗୋଟାଏ ବିରାଟ ଝୁଙ୍କ । ତେଣୁ ଆଉ କିଛି ନ ବିଚାରି ସାଙ୍ଗେ ସାଙ୍ଗେ ଗାଡ଼ିରୁ ଡେଇଁଲୁ । ଷ୍ଟାର୍ଟ ବନ୍ଦ କଲୁ ନାହିଁ କିମ୍ବା ଲାଇଟ ଲିଭେଇଲୁନି, କାରଣ ଦେଖାଯିବ ବୋଲି ଟିକେ । ଏମିତି ଗୋଡ଼େଇ କିଛିବାଟ ଆଗେଇଯାଇଚୁଁ, ତା’ପରେ ବାଘଟା ବହୁତ ଉଚ୍ଚକୁ କୁଦାଟାଏ ମାରି ସେ କୁଦ ଆରପାଖକୁ ଚାଲିଗଲ । ଆମେ ମଧ୍ୟ ଆଉ କିଛିବାଟ ଆଗେଇଯାଇ ତାକୁ ଗୋଡ଼େଇ ପାରିଥାନ୍ତୁ; କିନ୍ତୁ ଏତିକିବେଳେ ଗୋଟାଏ ଜୋର ଶବ୍ଦ ଶୁଣାଗଲା । କ’ଣ ଗୋଟାଏ ବାଡ଼େଇ ହବାର ଶବ୍ଦ ଶୁଣି ଆମେ ଫେରିବୁଁ ବୋଲି ଭାବିଲୁଁ । ଯେତେବେଳେ ଆଉ ବାଟ ମିଳିଲାନି, କେମିତି କେଜାଣି ଯୁଆଡ଼େ ଗଲୁଁ ବୁଲିଲୁଁ ଖାଲି । ଏତେ ଅସୁବିଧା ହେଇ ନ ଥାନ୍ତା ଯଦି ସେ ଗାଡ଼ିର ଆଲୁଅ ଦେଖାଯାଇଥାନ୍ତା କିନ୍ତୁ ଗାଡ଼ିର ଆଲୁଅ ଲକ୍ଷ୍ୟ କରି ଯେତେବେଳେ ଖୋଜୁଚୁଁ ରାସ୍ତା, ଆମର ଆଉ ବୁଦ୍ଧି ହେଲାନି ଯେ, ଆଲୁଅଟା ଲିଭିଯାଇଥାଇପାରେ ।

 

‘‘ତା’ପରେ ଆସି ଯେତେ ଖୋଜି ଆଉ ଗାଡ଼ିଟା ପାଇଲୁନି ।’’ ଏପାଖ ସେପାଖ ଅନ୍ଧାରରେ ଦରାଣ୍ଡି ଦେଖିଲୁଁ ଯେ, ଗାଡ଼ିଟା ଘୁଷୁଡ଼ିଯାଇଚି; ହୁଏତ କ’ଣ ଗୋଟାଏ ଧକ୍‌କା ବାଜି ଜିପ୍‌ଟା ପାଖର ସେଇ ଅତଳ ଗହ୍ୱରକୁ ଖସିପଡ଼ି । କେମିତି ହେଲା କିନ୍ତୁ ଆମେ କେହି ବୁଝି ପାରିନୁ ଏ ଯାକେ । କିନ୍ତୁ ମୋର ଏତିକି ମନେଅଛି ଯେ, ଆମେ ଷ୍ଟାର୍ଟ ବନ୍ଦ କରିଥିଲୁଁ । କଣ ହେଇଥାଇପାରେ ବୁଝିହେଉନି । ସରକାରୀ ଗାଡ଼ି ସେଇଟା, କେମିତି ରିପୋର୍ଟ କରିବି ଠିକ୍‌ କରିପାରିନି । ପୁଣି ସେଇଠୁ ଆଉ ନ ଫେରି ଆଉ ଥୋଡ଼ାଏ ବାଟ ଚାଲିଆସି, ଗୋଟାଏ ଟ୍ରକ୍‌ଯାଉଥିଲା, ତାରି ଆଶ୍ରାରେ ଆସିଲୁଁ ।’’

 

ଏକଦମ୍‌ରେ ଏତକ କହି ଚୌଧୁରୀ ନିଃଶ୍ଵାସ ମାରିଲେ । ସୁଖେନ୍ଦୁ ତା’ ପରେ କହିବା ଆରମ୍ଭ କଲେ–

 

‘‘ମୁଁ ଯେ ଆପଣଙ୍କୁ ଜୀବିତ ଅବସ୍ଥାରେ ଦେଖିବି, ଆଉ ଏ ଆଶା କରି ନ ଥିଲି । କାହିଁକି ନା, ଯେତେବେଳେ ଆପଣ ଆସିଲେ, ତା’ପରେ ଆମର ଗୋଟାଏ ଓଜନଦାର ଡମ୍ପର ଲଗ୍‌ନେଇ ଆସିଲା । ସେମାନେ ତ ରାତି ରାତି ଡିଉଟି କରନ୍ତି । କିଛି ବାଟ ଆସିଲା ପରେ ସେ କୁଆଡ଼େ ଆପଣଙ୍କ ଗାଡ଼ିଟା ଆଗରେ ଯାଉଥିବାର ଦେଖିଲା । ପାଖଇ ଆସିଲା ପରେ ହଠାତ୍‌ ସେମାନେ କୁଆଡ଼େ ଦେଖିଲେ ଯେ, ଗାଡ଼ିଟା ଠିକ୍‌ ଯାଉଚି କି ନା ଜାଣିହଉନି । ତା’ପରେ ହଠାତ୍‌ ବ୍ରେକ୍‌ କଷିଲାବେଳକୁ ବ୍ରେକ୍‌ ଛିଡ଼ିଗଲା ଆଉ ଗଡ଼ାଣିଟା ଗଡ଼ିଗଲାବେଳକୁ ଜିପ୍‌ରେ ପିଟି ହେଇ ଜିପ୍‌ଆଗକୁ ଗଡ଼ିଯାଇ ସେ ଅତଳ ଗହ୍ୱକୁ ଖସିପଡ଼ିଲା । ତା’ ପରେ ସେ ଡ୍ରାଇଭରର ନିଶା ଛାଡ଼ିଗଲା । ସେମାନେ ଆପଣ ଖାଇକରି ଚାଲିଆସିବା ପରେ ତ ଖୁବ୍‌ମଦ ପିଇଥିଲେ । ଆଉ ନ ଆଗେଇ ଫେରିଯାଇ ଯେତେବେଳେ ଏ କଥା ଆମ ପାଖରେ ପହଞ୍ଚିଛି, ସେ ଯେ କି ଅବସ୍ଥା ଆମର ତା କହିପାରିବିନି । ସାଙ୍ଗେ ସାଙ୍ଗେ ଲୋକ ପଠାଗଲା ସେ ଜଙ୍ଗଲକୁ ଖୋଜିବାକୁ, କିନ୍ତୁ କିଛି ଲାଭ ହେଲାନି । ମୁଁ ଏକବାରେ ନିରାଶ ହୋଇଗଲା ପରେ କେମିତି ଏ ଖବର ପୋଲିସକୁ ଜଣେଇବି ଏ ଚିନ୍ତା କରୁଚି । ଏଇ ସମୟରେ ମୋର କାହିଁକି ମନ କହିଲା ଯେ, ଆପଣଙ୍କର କିଛି ହେଇନି । ମୁଁ ସେଇଠୁ ଫେରି ଏଠି ଆସି ଖବର ନେଇ ଦେଖେ ଯେ, ଆପଣ ଖୁବ୍‌ ଭଲରେ ବର୍ତ୍ତିଯାଇଛନ୍ତି । ସେ କଥା ମୁଁ ଜଣେଇଦେବା ପରେ ସେ ବାର୍ଣ୍ଣାର୍ଡ଼ ସାହେବ ଗୋଟାଏ ବଡ଼ ଡିନରର ଆୟୋଜନ କରୁଛି କେବଳ ଆପଣଙ୍କ ପାଇଁ । ତା ଛଡ଼ା ସେଇଟା ଯେହେତୁ ସରକାର ଜିପ୍‌, ତେଣୁ ସାଙ୍ଗେ ସାଙ୍ଗେ ନୂଆ ଜିପ୍‌ ଗୋଟାଏ ସରକାରଙ୍କୁ ଦେଇ କେମିତି ଖୁବ୍‌ ଅଳ୍ପକେ କଥାଟା ଛିଣ୍ଡିଯିବ ତା’ର ବନ୍ଦୋବସ୍ତ ଟିକେ କରିବେ ।’’

 

ଏତିକି କହି ସୁଖେନ୍ଦୁ ଚୁପ୍‌ ହେଲେ । ଆଉ ଅନ୍ୟାନ୍ୟ ବିଷୟରେ ପଦ ଦି’ପଦ କଥାବାର୍ତ୍ତା କରି ସୁଖେନ୍ଦୁ, ବିଦାୟ ନେଲେ l ଗଲାବେଳେ ତାଙ୍କୁ ଚୌଧୁରୀ ଭରସା ଦେଲେ ଯେ, କୌଣସିମତେ ସେ ଏଇ ଅସୁବିଧାଟାକୁ ଛଡ଼େଇଦବାର ଚେଷ୍ଟା କରିବେ । ସୁଖେନ୍ଦୁ, ଗଲା ପରେ ତାରଜନ୍‌ ଆସି ପହଞ୍ଚିଲେ ସେଠି । ଅଳ୍ପ ହସି ଚୌଧୁରୀ କହିଲେ ତାକୁ–

 

‘‘ଏଥର ଆମର କାଲି ଧରିଆଣିଥିବା ଜନ୍ତୁଟିକୁ ଆଣ । ତା’ଠାରୁ କିଛି କଥା ଆଦାୟ କରିବାକୁ ଚେଷ୍ଟା କରିବା ।’’

 

ତାରଜନ୍‌ ବୁଝିଲା–ଗଲା କାଲିର ସେଇ ଯେଉଁ ମଧ୍ୟରେ ସାଇକେଲ ଚଢ଼ାଳି ଜଣକୁ ଧରିଆଣିଥିଲା, ତାକୁଇ ଆଣିବାକୁ କହୁଛନ୍ତି । ତାକୁ ଏପର୍ଯ୍ୟନ୍ତ କିଛି ପଚାରିନାହାନ୍ତି; କାରଣ ସେ ଏ ପର୍ଯ୍ୟନ୍ତ ପ୍ରାୟ ନିଶାରେ ବେଳେ ବେଳେ ଅଚେତ ହୋଇପଡ଼ୁଥିଲା । ବର୍ତ୍ତମାନ ତା’ର ନିଶା କଟିଯାଇଥିବ ଆଶା କରି ଡକାଇଲେ । ତାରଜନ୍‌ ସେଇ ଘରକୁ ଯାଇ ଯାହା ଦେଖିଲା, ତା’ର ଆଉ ପାଦ ଚଳିଲା ନାହିଁ । ଦେଖିଲା ବେଳକୁ ସେ ଲୋକଟିର କପାଳ ଭେଦ କରିଚି ଗୁଳି । ତାଜା ରକ୍ତର ଝଲକା ବାହାରିପଡ଼ିଚି ଚଟାଣ ଉପରେ । ସେ ଶୋଇଯାଇଚି ମୁହଁ ମାଡ଼ି ।

 

ଦଉଡ଼ିଯାଇ ଚୌଧୁରୀଙ୍କୁ ଖବର ଦେଲା ତାରଜନ୍‌ । ଚୌଧୁରୀ ଆସି ଦେଖିସାରିଲା ପରେ ଏକପ୍ରକାର କାଠ ପାଲଟି ଗଲେ । ସଦ୍ୟ ରକ୍ତଗୁଡ଼ାକ ଦେଖି ମନେହେଲା ଏଇ କେଇଟି ମୁହୂର୍ତ୍ତ ତଳେ ଯେମିତି କିଏ ଏହା କରିଦେଇ ଯାଇଚି । ବହୁ ଯତ୍ନର ସହିତ ଶବଟିକୁ ପରୀକ୍ଷା କଲେ ଚୌଧୁରୀ । କିନ୍ତୁ ତାଙ୍କର ତଥାପି ବିଶ୍ୱାସ ହେଉ ନ ଥାଏ ଯେ, ଏପରି ଗୋଟାକ ପରେ ଗୋଟାଏ ପରାଜୟ ସେ ବରଣ କରି ଚାଲିଥିବେ । ତାଙ୍କର ଘରୁ ତାଙ୍କରି ଉପସ୍ଥିତିରେ କିଏ ମାରି ଚାଲିଗଲା, ଜଣା ପଡ଼ିଲାନି । କିଛି ସୂତ୍ର ଆଦାୟ କରିବେ ବୋଲି ସେ ଯୋଉ ପରିମାଣରେ ଆଶାୟୀ ହେଇଉଠିଥିଲେ, ଶତ୍ରୁ, ସେତକ ଶେଷ କରିଦେଇ ଚାଲିଯାଇଚି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଯେ, କେମିତି ଏହା ସମ୍ଭବ ହେଲା ? ତା’ହେଲେ କଣ ସେ ସୁଖେନ୍ଦୁଙ୍କ ସହିତ କଥାବାର୍ତ୍ତା ହେଉଥିବା ଭିତରେ ଏ କାମଟା ଶେଷ ହେଇପାରିଚି ?

 

କ୍ରମେ ତାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଇଆସିଲା । ମନେହେଲା, ସେ ଯେମିତି ଶତ ଅନିଚ୍ଛାସତ୍ତ୍ୱେ ଗୋଟାଏ ନିତାନ୍ତ ଅସମ୍ଭବ କଥାକୁ ବିଶ୍ଵାସ କରିବାକୁ ବାଧ୍ୟ ହେଉଛନ୍ତି । ଆଉ କାଳ ବିଳମ୍ବ ନ କରି ସମସ୍ତ ରକମର ଆନୁସଙ୍ଗିକ କାର୍ଯ୍ୟ ଶେଷ କରି ପୋଲିସକୁ ଖବର ଦେଇ ଲାସ୍‌ ଉଠେଇବାର ବନ୍ଦୋବସ୍ତ କଲେ । ଲାସ୍‌ ଉଠେଇନେଲାବେଳେ ଦେଖାଗଲା ସେ ଗୋଟିଏ ଚିଠି ସେଠି ପଡ଼ିଚି । ଚୌଧୁରୀ ଆଉ ସମୟ ନ ଦେଇ ସାଙ୍ଗେ ସାଙ୍ଗେ ଖୋଲି ବସିଲେ ଚିଠିଟା । ଲେଖାଅଛି–

 

‘‘ମି: ଚୌଧୁରୀ,

 

ଆଉ ନ ଆଗେଇବାକୁ ଶେଷ ଅନୁରୋଧ । ଏଇଟା ଆପଣ ଆଦେଶ ବୋଲି ମଧ୍ୟ ଧରିନେଇପାରନ୍ତି ।’’

 

ଏତିକି ମାତ୍ର ଲେଖାଯାଇ ତଳେ ସେଇ ବିଚିତ୍ର ଖବର ମୋହରଟା । ଚୌଧୁରୀ ଭୟ ନ ପାଇଲେ ବି କେମିତି କେଜାଣି ତାଙ୍କର ମୁଣ୍ଡ ଘୁରିଗଲା । ଶତ୍ରୁ, ଯେ ନିଶ୍ଚିତ ଭାବରେ ଯଥେଷ୍ଟ ବୁଦ୍ଧିମାନ, ଏଥିରେ ସନ୍ଦେହ ନାହିଁ । କ’ଣ ଭାବି ସେ ତାରଜନକୁ ପରାରିଲେ–

 

‘‘ଆଚ୍ଛା, ମୁଁ ଯେତେବେଳେ ଗପ କରୁଥିଲି, ତମେ ସେତେବେଳେ କୋଉଠି ଥିଲ ?’’

 

‘ମୁଁ ଲାବୋରେଟାରୀରେ ଥିଲି’ ବୋଲି ଉତ୍ତର ଦେଲା ତାରଜନ୍‌ । ତା’ପରେ ଆଉ କିଛି ନ କହି ଚୌଧୁରୀ ନୀରବ ରହିଲେ । ହଠାତ୍‌ କ’ଣ ମନେକରି ଘଣ୍ଟା ଦେଖନ୍ତି ତ ରାତି ଦଶଟା ବାଜିବାକୁ ପନ୍ଦର ମିନିଟ୍‌ ବାକି । ସାଙ୍ଗେ ସାଙ୍ଗେ ତାରଜନକୁ କହିଲେ ପ୍ରସ୍ତୁତ ହେଇପଡ଼ିବାକୁ । ନିଜେ ଆବଶ୍ୟକ ଜିନିଷପତ୍ର ଧରି ଅତି ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହେଇପଡ଼ିଲେ । ତାରଜନକୁ ଗାଡ଼ିରେ ପେଟ୍ରୋଲ ଉର୍ଭି କରି ଚେକ୍‌ଅପ କରିବାକୁ କହି ନିଜେ ଟେଲିଫୋନ ସଂଯୋଗ କଲେ ମି: କନୱାରଙ୍କ ସହିତ ।

 

ଚୌଧୁରୀ କ୍ୱାଟର ଛାଡ଼ି ବାହାରିବାବେଳକୁ ରାତି ଦଶଟା । ତାରଜନକୁ ଯିବାପାଇଁ ନିର୍ଦ୍ଦେଶ ଦେବାକୁ ଯାଇ କହିଲେ–

 

‘‘କ୍ୟାମ୍ପ ନମ୍ବର ଦୁଇଆଡ଼େ ଯିବା ।’’

 

ତାରଜନ୍‌ ହଠାତ୍‌ ବୁଝିପାରିଲାନି । ତାକୁ ବୁଝାଇଦେଲେ ଚୌଧୁରୀ ଯେ, ଯୋଉଠିକି ସେ ଆଉ ଅଜୟ ଉଭୟ ନେଇ ଚାଲିଯାଇଥିଲେ ସୁଖେନ୍ଦୁଙ୍କ ଗାଡ଼ିକୁ । ତାରଜନର ଏତିକିବେଳକେ ମନେପଡ଼ିଲା ! ଆଉ ମନେପଡ଼ିଗଲା ସେଦିନର ସେ ଦୃଶ୍ୟ । କି ବିରାଟ ଆକାରର ସେ ପଶୁ । ଏଭଳି ଜୀବ ସେ କେବେ ଦେଖିବାର ସୁଯୋଗ ପାଇନି । ଗୋଟାଏ ବିରାଟ ଗଛଭଳି ଗୋଟିଏ ଜାଗାରୁ ଅନ୍ୟଜାଗାକୁ ସେ ଘୁଞ୍ଚିଯାଉଥାଏ । ସେଦିନଠାରୁ ଚୌଧୁରୀ ଚିନ୍ତା କରୁଥିଲେ, ସେପରି ଏକ ଜନ୍ତୁକୁ ଦୂରରୁ ଦେଖିବେ ବୋଲି ଏତେଗୁଡ଼ାଏ ବାଟ ଯିବାପାଇଁ ସେଥିଲାଗି ବାହାରିଚନ୍ତି । ତାରଜନ୍‌ ଗତି ବଢ଼େଇଲା ଗାଡ଼ିର ।

 

ସେଇ ପୂର୍ବୋକ୍ତ ରେଷ୍ଟସେଡ୍‌ ପାଖରେ ପହଞ୍ଚିଲାବେଳକୁ ରାତି ପ୍ରାୟ ସାଢ଼େ ବାରଟା । ନିଘଞ୍ଚ ଜଙ୍ଗଲ ଆଖି ଆଗରେ । ଚାରିଆଡ଼ କିଟି କିଟି ଅନ୍ଧାର । ଚଉକିଦାରକୁ ଡାକି ଗାଡ଼ିଟାକୁ ଭିତରେ ରଖିଦେଲେ । ତା’ପରେ ବିଶ୍ରାମ ନବାର ଉପକ୍ରମ କଲେ ସେ ଦୁହେ । ସେମାନଙ୍କୁ ରହିବାର ନାଗା ଦେଖେଇଦେଇ ଚଉକିଦାର ଚାଲିଯାଉଥିଲା, କ’ଣ ଚିନ୍ତା କରି ଚୌଧୁରୀ ତାରଜନକୁ ଇସାରା ଦେଲେ ତାକୁ ଡାକିବାକୁ ।

 

ଲୋକଟା ଆସିଲା । ଚୌଧୁରୀ ତାକୁ ମହମବତୀ ଜାଳିବାକୁ ଦିଆସିଲି ଅଛି କି ନା ବୋଲି ପଚାରିଲେ । ଲୋକଟି ହଁ ଭରିଲା । ସେଇ ଦିଆସିଲି ଦବା ଭିତରେ ତାକୁ ମାମୁଲି ଆଉ ଗୋଟିଏ ଦୁଇଟି କଥା ପଚାରିଲେ ଏବଂ ଇଆଡ଼େ ଇଲେକ୍‌ଟ୍ରିକ ଆସିନାହିଁ ବୋଲି ବୁଝିଲେ । ଏହି ସ୍ଥାନଟିର ପାୟ ପଚିଶ ମାଇଲ ଦୂରରୁ ସିଆଡ଼କୁ ବିଦ୍ୟୁତ୍‌ ସରବରାହ ଅଛି । ଦୁଇ ତିନି ଥର ଦିଆସିଲି ଲିଭିଗଲା ପରେ ପୁଣି ମହମବତୀ ଜଳିଲା । ତା’ପରେ ଚୌଧୁରୀ ଖଣ୍ଡେ ସିଗାରେଟ୍‌ ଖାଇବାକୁ ମନ ବଳାଇଲା । ଦି’ ତିନି ଥର ଜୋରରେ ଟାଣିଦେବା ମାତ୍ରେ ଦେଖାଗଲା ଚୌକିଦାରଟିର ଆଖି ବୁଜିହୋଇଆସୁଛି । ପୁରାପୁରି ଟଳିପଡ଼ିବା ଆଗରୁ ଧରି ପକେଇଲା ତାରଜନ୍‌ । ତା’ପରେ ଧୀରେ ଧରି ଶୁଆଇଦେଲା ସେ ଜଗୁଆଳିଟିକୁ । ଅଳ୍ପକେ ଇସାରା ଦେଲେ ଚୌଧୁରୀ । ସେଇ ଅନୁଯାୟୀ ତାରଜନ୍‌ ଚୌକିଦାର ଘରଆଡ଼େ ମୁହାଁଇଲା । ମୁହଁକୁ ମୁହଁ ଦିଶୁନି । ଚାରିଆଡ଼ୁ ସତେ ଯେମିତି ଖାଲି ଅନ୍ଧାର ମାଡ଼ିଆସିଲା ଭଳି ଲାଗୁଛି । ପ୍ରଥମେ ଚୌକିଦାରର ଘରପାଖରେ ତାରଜନ୍‌ କାନ ପାରିଲା, ସବୁ ଶୂନଶାନ୍‌ ଭାବି ସେଇଠୁ ଲାଇଟ୍‌ ଜାଳିଲା । ଘର ଖାଲି-। କିନ୍ତୁ ଭିତରେ ବୋଝେ ଜିନିଷପତ୍ର ଖେଳାମେଳା ହୋଇ ଜମା ହୋଇ ପଡ଼ିଚି । ବିଶେଷ କିଛି ଆଉ ଦର୍ଶନୀୟ ଜିନିଷ ନ ପାଇ ଭାବିଲା ଯେ, ଏମିତି ଗୋଟାଏ ସନ୍ଦେହ କରିବାର କିଛି ଆବଶ୍ୟକତା ନ ଥିଲା ।

 

ହଠାତ୍‌ସବୁ ଜିନିଷପତ୍ର ନିରୀକ୍ଷଣ କରି ଦେଖୁ ଦେଖୁ ତାରଜନ୍‌ ଗୋଟିଏ ଛୋଟିଆ ପିସ୍ତଲ ଭଙ୍ଗା ଟିଣ ସୁଟ୍‌କେଶ ଭିତରୁ ଦେଖି ପକାଇଲା । ତା’ପରେ ତା’ର କୌତୂହଳ ବଢ଼ିଲା । ଏଭଳି ଗୋଟାଏ ଚୌକିଦାରର ଘରେ ଗୋଟାଏ ପିସ୍ତଲ ରହିବାର ଆବଶ୍ୟକତା କ’ଣ ? ହୁଏତ ହୋଇପାରେ-ଜଙ୍ଗଲରେ ରହିବାଦ୍ୱାରା ସବୁବେଳେ ଆତ୍ମରକ୍ଷା ପାଇଁ କିଛି ଗୋଟାଏ ଦରକାର । କିନ୍ତୁ ଏଭଳି ସମୟରେ ତାରଜନକୁ ସେଇଟା ଅପ୍ରାକୃତିକ ମନେହେଲେ । ପୁଣି ଆହୁରି ଦି ଗୁଣ ଉତ୍ସାହରେ ସେ ଖୋଜି ଚାଲିଲା । ମଳିଆ କୋତରା ଲୁଗା କେଇଖଣ୍ଡକୁ ଟାଣି ଓଟାରି ପକେଇଲାବେଳେ ଗୋଟିଏ କ’ଣ ହାତକୁ ଚୁମୁଟି ଦେଲାଭଳି ଲାଗିଲା । ପ୍ରଥମେ କିଛି ବୁଝିପାରିନି ତାରଜନ୍‌, ତା’ପରେ ଭାବିଲା ଯେ, କୌଣସି ବଣୁଆ ପୋକ ବା ବିଛା କାମୁଡ଼ି ଦେଇଥାଇପାରେ । କିନ୍ତୁ ସେ ଲୁଗାଗୁଡ଼ାକ କାଢ଼ିଦେଲ ପରେ ତା’ଆଖିରେ ପଡ଼ିଲା ଦି’ଖଣ୍ଡ ଛୋଟ ଛୋଟ ତାର କାନ୍ଥରୁ ବାହାରିଛି । କାନ୍ଥରୁ ଦି’ଟା ତାର ବାହାରିବାର କାରଣ କ’ଣ ହୋଇପାରେ, ଏଇଆ ପୁଣି ତା’ର ପୋକ କାମୁଡ଼ାଟାକୁ ୟା ସାଙ୍ଗରେ ସଂଯୋଗ କରିବସିଲା ସେ । ପୁଣି କ’ଣ ଭାବି ତାର ଦିଟାକୁ ସଂଯୋଗ କରି ସେ ଦେଖିଲା ଯେ ଇଲେକ୍‌ଟ୍ରିକ୍‌ ଭଳି ସ୍ପାର୍କ ହଉଚି । ଏଥର ସେ ନଶ୍ଚିତ ହୋଇଗଲା ଯେ, ଏଠି ନିଶ୍ଚୟ କିଛି ବିଦ୍ୟୁତ୍‌ଶକ୍ତିର କାରୁକାର୍ଯ୍ୟ ରହିଛି ଗୁପ୍ତଭାବରେ । ଚୌଧୁରୀଙ୍କୁ ନେଇ ସେ ଖୁବ୍‌ ଶୁଭ ସମ୍ବାଦଟାଏ ଦବ ବୋଲି ବିହ୍ୱଳ ହୋଇପଡ଼ିବା ସଙ୍ଗେ ସଙ୍ଗେ ତାଙ୍କର ଅନୁମାନକୁ ତାରିଫ୍‌ ନ କରି ରହିପାରିଲାନି ।

 

ସେତେବେଳକୁ ତାରଜନ୍‌ ବୁଝି ପାରି ନ ଥାଏ ଯେ, ଏଇ ତାର ଦି’ଟାକୁ ସଂଯୋଗ କରିବା ଫଳରେ ସେ କେତେ ବଡ଼ ଭୁଲଟାଏ କରିପକେଇଚି ଯାହା ଫଳରେ କି ତା’ ଚାରିକଡ଼ରେ ଏକ ବିରାଟ ଚକ୍ରାନ୍ତ ରୂପ ନେଉଛି । ଆଉ କିଛିଟା ମାତ୍ର ଅନୁସନ୍ଧାନ କରି ସେ କିଛି ବିଶେଷ ଜାଣିବାଭଳି ନ ପାଇଲାରୁ ବାହାରକୁ ଚାଲିଆସିବାକୁ ବସିଥିଲା, ହଠାତ୍‌ ଦୂରରୁ କେଇଜଣ କୁଦା ମାରି ଦଉଡ଼ି ଆସିବା ଭଳି ଜଣାଗଲା । କିଛି ଆଉ ବୁଝି ପାରିଲାନି ତାରଜନ୍‌ । କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ । ଏତେ ବଡ଼ ବୋକାମି ସେ କରିବ ବୋଲି ତା’ର ଧାରଣା ନ ଥିଲା । ଆଉ କିଛି ଉପାୟ ନ ପାଇ ସେ ଘରର ମହମବତୀ ଲିଭାଇ ଦେଇ ଗୋଟାଏ ଫାଲର କବାଟ ବନ୍ଦ କରିଦେଲା, ଆଉ ଗୋଟିଏ ପାଖ କେବଳ ଖୋଲା ରଖି ତା’ର କଡ଼ରେ ଠିଆ ହୋଇ ରହିଲା ଅନ୍ଧାରରେ । ସେ କେଇଜଣ ଆସି ଦୁଆର ମୁହଁରେ ଠିଆହେଇ କେତେ ପ୍ରକାରର କ’ଣ ସଙ୍କେତ ଦେଲେ । ତାରଜନ୍‌ ମନରେ ଭାବୁଥିଲା, ସେ ସଙ୍କେତର କିଛି ଗୋଟାଏ ପ୍ରତ୍ୟୁତ୍ତର ଦେବ ବୋଲି । କିନ୍ତୁ ପରମୁହୂର୍ତ୍ତରେ ଭାବିଲା କାଳେ ଯଦି ଭୁଲ୍‌ ହୋଇଯିବ, ତା’ହେଲେ ଅବସ୍ଥା ଆହୁରି ଖରାପ । ବରଂ ଏମିତି ରହିବାକୁ ସେ ଉଚିତ ମନେକଲା ।

 

ଦସ୍ୟୁଦଳ ନଶ୍ଚିତ ହେଇଗଲେ ଯେ, ୟା ଭିତରେ ନିଶ୍ଚୟ ତାଙ୍କ ଲୋକ ନାହିଁ; ନିଶ୍ଚୟ ଅନ୍ୟ କେହି ଅଛି । ତେଣୁ ସେ ଘର ଭିତରେ ପ୍ରବେଶ କରିବାକୁ ଆରମ୍ଭ କଲେ । ଯେହେତୁ ଗୋଟାଏ ଫାଳ କବାଟ ଦିଆ ହୋଇଥାଏ କେବଳ ଜଣ ଜଣ କରି ତା ଭିତରକୁ ପଶିହବ । ସେମାନେ ପଶିବାର ଉପକ୍ରମ କରିବା ମାତ୍ରେ ତାରଜନ୍‌ ପକେଟରୁ ଗୋଟିଏ ଛୋଟ ଶିଶି ଆଉ ରୁମାଲଟାଏ ଧରି ରଖିଲା ହାତରେ । ଜଣେ ଠିକ୍‌ ସେ କବାଟ ଭିତର ଦେଇ ଭିତରକୁ ପଶିବା ମାତ୍ରେ ସେଇ ଅନ୍ଧାର ଭିତରେ ସେ ଆଲୋକ ଜାଳିବା ଆଗରୁ ତା ମୁହଁରେ ହାତ ପକେଇ ସେ ରୁମାଲ ମିଶା ପାଟି ବନ୍ଦ କରିଦେଲା ତାରଜନ୍‌ । ତେଣୁ ମାତ୍ର ୫ ସେକେଣ୍ଡ ଭିତରେ ସେ ଟଳିପଡ଼ିଲା । ତା ପରେ ପରେ ଆଉ ଜଣେ ପଶିଆସିବା ମାତ୍ରେ ଠିକ୍‌ ସେଇଭଳି ତାକୁ ଧରି ବେହୋସ କରିଦେଲା । ଏମିତି ପ୍ରାୟ ସାତଜଣ ଖଣ୍ଡେ ପଶିଆସିଲେ । ଆଉ ସେମାନଙ୍କ ଫେରିବାର କୌଣସି ଶବ୍ଦ ନ ଶୁଣି ସେ ଦଳର ନେତା ଯିଏ ସେ ବାହାରେ ଠିଆ ହେଇ ବ୍ୟସ୍ତ ହେଇଉଠିଲ । ତା’ପରେ କ’ଣ କେମିତି ସଙ୍କେତ ଦେଲା । କିନ୍ତୁ କିଛି ପ୍ରତ୍ୟୁତ୍ତର ନପାଇ ସେ ରାଗରେ ଗର୍ଜିଉଠିଲା–

 

‘‘ଭିତରେ କିଏ ଅଛ, ବାହାରି ଆସ, ନ ହେଲେ କୁକୁର ପରି ଗୁଳି କରି ମାରିବି ।’’ ତାରଜନ୍‌ ସେଇ ଝରକା ଜଳା ବାଟେ ଚାହିଁ ଦେଖିଲା, ଆଉ ଦୁଇଜଣ ବିଶାଳକାୟ ପୁରୁଷ ଠିଆ ହେଇ ରହିଚନ୍ତି, ହାତରେ ପିସ୍ତଲ । ସେମାନଙ୍କର ଆଉ ଭିତରକୁ ପଶିବାର କୌଣସି ଆଶା ନ ଦେଖି ତାରଜନ୍‌ ଅନ୍ୟ ଏକ ଉପାୟ ଚିନ୍ତା କରିବାକୁ ଲାଗିଲା । କିଛିକ୍ଷଣ ପରେ ଆଉ ଥରେ ସେମିତି ସେ ଲୋକଟା ଗର୍ଜ୍ଜନ କଲା । କିନ୍ତୁ ପ୍ରତ୍ୟୁତ୍ତର ନ ପାଇବାରୁ ଭିତରକୁ ପ୍ରବେଶ କରିବାକୁ ସେ ମନସ୍ଥ କଲା । ଯେତେହେଲେ ବି ତାରଜନର ରକ୍ତ ନିଶ୍ଚୟ ଅନ୍ୟ କିଛି ଉପାଦାନରେ ତିଆରି । ଯେକୌଣସି ଲୋକ ହୁଏତ ଧୈର୍ଯ୍ୟର ପ୍ରକାଶ କରିଥାନ୍ତି; କିନ୍ତୁ ଏଇ କୁକୁର ଶବ୍ଦଟା ଶୁଣିସାରିଲା ପରେ ତା’ର ରକ୍ତରେ ନିଆଁ ଲାଗିଯାଇଥାଏ । ଯେତେହେଲେ ସେ ବଣର ସିଂହ ବାଘ ସାଙ୍ଗରେ ଲଢ଼ି ସେଇ ଉପାଦାନରେ ତିଆରି ହୋଇଛି । ଜିଭଟାକୁ କଳରେ ଭର୍ତ୍ତି କରି ସେ ଆଉ ଥରେ ସେଇ ଜଳାବାଟେ ଚାହିଁ ଦେଖିଲା, ଜଣେ ଅନ୍ୟ ଜଣକୁ କହୁଚି–

 

“ଗୁରୁ ! ଏଥର ଭିତରକୁ ମୁଁ ଯାଉଚି । ଆପଣ ଥାଆନ୍ତୁ ।’’ ଅନ୍ୟ ଲୋକଟା ଏକ ବିଶାଳ ବପୁ ନେଇ ଠିଆ ହୋଇଥାଏ । ସେ ଉତ୍ତର ଦେଲା–

 

‘‘ନା, ତୁ ଟର୍ଚ୍ଚ ମାର ଆଉ ତୋ ପିସ୍ତଲଟା ଦେ । ମୁଁ ଦି’ଟା ପିସ୍ତଲ ଧରି ଚାଲୁଚି । ତୁ ଆଲୁଅ ଦେଖା । ତାକୁ କୁକୁର ଭଳି ଆଜି ମାରିବି, ତା’ପରେ ଦେଖିବି ସେ କେତେବଡ଼ ସାହସୀ ।’’

 

ସତକୁ ସତ ତାରଜନ୍‌ ଦେଖିଲା, ସେ ଦୁହେ ସେହିପରି ଧରି ଆଗେଇବା ଉପରେ । ତାରଜନ୍‌ ଭାବିଲା ସେ ଆଉ କାଳ ବିଳମ୍ବ ନ କରିବା ଉଚିତ । କୁକୁର ଭଳି ମାରିବାକୁ ପଡ଼ିବ ସେ ଦୁହିଙ୍କୁ, ଯାହା ସେ ତାରଜନକୁ କହୁଚି । ଏଇଆ ଭାବି ତାରଜନ୍‌ ଦେଖିଲା ସେଇ କାନ୍ଥର ଝରକା ସିଧାରେ ଦୁହେ ଠିଆ ହେଇଛନ୍ତି । ଶତ ସିଂହର ବଳ ନେଇ ଗୋଟାଏ ଧକ୍‌କା ମାଇଲା ସେ ଝରକାକୁ । ବିରାଟ ଖଣ୍ଡେ ପଥର ଭଳି, ଖାଲି ଝରକାଟା ନୁହେଁ, କାନ୍ଥଟା ଯାଇ ଛେଚି ହେଇଗଲା ସେଇ ପିସ୍ତଲ ଧରିଥିବା ଲୋକ ଉପରେ । ଏକ ଅସ୍ପଷ୍ଟ ଆର୍ତ୍ତନାଦ କରି ସେ ପଡ଼ିଗଲା । ତା’ ଉପରେ କାନ୍ଥରୁ ବିରାଟ ଖଣ୍ଡେ । ଆର ଲୋକଟା ଉପରେ ମଧ୍ୟ କାନ୍ଥର ଖଣ୍ଡେ ଛିଟିକି ଯାଇ ପଡ଼ିଲା ସତ; କିନ୍ତୁ ସେ ଖସିଗଲା ତା ତଳୁ । ହେଲେ ତାରଜନ୍‌ ସେଥିପାଇଁ ମୋତେ ବ୍ୟସ୍ତ ହେଲାନି, କାରଣ ସେ ଲୋକଟା ହାତରେ ପିସ୍ତଲ ନ ଥାଏ । ନିଜ ପାଖରେ ମଧ୍ୟ ପିସ୍ତଲ ଅଛି ବୋଲି ତାରଜନ୍‌ ଭୁଲିଗଲା । ଏକା ଖେପାକେ ଯାଇ ଠିକ୍‌ ଛୋଟ କୁକୁଡ଼ାଛୁଆଟି ଭଳି ଗୋଟାଏ ଗୋଡ଼ରୁ ଟେକି ତାକୁ ଧରି ପକେଇଲା । ଆଉ ଆର ହାତରେ କାନ୍ଥ ତଳୁ ଆର ଲୋକଟାକୁ ଉଠେଇ ଆଣିଲା । ସେତେବେଳକୁ ସେ ଲୋକଟା ମଲା ଅବସ୍ଥାକୁ ଚାଲିଆସିଥାଏ । ଦୁଇଜଣଙ୍କୁ ଗୋଟାକ ଉପରେ ଗୋଟାଏ କଚିବାକୁ ଆରମ୍ଭ କଲା ସେ । ଏଇ ସମୟରେ କାନ୍ଥ ପଡ଼ିବା ଶବ୍ଦ ଶୁଣି ଦୂରରୁ ଚୌଧୁରୀ ଆସି ଦେଖନ୍ତି ତ ଏଇ ଅବସ୍ଥା । କୌଣସିମତେ ତାରଜନକୁ ଅଟକେଇବାରୁ ତା’ର ରାଗ ଦମନ କରି ସେ ଅଳ୍ପକେ ସବୁକଥା କହିଗଲା ।

 

ଅତି ଶୀଘ୍ର ସେ ଲୋକଗୁଡ଼ାଙ୍କର ବେହୋସ ଦେହକୁ ବଙ୍ଗଳାର ଗୋଟିଏ ରୁମ୍‌ରେ ପକେଇ ଅତି ଭଲ ଭାବରେ ନିବୁଜ କରି କବାଟ ବନ୍ଦ କରି ତାଲା ଦେଇଦେଲେ ଏବଂ ଯାଇ ସେ ତାର ଦୁଇଟିକୁ ପରୀକ୍ଷା କରିସାରିବା ପରେ ଚୌଧୁରୀଙ୍କ ମୁହଁରେ ହସ ଖେଳିଗଲା । ଉଭୟେ ଜଙ୍ଗଲର ସେଇ ଭିତର ଆଡ଼କୁ ଆଗେଇଲେ ।

 

ତାରଜନ୍‌ ସେଇ ପୂର୍ବ ପରିଚତ ସ୍ଥାନକୁ ନେଇଗଲା । ଦୂରରୁ ଦେଖିଲେ ଉଭୟେ । ସେଇ ମସ୍ତବଡ଼ ଆକୃତିର ଜୀବ ଠିକ୍‌ ଗଛ ଉଚ୍ଚର ଠିଆ ହେଇଚି । ଚାରିପଟଯାକ ଘେରି ବସିଥାନ୍ତି ପ୍ରାୟ ପଚାଶ ଜଣ ଖଣ୍ଡେ ଅନୁଚର । କିଛି ଗୋଟାଏ ସଭାରେ ଭୀଷଣ ହେଲାଭଳି ଜଣାପଡ଼ୁ ଥାଏ-। ଆଉ ପାଖକୁ ଯିବାଟା ବିପଦ ଭାବି ଦୁହେ ଗୋଟାଏ ଘଞ୍ଚ ବୁଦା ଆଢ଼ୁଆଳରେ ନିଜକୁ ଲୁଚାଇ ରଖିଲେ । ଚୌଧୁରୀ ଛୋଟ ବାଇନୋକୁଲାରଟି କାଢ଼ି ନିରୀକ୍ଷଣ କରି କ’ଣ ଦେଖିବାକୁ ଲାଗିଲେ । ତା’ପରେ ସରୁ ତାରଟିଏ କାଢ଼ି ଗୋଟିଏ ଗୋଡ଼ି ବାନ୍ଧି ସାମାନ୍ୟ ଦୂରକୁ ଛାଟିଦେଇ ତା’ର ସ୍ପିକରଟିକୁ କାନ ପାଖରେ ଧରିବାରୁ ଦୂରରେ ହେଉଥିବା ସମସ୍ତ କଥାବାର୍ତ୍ତା ଶୁଣାଗଲା ସ୍ପଷ୍ଟଭାବେ-

 

ପ୍ରଥମେ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଯେ, ସେଇ ଅଦ୍ଭୁତ ବିରାଟକାୟ ଜୀବଟା ମଧ୍ୟ ମନୁଷ୍ୟଭାଷାରେ କଥା କହୁଚି । ସେ କହୁଥାଏ–

 

‘ମୁଁ ଜାଣେ, ତମେମାନେ ସମସ୍ତେ ଗୋଟାଏ ଗୋଟାଏ ଅପଦାର୍ଥ । ମୁଁ ତମ କାହାକୁ ଛାଡ଼ିବିନି । ଦି’ଟା ଲୋକ ଗୋଟାଏ ଜିପ୍‌ରେ ଯାଉଥିଲେ, ତାଙ୍କୁ ମାରିପାରିଲାନି; ସେ ବଞ୍ଚିଗଲେ । ଭ୍ୟାଂକ୍ରୋଭାର ଭଳି ଗୋଟିଏ ଅସ୍ତ୍ରକୁ ଆମର କିଏ ମାରିଦେଲା, ତମେ ତା ଜାଣିପାରିଲନି । ବର୍ତ୍ତମାନ ଯୋଉ ବେଲ୍‌ବାଜିଲା ଡାକବଙ୍ଗଳାରୁ, ଏତେଜଣ ଗଲେ, କେହି ଏ ପର୍ଯ୍ୟନ୍ତ ସିଗ୍‌ନାଲ୍‌ ବେଲ୍‌ ଦେଲେ ନାହିଁ । କ’ଣ ହେଲା ବି ସେଠି ବୁଝି ହେଲା ନାହିଁ । ମୁଁ ଚାହେଁ, ତମ ସମସ୍ତଙ୍କୁ ତଣ୍ଟି ଚିପି ମାରିବି ।’’

 

ଏଇ କଥା ଉପରେ ସେଠି ବସିଥିବା ଜଣେ ଲୋକ କହିଲା, ‘ସର୍ଦ୍ଦାର, ମତେ ଟିକେ ଏଇ ବଙ୍ଗଳା ପାଖରୁ ଆସିବାକୁ ଦିଅନ୍ତୁ । ମୁଁ ଯାଇଁ ସାଙ୍ଗେ ସାଙ୍ଗେ ସିଗନାଲ୍‌ ।’’

 

‘ବେଶ୍‌ ତମେ ଯାଅ, ଦେଖ, ସେମାନେ କ’ଣ କରୁଛନ୍ତି । ଯଦି ବେଶୀ କିଛି ବିପଦ ହୋଇଥାଏ, ତା’ହେଲେ ଦି’ଟା ବେଲ୍‌ଦେବ । ଯଦି ସବୁ ସୁବିଧାରେ ଥିବ, ତା’ ହେଲେ ଗୋଟାଏ ବେଲ୍‌ଦବ । ତା’ପରେ ସେମାନେ ଆସିଲେ ତାଙ୍କର ବିଚାର କରାଯିବ ।’

 

ଏଇ କଥା ପରେ ଲୋକଟା ଉଠିଲା । ଚୌଧୁରୀ ତାରଜନ୍‌କୁ ଇସାରା ଦେବା ମାତ୍ରେ ସେ ମଧ୍ୟ ଲୁଚି ଲୁଚି ଚାଲିଗଲା । ସେ ଯିବା ପରେ ଚୌଧୁରୀ ଶୁଣିଲେ, ସେଇ ଜୀବଟା ପୁଣି ଚିତ୍କାର କରୁଚି–

 

‘ସାତ ନମ୍ବର କାହିଁ ?’

 

ତା କଥା ଅନୁଯାୟୀ, ସାତ ନମ୍ବର ଯାହାର, ସେଇ ଭିତରୁ ଜଣେ ଉଠି ଠିଆହେଲା ।

 

‘ତମେ ସେଦିନ ଭ୍ର୍ୟାକ୍ରୋଭାରକୁ ନେଇପାରିଲନି ସେ କ୍ୟାମ୍ପକୁ । ସେଥିପାଇଁ ତାକୁ କିଏ ମାରିଦେଲା, ଜଣାପଡ଼ିଲାନି ।’ ଏତିକି କହି ସେ ଜୀବଟା ସେଇଆଡ଼କୁ ଆଗେଇଆସିଲା । ତା’ର ବିଶାଳକାୟ ହାତରେ ଠିକ୍‌ ଫୁଲଟିଏ ଭଲ ସେ ସାତ ନମ୍ବରକୁ ଟେକି ଧରିଲା । ଖାଲି ବିଲେଇ ଶବ୍ଦ କଲାଭଲି ଚେଁ କରି ଶବ୍ଦଟା ହେଲା । ତା’ପରେ ଚୌଧୁରୀ ଦେଖିଲେ, ଲୋକଟା ଛିଟ୍‌କି ଆସି ପ୍ରାୟ ତାଙ୍କ ଲୁଚିବା ଜାଗାରୁ ଦଶ ହାତ ଦୂରରେ ପଡ଼ିଲା । ସେ ବିଶ୍ଵାସ କରିପାରିଲେନି ଯେ, ଗୋଟାଏ ମଣିଷକୁ ଟୋକା ଭଳି କୌଣସି ଗୋଟାଏ ଶକ୍ତି ଏମିତି ଫିଙ୍ଗିଦେଇପାରେ । କେବଳ ତାରଜନ୍‌ ଉପରେ ତାଙ୍କର ଭରସା ଥିଲା । କିନ୍ତୁ ଏ କ୍ଷେତ୍ରରେ ତାରଜନ୍‌ ଯେ ଆଉ କିଛି ତା’ଠାରୁ ଅଧିକ କରିପାରିବ, ତାହା ସେ ବିଶ୍ଵାସ କଲେ ନା । ବେଶ୍‌ କିଛିକ୍ଷଣ ଗଲା ପରେ ବି ଦେଖିଲେ ସେ ଲୋକଟା ହଲଚଲ ହଉନି । ଆସ୍ତେ ଆସ୍ତେ ସାହସ କରି ତା ପାଖକୁ ଆଗେଇଲେ । ହାତରେ ଥିବା ରୁମାଲଟାରେ କେତେ ବୁନ୍ଦା ଗୋଟାଏ ଶିଶିରୁ ଢାଳି ଧରି ପାଖକୁ ଗଲେ । କିନ୍ତୁ ଲୋକଟା ହୋସ୍‌ଥିଲା ଭଳି ଜଣାପଡ଼ିଲାନି । ଯାଇ ପାଖରେ ଦେଖନ୍ତୁ ତ ଲୋକଟା ମରିଯାଇଚି । ସେଇ ଅନ୍ଧାର ଭିତରେ କିଛିକ୍ଷଣ ପରୀକ୍ଷା କରିବା ପରେ ମି: ଚୌଧୁରୀଙ୍କ ମୁହଁରେ ସାମାନ୍ୟ ହସ ଫୁଟିଉଠିଲା । ସତେ ଯେମିତି ଗୋଟାଏ ମସ୍ତବଡ଼ ମୂଲ୍ୟବାନ ପଦାର୍ଥ ସେ ପାଇଚନ୍ତି । ଠିକ୍‌ ଏତିକିବେଳେ ସେ ଅନୁଭବ କଲେ ଯେ, ସତେ ଯେମିତି ଇଲେକ୍‌ଟ୍ରିକ ବଜର୍‌ ଭଳି ଥରଟାଏ କ’ଣ ଶବ୍ଦ ହେଲେ । ସେ ବିରାଟକାୟ ଜୀବଟି ଘୋଷଣା କଲା ଯେ, ତାଙ୍କର ଆଉ ଚିନ୍ତା କରିବାର ନାହିଁ-। ବଙ୍ଗଳା ପାଖରୁ ଭଲ ଖବର ଆସିଚି ଏବଂ ସେ ଯିଏ ଯାଇଥିଲା, ତାକୁ ସାତ ନମ୍ବରକୁ ପ୍ରମୋସନ୍‌ ଦିଆଯିବ । ପୁଣି ତା’ର ଗୁରୁଗମ୍ଭୀର ସ୍ୱର ଶୁଣାଗଲା–

 

‘ଶୁଣ ! ପଅରଦିନ ଆମର ତିନିଯାକ କ୍ୟାମ୍ପର ଏକାଠି ବୈଠକ ହବ । ମାଲିକ କହିଚି ଯେ ଗୋଟାଏ ବିରାଟ ଭୋଜି ହବ । କାହିଁକି, ଜାଣ ? ସେଇଦିନ ଗୋଟିଏ ସବୁଠାରୁ ଭଲ ଦୃଶ୍ୟ ସେ ଆମକୁ ଦେଖେଇବ । କିନ୍ତୁ ଦେଖ, କାଲିଠାରୁ ଆମର କାମ ବହୁତ କମିଯାଇଚି । ଆଜି ରାତିସାରା ମାଲ ଯୋଗାଡ଼ କରିବାକୁ ପଡ଼ିବ । କାଲି ଦିନ ଆଉ ରାତି, ଯେତେ କାଠ ଆଉ ଚିଜ ଯୋଗାଡ଼ କରାଯାଇପାରେ । ପଅରଦିନ ଆମର ବୈଠକ ଏଇ କ୍ୟାମ୍ପରେ ବସିବ । ସମସ୍ତେ ଏଠିକି ଆସିବେ । କିନ୍ତୁ ତା ଆଗରୁ ଆମର ଯୋଗାଡ଼ କରିଥିବା ଜିନିଷ ନେଇ ଫ୍ୟାକ୍‌ଟରୀରେ ଦେଇଆସିବାକୁ ପଡ଼ିବ ।’

 

କଥାଟା କେମିତି ସରିଆସିଲା ଭଳି ଲାଗିଲା ଚୌଧୁରୀଙ୍କୁ । ହୁଏତ ଆଉ ଅଳ୍ପ ସମୟ ଭିତରେ ସେ ଆସର ସରିଯିବ । କାରଣ ତା’ର ଶେଷ ଆଦେଶ ଶୁଣା ଗଲା–‘ସାତ ନମ୍ବରଟାକୁ ନେଇଯାଇ ଭ୍ୟାକ୍ରୋଭର ନମ୍ବର ଦୁଇ ଆଗରେ ପକେଇଦିଅ ।’

 

ଚୌଧୁରୀ ଆଉ ଡେରି କରିବାକୁ ଚାହିଁଲେ, ହୁଏତ ସେ ନିଜେ ମଧ୍ୟ ଭ୍ୟାକ୍ରୋଭାର ଆଗରେ ପଡ଼ିପାରନ୍ତି । ସେଭଳି ଅଦ୍ଭୁତ ଜୀବକୁ ସେ ଦେଖି ନ ଥିଲେ ମଧ୍ୟ ତାରଜନ୍‌ ଠୁଁ ତା’ର ପ୍ରକୃତି ସମ୍ବନ୍ଧରେ ଶୁଣିଛନ୍ତି । ଜୀବନବିକଳରେ ଖୁବ୍‍ ସନ୍ତର୍ପଣରେ ଦଉଡ଼ି ପଳେଇଗଲେ । ଯାଇ ବଙ୍ଗଳା ପାଖରେ ପହଞ୍ଚିଲାବେଳକୁ ଦେଖିଲେ ନିର୍ଦ୍ଦିଷ୍ଟ ସ୍ଥାନରେ ତାରଜନ୍‌ ତାଙ୍କୁ ଅପେକ୍ଷା କରିଚି ! ଚୌଧୁରୀ ଅଳ୍ପକେ ଇସାରା ଦେଲାମାତ୍ରେ ଗାଡ଼ି ବାହାର କଲା ତାରଜନ୍‌ । ଚୌଧୁରୀ ପଚାରିଲେ

 

‘‘ଏତେଗୁଡ଼ାଏ ଲୋକଙ୍କୁ ସେଠି ପକେଇ ଦିଆଯାଇଚି ବେହୋସ କରି । ସେମାନେ ଯେତେବେଳେ ଜାଣିବେ ଯେ, ଏଭଳି କିଏ ତାଙ୍କ ପଛରେ ଲାଗିଛି, ତା’ହେଲେ ବେଶୀ ସଜାଗ ହେଇଯିବେ । ତା’ଛଡ଼ା ଏତେ ଲୋକଙ୍କୁ ବି ତ ନବା ସମ୍ଭବ ନୁହେଁ ।’’

 

ତାରଜନ୍‌ ଉତ୍ତର ଦେଲା–

 

‘‘ସେଇ ବଙ୍ଗଳାର ଗୋଟାଏ ଘର ଭିତରେ ସମସ୍ତଙ୍କୁ ପକେଇ ତାଙ୍କୁ ଆଉ ଟିକେ ହାଇ ଡୋଜ୍‌ ଦେଇଦେଇଚି, ଯେମିତିକି ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଚେତା ଫେରିବନି । ତା’ଛଡ଼ା ଏଇ ବଙ୍ଗଳାର ଗୋଟିଏ ରୁମ୍‌ରେ ଦେଖିଲି ଅନେକଗୁଡ଼ିଏ ମଦବୋତଲ ଥୁଆ ହେଇଚି । ତାକୁ ସବୁ ଆଣି ସବୁଥିରେ ଟିକେ ଟିକେ ରଖିଦେଇ ସେଠି ଖୋଲି ଥୋଇ ଦେଇଚି; ଆଉ ତାଙ୍କ ମୁହଁ ପୋଷାକ ସବୁ ଉପରେ ଢାଲିଦେଇଚି ।’’

 

ତା’ର ଏଇ ବୁଦ୍ଧିକୁ ଚୌଧୁରୀ ପ୍ରଶଂସା ନ କରି ରହିପାରିଲେନି । ସେତେବେଳକୁ ଗାଡ଼ି ଷ୍ଟାର୍ଟ ହେଇସାରିଥାଏ ।

 

ଘରେ ଆସି ପହଞ୍ଚିଲାବେଳକୁ ପ୍ରାୟ ସକାଳ ସାତଟା ବାଜିଯାଇଥାଏ । ସେତେବେଳକୁ ଅଜୟ ବମ୍ବେରୁ ଫେରି ବିଶ୍ରାମ କରୁଥାନ୍ତି । ଚୌଧୁରୀ ଓ ତାରଜନ୍‌ ଆହୁରି ବ୍ୟଗ୍ର ହୋଇପଡ଼ି ନିଜର ନିତ୍ୟକର୍ମ ସାରିବାକୁ ବାହାରିଗଲେ ।

 

ବୃଦ୍ଧ ଛୋଟରାୟଙ୍କର ଅବସ୍ଥା ଦିନକୁ ଦିନ କ୍ରମଶଃ ବେଶୀ ଖରାପ ଆଡ଼କୁ ଗତି କରିବା ଆରମ୍ଭ କରି । ଡାକ୍ତର ମଧ୍ୟ ତାଙ୍କୁ ସଚେତବାଣୀ ଶୁଣେଇଚନ୍ତି, ଆଉ ତାଙ୍କର ପ୍ରଧାନ କରିବା ମଧ୍ୟ କଣ ହେବା ଉଚିତ ସେକଥା କହିସାରିଚନ୍ତି । ତେଣୁ ଛୋଟରାୟ ଗତ ରାତିରେ ମନସ୍ଥ କରିଛନ୍ତି, ଆଜି ସେ ଦାୟିତ୍ଵ ମୁଣ୍ଡରୁ ଓହ୍ଲାଇଦେବେ । ସେଥିପାଇଁ ସକାଳୁ ବାରିଷ୍ଟର ନୀହାରବାବୁଙ୍କ ନିକଟକୁ ସେ ଖବର ପଠେଇଛନ୍ତି । ସେ ମଧ୍ୟ ବର୍ତ୍ତମାନ ଆସି ପହଞ୍ଚିବେ । ତାଙ୍କରି ଅପେକ୍ଷାରେ ବସିଛନ୍ତି ବୃଦ୍ଧ ଛୋଟରାୟ ।

 

କେତେକ୍ଷଣ ପରେ ବାରିଷ୍ଟର ନୀହାରବାବୁ ଆସି ପହଞ୍ଚିଗଲେ । ସୁଶ୍ରୀ ତରୁଣ ନ ହେଲେ ବି ତାରୁଣ୍ୟ ଅତିକ୍ରମ କରିଯାଇନି ପୂରା ଭାବରେ । ତାଙ୍କର ପ୍ରାଥମିକ ଚର୍ଚ୍ଚା ପରେ ଛୋଟରାୟ ଆରମ୍ଭ କଲେ ତାଙ୍କର କାର୍ଯ୍ୟ, ଯାହାକୁ ସଂକ୍ଷେପରେ ଏପକ କୁହାଯାଇପାରେ–

 

ବୃଦ୍ଧ ଛୋଟରାୟଙ୍କର ଅତୁଳ ବିଭବର ପରିଣାମ, ବଂଶର ଶେଷ ଆଶା ଶୁଭେନ୍ଦୁଙ୍କର ଅଘଟଣ ପରେ କଣ ହେବ ? ସେ ବର୍ତ୍ତମାନ କେବଳ ସେଇଥିପାଇଁ ପ୍ରକାରାନ୍ତରେ ବେଶୀ ବିବ୍ରତ ହୋଇପଡ଼ିଛନ୍ତି । ତାଙ୍କର ପ୍ରାଇଭେଟ୍‌ ଡକ୍ଟର ତାଙ୍କୁ ଉପଦେଶ ଦେଇଛନ୍ତି ଯେ, ଯେତେ ଶୀଘ୍ର ସେ ସେଇ ଦାୟରୁ ମୁକ୍ତ ନ ହେଇଚନ୍ତି, ହୁଏତ ତାଙ୍କର ଅବସ୍ଥା ବେଶୀ ଖରାପଆଡ଼କୁ ଗତି କରିବା ସ୍ଵାଭାବିକ । ଆଜି ସେ ସେଇଥିପାଇଁ ନୀହାରବାବୁଙ୍କୁ ଡାକିଚନ୍ତି ସମସ୍ତ କାଗଜପତ୍ର, ଉଇଲ, ଦଲିଲ ହସ୍ତାନ୍ତର କରିବେ ସୁଖେନ୍ଦୁଙ୍କୁ । ଯଦିଓ ସେ ସଂସାର କରିନାହାନ୍ତି ତଥାପି ବୃଦ୍ଧଙ୍କର ଇଚ୍ଛା ସେ ତାଙ୍କ ଅନ୍ତେ ସେ ସମ୍ପତ୍ତି ଯାହା କରନ୍ତୁ, କିନ୍ତୁ ବଞ୍ଚିଥିବା ଅବସ୍ଥାରେ ତ ଆଉ କାହାକୁ ଦେଇଯାଇପାରିବେନି । ଆଜି ସେ ଦାୟରୁ ମୁକ୍ତ ହେଇସାରିଲା ପରେ ସେ ଭାବୁଛନ୍ତି କିଛିଦିନ ଭାରତର ବିଭିନ୍ନ ସ୍ଥାନରେ ବୁଲିବେ, ତୀର୍ଥ କରିବେ ଓ ତା ସଙ୍ଗେ ସଙ୍ଗେ ନିଜର ଶେଷ ଜୀବନକୁ କିଛିଟା ଏଇଭଳି ବ୍ୟସ୍ତ ରଖିପାରିଲେ ଶୁଭେନ୍ଦୁଙ୍କୁ ସେ ଭୁଲିପାରିବେ । ତାଙ୍କର ଏକ ଉଦ୍ଦେଶ୍ୟ ସେ କନ୍‌ୱାରଙ୍କୁ ମଧ୍ୟ ଗତ ରାତିରେ ଟେଲିଫୋନ୍‌ ଯୋଗେ ଜଣେଇ ଦେଇଥିଲେ ।

 

ସେ ଯାହା ହେଉ, ନୀହାରବାବୁ ସବୁ ବୁଝି ଯଥାବିଧି ଆଲୋଚନା ଆରମ୍ଭ କଲେ । କାଗଜପତ୍ରରେ ଯାହା ଲେଖାଲେଖି ହେବା କଥା ପ୍ରାୟ ଲେଖା ହୋଇଗଲା । ସେଗୁଡ଼ିକ ଖାଲି ଛୋଟରାୟ ଦସ୍ତଖତ କରିସାରିଲେ ନୀହାରିବାବୁ ନେଇଯିବେ । ହଠାତ୍‌ ଏଇ ସମୟରେ ନୀହାରବାବୁଙ୍କ ଘରୁ ଟେଲିଫୋନ୍‌ ଆସିଲା, ତାଙ୍କର ସାନପୁଅ କୋଠା ସିଡ଼ିରୁ ଖସିପଡ଼ିଚି, ତାକୁ ଡାକ୍ତରଖାନା ନବାକୁ ଗାଡ଼ି ଦରକାର । ନୀହାରବାବୁ ଆଉ କାଳବିଳମ୍ବ ନ କରି ସେ କାଗଜପତ୍ର ସେଇଠି ଛାଡ଼ିଦେଇ ବିଦାୟ ନେଇ ଚାଲିଆସିଲେ ।

 

ଇଆଡ଼େ ସୁଖେନ୍ଦୁ ମଧ୍ୟ ବିବ୍ରତ । ଏକେ ତ ବାପା ଘର ଛାଡ଼ି ଚାଲିଯିବେ । ତା’ଛଡ଼ା ଏତେଗୁଡ଼ାଏ କାମ ସେ କେବଳ କର୍ତ୍ତବ୍ୟ ଦୃଷ୍ଟିରୁ କରୁଥିଲେ । ଏସବୁର ଦାୟିତ୍ଵ ନବାକୁ ସେ ସେ ମୋଟେ ଚାହାଁନ୍ତି ନାହିଁ । ତେଣୁ ତାଙ୍କ ନାଁରେ ଏସବୁ ସମ୍ପତ୍ତି ହବାକୁ ସେ ଅତି ଦୃଢ଼ତାର ସହିତ ବିରୋଧ କରୁଥିଲେ । କିନ୍ତୁ କିଛି ଫଳ ହେଲାନି । ବୃଦ୍ଧଙ୍କର ଯୁକ୍ତି ପାଖରେ ସୁଖେନ୍ଦୁଙ୍କର ଦୃଢ଼ତା ହାର ମାନିଲା । ଯେମିତି ହେଲେ ବି ସେ ଘର ଛାଡ଼ି ତୀର୍ଥ କରିବାକୁ ଯିବେ । ତେଣୁ ତାଙ୍କ ପାଇଁ ଗୋଟିଏ ଗାଡ଼ି ଓ ଡ୍ରାଇଭର ତଥା ଜଣେ ଚାକର ଛଡ଼ା ଅନ୍ୟାନ୍ୟ ଆନୁଷଙ୍ଗିକ ବନ୍ଦୋବସ୍ତ ପାଇଁ ସୁଖେନ୍ଦୁ ଲାଗିପଡ଼ିଛନ୍ତି ।

 

X X X

 

ସକାଳୁ କନ୍‌ୱାରଙ୍କ ଘରେ ଏକ ପ୍ରାତଃକାଳୀନ ଜରୁରୀ ବୈଠକ ବସିଥିଲା କହିଲେ ଚଳେ । ଚୌଧୁରୀ, ଅଜୟ, ତାରଜନ୍‌ ଓ କନୱାର କେବଳ ଉପସ୍ଥିତ ଥିଲେ ସେଠି । ଦୀର୍ଘ ଦୁଇ ଘଣ୍ଟାର ଏକ ବିଶଦ ଆଲୋଚନା ପରେ ଚୌଧୁରୀ ଯେଉଁ ଅନୁଯାୟୀ କହିଲେ, ସେଇ ଅନୁଯାୟୀ ସମସ୍ତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ କନୱାର ଦୃଢ଼ ପ୍ରତିଶ୍ରୁତି ଦେଲେ । ବୈଠକ ସେତିକିରେ ଶେଷ ହେଲା, ଆଉ ସମସ୍ତେ ଉଠିଲେ ନିଜ ନିଜର ଗୁରୁ ଦାୟିତ୍ୱ ନେଇ । ସବୁଠାରୁ ବଡ଼ ଦାୟିତ୍ୱ କନୱାରଙ୍କ ଉପରେ ନ୍ୟସ୍ତ କରାଯାଇଚି । ଆଜି ତାଙ୍କର ଚାକର ଜୀବନର ସବୁଠାରୁ ମସ୍ତବଡ଼ ପରୀକ୍ଷାର ଦିନ । ହୁଏ ତ ଆଜିର ଅଭିଯାନ ଯଦି ସଫଳ ହୁଏ ତା’ହେଲେ ସେ ସମସ୍ତ ଗୌରବଟୀକା ନେଇ ତାଙ୍କର ଚାକର ଜୀବନରେ ନିଜକୁ ପ୍ରତିପାଦିତ କରିପାରିବେ ।

 

ସେଇଦିନ ଅପରାହ୍ନ ତିନିଟା ସୁଦ୍ଧା ତାରଜନ୍‌, ଚୌଧୁରୀ ଓ ଅଜୟ ପ୍ରସ୍ତୁତ ହେଇପଡ଼ିଲେ । ଆଜି ସେମାନଙ୍କର ମଧ୍ୟ ଏକ ଚରମ ପରୀକ୍ଷାର ଦିନ । ଏତିକିବେଳେ କନୱାରଙ୍କ ଗାଡ଼ି ଆସି ତାଙ୍କ ଘରେ ଲାଗିଲା । ଅଳ୍ପକେ ସେ ତାଙ୍କର କାର୍ଯ୍ୟର ସୂଚନା ଦେଇଦେଲେ । ତା’ପରେ ଚୌଧୁରୀ ଉପଦେଶ ଦେଲେ । କନୱାରଙ୍କୁ ଆଗରୁ ଯାଇ ସେଇ ବ୍ୟବସ୍ଥା ସବୁ ଦେଖିନବାକୁ । ସେଇ ଅନୁଯାୟୀ କନୱାର ଚାଲିଗଲେ । କେତୋଟି ଉପଦେଶ ଦେଇସାରିବା ପରେ ଚୌଧୁରୀ ମଧ୍ୟ ମଟର ସାଇକେଲ ଖଣ୍ଡିକ ଧରି ବାହାରିଗଲେ ସେଇ ପୂର୍ବବର୍ଣ୍ଣିତ କ୍ୟାମ୍ପ ନମ୍ବର ଦୁଇକୁ, ଯୋଉଠି ଭ୍ୟାକ୍ରୋଭାରକୁ ମାରିଆସିଥିଲା ତାରଜନ୍‌ । କ୍ୟାମ୍ପ ନମ୍ବର ତିନିରେ, ଯୋଉଠି ସଭା ହବ, ସେଠିକୁ ତାରଜନ୍‌ ଆଉ ଅଜୟ ଚାଲିଲେ ।

 

ଚୌଧୁରୀ ଖୁବ୍‌ ବେଗରେ ମଟର ସାଇକେଲ ଛୁଟାଇ ଚାଲିଥାନ୍ତି । ମନରେ ଅନେକ ଉତ୍କଣ୍ଠା ନେଇ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲାବେଳକୁ ରାତି ପ୍ରାୟ ସାତଟା । ମଟର ସାଇକେଲଟିକୁ ସେହିପରି ଏକ ଜଙ୍ଗଲରେ ଲୁଚାଇ ଦେଇସାରିଲା ପରେ ଖୁବ୍‌ ସନ୍ତର୍ପଣରେ ସେଠୁ ବାହାରିଲେ । ସେଇ ନଦୀର ଧାର ଟପି ସେ ଯିବାକୁ ଇଚ୍ଛା କରୁଚନ୍ତି, ଏଇ ସମୟରେ ଦେଖିଲେ ପାଖରୁ କୋଉଠୁ ଟ୍ରକ୍‌ ଷ୍ଟାର୍ଟ କରିବାର ଶବ୍ଦ ହେଲା । ଟିକେ ପାଖକୁ ଯାଇ ଦେଖନ୍ତି ତ ତିନିଟା ଟ୍ରକ୍‌ ଯିବା ଉଦ୍ଦେଶ୍ୟରେ ଏବଂ ସେଥିରେ ବେଶ୍‌ କିଛି ଜିନିଷ ଲଦାହୋଇଥିଲା ଭଳି ଜଣାପଡ଼ୁଚି । ତା ଛଡ଼ା ପ୍ରାୟ ୧୫ ଜଣ ଖଣ୍ଡେ ଲୋକ ସେଠି ଜମାହୋଇଥାନ୍ତି । ଚୌଧୁରୀ ବର୍ତ୍ତମାନ କଣ କରିବେ ଠିକ୍‌ କରିପାରିଲେନି । ହୁଏତ ଖୁବ୍‌ ଶୀଘ୍ର ସେ ଧରାପଡ଼ିଯାଇପାରନ୍ତି । ତେଣୁ ଅତି ସନ୍ତର୍ପଣରେ ସେ ଲୋକଗୁଡ଼ିଙ୍କର କଥାଭାଷାରୁ ବୁଝିଲେ, ସେମାନେ ଫ୍ୟାକଟରୀକୁ ଯାଉଚନ୍ତି । ସେଠି ମାଲ୍‍ ଦେଇସାରିଲା ପରେ ବୈଠକକୁ ଯିବେ । ଦିନଟାଯାକ ଆଜି ବହୁତ ପରିଶ୍ରମ କରି ସେଭଳି ସଂଗ୍ରହ କରିସାରିବା ପରେ ଯଥେଷ୍ଟ ପରିମାଣରେ ମଦ ପିଇ ମଉଜ ଉଦ୍ଦେଶ୍ୟରେ ବାହାରଚନ୍ତି । ଏତିକିବେଳେ ଜଣଙ୍କର କଣ୍ଠସ୍ଵର ବା ଶୁଣା ଗଲା–

 

‘ଏଥର ଯିବା, ଆଉ କିଏ ରହିଲେ କି ନା ?’

 

ଆଉ ଜଣେ କହିଲା, ‘କେବଳ ସାତଜଣ ରହିଚନ୍ତି କ୍ୟାମ୍ପ କରିବାକୁ । ବାକି ସବୁ ଆସିଗଲେ ।’

 

‘ତା’ହେଲେ ଚାଲ, ଏଗୁଡ଼ାକ ସବୁ ଫ୍ୟାକ୍‌ଟରୀରେ ପକେଇଦେଇ ସେଠୁ, ଚାଲିଯିବା । ଆମେ ପହଞ୍ଚିସାରିଲା ପରେ ସର୍ଦ୍ଦାର ବି ଫ୍ୟାକ୍‌ଟରୀ ପାଖରେ ଅପେକ୍ଷା କରିଥିବ ଯିବାକୁ ।’

 

ଚୌଧୁରୀ ଭାବିଲେ, ଅତି ସହଜରେ ଏଇ କ୍ୟାମ୍ପଟିକୁ ଆୟତ୍ତ କରିହବ ବର୍ତ୍ତମାନ । ମାତ୍ର ସାତଜଣ ଗାର୍ଡ଼ ରହିଛନ୍ତି; ତାଙ୍କୁ ଆୟତ୍ତ କରିବାକୁ ମାତ୍ର କେତେ ସମୟ ? ଏଇ କଥା ଭାବି ସେ ଆଗ ମଟରସାଇକେଲ ପାଖକୁ ଆସିଲେ । କାରଣ କିଛି ଦୂରରେ ତାଙ୍କ ନିର୍ଦ୍ଦେଶରେ ପୋଲିସ ଜଗୁଆଳି ଲୁଚି ରହିଛନ୍ତି, ତାଙ୍କୁ ଖବର ଦବାକୁ ପଡ଼ିବ । ଆସି ଯାହା ଦେଖିଲେ ତାଙ୍କ ମଥା ଘୁରିଗଲା । ତାଙ୍କର ରଖିବା ସ୍ଥାନରେ ମଟର ସାଇକେଲ ନାହିଁ । ପ୍ରଥମେ ହତଭମ୍ୱ ହେଇ ସେ ଟିକେ ଖୋଜିବା ଆରମ୍ଭ କଲେ । କିନ୍ତୁ ବିଧିର ବିଧାନ ଅନ୍ୟ ପ୍ରକାର । ପଛଆଡ଼ୁ ଗୋଟିଏ ଗୁରୁଗମ୍ଭୀର ସ୍ୱର ଶୁଣାଗଲା-‘ଆଉ ତମ ବୁଦ୍ଧିର ପରକାଷ୍ଠା ଦେଖାଅ ନା, ବନ୍ଧୁ ! ଏଥର ହାତ ଟେକ-।’ ଚୌଧୁରୀ ଚମକି ପଡ଼ି ଚାହିଁଲାବେଳକୁ ଦୁଇଟା ପିସ୍ତଲ ତାଙ୍କ ଆଡ଼କୁ ଅନେଇ ରହିଛି । ଚୌଧୁରୀ ଏଠି ପ୍ରତିବାଦ କରିବା ବୋକାମି ଭାବି ହାତ ଟେକିଲେ ।

 

ଖୁବ୍‌ଶକ୍ତ ଭାବରେ ତାଙ୍କୁ ବାନ୍ଧିଦେଇସାରିବା ପରେ ଜଣେ କଏ ନିର୍ଦ୍ଦେଶ ଦେଲା, ସେଇ ଟ୍ରକ୍‌ର ଡାଲା ଉପରେ ତାଙ୍କୁ ପକେଇଦବାକୁ । ସେଇଆ ହିଁ ହେଲା । ଶକ୍ତି ବିହୀନ ହୋଇ ଚୌଧୁରୀ ପଡ଼ିସାରିବା ପରେ ଟ୍ରକ୍‌ଚାଲିଲା ।

 

ବେଶ୍‌କିଛି ସମୟ ଗଲା ପରେ ଟ୍ରକ୍‌ ଆଉ ଗୋଟିଏ ଘାଟ ରୋଡ଼ ଦେଇ ଜଙ୍ଗଲ ଭିତରକୁ ପ୍ରବେଶ କଲା । ଚୌଧୁରୀ ବୁଝି ପାରିଲେ ଯେ, ସେ ବୋଧହୁଏ ସୁଖେନ୍ଦୁଙ୍କର ଫାର୍ମକୁ ଯିବାର ରାସ୍ତା । ଚୌଧୁରୀ ସହ ତାଙ୍କର ଅନୁମାନ ପାଇଁ ଖୁସି ହେଲେ, ତଥାପି ଆଉ କିଛି କରିବାର ନାହିଁ ଭାବି ଚୁପ୍‌ ରହିଲେ । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଗାଡ଼ି ରହିଲା । ସେ ଶୁଣିଲେ ଅନେକ ଲୋକଙ୍କର କୋଳାହଳ । ଏତିକିବେଳେ ଦୁଇଜଣ ଲୋକ କାର୍‌ରେ ଆସି ପହଞ୍ଚିଲେ । ଚୌଧୁରୀ ରହିଥିବା ଟ୍ରକରୁ ଓହ୍ଲାଇ ଜଣେ ସଲାମ ବନେଇ କହିଲ, ‘ସାହାବ, ଆମର ସେ କ୍ୟାମ୍ପକୁ ଜଣେ ଯାଇ ପିଛା କରୁଥିଲା । ତାକୁ ଜିଅନ୍ତା ଧରିଆଣି ଚୁଁ ଖାସ୍‌ ଆପଣଙ୍କ ବିଚାର ପାଇଁ ।’’

 

ଆର ଲୋକଟି ବୋଧହୁଏ ରାଗରେ ଗର୍ଜ୍ଜି ଉଠିଲା-‘ଆଚ୍ଛା, ଏତେଦୂର ଆସ୍ପର୍ଦ୍ଧ ! ମୁଁ ତାକୁ ଦେଖେଁ ।’ କହି ସେ ବୋଧହୁଏ ଗାଡ଼ି ଉପରକୁ ଆସିଲା । ଚୌଧୁରୀ ବେହୋସ ହେବାର ଛଳନା କରି ଆଖି ବୁଜି ରହିଲେ । ଅନୁଭବ କଲେ, ଲୋକଟା ଗୋଟାଏ ଟର୍ଚ୍ଚ ପକେଇ ଦେଖିଲା । ତା’ପରେ ଆହତ ସିଂହ ପରି ଗର୍ଜ୍ଜନ କରିଉଠିଲା–

 

‘ଆଜି ତା’ହେଲେ ଆସରଟା ଠିକ୍‌ ଜମିବ । ଠିକ୍‌ ଲୋକକୁ ଆଣିଚ ତମେମାନେ । ହୁଏତ ଦି’ଟାରେ ଭ୍ୟାକ୍ରୋଭରର ପେଟ ପୂରି ନ ଥାନ୍ତା । ଏଇଟା ବି କାମ ଦବ । ହେଲେ ୟା’ ସାଙ୍ଗର ଦି’ଟା ବି କୋଉଠି ଆସିଥିବେ ନିଶ୍ଚୟ ।’

 

‘ନାଇଁ ସାହେବ, ଆମେ ଖୁବ୍‌ଭଲ କରି ଦେଖିଛୁଁ, କେବଳ ଏକା ଥିଲା ।’

 

‘ଆଚ୍ଛା ! ଆଜି ଦେଖିବ ସେ ମୋର ପରାକ୍ରମ । ବେଶ୍‌, ତମେମାନେ ଗାଡ଼ି ଅନ୍‌ଲୋଡ୍‌କର ।’

 

ସତକୁ ସତ ସମସ୍ତେ ଲାଗିଗଲେ ଗାଡ଼ିରୁ ମାଲ ଓହ୍ଲେଇବାରେ । ଚୌଧୁରୀ ଥିବା ଟ୍ରକ୍‌ଡାଲାରୁ ତାଙ୍କୁ ସେମିତି ଉଠେଇ ତଳକୁ ପକେଇ ଦିଆଗଲା ଗୋଟିଏ କଡ଼କୁ, କାରଣ ସେଇ ଟ୍ରକରୁ ଜିନିଷ ମଧ୍ୟ ଖଲାସ୍‍ କରିବାକୁ ପଡ଼ିବ । ଚୌଧୁରୀ ବର୍ତ୍ତମାନ ନିଜର ଭୁଲ ବୁଝିପାରିଲେ । ନିତାନ୍ତ ଅପରିଣାମଦର୍ଶୀ ଭଳି ସେ ଆଜି ଧରାପଡ଼ି ଜୀବନ ଦେବାକୁ ଯାଉଚନ୍ତି । ତାଙ୍କର ଆଖି ଭୟରେ ବୁଜିହୋଇ ଆସିଲା । କିନ୍ତୁ ତାଙ୍କୁ କିଛି ନା କିଛି କରିବାକୁ ପଡ଼ିବ । ନ ହେଲେ ସମସ୍ତ ଯୋଜନା ପଣ୍ଡ ହୋଇଯିବ । ଏତିକିବେଳେ ସେ ଦେଖିଲେ ଯେ ପ୍ରାୟ ଦୁଇ ଚାରି ହାତ ଦୂରରେ ଗୋଟାଏ କ’ଣ ଛୋଟ ନିଆଁ ଭଳି ଦିଶୁଚି । ସେ ବୁଝିଲେ ଯେ କାମ କଲାବେଳେ କେହି ସିଗାରେଟ୍‌ ଖାଇ ଫୋପାଡ଼ିଦେଇଚି । ଆଉ କାଳ ବିଳମ୍ବ ନ କରି ସେମାନେ ସେଯାକେ ମୁଁ ଗଡ଼ିଗଲେ ଚୌଧୁରୀ । ସିଗାରେଟ୍‌ର ଆକାର ଦେଖି ସେ ସାମାନ୍ୟ ଚିନ୍ତିତ ହୋଇପଡ଼ିଲେ ଯେ, ଏତେ ଟିକେ, ପୂରା ଜଳିଯିବା ଭିତରେ କିଛି ତ କରି ହବନି । କ’ଣ ଭାବି ସେଇଠି ପଡ଼ି ଫୁଙ୍କି ଫୁଙ୍କି ଦୁଇ ଖଣ୍ଡ ଶୁଖିଲା ପତ୍ର ଆଣି ସେଇ ସିଗାରେଟ୍‌ ମୁହଁ ପାଖରେ ରଖିବାରେ ସେ ମଧ୍ୟ ଜାଳିବାକୁ ଲାଗିଲା । ତାକୁ ଆଢ଼ୁଆଳ କରି ନିଜର ହାତ ପାଖର ଦଉଡିକୁ ସେଥିରେ ଦେଖେଇଲେ । ତାଙ୍କର ଆଶା ସଫଳ ହେଲା । ଗୋଟାଏ ପାଖର ଦଉଡ଼ି ପୋଡ଼ିଯାଇ ଛିଣ୍ଡି ଗଳା । ସେହିପରି ଆର ହାତଟିର ମଧ୍ୟ ପୋଡ଼ିଦେଲେ । ଆଉ କିଛି ଦରକାର ନାହିଁ ଭାବି ପୁଣି ପୂର୍ବ ସ୍ଥାନରେ ଆସି ପଡ଼ି ରହିଲେ । କେଇଟି ମୁହୂର୍ତ୍ତ ମଧ୍ୟରେ ସବୁ ଜିନିଷ ଭିତର ସରିଳା ପରେ ସାହେବ ନାମକ ବ୍ୟକ୍ତି ବହୁତ ଖୁସି ହବାର ଜଣାଗଲା । ତା’ପରେ ଯିବାକୁ ଆଦେଶ ଦେଲା । ଆଉ କଡ଼ା ନିର୍ଦ୍ଦେଶ ଦେଲା ଯେ, ଚୌଧୁରୀଙ୍କୁ ଯେମିତି ଖୁବ୍‌ ଜଗି କରି ନିଆଯାଏ । କାର୍‌ଟା ଆଗରେ ଚାଲିଗଲା ପରେ ଟ୍ରକ୍‌ଗୁଡ଼ାକ ଷ୍ଟାର୍ଟ କଲେ । ଚୌଧୁରୀଙ୍କୁ ପୁଣି ଉଠେଇ ସେଇ ଟ୍ରକ୍‌ଡାଲାରେ ପକାଗଲା । ଏଥର ହାକିମର ହୁକୁମ ମାନି ଆଉ ଦୁଇଜଣ ମଧ୍ୟ ଜଗି କରି ବସିଲେ ଚୌଧୁରୀଙ୍କୁ । ସେ ନିଦରେ ଶୋଇବାର ଛଳନା କରୁଥାନ୍ତି । ଠିକ୍‌ ଗାଡ଼ି ଚାଲିବାର କିଛି ସମୟ ପରେ ଚୌଧୁରୀ ଦେଖିଲେ ମଦନିଶା ସେମାନଙ୍କୁ ସାମାନ୍ୟ ଘାରିଛି । ତେଣୁ ଢୋଳେଇବା ଆରମ୍ଭ କରିଛନ୍ତି ଦି’ଜଣ ଯାକ । ଚୌଧୁରୀ ତଳେ ଯେ ଆଉ ଡେରି କରିବା ଆଦୌ ଉଚିତ ନୁହେଁ । ଅତି ସନ୍ତର୍ପଣରେ ପକେଟ୍‌ରେ ହାତଟିକୁ ଭର୍ତ୍ତି କରି ଗୋଟିଏ ଛୋଟ ଶିଶି କାଢ଼ି ପବନର ଦିଗ ପରୀକ୍ଷା କରି କିଛି ଦୂରରେ ଜଣକର ନାକ ପାଖରେ ଧରିଲେ । ସେଇ ପବନ ତା ନାକରେ ବଜିବାମାତ୍ରେ ବେଶ୍‌ କିଛିଟା ନିଦ ଆସିଗଲା ତାକୁ-। ଅନ୍ୟ ଜଣକୁ ମଧ୍ୟ ଠିକ୍‌ ସେଇପର ନିଦ କରେଇଦେଲେ ଚୌଧୁରୀ । ଦୁହିଙ୍କର ଦେହ କ୍ରମେ ଢଳିପଡ଼ିଲା ସେଇଠି । ଚୌଧୁରୀ ସଜାଗ ହେଇଉଠିଲେ । ସଙ୍ଗେ ସଙ୍ଗେ ବନ୍ଧା ହେଇଥିବା ଦଉଡ଼ିକୁ ପୂରା ଖୋଳିଦେଇ ଠିକ୍‌ ସେଇଭଳି ଆଉ ଥରେ ବାନ୍ଧିହୋଇପଡ଼ି ଦଉଡ଼ିର ମୁହଁ ଦି’ଟାକୁ ନିଜ ଆୟତ୍ତରେ ରଖିନେଲେ ଯେମିତିକି ଦରକାର ପଡ଼ିଲେ ସାଙ୍ଗେ ସାଙ୍ଗେ ଖୋଲି ଦେଇହବ । କିନ୍ତୁ ଦେଖିଲେ ଜଣାପଡ଼ିବ ଯେ ଖୁବ୍‌ଶକ୍ତ ଭାବରେ ବନ୍ଧା ହେଇଚି । ପୂର୍ବଭଳି ସେମିତି ପଡ଼ିରହିଲେ ସେ-। କେଇଟି ଘଣ୍ଟା ପରେ ଗାଡ଼ି ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଭଳି ଜଣାଗଲା । କାରଣ ଗାଡ଼ିର ଗତି କମିଗଲା । ଏତିକିବେଳେ ଜଣାଗଲା ଜଣେ ଯେମିତି ସେ ଟ୍ରକ୍‌ ଡ୍ରାଇଭକୁ ନିର୍ଦ୍ଦେଶ ଦଉଚି–

 

‘ମାଲିକ୍‌ର ହୁକୁମ, ଏଇ ଲୋକଟାକୁ ନେଇ ତିନି ନମ୍ବର ବନ୍ଦୀଖାନାରେ ରଖିଦିଅ । ଅର୍ଡର ହେଲେ ସେ ଆସିବ ।’

 

ଚୌଧୁରୀ ଦେଖିଲେ, ତାଙ୍କର ଗାଡ଼ି ଆଉ ଗୋଟାଏ ମୋଡ଼ ଧରିଲା । ବିଶେଷ ସଜାଗ ହେବା ପଦ ଜାଣି ସେ ବେହୋସ ଭଳି ପଡ଼ିରହିଲେ । କିଛି ସମୟ ପରେ ଖାଲି ଏତିକି ବୁଝିଲେ ଯେ, ତାଙ୍କୁ ଗୋଟାଏ ଖୁବ୍‌ ଅନ୍ଧାର ଘର ଭିତରେ ଫୋପାଡ଼ି ଦିଆଗଲା, ଆଉ କବାଟ ବନ୍ଦ ହେଇଗଲା ।

 

ଇଆଡ଼େ ତାରଜନ୍‌ ଏବଂ ଅଜୟ ଯୋଜନା ଅନୁଯାୟୀ ସେଇ ବୈଠକ ହେବା କ୍ୟାମ୍ପକୁ ଆସିଲେ । ସେମାନେ ପହଞ୍ଚିଲାବେଳକୁ ପ୍ରାୟ ରାତି ହେଇଯାଇଥାଏ । ଗାଡ଼ିଟିକୁ ବେଶ୍‌ କିଛି ଦୂରରେ ରଖିଦେଲେ । ତା’ପରେ ଖୁବ୍‌ ସତର୍କତାର ସହିତ ଯାଇ ରେଷ୍ଟ ସେଡ୍‌ଟିରେ ପହଞ୍ଚିଲେ । ପ୍ରଥମେ ଦେଖି ଜାଣିଲେ ଯେ ସେଥିରେ ବେଶ୍‌ କେତେଜଣ ଜଗୁଆଳି ଛପି ଛପି ରହଛନ୍ତି । ସେମାନଙ୍କର ଅଲ୍ୟକ୍ଷରେ ଏମାନଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ । ପ୍ରଥମେ ଗୋଟିଏ ବୁଦା ଆଢ଼ୁଆଳକୁ ଯାଇ ଦୁହେ ଅନ୍ଧାରିଆ ଜାଗାଟିଏ ଦେଖି ପକେଟରୁ ଛୋଟ କାଗଜ ଖଣ୍ଡିଏ ବାହାର କରି ଟର୍ଚ୍ଚଲାଇଟ୍‌ ସାହାଯ୍ୟରେ ଦେଖି ଦିଗ ଠଉରେଇନେଲେ । ତା’ପରେ ସେଇ ଅନୁଯାୟୀ ଯିବା ଆରମ୍ଭ କଲେ । ହଠାତ୍‌ ଯାଉ ଯାଉ ଗୋଟାଏ ସ୍ଥାନରେ ତାଙ୍କୁ ଅଟକି ରହିବାକୁ ହେଲା । କାରଣ ସେଇଠାରୁ ଆଉ ଆଗକୁ ବା ନାହିଁ । ଛୋଟ ଧାରଟିଏ ଭଳି ପାଣି ନାଳଟିଏ, ଯଦିଓ ଡେଇଁ ହବନି ତଥାପି ବଡ଼ ନୁହେଁ । ଏଭଳି ଏକ ନାଳର ଅସ୍ତିତ୍ୱ ବିଷୟରେ ସେ ଜାଣିପାରି ନ ଥିଲେ ମାନଚିତ୍ରରେ-। ତଥାପି ଚିନ୍ତା କଲେ । ଅଜୟଙ୍କ ମୁଣ୍ଡରେ ଗୋଟାଏ ବୁଦ୍ଧି ଦେଖାଗଲା । ଛୋଟ ପୁରୁଣା ଖଣ୍ଡେ ଭାଙ୍ଗି ପଡ଼ିଥିବାର ସେଇଠି ଦେଖିଲେ । ସେଇଟିକୁ ଆଣି ତା ଉପରେ ପକେଇଦେଲ ପରେ ଠିକ୍‌ ପାଇଲେ ଏବଂ ତା’ ଉପର ଦେଇ ଉଭୟେ ଚାଲିଗଲେ । ସେଇଠାରୁ ଦେଖିଲେ ଆଗକୁ ଗୋଟିଏ ଗଡ଼ାଣିଆ ରାସ୍ତା ହେଇଚି । ତା’ର ଉପରେ ଯାଉ ଯାଉ କିଛି ବାଟ ପରେ ବେଶ୍‌ପଥର ପାହାଚ ପଡ଼ିଲା । ସେଇ ପାହାଚ ଉପରେ କ୍ରମେ ତଳକୁ ତଳକୁ ଯିବା ପରେ ସେମାନେ ଦେଖିଲେ ଗୋଟିଏ ବେଶ୍‌ ସୁନ୍ଦର ସ୍ଥାନରେ ଆସି ପହଞ୍ଚି ପାରିଚନ୍ତି ଯୋଉଠି କି ଖୁବ୍‌ଯତ୍ନରେ ତିଆରି ହୋଇଥିବା ଗୋଟିଏ ବଖରା ଘର ଅଛି । ହାତଘଣ୍ଟାକୁ ଚାହିଁ ଅଜୟ ଦେଖିଲେ ରାତି ୧୦ଟା ବାଜିବାକୁ ଆଉ ଅଳ୍ପ ସମୟ ବାକି । ବେଶୀ ଡେରି ହୋଇଗଲା ଜାଣି ତାରଜନକୁ ସେ ବୈଠକ ଜାଗାକୁ ଫେରିବାକୁ କହି ନିଜେ ସେଠାକାର ଦାୟିତ୍ୱ ନେଲେ । ତାରଜନ୍‌ ଫେରିଆସିଲା ସେଇ ବୈଠକ ଜାଗାକୁ । କିଛିକ୍ଷଣ ପରେ ତାରଜନ୍‌ ଦେଖିଲା ସେଠି କ୍ରମଶଃ ଲୋକ ଜମିଆସିଲେଣି । ପ୍ରାୟ ତିରିଶ ଜଣ ଖଣ୍ଡେ ପହଞ୍ଚିସାରିଥାନ୍ତି ସେତେବେଳକୁ । ଗୋଟିଏ କଡ଼କୁ ଏକ ବିରାଟ ଲୁହାର ପିଞ୍ଜରା ଥୁଆ ହୋଇଥାଏ । ଠିକ୍‌ ଗୋଟାଏ ସର୍କସ୍‌ ଯନ୍ତା ଭଳି ରଖା ହୋଇଛି । ଖୁବ୍‌ବଡ଼ ସଭାର ଆୟୋଜନ ହେଲାଭଳି ଚାରିକଡ଼ଯାକ ଚେୟାର ପଡ଼ିଥାଏ । ସେଠି ତାରଜନ୍‌ ଅପେକ୍ଷା କଲା, ଯେହେତୁ ତାକୁ ଅପେକ୍ଷା କରିବାକୁ କୁହାହେଇଚି । ନ ହେଲେ ତା’ର ମନ ହଉଥାଏ ଏତିକି ଲୋକଙ୍କୁ ଗୋଟାଏ କୁଦା ମାରି ବିଧାଏ ଚାପୁଡ଼ାଏ ଦେଇ ସାବାଡ୍‌ କରିବାକୁ-। ଏତିକିବେଲେ ଆଉ ପ୍ରାୟ ୨୫ ଜଣ ଖଣ୍ଡେ ଆସି ପହଞ୍ଚିଲେ । ତାରଜନ୍‌ଆଶ୍ଚର୍ଯ୍ୟ ହେଲେ । ଆହୁରି ଅଛନ୍ତି ତା’ ହେଲେ-!

 

ଏମିତି କିଛି ସମୟ ବିତିଗଲା । ତା’ପରେ ତାରଜନ୍‌ ଦେଖିଲା ସେଇ ଯେ ଅଦ୍ଭୁତ ଜୀବ, ସେହିପରି ଏକ ଗଛ ଉଚ୍ଚର ହେଇ ଦୂରରୁ ଆସୁଚି । ତା’ପରେ ତା ସ୍ଥାନରେ ଠିଆ ହେଇ ସେ କହିବା ଆରମ୍ଭ କଲା–

 

‘ବନ୍ଧୁଗଣ ! ଆଜି ଆମର ଆଉ ଗୋଟିଏ ଶୁଭ ଦିନ । ଆଜି ଆମର ଚିର ଶତ୍ରୁ, ଯିଏ ତାକୁ ନିଶେଷ କରିବା ସଙ୍ଗେ ସଙ୍ଗେ ସେ ଗୋଇନ୍ଦା ଲୋକଟାକୁ ମଧ୍ୟ ଶେଷ କରିଦିଆଯିବ ।’’

 

ଏତିକି କଥାରେ ତାରଜନ୍‌ ଚମକି ଉଠିଲା । କୋଉ ଚାଇନ୍ଦା କଥା ସେ କହୁଚି ? ଚୌଧୁରୀ କିମ୍ବା ଅଜୟ କେହି ଧରା ପଡ଼ିଗଲେନି ତ ? ତା ମନ ପାପ ଛୁଇଁଲା । କ’ଣ କରିବ ସେ ବର୍ତ୍ତମାନ ? ପୁଣି ଶୁଣିଲା, ସେ କହୁଚି–

 

‘ଆମର ବିଜୟ ହେଇଚି । ଆଉ କେବଳ ସେତିକି ନୁହେଁ । ଆଜି ଯେତିକି ଜିନିଷ ଯୋଗଡ଼ା ହେଇଚି ସେତେ ଜିନିଷ ଆମେ ଏତେ କମ୍‌ ସମୟ ଭିତରେ କେହି ଆଶା କରୁ ନ ଥିଲିଁ । ସେଗୁଡ଼ିକ ସବୁ ଫ୍ୟାକ୍ଟରୀରେ ତିଆରି ଚାଲିଚି ! କାଲି ସୁଦ୍ଧା ସେ ସବୁ ରେଡ଼ି ହେଇଗଲେ ପଅରିଦିନ ବମ୍ବେକୁ ଚାଲିଯିବ । ମନେରଖ, ତମ ସମସ୍ତଙ୍କର ଦରମା ବଢ଼ାଇ ଦିଆଯିବ । ଆଜି ତିନୋଟିଯାକ ଶତ୍ରୁଙ୍କୁ ଆମର ଶେଷ କରିବାକୁ ପଡ଼ିବ । ଭ୍ୟାଂକ୍ରୋଭାର ଅନେକ ଦିନ ହେଲା ଭଲ ଖାନା ପାଇନି । ଆଜି ମୋରି ହାତରେ ମୁଁ ସେ ତିନିଜଣଙ୍କୁ ଯନ୍ତା ଭିତରେ ପକେଇବ । ସେମାନେ ବୁଝନ୍ତୁ, କଥା ନ ମାନିଲେ ମୋର ଆଦେଶ କିଭଳି ଭୟଙ୍କର ।’

 

ତାରଜନ୍‌ ଆଉ ଶୁଣିବା ଅବସ୍ଥାରେ ନ ଥିଲା । କ’ଣ କରିବ ସେ ଭାବିପାରିଲାନି । ଆଉ ଅଳ୍ପକ୍ଷଣ ଭିତରେ ତିନୋଟି ଜୀବନ ପବନରେ ମିଶିଯିବ । ନିର୍ଦ୍ଦେଶ ପାଇ ଦୁଇ ତିନିଜଣ ଉଠି ଯାଇ ସେଇ ଲୁହା ପିଞ୍ଜରା ପରୀକ୍ଷା କରିବାକୁ ଲାଗିଲେ ! ହୁଏତ ସାଙ୍ଗେ ସାଙ୍ଗେ ସେଇ କାମ ଆରମ୍ଭ ହେଇଯିବ । କିନ୍ତୁ ସର୍ଦ୍ଦାରର ପୁଣି ଆଦେଶ ହେଲା ଯେ, ସମସ୍ତେ ଆସି ନ ଥିବାରୁ ଟିକେ ଅପେକ୍ଷା କରାଯିବ । କାରଣ ସେ ଗୋଇନ୍ଦା ଲୋକଟାକୁ ଆଣୁଥିବାର ଗାଡ଼ି ଆସି ପହଞ୍ଚିନି । କିନ୍ତୁ ଦୁଇଜଣଙ୍କୁ ଆଦେଶ ଦିଆଗଲା ଏଇ ସମୟ ଭିତରେ ଭ୍ୟୋକ୍ରୋଭାରକୁ ତା ଜାଗାରୁ ଗାଡ଼ିରେ ଆଣିବାର ବନ୍ଦୋବସ୍ତ କରିବାକୁ । ତାରଜନ୍‌ ଆଉ ହେଳା କରିବା ଉଚିତ ମନେ କଲାନି । ସାଙ୍ଗେ ସାଙ୍ଗେ ସେ ଦୁଇଜଣ ଯିବା ରାସ୍ତାରେ ବୁଲି କରି ତାଙ୍କ ପଛେ ପଛେ ଆଗେଇଲା । ଅଳ୍ପ କିଛିବାଟ ଗଲାପରେ ସେମାନେ ମୋଡ଼ ଧରି ଆଉ ଟିକେ ଆଗେଇଯାଇ ଅଟକିଲେ ଗୋଟିଏ ପଥର ଗୁମ୍ଫା ଭଳି ଘର ପାଖରେ । ତାରଜନ୍‌ ବୁଝିଲା ଯେ ଭ୍ୟାକ୍ରୋଭାର ପାଖରେ ସେମାନେ ପହଞ୍ଚିଚନ୍ତି l ଜୀବନର ସବୁ ସତର୍କତା ନେଇ ତାରଜନ୍‌ ଗୋଟାଏ ଖେପାକେ ଯାଇ ଦୁହିଙ୍କ ମୁହଁ ବନ୍ଦ କରିଦେଲା-I ତା’ ପରେ ସେଇ ମୁହଁରୁ ଧରି ଦୁହିଙ୍କୁ ଉଠେଇ ନିଜ ବାହୁରେ ଏପରି ଜୋର୍‌ରେ ଚିପିଦେଲା ଯେ, ସେ ଦୁହେଁ ଠିକ୍‌ ଦୁଇଟି ରବର କଣ୍ଢେଇ ଭଳି ଚିପିହେଇଗଲେ । ସେମିତି କିଛି ସମୟ ଧରିରଖିବା ଦ୍ଵାରା ଦୁହେଁ ଅଣନିଶ୍ୱାସୀ ହେଇ ବେହୋସ ହୋଇଗଲେ । ସେ ଦୁହିଁଙ୍କୁ ତାଙ୍କର ଲୁଗାରେ ଖୁବ୍‌ଜୋରରେ ବାନ୍ଧିଦେଇ ଗୋଟାଏ କଡ଼କୁ ପକେଇଦେଲା । ତା’ପରେ ତାଙ୍କ ପକେଟ୍‌ରୁ ଚାବି ନେଇ ଆଗେଇଲା । ଆଗରେ ଗୋଟାଏ ଛୋଟ ଜାଲିଲଗା କବାଟ ଭିତରୁ ଭ୍ୟାଂକ୍ରୋଭାରର କଳା ମସ୍‌ମସ୍‌ ଦେହ ଦେଖାଯାଉଥାଏ । ତାରଜନ୍‌ ଭାବିଲା ତାକୁ ଗୁଳି କରି ମାରିବି ବୋଲି । କିନ୍ତୁ ପର ମୁହୂର୍ତ୍ତ ଭିତରେ ସେ ଭାବିଲା, ସେଇ ବୈଠକ ଜାଗାଟା ଏତେ ପାଖରେ ଯେ, ଗୁଳି କରିବା ମାନେ ସେମାନେ ସମସ୍ତେ ଆସି ହୁଏତ ଆକ୍ରମଣ କରିପାରନ୍ତି । କିନ୍ତୁ ଇଆଡ଼େ ଆଉ ସମୟ ନାହିଁ-। କିଛି ଗୋଟାଏ ହେଲେ କରିବାକୁ ପଡ଼ିବ । ମନେ ମନେ ଭାବିଲା, ଆଉ କାହିଁକି ପଛେଇବ ? ଜୀବନଟାଯାକ କେତେ ରକମର ଜନ୍ତୁଙ୍କ ସାଙ୍ଗରେ ହାତାହାତି ହେଇଚି । ଆଉ ଆଜି ୟା ସାଙ୍ଗରେ ହେଇଯିବାର ବାକି କାହିଁକି ରହିବ । ଏଇଆ ମନସ୍ଥ ଖୁବ୍‌ ସନ୍ତର୍ପଣରେ ସେ ଘର ଭିତରକୁ ପଶିଗଲା ଆଉ ଭିତରୁ ଶିକୁଳି ଲଗାଇଦେଲା । ତା’ପରେ ଆଉ କହିବା ଅନାବଶ୍ୟକ । ଦୀର୍ଘ କିଛି ସମୟ ଧରି ଦୁହିଙ୍କ ମଧ୍ୟରେ ଖୁବ୍‌ ଲଢ଼େଇ ଚାଲିଲା । ଭ୍ୟାଙ୍କ୍ରୋଭାର ଏକା ଖେପାଳେ ତାରଜନ୍‌ ଉପରକୁ ଡେଇଁ ତା’ ବେକକୁ ଧରିଲାବେଳେ ତାରଜନ୍‌ଟିକେ ଘୁଞ୍ଚିଗଲେ । ଭ୍ୟାଙ୍କ୍ରୋଭର ପଡ଼ିଗଲା ମାତ୍ରେ ଆଉ ଥରେ ଉଠିବା ଆଗରୁ ତାରଜନ୍‌ ତାକୁ ମାଡ଼ିବସିଲା । ଏଇପରି ପ୍ରାୟ ଅଧ ଘଣ୍ଟାକ ପର୍ଯ୍ୟନ୍ତ ଚାଲିଲା ଲଢ଼େଇ । ଶେଷକୁ ତାରଜନ୍‌ ଆଉ କିଛି ନ ପାଇ ନିଜ ଅଣ୍ଟାରୁ ମୁନିଆଁ ଛୁରୀଟା କାଢ଼ି ଧରିଲା । ଏଇ ସମୟରେ ବେଶ୍‌ ଜୋର୍‌ରେ ରାଗିଉଠି ଭ୍ୟାକ୍ରୋଭାର ଖୁବ୍‌ ଉଚ୍ଚକୁ ଖେପାଟାଏ ଡେଇଁ ତାରଜନର ମୁଣ୍ଡକୁ ଧରିବା ପୂର୍ବରୁ ତାରଜନ୍‌ ବସିପଡ଼ି ଛୁରୀଟାକୁ ମୁଣ୍ଡ ଉପରକୁ ଧରିନେଲା । ଅତି ତୀକ୍ଷ୍‌ଣ ଛୁରୀରେ ଭ୍ୟାକ୍ରୋଭାରର ମୁହଁରୁ ଫାଳେ ଚିରିହେଇଗଲା । ଆହୁରି ଜୋର୍‌ରେ କିଛି ସମୟ ଯୁଦ୍ଧ ଚାଲିଲା ପରେ ତାରଜନ୍‌ଶେ ଷରେ ବିଜୟୀ ହେଲା, ଆଉ ଭ୍ୟାକ୍ରୋଭାର ମରି ଶୋଇଲା । ତାରଜନର ଦେହରେ ଅନେକ କ୍ଷତ ହୋଇଥିଲେ ସୁଦ୍ଧା ତାକୁ କିଛି ଜଣାପଡ଼ୁ ନ ଥାଏ ।

 

ଆଉ ଡେରି କରିବାର ନୁହେଁ । ତେଣୁ ତାରଜନ୍‌ ପୁଣି ସେମିତି ସେ ବେହୋସ ହୋଇପଡ଼ିଥିବା ଲୋକଙ୍କୁ ସେଇ ଭ୍ୟାକ୍ରୋଭାର ଘରେ ପକେଇଦେଇ ତାଲା ଦେଇ ଚାଲିଆସିଲା ।

 

ପୂର୍ବର ଲୁଚିଥିବା ସ୍ଥାନକୁ ଆସି ସେ ଅପେକ୍ଷା କଲା । ଦେଖିଲେ ଯେ ଅଭୁତ ଜୀବଟି ଆହୁରି ଭୟଙ୍କର ଭାବରେ ରାଗିଉଠିଚି । ସେ କହିଉଠିଲା–

 

‘ବନ୍ଧୁଗଣ ! ଏ ପର୍ଯ୍ୟନ୍ତ ସେ ଦୁଇଟା ମୂର୍ଖ ଗଲେ ଭ୍ୟାକ୍ରୋଭାରକୁ, ଆଣିବାକୁ, ଆସିବାରେ ଡ଼େରି ହେଲେ କାହିଁକି । ମୁଁ ଡେରି ସହ୍ୟ କରିବାକୁ ଚାହେଁ ନାହିଁ । ତାଙ୍କୁ ଏଥିପାଇଁ ଶାସ୍ତ୍ରି ନିଶ୍ଚୟ ପାଇବାକୁ ହିଁ ପଡ଼ିବ । ତା ପୂର୍ବରୁ ଆମର ଡେରି ହେଇଯିବ । ସେଥିଲାଗି ଆଉ ଦୁଇଜଣ ଯାଅ, ସେମାନଙ୍କୁ ସାହାଯ୍ୟ କର । ଆଉ ଦୁଇଜଣ ଯାଇ ଆମ ବନ୍ଦୀଖାନାରୁ ତିନିଟାଯାକ ସଇତାନ୍‌ଙ୍କୁ ନେଇଆସ । ଅତି ଶୀଘ୍ର ଏ କାର୍ଯ୍ୟ ଶେଷ କଲେ ଅନ୍ୟ କାର୍ଯ୍ୟ ହବ ।’

 

ଏଇକଥା ଶୁଣିସାରିବା ପରେ ତାରଜନ୍‌ କିଛିକ୍ଷଣ ଭାବିଲା, କାହା ପାଖକୁ ଯିବ ସେ । ବନ୍ଦୀ ପାଖକୁ ଯାଉଥିବା ଲୋକଙ୍କୁ ଆକ୍ରମଣ କରିବାକୁ ଯିବ ନା ଭ୍ୟାକ୍ରୋଭାର ପାଖକୁ ଯାଉଥିବା ଲୋକଙ୍କୁ । କିଛି ଭାବି ଠିକ୍‌ କରିପାରିଲାନି । ଯଦିଓ ସେ ନଶ୍ଚିତ ଯେ ବେଶ କିଛିଦୂରରେ କନ୍‌ୱାର ତାଙ୍କର ସୁଦକ୍ଷ ବାହିନୀ ଧରି ଅପେକ୍ଷା କରୁଥିବେ ତଥାପି ତାଙ୍କର ଆସିବାର ଉପଯୁକ୍ତ ବେଳ ହୋଇନାହିଁ । ବିଶେଷ କରି ଚୌଧୁରୀ କେବଳ ସେଭଳି ଉଚିତ ସମସ୍ତେ ଜାଣି ତା’ର ବ୍ୟବହାର କରିପାରିବେ । ତେଣୁ କୁଆଡ଼େ ଯିବାକୁ ନ ଭାବି ସେ ପରବର୍ତ୍ତୀ ଦୃଶ୍ୟକୁ ଅପେକ୍ଷା କରି ରହିଲେ । ଆଉ ବେଳେ ବେଳେ କିନ୍ତୁ ତା’ର ବିଶେଷ ଶଙ୍କା ଜାତ ହେଉଥାଏ–କିଏ ଆଉ ସେ ଗୁଇନ୍ଦା ସେ କି ଶତ୍ରୁରୁ କବଳରେ ବର୍ତ୍ତମାନ ? ଆଉ କିଛି ଭାବିବା ପୂର୍ବରୁ ହଠାତ୍‌ ତା’ର କାନରେ ପଡ଼ିଲା ସେଇ ବିରାଟକାୟ ଜୀବର ଆଦେଶ–

 

‘ବନ୍ଧୁଗଣ ! ବର୍ତ୍ତମାନ ଆମର ଚିର ଶତ୍ରୁ, ଆସିଗଲେ । ଆଉ କିଛି ସମୟ ପରେ ତାଙ୍କର ନିଜ ରୂପ ତମେମାନେ ଦେଖିପାରିବ ।’’

 

ତାରଜନ୍‌ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲାନି । କଲା ଚାଦର ଘୋଡ଼େଇ ତିନିଜଣଙ୍କୁ ବାନ୍ଧି ଟେକି ଟେକି ଆଣିଲେ । ଆଉ ଠିକ୍‌ ସେଇ ଲୁହା ଜାଲିପାଖରେ କଚାଡ଼ିଦେଲେ । ହଠାତ୍‌ ସେଇମାନଙ୍କୁ ଆଦେଶ ହେଲା ସେମାନଙ୍କ କଳା ପୋଷାକ କାଢ଼ିଦେଇ ପରିଚୟ ଦେଖେଇବାକୁ । ପ୍ରଥମ ଘୋଡ଼ାଣି କାଢ଼ିଦେଲା ମାତ୍ରେ ତାରଜନ୍‌ ଶିହରି ଉଠିଲା–କ’ଣ ଦେଖୁଚି ! ମି. ଚୌଧୁରୀ ଅତି ନିର୍ମମ ଭାବରେ ବନ୍ଧା ହେଇଚନ୍ତି । ସେ କ’ଣ ଆଉ କରିପାରେ ଭାବି ତା’ର ମୁଣ୍ଡ ଘୂରେଇଦେଲା । ତା’ପରେ ଅନ୍ୟ ଦି ଜଣଙ୍କୁ ଦେଖିବାକୁ ଅପେକ୍ଷା କଲେ । କିନ୍ତୁ ସେ ଦୁଇଜଣଙ୍କ ଦେହରୁ ଘୋଡ଼ଣୀ କାଢ଼ିବା ମାତ୍ରେ ତାଙ୍କର ସମସ୍ତ ଦଳ ଚିତ୍କାର କରିଉଠିଲେ ।

 

‘ସର୍ଦ୍ଦାର, ଇଏତ ଆମ ୨୨ ନମ୍ବର ଆଉ ୨୪ ନମ୍ବର ।’

 

ଏଇ କଥାରେ ସେଇ ଜୀବଟା ଭୀଷଣ ଜୋରରେ ଗର୍ଜନ କରିଉଠିଲା–

 

‘ଭାଇମାନେ ! ଇଏ ଏକ ଅଦ୍ଭୁତ ଚାଲ୍‌ବାଜି । ଆମର ସମସ୍ତ ଆୟୋଜନ ପଣ୍ଡ ହେଇଯିବାକୁ ବସିଚି । ଅସଲ ଶତ୍ରୁ, ଯିଏ ସେ ହାତମୁଠାରୁ ତା’ହେଲେ ଫେରାର ହୋଇଯାଇଚି । କେମିତି ୟା ହେଇପାରେ ! ମୁଁ ତମମାନଙ୍କୁ ଆଦେଶ ଦଉଚି, ସାଙ୍ଗେ ସାଙ୍ଗେ ତମେମାନେ ପ୍ରସ୍ତୁତ ହେଇଯାଅ । ତାକୁ ଯେକୌଣସି ସ୍ଥାନରୁ ଖୋଜି ବାହାର କରିବାକୁ ପଡ଼ିବ ।’

 

ଏଇକଥା ଉପରେ ସମସ୍ତେ ନିଜ ନିଜର ପକେଟ୍‌ରୁ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କାଢ଼ି ପରୀକ୍ଷା କରିବାକୁ ଲାଗିଲେ । ଠିକ୍‌ ଏଇ ସମୟରେ ଯେଉଁମାନେ ଭ୍ୟାକ୍ରୋଭାରକୁ ଦେଖିବାକୁ ଯାଇଥିଲେ ଆସି ଖବର ଦେଲେ ଯେ ଭ୍ୟାକ୍ରୋଭାର ମୃତ । ସତେ ଯେମିତି ଏ କଥାରେ ସର୍ଦ୍ଦାର ମୁଣ୍ଡରେ ବଜ୍ର ଛିଡ଼ି ପଡ଼ିଲା । ସେ ରାଗରେ ଉହୁଙ୍କି ଆସିଲା, ଆଉ କହିଲା–

 

‘ବନ୍ଧୁଗଣ ! ବର୍ତ୍ତମାନ ତା’ ହେଲେ ଦେଖ, ଶତ୍ରୁ ଆସି ଆମର କେତେ ପାଖରେ । ମୁଁ ଜାଣିବାକୁ ଚାହେଁ, କେମିତି ଏହା ସମ୍ଭବ ! ମୁଁ ଆଜି ୟାକୁ ବଢ଼ିବାକୁ ଦେବିନି । ବର୍ତ୍ତମାନ ପ୍ରଥମ ଲୋକଟାକୁ ମତେ ଶେଷ କରିବାକୁ ପଡ଼ିବ । ମି: ଚୌଧୁରୀ, ଏଥର ତମର ଇଷ୍ଟ ସୁମରଣା କରି । ତମକୁ ଆଗ ଏ ପୃଥିବୀରୁ ବିଦାୟ ଦେଇସାରିଲା ପରେ ଆଉ ଯାହା କରିବାକୁ ମୁଁ ଆଗେଇବ । ତମର କେତେଦୂର ଶକ୍ତି ତାହା ଆଜି ପରୀକ୍ଷା ହେଇଯାଉ । ବନ୍ଧୁଗଣ ! ଏଇ ଗୁଇନ୍ଦାଙ୍କୁ ବିଦାୟ କରିବାକୁ ପଡ଼ିବ ।’

 

ସାଙ୍ଗେ ସାଙ୍ଗେ ପ୍ରାୟ ପଚାଶରୁ ଅଧିକ ପିସ୍ତଲ ଏକାଥରକେ ଉଠିଲା ସେଇଆଡ଼କୁ । ତାରଜନ୍‌ର ଆଖି ବୁଜି ହେଇପଡ଼ିଲା । କ’ଣ ବା ସେ ଆଉ କରିପାରିବ ? ଏତେଗୁଡ଼ାଏ ମାରଣାସ୍ତ୍ର ଆଗରେ କି ପ୍ରକାର ପ୍ରତିରୋଧ ସମ୍ଭବ ସେ ବୁଝିପାରିଲାନି । କୁଆଡ଼େ ଗଲେ ଏତେବେଳଯାଏ କନ୍‌ୱାର ଆଉ ତାଙ୍କ ପାର୍ଟି । ହଠାତ୍‌ ଏଇ ସମୟରେ ଜଣେ ଦୌଡ଼ିଆସିଲା ଭଳି ଜଣାଗଲା ସେଇଠିକି । ଧଇଁସଇଁ ହେଇ ସେ ଜଣକ କହିଲା–

 

‘ସର୍ଦ୍ଦାର ! ଆଉ ଆମର ବିପଦ ନାହିଁ । ମୁଁ ଶେଷ କରିଦେଇଚି । ସେ ଆଇ. ଜି. ଆଉ ଦଳେ ପୁଲିସ ଆସି ବହୁ ଦୂରରେ ଲୁଚି କରି ରହିଥିଲେ । ଆମକୁ ଧରିବା ହିଁ ତାଙ୍କର ଉଦ୍ଦେଶ୍ୟ । କେମିତି ଆମ ଜାଗା ତାଙ୍କ ଆଖିରେ ପଡ଼ିଯାଇଚି । ହେଲେ ମୁଁ ତାଙ୍କର ଠିକ୍‌ ବ୍ୟବସ୍ଥା କରିଦେଇଚି-।’

 

ଏ କଥା ଶୁଣି ସମସ୍ତେ ଆହୁରି ଆଗ୍ରହରେ ଶୁଣିବାକୁ ଚାହିଁଲେ ! ସେ ପୁଣି କହି ଚାଲିଲା–

 

‘ମୁଁ ଯେମିତି ଜାଣିପାରିଚି ଯେ ସେମାନେ କୋଉ ଜାଗାରେ ଲୁଚିଛନ୍ତି ବୋଲି–ବାସ୍, ସେଇ ଆଡ଼କୁ ମୋ ସାଙ୍ଗରେ ଥିବା ଆଉ ତିନିଜଣଙ୍କୁ ନେଇ ଜାଣିଲାଭଳି କଥାଭାଷା ଶୁଣେଇ ହୋଇ ଗଲୁଁ । ସେ ଆମକୁ ଅଦୃଶ୍ୟ ଜାଣିବା ପାଇଁ ପଛକୁ ପଛକୁ ଗଲେ । ଏଇମିତି ଗଲାପରେ ସେ ଯେତେବେଳେ ଆମର ଅଣ୍ଡରଗ୍ରାଉଣ୍ଡ ବନ୍ଦୀ ଜାଗାକୁ ଚାଲିଆସିଲେ, ସେତେବେଳକୁ ସୁଇଚ୍‌ ଟାଣିଦେଲି ଯେ ସମସ୍ତେ ତା’ ତଳ ଅଣ୍ଡରଗ୍ରାଉଣ୍ଡ ଭିତରକୁ ପଶିଗଲେ । ସମସ୍ତେ ବନ୍ଦୀ ।’

 

ଖୁବ୍‌ ଜୋରରେ ଚିତ୍କାରକରି ବସିଉଠିଲା ସେଇ ଭୀଷଣକାୟ ଜୀବଟା । ତାରଜନ୍‌ ସତେ ଯେମିତି ସେ ହସରେ ଥରି ଉଠିଲା । ଆଉ ତା’ହେଲେ କ’ଣ ଏତେ ଟିକେ ହେଲେ ଆଶା ନାହିଁ ଚୌଧୁରୀଙ୍କୁ ମୁକୁଳେଇବାପାଇଁ । ବର୍ତ୍ତମାନ ପରିସ୍ଥିତି ଯେଭଳି ଆକାର ଧାରଣ କଲାଣି ସେସଥିରେ ତାରଜନ୍‌ ନିଜ ଅବସ୍ଥା ସମ୍ବନ୍ଧରେ ମଧ୍ୟ ସନ୍ଦିହାନ ହେଇଉଠିଲା । ହଠାତ୍‌ ଦେଖିଲା, ସେଇ ଜୀବଟା ମି: ଚୌଧୁରୀଙ୍କ ଆଡ଼କୁ ଆହୁରି ଅଗେଇଆସି କହିଲା–

 

‘କ’ଣ, ଗୁଇନ୍ଦା ସାହେବ ! ଦେଖୁଚ, ତମର ବୁଦ୍ଧିର ଜାଲ କେମିତି ଛିଡ଼ିପଡୁଛି ! ଏଥର-? ତମର ବିରାଟ ପୋଲିସବାହିନୀ କେମିତି ଭାବରେ ବନ୍ଦୀ, ଶୁଣିଲ ତ ! ଠିକ୍‍ ତମରି ଆଗରେ ତାଙ୍କୁ ଗଡ଼ ଗଡ଼ କରି ହାଣି କୁକୁରକୁ ଖାଇବାକୁ ଦେବି । ବନ୍ଧୁଗଣ, ଆଉ ନୁହେଁ, ଯୁଦ୍ଧ ପାଇଁ ସମସ୍ତେ ପ୍ରସ୍ତୁତ ହେଇଯାଅ । ମୁଁ ଚାହେଁ ଆଗ ଏଇ ଗୁଇନ୍ଦା ସାହେବଙ୍କଠାରୁ ଆରମ୍ଭ କରାଯାଉ-। ତିନିଜଣ ତମ ଭିତରୁ ବାହାରିଆସ ।’

 

ଏତିକି କହିବା ମାତ୍ରେ ତିନିଜଣ ଭୀଷଣକାୟ ଲୋକ ସେ ଦଳ ଭିତରୁ ଆଗକୁ ବାହାରିଯାଇ ସଲାମ ଦେଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ଆଦେଶ ଦେଲେ ନିଜ ନିଜ ଛୁରୀ କାଢ଼ିବାକୁ-। ସେମାନେ ହାତରେ ଛୁରୀ ଧରି ଆଦେଶ ଅପେକ୍ଷାରେ ଠିଆ ହେଲେ । ପୁଣି ତାଙ୍କୁ କୁହାଗଲା–

 

ଜୀବନରୁ ନ ମାରି ପ୍ରଥମେ ହାତଗୋଡ଼ ସବୁକୁ ମଝିରୁ ଚିରିଦବାଇଁ ଏବଂ ତା ଭିତରେ ଲୁଣ ଏବଂ ଚୂନ ଭର୍ତ୍ତି କରିବାକୁ, ତା’ପରେ ଛାତିରେ ଅନେକ ସ୍ଥାନରେ ଛୋଟ ଛୋଟ କଣା କରି ସେହିପରି ଭାବରେ ଚୂନ ଭର୍ତ୍ତି କରିବାକୁ !

 

ଏଇ କଥା ଶୁଣିବା ପରେ ତାରଜନର ମୁଣ୍ଡ ଘୁରିଗଲା ଭଳି ଲାଗିଲା । ଲୋକ ଯେ ଏପରି ଭୟଙ୍କର ହେଇପାରନ୍ତି ସେ କଳ୍ପନା କରିପାରିନି । ଏକଥା କରିବା ଅପେକ୍ଷା ବରଂ ତାଙ୍କୁ ଗୁଳିକରି ମାରିବା ଭଲ ବା ଭ୍ୟାଂକ୍ରୋଭାର ହାତରେ ମରିବା ଭଲ ଥିଲା ବୋଲି ଭାବିଲା । କ’ଣ କରିବ ଆଉ କିଛି ବୁଦ୍ଧି ପାଇଲାନି । ଯଦି କାହାରି ହାତରେ ପିସ୍ତଲ ନ ଥାନ୍ତା ତା’ହେଲେ ଏକା ବରଂ ସେ ସମସ୍ତଙ୍କ ସାଙ୍ଗରେ ମୁକାବିଲା କରିବାକୁ ଡେଇଁ ପଡ଼ନ୍ତା । କିନ୍ତୁ ହାତରେ ଆଗ୍ନେୟାସ୍ତ୍ର ସମସ୍ତଙ୍କର । ବିଶେଷ କରି ସେଇ ଭୀଷଣ ଜୀବର ଶକ୍ତି ବିଷୟରେ ସେ ଚୌଧୁରଙ୍କଠାରୁ ଶୁଣିଚି । ଏତେ ଗୁଡ଼ାଏ ପୋଲିସବାହିନୀ ସମସ୍ତେ ପରାଧୀନ ହେଇ ବନ୍ଦୀ ହେଇ ରହିଛନ୍ତି । କ’ଣ ଆଉ କରିବ ସେ ! ଅଜୟଙ୍କର ମଧ୍ୟ ଆଉ ସୋରଶବ୍ଦ ନାହିଁ; ସେ ମଧ୍ୟ ଯେ ବନ୍ଦୀ ହୋଇ ନ ଥିବେ କିଏ କହିବ । ତାରଜନ୍‌ ଶୁଣିଲା ଗୋଟାଏ ରକମର ଅସ୍ପଷ୍ଟ ବେଲ୍‌ ଶବ୍ଦ ଶୁଣାଗଲା । ତା’ପରେ ପୁଣି ସେ ଜୀବଟା କହିଲା–

 

‘ଭାଇମାନେ ! ବର୍ତ୍ତମାନ ମାଲିକ ଆସିବାର ବେଳ ହେଇଗଲାଣି । ତମେମାନେ ଗୋଟାଏ କାମ କର-ସେ ଆସିବା ଆଗରୁ ଏଇ ଗୁଇନ୍ଦାଟାକୁ ଯେମିତି କହିଲି ସେମିତି ଚିରିଦବାକୁ ପଡ଼ିବ । କିନ୍ତୁ ଆମମାନଙ୍କର ଯୋଉ ଚରମ ନିର୍ବୋଧତା ହେଇଚି ସେଥିରେ କାହାକୁ ସେ ଦୋଷ ଦେବ ସେକଥା କହି ହବନି । ତେଣୁ ବର୍ତ୍ତମାନ ଆଦେଶ ହେଲା ଯେ ବନ୍ଧୁକଗୁଡ଼ିକ ତମେମାନେ ଆଣି ସମସ୍ତେ ମୋ ହାତରେ ଦେଇଯାଅ । ତା’ହେଲେ ସେ ଯେତେବେଳେ ଆସି ଯାହାକୁ ଦଣ୍ଡ ଦବାକୁ ଚାହିଁବେ ତମେମାନେ ମୁଣ୍ଡପାତି ଦଣ୍ଡ ଗ୍ରହଣ କରିବ ।’

 

ଏଇ କଥା ପରେ ପରେ ସମସ୍ତେ ଧାଡ଼ିବାନ୍ଧି ଦୋଷୀଙ୍କ ଭଲ ମୁଣ୍ଡ ତଳକୁ ନୁଆଇଁ ନିଜ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ଦେଇଦେଲେ । କେବଳ ତିନିଜଣ ହାତରେ ଆଦେଶ ଅନୁଯାୟୀ ଛୁରୀ ଧରି ରଖିଲେ ମି: ଚୌଧୁରୀଙ୍କୁ ଆଘାତ କରିବା ପାଇଁ ।

 

ବର୍ତ୍ତମାନ ତାରଜନ୍‌ ଦେଖିଲା କିଛିଟା ସୁଯୋଗ ଆସିଚି । ତା’ର ଆଉ ଅପେକ୍ଷା କରିବା ଉଚିତ ହେବନାହିଁ । ତାକୁ ଯାହା କରିବାକୁ ପଡ଼ିବ କେବଳ ଏକା ହିଁ କରିବାକୁ ପଡ଼ିବ । ହଠାତ୍‌ ପୁଣି ସେଇ ବଜ୍ର ଗମ୍ଭୀର ସ୍ଵରରେ ଶୁଣିଲା ଯେ ସେ ତିନିଜଣଙ୍କୁ ଅପେକ୍ଷା କରିବାକୁ କୁହାଗଲା । କାରଣ ମାଲିକ ଆସିଗଲା ପରେ ତାଙ୍କ ଆଗରେ ଏଇ କାମଟା ହବ । ଏଇ ସୁଯୋଗରେ ତାରଜନ୍‌ ବିଜୁଳି ପରି ସେ ସ୍ଥାନରୁ ଖସିଗଲା; ଯାଇ ଶେଷ ଚେଷ୍ଟା କରିବାକୁ ସେଇ ନାଳ ରାସ୍ତାରେ ଦେଖି ଆସିଥିବା ବିଦ୍ୟୁତ୍‌ଗୃହ ଆଡ଼କୁ ଦଉଡ଼ିବାକୁ ଲାଗିଲା । ହୁଏତ ଅଜୟ ସେଠି ବନ୍ଦୀ ହୋଇସାରିବେଣି । ତେଣୁ ଜୀବନ ବିକଳରେ ଆଉ କିଛି ଉପାୟ ନ ପାଇ ସେ ବିଦ୍ୟୁତ୍‌ଚାଳିତ ଗୃହକୁ ଯିବା ଆଗରୁ ଦେଖିଲା ସେଠି କେହି ନାହାନ୍ତି । ହଠାତ୍‌ ଚାରିଆଡ଼କୁ ଚାହିଁ ଅତି ସନ୍ତର୍ପଣରେ ଭିତରକୁ ପଶିଲା । ଆଉ ଯୋଉଠି ମେନ୍‌ସୁଇଚ୍‌ଟା ଅଛି ସେଠୁ ସବୁତକ ସୁଇଚ୍‌ଅଫ୍‌ କଣ୍ଟ୍ରୋଲ୍‌ ଏବଂ ତା’ରି ଭିତରେ ଜୀବନ ବିକଳରେ ଗୋଟାଏ ଯୋଡ଼ାଏ କଟ୍‌ଆଉଟ୍‌କାଢ଼ି ପକେଟରେ ରଖିଦେଇ ପୁଣି ଥରେ ଫେରିବାକୁ ଲାଗିଲା । ପୂର୍ବ ସ୍ଥାନରେ ଆସି ପହଞ୍ଚି ଦେଖେ ତ ଚାରିଆଡ଼ ଅନ୍ଧାର । ତା’ର ଉଦ୍ଦେଶ୍ୟ ସଫଳ ହେଇଚି ଜାଣି ସେ ସେଇ ଲୁହାଜାଲ ଆଡ଼କୁ ଆଗେଇଲା । ସେତେବେଳକୁ ସମସ୍ତେ ପାଟିଗୋଳ କରି କଣ ହେଲା ବୋଲି ସତର୍କ ହେବାରେ ଲାଗିଥାନ୍ତି । ଏଇ ସମୟରେ ଜଣେ ପକେଟରୁ ଲାଇଟ୍‌ କାଢ଼ି ଜାଳିବାକୁ ଚେଷ୍ଟା କରୁଥିଲା । ଏକା ଧକ୍‌କାରେ ତାରଜନ୍‌ତାକୁ ପକେଇ ତା’ଠାରୁ ଛଡ଼େଇନେଲା ସେଇ ଲାଇଟ୍‌ଟା । ଲୁହାଜାଲ ପାଖରେ ପହଞ୍ଚି ଯାହା ଦେଖିଲେ ତା ମୁଣ୍ଡ ଅହୁରି ଘୁରିଗଲା । ସେଠି ଆଉ ଚୌଧୁରୀ ନାହାନ୍ତି । ଯୋଉଥିପାଇଁ ସେ ଏତେଗୁଡ଼ାଏ କାମ କଲା ତାକୁ ପୁଣି ସେଇ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା । ତେଣୁ ବର୍ତ୍ତମାନ ନିଜକୁ ରକ୍ଷା କରିବାକୁ ପଡ଼ିବ ଭାବି ସାଙ୍ଗେ ସାଙ୍ଗେ ଆତ୍ମଗୋପନ କରିବାକୁ ଚେଷ୍ଟା କରିନେଲା ।

 

ହଠାତ୍‌ ପୁଣି ଆଲୋକ ଜଳିଉଠିଲା । ସେଇ ଭୀଷଣକାୟ ଜୀବଟି ଏଥର କ୍ରୁଦ୍ଧ ଭାବରେ ଚିତ୍କାର କରିଉଠିଲା–

 

‘‘ଭାଇମାନେ, ବ୍ୟସ୍ତ ହୁଅ ନାହିଁ । ସେ ଗୋଇନ୍ଦାଟା ଆମ କବଳରେ ରହିଯାଇଚି । ବର୍ତ୍ତମାନ ଆମର ମାଲିକ ଆସିଯାଇଛନ୍ତି । ସେ ତମମାନଙ୍କ ଗହଣକୁ ଆସିବେ ।’’

 

ଏତିକିବେଳେ ଗୋଟାଏ ଇଲେକ୍‌ଟ୍ରିକ୍‌ ବେଲ୍‌ବାଜିଲା ମାତ୍ରେ ସମସ୍ତେ ଠିଆ ହୋଇଗଲେ । ତାରଜନ୍‌ ଦେଖିଲା, ଦୁଇଜଣ କଳା ଓଭର୍‌କୋଟ୍‌ ପିନ୍ଧି ଭିତରକୁ ଆସୁଚନ୍ତି । ସମସ୍ତେ ମିଲିଟାରୀ କାଇଦାରେ ତାକୁ ମୁଣ୍ଡ ନୁଆଇଁ ସାଲ୍ୟୁଟ୍‌ ଜଣେଇଲେ । ହଠାତ୍‌ ତା ଭିତରୁ ଜଣେ କହିଲା–

 

‘ବନ୍ଧୁଗଣ ! ଆମ ଭିତରେ ଚରମ ଅବହେଳା ଦେଖାଦେଇଚି, ଯୋଉଥିପାଇଁ ଆମେମାନେ ପୋଲିସ୍‌ ଚକ୍ଷୁରେ ବର୍ତ୍ତମାନ ଧରା ପଡ଼ିସାରିଥିଲୁଁ । ଆମର ଯୋଉ ଚରମ ଶତ୍ରୁ ଦୁଇଜଣଙ୍କୁ ଆଜି ଏଠି ମୃତ୍ୟୁ ଦଣ୍ଡ ଦେବାର ଥିଲା ସେ ଦୁଇଜଣ କିପରି ଭାବରେ ଖସିଯାଇଛନ୍ତି ସେଇଟା ଦେଖିବାକୁ ପଡ଼ିବ । ଆଉ ସେ ଗୋଇନ୍ଦାଟା ମଧ୍ୟ । ଆମକୁ ଲାଗିବାକୁ ହେବ ଆଉ ସେମାନଙ୍କୁ ଫେରାଇ ଆଣିବାକୁ ପଡ଼ିବ ।’

 

ତାରଜନ୍‌ ଭାବୁଥାଏ ଆଉ ଡେରି କରିବାଟା ଉଚିତ ହବନାହିଁ । ବର୍ତ୍ତମାନ ତାକୁ ଯେକୌଣସି ମତେ ଡେଇଁବାକୁ ପଡ଼ିବ । କିଛି ନ ହେଲେ ଏଇ ଦି’ଟାଙ୍କୁ ଶେଷ କରିଦେବାକୁ ହବ । ଠିକ୍‌ ଏତିକିବେଳେ । ସେ ଦେଖିଲା ସେ ଦୁଇଜଣଙ୍କ ଭିତରୁ ଜଣେ ପକେଟ୍‌ରୁ ହୁଇସିଲ ଗୋଟାଏ କାଢ଼ି ମାରିଲା । ଚାହୁଁ ଚାହୁଁ ଦେଖାଗଲା ପ୍ରାୟ ଦୁଇଶହ ଖଣ୍ଡେ ବନ୍ଧୁକ ଦସ୍ୟୁଦଳ ପଛରୁ ଏକା ଥରକେ ମୁହଁ ଟେକି ଉଠି ରହିଚି । ହତଭମ୍ବ ହେଇ ପ୍ରତ୍ୟେକ ଦସ୍ୟୁ ଅତି ସତର୍କ ହେଇଗଲାବେଳକୁ ସେଇ ଦୁଇଜଣଙ୍କ ପାଖରୁ ଶୁଣାଗଲା-

 

‘ମୁଁ ଜାଣେ, ବନ୍ଧୁଗଣ ! ଆଉ ବିଶେଷ ବ୍ୟସ୍ତ ହେବା ଦରକାର ନାହିଁ । କାରଣ ବନ୍ଧୁକ ଗୁଣ ତୁମେମାନେ ଦେଖିନେଇଚ ଆଗରୁ । ମୋ ପରିଚୟ ଆଉ ଦବା କ’ଣ ବିଶେଷ ଦରକାର ?’

 

ଏତିକି କହି ଦୁହେ କଳା ଘୋଡ଼ଣୀ କାଢ଼ିଦେବା ମାତ୍ରେ ତାରଜନ୍‌ ଦେଖିଲା, ମି: ଚୌଧୁରୀ ଏବଂ ଅଜୟ । ତା’ପରେ ତାରଜନ୍‌ ଆଶ୍ଚର୍ଯ୍ୟ ହେଇଗଲେ ଆଉ ଭାବିଲା ଯେ ସେ ଭିତରକୁ ଯିବାର ସମୟ କେତେବେଳେ ଆସିବ । ଏଇ ସମୟରେ ଚୌଧୁରୀ କହିଲେ–

 

‘ହାତ ଟେକିଦିଅ, ବନ୍ଧୁଗଣ ! ଏଥର ଆଇ. ଜି. ସାହେବ ନିଜେ ତୁମମାନଙ୍କୁ ପାଛୋଟିନେବେ ବୋଲି ଆସୁଛନ୍ତି । ଖାଲି ସେତିକି ନୁହେ, ତମ ମାଲିକମାନେ ମଧ୍ୟ ଆଗରୁ ବନ୍ଦୀ ହେଇଯାଇଚନ୍ତି । ତମେ କେବଳ ତାଙ୍କରି ନିକଟକୁ ଯିବ ।’

 

ସମସ୍ତେ ହାତ ଟେକିଦେଲେ । ତାରଜନ୍‌ ଭାବିଲା, ଏଥର ତା’ର କାମ ଶେଷ ହେଇଚି । କିନ୍ତୁ ତଥାପି ତାକୁ ଚୌଧୁରୀ ଡାକୁନାହାନ୍ତି କାହିଁକି ? ପୋଲିସମାନେ ବାହାରିଲେ ଜଣ ଜଣ କରି ହାତକଡ଼ା ଦବାକୁ । ଏତିକିବେଳେ ତାରଜନ୍‌ ଦେଖିଲା, ଜଣେ ମେମ୍ବର ସେଇ ଭିତରୁ ବେହୋସ ହୋଇ ପଡ଼ିଗଲେ । ଅନ୍ୟମାନଙ୍କୁ କଡ଼ା ଦିଆଗଲାବେଳେ ସମସ୍ତେ ଅନ୍ୟମନସ୍କ ହେଇପଡ଼ିଲେ । ଏଇ ସମୟରେ ତା ଆଖିରେ ପଡ଼ିଲା-ସେ ବେହୋସ ହେଇ ପଡ଼ିଥିବା ଲୋକଟା ଛଟପଟ ହେଲେ ଭଳି ଆସି ଥୋଡ଼ାଏ ଦୂରରେ ପହଞ୍ଚିଲାଣି । ତାରଜନ୍‌ ଆହୁରି ସତର୍କ ହେଇ ତା ଆଡ଼କୁ ଚାହିଁଲାବେଳକୁ ଲୋକଟା ଅତି ସନ୍ତର୍ପଣରେ ସେ ସ୍ଥାନରେ କ’ଣ ଗୋଟାଏ ଅଣ୍ଡାଳିବାକୁ ବସିଚି । କାଳ ବିଳମ୍ବ ନ କରି ଯାଇ ଏକା ଖେପାକେ ତା ଉପରେ ଯାଇ ପଡ଼ିଲା । ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ଚୌଧୁରୀ ଦଉଡ଼ି ଆସି ଦେଖିଲେ, ସେ ସ୍ଥାନରେ ଗୋଟିଏ ଛୋଟ ହ୍ୟାଣ୍ଡଲ୍‌ ଭଳି ଜିନିଷ ଅଛି ତାକୁ ପରୀକ୍ଷା କରିସାରିବା ପରେ ଚୌଧୁରୀଙ୍କର ବୁଦ୍ଧି ହଜିଗଲା । ଏକ ବିରାଟ ବମ୍‌ ଉପରକୁ ଉଠି ବିସ୍ଫୋରଣ ହେଇଥାନ୍ତା ଏବଂ ସେ ବମ୍‌କେବଳ ବିଷାକ୍ତ ନୁହେଁ, ଅନ୍ୟମାନେ ବେହୋସ ହେଇପଡ଼ିଥାନ୍ତି ଏବଂ ସେଇ ଅନ୍ଧାର ଭିତରେ ଏ ଦସ୍ୟୁଦଳ ଖସିଯାଇଥାନ୍ତେ ।

 

ଏକ ଦୀର୍ଘ ନିଃଶ୍ୱାସ ପକେଇ ଚୌଧୁରୀ ଯେତେବେଳେ ଏକ ବିରାଟ ବିପଦରୁ ମୁକ୍ତ ହେବେ ବୋଲି ଭାବି ସମସ୍ତଙ୍କୁ ବନ୍ଦୀ କଲେ, ସେତେବେଳେ ହଠାତ୍‌ ତାଙ୍କ କାନରେ ଗୋଟାଏ ଅପ୍ରାକୃତିକ ଶବ୍ଦ ଆସି ବାଜିଲା । ତା’ ପୁଣି ସେଇ ବିଶାଳକାୟ ଜୀବଟା ଚିତ୍କାର କରି ଆଗକୁ ମାଡ଼ିଆସିଲା । ଚୌଧୁରୀ ଏବଂ ଅଜୟ ସେଇଟାକୁ ଯଥା ସ୍ଥାନରେ ନିର୍ଜୀବ କରିଦେଇ ଆସିଥିଲେ; କିନ୍ତୁ ଏ କ’ଣ, ପୁଣି ଏହା କେମିତି ସମ୍ଭବ ! ତା’ହେଲେ କ’ଣ ଏସ୍‌. ପି. ଚନ୍ଦ୍ରନାଥ ବିପଦଗ୍ରସ୍ତ ! ଆଉ କାଳ ବିଳମ୍ବ ନ କର ସେ ଜୀବଟା ମାଡ଼ି ଆସିଲା ସମସ୍ତଙ୍କ ଆଡ଼କୁ, ଚିତ୍କାର କରି ଉଠିଲା-

 

‘ମି: ଚୌଧୁରୀ ଯିବା ପୂର୍ବରୁ ତା’ ହେଲେ ଆଉ ଗୋଟାଏ ପରୀକ୍ଷା ହେଇଯାଉ ତମ ଶକ୍ତିର । ଏତେ ଶୀଘ୍ର ଜିତିକରି ଯିବାକୁ ଦେବିନି ।’’

 

କନ୍‌ୱାର ଆଉ କିଛି ବୁଦ୍ଧି ନ ପାଇ ଆଗକୁ ମାଡ଼ିଆସୁଥିବା ସେ ଜୀବଟାକୁ ଦେଖେଇ ସମସ୍ତଙ୍କୁ କହିଲେ-ଫାୟାର୍‌ ! ଚୌଧୁରୀ ଏବଂ ଆଜି କିନ୍ତୁ ଆଉ କିଛି ବୁଦ୍ଧି ପାଇଲେନି । ତାରଜନ୍‌ ମଧ୍ୟ ଇସାରା ଦେଇ ସେ ସ୍ଥାନରୁ ଦଉଡ଼ିବାକୁ ଲାଗିଲେ । କନ୍‍ୱାର ନିଜର ବିଜୟ ଉପରେ ଆଶାବାଦୀ ହେଇସାରିଚନ୍ତି । ଏତେ ଗୁଡ଼ାଏ ବନ୍ଧୁକ ଆଗରେ ଛାର ଗୋଟାଏ ଜୀବ । ଏକାଥରକେ ଶହ ଶହ ଗୁଳି ସେଇ ଜୀବ ଉପରକୁ ଫୁଟିଉଠିଲା କିନ୍ତୁ ତଥାପି ସେ ଜୀବଟାର ଯେପରି କିଛି ହଉନି । ନିର୍ବିଘ୍ନରେ ସେ ହାତ ବଢ଼େଇ କନ୍‌ୱାରଙ୍କ ଆଡ଼କୁ ଆଗେଇ ଆସୁଚି । କନ୍‌ୱାର ନିଜେ ପିସ୍ତଲ ଫୁଟେଇ ଚାଲିଲା; କିନ୍ତୁ କିଛି ଫଳ ହେଲାନି । ପର୍ବତ ଭଳି ମାଡ଼ିଆସୁଚି ସେ କନୱାରଙ୍କ ଆଡ଼କୁ । କନ୍‌ୱାରଙ୍କ ବିଭ୍ରାନ୍ତ ହୋଇପଡ଼ିଲେ । ହଠାତ୍‌ ଦେଖିଲେ, ହାତଟେକି ସେ ପୂରାପୂରି କନ୍‌ୱାରଙ୍କ ପାଖରେ ପହଞ୍ଚିଲେ । କନ୍‌ୱାରଙ୍କର ଚେତା ବୁଡ଼ିଗଲା । ଠିକ୍‌ ତାଙ୍କ ବେକ ପାଖକୁ ସେ ଜୀବଟା ହାତ ବଢ଼େଇଚି, ଏଇ ସମୟରେ ଗୋଟାଏ କ’ଣ ଶବ୍ଦରେ ଆଉ ସେ ଆଗେଇ ପାରିଲାନି, ସେଇଠି ରହିଗଲା ।

 

କିଛି ସମୟ ପରେ ଚୌଧୁରୀ, ଅଜୟ ଓ ତାରଜନ୍‌ ଫେରିଆସିଲେ ଏବଂ କନ୍‌ୱାରଙ୍କୁ ହୋସ୍‌ କରେଇଲେ । କନ୍‌ୱାର ତାଙ୍କୁ ଦେଖି ପୁଣି ସେ ଜୀବ କଥା ପଚାରିଲେ ଏବଂ ଯେତେ ଗୁଳି ଫୁଟାଇବା କଥା କହିଲେ, ଚୌଧୁରୀ ହସି କହିଲେ, ‘ଆପଣଙ୍କ ଷ୍ଟୋର୍‌ର ସମସ୍ତ ଗୁଳି ତା ଉପରେ ଅଜାଡ଼ି ଦେଇଥିଲେ ବି ତା’ର କିଛି ହେଇ ନ ଥାନ୍ତା, ସାର୍‌ ! ଏଥର ଯିବା, ଏଥର କାମ ଶେଷ ହେଇଯାଇଚି । ଏସ୍‌. ପି. ସାହେବଙ୍କ ଚେତା ଫେରିବାକୁ ଟିକେ ଡେରି ଲାଗିବ । କାରଣ ମୁଣ୍ଡରେ ଆଘାତ ଟିକେ ଜୋର୍‌ରେ ହେଇଚି । ମୋର ଏ ନାଟକର ଶେଷ ଚରିତ୍ର ନିତିଆ କଥାଟା ମନେ ନ ଥିଲା । ନ ହେଲେ ସେତିକି ବି ହେଇ ନ ଥାନ୍ତା । ଏଥର ଯିବା, ସକାଳ ହେଇଗଲା ।’

 

ଅତି ଶୀଘ୍ର ଗାଡ଼ିରେ ସବୁ ଦସ୍ୟୁଗୁଡ଼ିକୁ ବସେଇସାରିଲା ପରେ ଗାଡ଼ି ନେଇଗଲେ ସେ ପାଖର ଗୋଟାଏ ଅଣ୍ଡରଗ୍ରାଉଣ୍ଡ ବନ୍ଦୀଶାଳାକୁ । ସେଠି ସଶସ୍ତ୍ର ପୋଲିସ ଭିତରେ ବିମର୍ଷ ଦୁଇଟି ବ୍ୟକ୍ତି ବନ୍ଦୀ ଅବସ୍ଥାରେ ବସିଛନ୍ତି ।

 

‘ସୁପ୍ରଭାତ ମି: ଛୋଟରାୟ ଏବଂ ସ୍ମିଥ୍‌ ସାହେବ, ଏଥର ଯିବା !’ ଉପଯୁକ୍ତ ବ୍ୟବସ୍ଥା କରି ସମସ୍ତେ ସେଠାରୁ ବିଦାୟ ନେଲେ ।

 

X X X

 

ଏକ ବିରାଟ ବୈଠକ ସେଦିନ ବୃଦ୍ଧ ଛୋଟରାୟଙ୍କ ବାସଭବନରେ ବସିଥାଏ । ସବୁ ବଡ଼ ବଡ଼ ପୋଲିସ ଅଫିସରଙ୍କ ଗହଣରେ ଆଇ: ଜି: ପ୍ରମୁଖ ବସିଥାନ୍ତି । ସମସ୍ତଙ୍କ ଅନୁରୋଧରେ ଚୌଧୁରୀ କହୁଥିଲେ, ସାରଂଶରେ ତାଙ୍କର ଏଇ ଅଭିଯାନ କଥା । ମି: ଛୋଟରାୟ ତା’ର ଭିତରେ ପ୍ରଶ୍ନ କଲେ–

 

‘ମି. ଚୌଧୁରୀ ! କ’ଣ ସେ ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ! ମୁଁ ଏପର୍ଯ୍ୟନ୍ତ ବୁଝି ପାରିଲିନି, କାହିଁକି ଏତେ ବଡ଼ ଗୋଟାଏ ଚକ୍ରାନ୍ତ ସୃଷ୍ଟି ହେଉଥିଲା ।’

 

ଚୌଧୁରୀ ପୁଣି ଆରମ୍ଭ କଲେ–

 

‘ସେଇଟାହିଁ ସବୁଠାରୁ ବଡ଼ କଥା, ମି: ଛୋଟରାୟ । କହୁଚି–ଏଇ ଓଡ଼ିଶାର ଜଙ୍ଗଲ ଭିତରୁ କେତୋଟି ଅଞ୍ଚଳରେ ଏକ ପ୍ରକାର ଗଛ ପ୍ରଚୁର ପରିମାଣରେ ଦେଖାଯାଏ । ସେ ଗଛଟା କୌଣସି କାମରେ ଲାଗେନାହିଁ ବୋଲି ଆମେମାନେ ଜାଣୁ । କିନ୍ତୁ ଏହାରି ପତ୍ରକୁ ଶୁଖେଇ ତାକୁ ଗୁଣ୍ଡ କରି ଏକ ରାସାୟନିକ ପ୍ରକ୍ରିୟାରେ ତା ସାଙ୍ଗରେ ଆଉ କିଛି ଦ୍ରବ୍ୟ ମିଶେଇ ଲିବୋନାଇଟ୍‌ ବୋଲି ଏକ ଜିନିଷ ପ୍ରସ୍ତୁତ କରିଯାଉଛି, ଯାହାର କି ଚାହିଦା ଅମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶମାନଙ୍କରେ ବହୁତ ହେଇପଡ଼ିଚି । ଏହାର ବ୍ୟବହାର ଦୃଷ୍ଟିରୁ ପ୍ରଚୁର ଦାମରେ ଏହା ବିକ୍ରୟ ହେଉଅଛି । ପୃଥିବୀର ସବୁଠାରୁ ଦାମିକା ଔଷଧ, ମଦ ଓ ଅନ୍ୟ କେତୋଟି ଜିନିଷ ଏହାର ଖୁବ ଅଳ୍ପ ପ୍ରୟୋଗରେ ହୋଇପାରୁଚି । ଏହିପରି ଏକ ପରୀକ୍ଷା କରୁ କରୁ ବୋଷ୍ଟନ୍‌ ଇଉନିଭରସିଟିର ଉଦ୍ଭିଦ ବିଭାଗର ପ୍ରଫେସର ଥମାସ୍‌ ଜାଣିପାରିଥିଲେ । ସେ ବିଷୟରେ ଏକ ବିଶଦ ଗବେଷଣା କରିବାକୁ ସେ ଓଡ଼ିଶା ଆସିବା ପୂର୍ବରୁ ସେଠାରେ ଥିବା ଓଡ଼ିଶାର ଅନ୍ୟାନ୍ୟ କେତେକ ବ୍ୟକ୍ତିଙ୍କ ନିକଟରୁ ଓଡ଼ିଶାର ଜଙ୍ଗଲ ବିଷୟରେ ବୁଝିବା ପାଇଁ ଏକ ଚା’ ଭୋଜିର ଆୟୋଜନ କରିଥିଲେ । ସେଥିରେ ସୁଖେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ । ତା’ ପରେ ସୁଖେନ୍ଦୁଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା । ସେ ସେଠାକାର ଅଉ କେତେଜଣ ବ୍ୟବସାୟୀଙ୍କ ସାଙ୍ଗରେ କଥାବାର୍ତ୍ତା ଚଲାଇଲେ । ସେଇ ସମୟରେ ତାଙ୍କର ମିଷ୍ଟର ଫିଲିପ୍‌ ନାମକ ଜଣେ ଇଞ୍ଜିନିୟରଙ୍କ ସାଙ୍ଗରେ ସାକ୍ଷାତ ହୁଏ, ଯେ ସୁଖେନ୍ଦୁଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି । ସୁଖେନ୍ଦୁ ଫେରିଲେ ଏବଂ ତା’ର କିଛି ଦିନ ପରେ ଏଇ ସ୍ମିଥ୍‌ ସାହେବ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କଲେ । ବର୍ତ୍ତମାନ ଚୋରାରେ ଏକ ବିରାଟ ମେସିନ୍‌ ବସିଲା, ଯୋଉଟା କି ଆପଣମାନେ ଦେଖିଲେ । ସେଇ ଫରେଷ୍ଟ କଣ୍ଟ୍ରାକ୍‌ଟ ନବା ସ୍ଥାନର ଭୂମିତଳେ ରାତିଦିନ ଚାଲେ । ସେଇ ପତ୍ର ସବୁ ବିଭିନ୍ନ ଜଙ୍ଗଲରୁ ସଂଗୃହୀତ ହେଇ ସେଗୁଡ଼ିକ ସେ ମେସିନ୍‌ରେ ଗୁଣ୍ଡ ହୁଏ । କିନ୍ତୁ ବାହାରକୁ ଚୋରାରେ ଚାଲାଣ କରିବା ଅସୁବିଧା ହବ ଭାବି ତାକୁ ଗୁଣ୍ଡ କରି କାଠ କଣ୍ଟ୍ରାକ୍ଟରୀ ନେଇ ଯୋଉ ବଡ଼ ବଡ଼ କାଠ ଲଗ୍‌ଗୁଡ଼ିକ-ତା ଭିତରୁ ଆଉ ଏକ କଳ ସାହାଯ୍ୟରେ ଭିତରଟା ପୂରା ଖୋଳ କରିଦେଇ ତା ଭିତରେ ଏଇ ଗୁଣ୍ଡ ଭର୍ତ୍ତି କରି ପୁଣି ଅତି ସୁନ୍ଦର ଭାବରେ ଯୋଡ଼ାଯାଇ ବିଦେଶକୁ ଚାଲାଣ କରାଯାଏ ।

 

ଏ କଥାଟା ମୁଁ ଆବିଷ୍କାର କଲି, ଯୋଉ ଦିନ ଛୋଟରାୟଙ୍କ ଫରେଷ୍ଟ ଫାର୍ମ ବୁଲିବାକୁ ଯାଇଥିଲେ । ଆଉ ଗୋଟାଏ କାଠକୁ ଜାଣି ଜାଣି ତାରଜନ୍‌ ଦୂରକୁ ଫୋପାଡ଼ି ଦେଇ ଜାଣିଥିଲା ଯେ, ତାହା ଭିତରଟା ଏକବାରେ ଫମ୍ପା । ତା’ପରେ ସେଇଦିନ ଲୁଚିଲାବେଳେ ଏକ ଗରମ ପାଣିର ଆଭାସ ପାଇ ମୁଁ ଜାଣି ପାରିଥିଲି ଯେ, ଭୂମିତଳେ ନିଶ୍ଚୟ ଏକ କାରଖାନା ଅଛି ଏବଂ ସେଦିନ ନିଶ୍ଚିତ ଏକ ମରଣରୁ ମଧ୍ୟ ରକ୍ଷା ପାଇଥିଲୁଁ; କାରଣ ଆମକୁ ଡମ୍ପର ମଡ଼େଇଦେବାର ଯୋଜନା ହୋଇଥିଲା । ଏଇଟା ହିଁ ଆପଣମାନଙ୍କର କ୍ୟାମ୍ପ ନମ୍ବର ଏକ ।’

 

ଏତିକି କହି ଚୌଧୁରୀ ସିଗାରେଟ୍‌ରେ ଅଗ୍ନି ସଂଯୋଗ କଲେ । ତା’ପରେ କିଞ୍ଚିତ୍‌ ଦମ୍‌ ନବାକୁ ଯାଇ ସେ ଅଜୟଙ୍କୁ କହିବାକୁ ଇସାରା ଦେଲେ । ଅଜୟ କହିଲେ–

 

‘ମତେ ହଠାତ୍‌ ଦିନେ ଯିବାକୁ ପଡ଼ିଲା ବମ୍ବେ । କାରଣ ଖବର କାଗଜରେ ବାହାରିଲା ଯେ, ପ୍ରଚୁର ପରିମାଣରେ ବମ୍ବେରୁ ଏକ ବିଶେଷ ପ୍ରକାର କାଠ ଚାଲାଣ ହେଉଛି । ମୁଁ ବମ୍ବେରେ ଯାଇ ଜାଣିପାରିଲି ଯେ, ସେଗୁଡ଼ିକ ଏଇ କମ୍ପାନୀର । ଆଉ ପ୍ରକୃତ କାଠ ଲଗ୍‌ର ଓଜନ ଏଇ ରପ୍ତାନୀ ହେଉଥିବା କାଠର ଓଜନ ଅପେକ୍ଷା ବ୍ରହୁପରିମାଣରେ ଅଧିକ । ତେଣୁ ଆମ ସନ୍ଦେହ ଦୂବୀଭୂତ ହେଲା ।’’

 

ତା’ପରେ ପୁଣି ଚୌଧୁରୀ ଆରମ୍ଭ କଲେ–

 

‘ୟା ଭିତରେ ଆପଣମାନେ ଜାଣନ୍ତି, ଥମାସ୍‌ ଆସି ତାଙ୍କ ରିସର୍ଚ୍ଚ କରି ଗବେଷଣାର ଫଳାଫଳ ଆନୁଷ୍ଠାନିକ ଭାବରେ ପ୍ରକାଶ କରିବା ଆଗରୁ ତାଙ୍କର ସବୁ ରେକର୍ଡ଼ସ୍‌ ଚୋରି କରି ନିଆଗଲା । କାଳେ ସେ ପୁଣି ଗବେଷଣା ଆରମ୍ଭ କରିପାରନ୍ତି ବୋଲି ଟେଲିଫୋନ୍‌ ରିସିଭରରେ ଝାଡ଼ୁଦାର ହାତରେ ବିଷ ରଖାଯାଇ ତାଙ୍କୁ ହତ୍ୟା କରାଗଲା । କିନ୍ତୁ ଏଇଠି ଗୋଟିଏ କଥା ମୁଁ କହିରଖେ ଯେ, ଯୋଉ ଦିନ ପ୍ରଥମେ ଆଇ. ଜି. ସାହେବ ମତେ ଡାକି ଶୁଭେନ୍ଦୁଙ୍କର ହରଣଚାଲ ହେଇଥିବା ବିଷୟରେ ଜଣେଇଲେ, ତାଙ୍କର ହସ୍ତାକ୍ଷର ପରୀକ୍ଷା କରିବା ଆଶାରେ ସେଇଦିନ ରାତିରେ ଯେତେବେଳେ ଆମେ ନନ୍ଦନ କାନନ ଯାତ୍ରା କରିଥିଲୁ ତା’ର କେଇଟି ମୁହୂର୍ତ୍ତ ପୂର୍ବରୁ ସେ ଚଉକିଦାରକୁ ହତ୍ୟା କରାଯାଇ ସେ ରେକର୍ଡ ଚୋରି ହେଇଥିଲା ।’

 

ଆଇ. ଜି. କନୱାର କଥା ମଝିରେ ପ୍ରଶ୍ନ କଲେ-‘କିନ୍ତୁ ଏତେଗୁଡ଼ାଏ ଷଡ଼ଯନ୍ତ୍ର ଭିଆଇବା ଉପରେ କ’ଣ ଉଦ୍ଦେଶ୍ୟ ଥାଇପାରେ, କହିବେ ?’

 

‘କେବଳ ପ୍ରଚୁର କଳାଟଙ୍କାର ମାଲିକ ଅବା-ଆଉ କିଛି ନୁହେଁ ।’

 

‘ତା’ ହେଲେ ଶୁଭେନ୍ଦୁ, ଆଉ ତା ସ୍ତ୍ରୀ ମୁଁ କ’ଣ କ୍ଷତି କରିଥିଲେ । ତାଙ୍କୁ କାହିଁକି ହରଣଚାଲ କରାଗଲା ? ବୃଦ୍ଧ ଛୋଟରାୟ ପଚାରିଲେ ।

 

ଚୌଧୁରୀ ଉତ୍ତର ଦେଲେ–

 

‘‘ସେଇଠି ହିଁ ପ୍ରକୃତ କଥା ଛପି ରହିଗଲା, ଆଜ୍ଞା ! ଆପଣଙ୍କୁ ମୁଁ କିଛି ସମୟ ଆଗରୁ ଜଣେ ଇଞ୍ଜିନିୟର ଫିଲିଫ୍‌ଙ୍କ କଥା କହୁଥିଲି, ସ୍ମରଣ ଥିବ । ସୁଖେନ୍ଦୁ ବିଦେଶରୁ ଫେରିଲା ପରେ ଫିଲିଫ୍‌ ଏକ ଚିଠି ଦେଇଥିଲେ ତାଙ୍କ ପ୍ରତିଶ୍ରୁତି ସମ୍ବନ୍ଧରେ ମନେପକେଇ । ସେଇଟା ସୁଖେନ୍ଦୁଙ୍କ ବ୍ୟବସାୟ ସଂକ୍ରାନ୍ତୀୟ କମ୍ପାନୀ ନାଁରେ ଆସିଥିଲା । କମ୍ପାନୀର ଚିଠି ଭାବି ଶୁଭେନ୍ଦୁ, ତାକୁ ଖୋଲିଦେଇଥିଲେ; ଫଳରେ ସବୁ କଥା ଜାଣିପାରିଥିଲେ । ଏଇ ଭୟରେ ସୁଖେନ୍ଦୁ ଚାହିଁଲେ ତାଙ୍କୁ ବାଟରୁ ସଫା କରିବା ପାଇଁ । ପୁଣି ଏଇ ଅବସରରେ ସେ କାଳେ ତାଙ୍କ ସ୍ତ୍ରୀଙ୍କୁ କହିଥିବେ ଏଇ ଆଶଙ୍କା କରି ଉଭୟଙ୍କୁ ହରଣଚାଳ କରିଦେଲେ । କିନ୍ତୁ ତା ପୂର୍ବରୁ ଚିଠି ଗଲା ଫିଲିପ୍‌ଙ୍କ ନିକଟକୁ ଓଡ଼ିଶା ଆସିବାକୁ । ସେ ମଧ୍ୟ ଆସିଲେ । କିନ୍ତୁ କହିପାରିବେ, ସେ କୁଆଡ଼େ ଗଲେ ? ସେଇଠି ସବୁ ଚକ୍ରାନ୍ତ ଜମାଟ ବାନ୍ଧିଥିଲା ଏବଂ ତାଙ୍କୁ ଆବିଷ୍କାର କରିଥିଲା ଏଇ ତାରଜନ୍‌ । ଏକ ନିଝୁମ ବର୍ଷାରାତିରେ ପାହାଡ଼ ତଳରର ଝରଣା ତଳକୁ ଗାଡ଼ି ସହିତେ ମି: ଫିଲିପ୍‌କୁ ବେହୋସ କରି ପକେଇ ଦିଆଯାଇଥିଲା । ତାଙ୍କୁ ଆସିବାକୁ ଲେଖି ଏରୋଡ୍ରାମ୍‌ରୁ ଆଣି ଏପରି ଭାବରେ ମାରିବାର ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ସେତକ ତାରଜନ୍‌ ଆଖିରୁ ବାଦ୍‌ଯାଇ ନ ଥିଲା । ସେଇ ରାତିର କେତୋଟି ଫଟୋରୁ ଯେଉଁ ଗାଡ଼ିର ସନ୍ଧାନ କରାଗଲା ସେଇ ଗାଡିଟି ଯେ ମି: ସ୍ମିଥ୍‌ ଚଢ଼ୁଥିବା ଗାଡ଼ି ଏବଂ ନନ୍ଦନ କାନନକୁ ଯାଇଥିବା ଗାଡ଼ି ଯେ ଚୌଧ୍ରୁରୀଙ୍କ ଗାଡ଼ି ଏ କଥାରେ ମୋର ଆଉ ସନ୍ଦେହ ନ ରହିବା ପରେ ଅନୁସନ୍ଧାନର ଧାରା ମତେ ବଦଳେଇବାକୁ ପଡ଼ିଲା । ତେବେ ଫିଲିପ୍‌ ମଲା ପରେ ଏବଂ ଶୁଭେନ୍ଦୁ ଓ ତାଙ୍କ ସ୍ତ୍ରୀ ଅପହୃତ ହୋଇଯିବା ପରେ ଆଉ ତାଙ୍କର ଯେ ଏକମାତ୍ର ଶତ୍ରୁ ରହିଲେ ସେ ହେଲେ ପ୍ରଫେସର ଥମାସ୍‌ । ତାଙ୍କୁ ହଟେଇ ଦେଇସାରିଲା ପରେ ସୁଖେନ୍ଦୁ, ନିର୍ଦ୍ୱନ୍ଦରେ ଟଙ୍କା ରୋଜଗାର କରିଚାଲିଲା ମି. ସ୍ମିଥ୍‌ଙ୍କ ସହ । ଆଉ ଗୋଟିଏ କଥା, ଏଇ ଘର ଭିତରେ ନ ଥାଇ ମଧ୍ୟ ଯାହା କିଛି ବରାଦ କରିବା ଦରକାର, ସୁଖେନ୍ଦୁ ସେସବୁ କରିପାରୁଥିଲେ । କେମିତି, ଜାଣନ୍ତି ? ଏ ଘରର ଖୁବ୍‌ବିଶ୍ୱସ୍ତ ଭୃତ୍ୟ ନିତିଆ ଯୋଗୁ । ଏଇ ଘରେ ଆଉ ଗୋଟାଏ ଟେଲିଫୋନ୍‌ ସଂଯୋଗ ଅଛି ଯାହା କେହି ଜାଣନ୍ତିନି । ସେ କଥା ମୁଁ ସନ୍ଦେହ କରଥିଲି ସେଇ ଗାଡ଼ି ନେଲା ଦିନ । ମୁଁ ଛୋଟରାୟଙ୍କ ଗାଡ଼ିଟା ନବାର ପ୍ରସ୍ତାବ କଲା ମାତ୍ରେ ହଁ ନିତିଆ ଆଉ ଟେଲିଫୋନ୍‌ରୁ ଖବର ଦେଇ ସୁଖେନ୍ଦୁଙ୍କର ଗାଡ଼ି ଦରକାର ବୋଲି କୁହାଇଦେଲା । ମୁଁ ତା’ପରେ ତାଙ୍କର ସମସ୍ତ କଥାବାର୍ତ୍ତା କୋଉଠିକି ହୁଏ ସବୁ ଜାଣିପାରିଥିଲି । ବିଶେଷକରି ଥମାସ୍‌ ମଲାଦିନର ଉଦ୍ଦେଶ୍ୟ–ମୂଳକ ଟେଲିଫୋନ୍‌ ମଧ୍ୟ ଏଇ ଘରୁ ହୋଇଥିଲା ।’’

 

ଆଉ ବୃଦ୍ଧ ଛୋଟରାୟ ସମ୍ଭାଳି ପାରିଲେନି । ମୁଣ୍ଡ ତାଙ୍କର ଝିମ୍‌ଝିମ୍‌ ହୋଇଉଠିଲା । ତା’ର ରକ୍ତରେ ସେ ଉଠି ଠିଆହେଲେ । ସମସ୍ତେ ତାଙ୍କୁ ଚାହିଁବାରେ ସେ କହିଉଠିଲେ–

 

‘‘ମି: ଚୌଧୁରୀ ! ଥରେ ମାତ୍ର, ମତେ ସୁଖେନ୍ଦୁ ପାଖକୁ ନେଇଚାଲନ୍ତୁ । ମୁଁ ତା’ଠୁଁ ମୋ’ର ରାଇଫଲ୍‌ର ଗୁଳିରେ ପ୍ରତିଶୋଧ ନେବି ଆଉ ପଚାରିବି ଯେ ଉପରକୁ ସାଧୁ ବା ବାବାଜି ବୋଲେଇ କି ସତ୍ୟାନାଶ ମୋର ସେ କରିଚି । ଜାଣିକରି ତ ମୋର ସବୁ ଯାଇଚି, ଆଉ ସେ କାହିଁକି ରହିବ ? ମୁଁ ତାକୁ ନିଜ ହାତରେ ଶେଷ କରିଦିଅନ୍ତି ।’’ ଏ କଥାରେ ହସି ଉଠିଲେ ଚୌଧୁରୀ–

 

‘‘ଛୋଟରାୟ ସାହେବ ! ଅଯଥା ସୁଖେନ୍ଦୁବାବୁଙ୍କୁ ଦୋଷୀ କରନ୍ତୁ ନାହିଁ । ସେ ହୁଏତ ଆମେରିକାର କୋଉ ମିସନ୍‌ରେ ଧର୍ମଚର୍ଚ୍ଚା କରୁଥିବେ ବା ହିପ୍‌ପି ବିଟ୍‌ଲସ୍‌ଙ୍କ ସାଙ୍ଗରେ ମିଶି ସେ ସନ୍ନ୍ୟାସ ଆରମ୍ଭ କରୁଥିବେ । ତାଙ୍କୁ ଦୋଷ ଦେଇ ଲାଭ କ’ଣ ? ଯାହାଙ୍କୁ ଆପଣ ସୁଖେନ୍ଦୁ ବୋଲି ଧରି ରଖିଚନ୍ତି, ସେ କଣ ପ୍ରକୃତରେ ସୁଖେନ୍ଦୁ !’’

 

ସମସ୍ତେ ଯେମିତି ଆକାଶରୁ ଛିଡ଼ିପଡ଼ିଲା ପରି ଅବାକ୍‌ହୋଇ ଚାହିଁରହିଲେ । ଚୌଧୁରୀ କହିଲେ–

 

‘‘ଏଇ ଓଡ଼ିଶାରୁ ଡେଭିଡ୍‌ ନାମକ ଜଣେ ଖ୍ରୀଷ୍ଟିୟାନ୍‌ ମିସନାରୀ ମିସନ ସଂକ୍ରାନ୍ତରେ ସେଠାକୁ ଯାଇଥିଲେ ଏବଂ ସେ ଥମାସ୍‌ଙ୍କର ସେଇ ସଭାରେ ଉପସ୍ଥିତ ଥିଲେ । ତା’ପରେ ସୁଖେନ୍ଦୁଙ୍କର ସନ୍ନ୍ୟାସ ଲକ୍ଷ୍ୟ ଜାଣି ଏବଂ ତାଙ୍କର ମଧ୍ୟ ସମ୍ପତ୍ତି ସମ୍ବନ୍ଧରେ ସବୁକିଛି ସନ୍ଧାନ ପାଇ ସେ ସ୍ମିଥ୍‌ନାମକ ଜଣେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଦଲାଲ ସାଥିରେ ହାତ ମିଳେଇ ଓଡ଼ିଶା ଫେରିଲେ । ଆପଣଙ୍କର ମନେ ଥାଇପାରେ-ସୁଖେନ୍ଦୁ, ଫେରିଲା ପରେ ଆପଣ ତାଙ୍କର ମୁହଁରେ ଅନେକ ଦାଗ ଦେଖି ପ୍ରଶ୍ନ କରିବାରେ ସେ ଗୋଟିଏ କାରଖାନାରେ ରାସାୟନିକ ଦ୍ରବ୍ୟ ପଡ଼ି ମୁହଁଟାସାରା ବିକଳାଙ୍ଗ ହେଇଚି ବୋଲି କହିଥିଲେ । ବେଶ୍‌ ସେତିକି । କିନ୍ତୁ ପ୍ରାକୃତିରେ ସୁଖେନ୍ଦୁ, ବେଶ୍‌ କିଛିଦିନ ତଳେ ଆଉ ଘରକୁ ଫେରିବେ ନାହିଁ ବୋଲି ଯୋଉ ଚିଠି ଲେଖିଥିଲେ, ତାକୁ ଏଇ ସୁଖେନ୍ଦୁ, ଓରଫ୍‌ ଡେଭିଡ୍‌ କରଗତ କରିଥିଲେ ।’’ ଠିକ୍‌ ଏଇ ସମୟରେ ଗୋଟାଏ ଗାଡ଼ି ଆସି ପୋର୍ଟିକୋରେ ପାର୍କ କଲା । ଚୌଧୁରୀ କହିଲେ–

 

‘‘ଆପଣଙ୍କର ଶୁଭେନ୍ଦୁ ବାବୁ ଓ ତାଙ୍କ ପତ୍ନୀ ଆସିଲେ ବୋଧହୁଏ ଏସ୍‌. ପି.ଙ୍କ ସହିତ ।’’

 

‘ଏଁ, ସେମାନେ କ’ଣ ଜୀବିତ ??’ କହି ବୃଦ୍ଧ ଛୋଟରାୟ ପାଗଳଙ୍କ ପରି ଉଠିବସିଲେ-। ଭିତରକୁ ପ୍ରବେଶ କରୁଥିବା ଶୀର୍ଣ୍ଣକାୟ ଦୁଇଟି ନିଷ୍ପ୍ରଭ ତରୁଣ ତରୁଣୀଙ୍କୁ ଦେଖେଇ ଚୌଧୁରୀ କହିଲେ–

 

“ହଁ, ଆଜ୍ଞା ! କାରଣ ଶତ୍ରୁର ଚରମ ଲକ୍ଷ୍ୟ ସାଧିତ ହୋଇ ପାରି ନ ଥିଲା ଶେଷଯାକେ-। ସେ ଚାହୁଁଥିଲା, ତିନିଜଣଯାକ ମିଶି ଆପଣଙ୍କ ନାଁରେ ଏକ ନୋଟିସ ଆଣିଥାନ୍ତେ ଯେ ଆପଣ ପାଗଳ । ତେଣୁ ସମ୍ପତ୍ତି ସବୁ ଏମାନଙ୍କ ଅଧୀନକୁ ଆସିଥାନ୍ତା । ତା’ପରେ ଶୁଭେନ୍ଦୁ ବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କଲା ପରେ ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥାନ୍ତା । କିନ୍ତୁ ଶୁଭେନ୍ଦୁବାବୁ ଜୀବନ ବିନିମୟରେ ସୁଦ୍ଧା ତ’ କରିବେନି ବୋଲି ଜିଦି ଧରି ବସିବାରେ ଉଭୟଙ୍କୁ ବହୁତ ନିର୍ଯାତନା ଭୋଗ କରିବାକୁ ପଡ଼ିଚି ।’’

 

ଆନନ୍ଦରେ କାନ୍ଦି ପକେଇଲେ ବୃଦ୍ଧ ଉଭୟଙ୍କୁ ଦେଖି । ତା’ପରେ ସବୁ ଜାଣିସାରିବା ପରେ ସମସ୍ତେ ଇଚ୍ଛା ପ୍ରକାଶ କଲେ ଆଉ ଥରେ ସେହି ବ୍ୟକ୍ତିଗୁଡ଼ିଙ୍କୁ ଜେଲ୍‌ରେ ଦେଖିବେ ବୋଲି-। ସମସ୍ତେ ଉଠିଲେ; କିନ୍ତୁ ଛୋଟରାୟ ସମସ୍ତଙ୍କୁ ଅନୁନୟ କରି ପ୍ରାର୍ଥନା କଲେ ରାତ୍ରି ଭୋଜନରେ ଯୋଗ ଦେବାକୁ । ସମସ୍ତେ କଥା ଦେଲେ । ଉଠିବାବେଳେ ଆଇ. ଜି. କନ୍‌ୱାର କହିଲେ–

 

‘‘ମି: ଚୌଧୁରୀ ! ମତେ ସେ ଅଦ୍ଭୁତ ଜୀବଟା ସେଦିନ ମାରିଦେଇଥାନ୍ତା । ତା’କଥା କେହି ଜାଣିଲେନି ତ !’’

 

ହସି ହସି ଚୌଧୁରୀ କହିଲେ, ‘‘ସେଇଟା ହଉଚି ଲୁହାରେ ତିଆରି ଗୋଟାଏ ସେଇଭଳି ଆକୃତି; ବିଦ୍ୟୁତ୍‌ଦ୍ୱାରା ଚାଲେ । ତାକୁ ଚଳାଉଥିବା ବ୍ୟକ୍ତି ତା’ ଭିତରେ ନ ଥାଏ । ସେ ଆଉ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ଘରେ ବସି ନିର୍ଦ୍ଦେଶକ୍ରମେ ତାକୁ ଚଲାଏ ଏବଂ ମାଇକ୍‌ ସାହାଯ୍ୟରେ ସେଇଠୁ କୁହେ । ମାଇକ୍‌ଟା ଏଇ ଜୀବର ଦେହରେ ଫିଟ୍‍ ହୋଇଥିବାରୁ ସମସ୍ତେ ବିଶ୍ଵାସ କରନ୍ତି ଏଇ ସେ ଜୀବ ବୋଲି । ତା’ ଦେହରେ ବିଦ୍ୟୁତ୍‌ଶକ୍ତି ପ୍ରବାହିତ । ତେଣୁ ସେ ଯାହାକୁ ଛୁଇଁବ ସେ ତତ୍‌କ୍ଷଣାତ୍‌ ମରିବ ନିଶ୍ଚୟ ।

 

ପରିଶେଷରେ ସେଠି ମୁଁ ତାକୁ ଚଳାଉଥିବା ବ୍ୟକ୍ତିକୁ ଧରି ଏସ୍‌. ପି.ଙ୍କ ଦାୟିତ୍ୱରେ ଦେଇଆସିଲି । ଏସ୍‍. ପି. ମଧ୍ୟ ଚମତ୍କାର ଭାବରେ ସମସ୍ତଙ୍କଠାରୁ ବନ୍ଧୁକ ଆଦାୟ କରିନେଲେ । କିନ୍ତୁ ଶେଷ ମୁହୂର୍ତ୍ତକୁ ଏଇ ନିତିଆ ହିଁ ତାଙ୍କୁ ଆକ୍ରମଣ କରି କାବୁ କରିଥିଲା । ହେଲେ ତା’ର ସେ ଆଶା ପୂରଣ ହେଇପାରିଲାନି ।’’

 

ସମସ୍ତେ ଆନନ୍ଦରେ ଗଦ୍‌ଗଦ ହୋଇଉଠିଲେ । କୃତକୃତ୍ୟ ହୋଇ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା ଜଣେଇବାକୁ ଆସିଲାବେଳେ ଚୌଧୁରୀ ନିର୍ବିକାର ଭାବରେ ହାତ ବଢ଼େଇଦେଲେ ତାରଜନ ଆଡ଼କୁ ।

 

‘‘ମୋର ଏ ଗୌରବରେ ଆଦୌ ଅଂଶ ନାମ, ଆଜ୍ଞ ! ମୁଁ ମୁକ୍ତକଣ୍ଠରେ କହିପାରେ, ଏପରି ଏକ ଜଙ୍ଗଲରେ ଅଭିନବ ଏଇ ଦୁରୂହ ଅଭିଯାନ କାହାର ଦ୍ୱାରା ସମ୍ଭବ ନୁହେଁ । ଯଦି କେହି ଏଥିପାଇଁ ଦାୟୀ ତା’ହେଲେ ସେ ଏଇ ତାରଜନ, ଯେ କି ଅନ୍ୟ ସବୁ ଅସମ୍ଭବ କାର୍ଯ୍ୟ କରିବା ବ୍ୟତୀତ ଦୁଇ ଦୁଇଟି ଭ୍ୟାଂକ୍ରୋଭାରକୁ ନିହତ କରିଛି । ନ ହେଲେ ସେ ଦୁଇଟି ଭ୍ୟାଂକ୍ରୋଭାର ଆମ ସମସ୍ତଙ୍କ ପାଇଁ ମାତ୍ର ପାଞ୍ଚ ମିନିଟ ଦରକାର କରିଥାନ୍ତି । ସବୁ ଗୌରବ କେବଳ ସେଇ ତାରଜନର ହିଁ ଅଧିକାର ।’’

 

ନିଜ ସ୍ଥାନରୁ ଉଠିଆସି କନ୍‌ୱାର ତାରଜନକୁ କୁଣ୍ଢେଇ ପକେଇଲେ ଆଉ ଟେବୁଲ୍‌ ଉପରେ ରହିଥିବା ମେଞ୍ଚାଏ ଫୁଲ ତା’ ହାତକୁ ଦେଇ କହିଲେ–

 

‘‘ଇଏ ମେଞ୍ଚାଏ ଫୁଲ ନୁହେଁ, ମେଞ୍ଚାଏ ଗୌରବ ।’’

 

କରତାଳି ଭିତରେ ବୈଠକ ଭଙ୍ଗ କରାଗଲା, ଆଉ ଗାଡ଼ିଗୁଡ଼ିକ ଗଡ଼ିଚାଲିଲେ ଜେଲ୍‌ଖାନା ଫାଟକ ଅଭିମୁଖେ ।

Image